ଭିନ୍ନ ସ୍ପର୍ଶ
ଭିନ୍ନ ସ୍ପର୍ଶ
ଆଜି ବହୁତ ଦିନ ପରେ ସେହି ପବନକୁ ମୁଁ ଅନୁଭବ କରୁଛି । ସେହି ପବନର ଶୀତଳ ସ୍ପର୍ଶ ମୋ ଲେଖନୀ ମୁନକୁ ଵାଧ୍ୟ କରୁଛି କିଛି ଲେଖିବା ପାଇଁ । ମେଘର ଆଗମନ ନହେଲେ ବି ଘଡଘଡି ଇଶାରା ଦେଉଛି, କିଛି ପ୍ରେମର ଶବ୍ଦ । ଚପଳାର ଚମକ ଚିତ୍ର ଅଙ୍କନ କରି ଦେଖାଇ ଦେଉଛି ମୋ ଅତୀତର କିଛି ପ୍ରତିଛବି । ଆଉ ସେ ଛବିରେ ଦିଶୁଛି ତା ମୁହଁ । ଯାହାକୁ ଆଜି ବି ମୁଁ ଭୁଲି ପାରୁନି । ମେଘ ଆରମ୍ଭ ପୂର୍ବର ପ୍ରତି ପବନ ଵେଗରେ ଅନୁଭବ କରୁଛି ତାର ସ୍ପର୍ଶ କୁ।
ମୋ ମୋବାଇଲରେ ଆଜି ବି ତା ନା ମିତରେ ସେଭ୍ ହୋଇଛି । ତେଣୁ ଭିନ୍ନ ନାମରେ ତାକୁ ଉଚାରଣ କରିବାର କିଛି ମାନେ ନାହିଁ । ମୋର ପ୍ରଥମ ପ୍ରେମ ଆଉ ଵୋଧହୁଏ ଶେଷ ପ୍ରେମ । ମୁଁ ଜାଣିନି କେବେ ତାକୁ ମୋ ହୃଦୟରୁ କାଢି ପାରିବି ଵୋଲି । କିନ୍ତୁ ଯେଵେ ବି ଚେଷ୍ଟା କରିଛି, ଵିଫଳ ହୋଇଛି । କେଵେ ଏ ଅମାନିଆ ପବନ ତ କେଵେ କେଵେ ସେ ନିଜେ ମତେ ଵିଫଳ କରାଏ । ଆଉ ମୁଁ ବୁଝିଯାଏ ଯଦିଓ ତା ଜୀବନରେ ମୋର କୈଣସି ସ୍ଥାନ ନାହିଁ, ତଥାପି ତା ଭାବନାର କୈଣସି ସ୍ଥାନରେ ମୁଁ ରହିଯାଇଛି।
ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ରେଲୱେ ଷ୍ଟେସନକୁ ସେଦିନ ମୁଁ ଯାଇଥାଏ, ମୋର ଜଣେ ପୁରୁଣା ଵାନ୍ଧଵୀକୁ ଛାଡିଵା ପାଇଁ । ସେଦିନ ମିତ ମଧ୍ୟ ଯାଇ ଥାଏ, ତାକୁ ଦେଖା କରିବା ପାଇଁ । ସେତେବେଳେ ହ୍ୟାଣ୍ଡସେକ୍ ହଗ୍ ବନ୍ଧୁମାନଙ୍କ ଭିତରେ ନଥାଏ । ହାଏ ଆଉ ହାଲୋ ସବୁକିଛି ସେତେବେଳେ । ଯେତେବେଳେ ମୋ ଵାନ୍ଧଵୀ ମତେ ତା ସହ ଭେଟ କରାଇଲା, ସେ କହିଲା ହାଏ.. ଵାସ୍ ସେଇଠୁ ଆରମ୍ଭ ହେଲା ମୋ ହୃଦୟରେ ଧକ୍ ଧକ୍, ଧକ୍ ଧକ୍ । ତା ମାନେ ନୁହେଁ ମିତ ସହ ମୋର ସେଇଟା ପ୍ରଥମ ଦେଖା ଥିଲା । ସେ ମୋ ସହ ସ୍କୁଲରେ ପାଞ୍ଚ ବର୍ଷ ପଢିଛି, ବୋଧହୁଏ ମୁଁ ତାକୁ କେଵେ ନଜର କରି ନଥିଲି । କିନ୍ତୁ ସେଦିନ ପ୍ରଥମ ଥର ପାଇଁ କାହା ସହ ନଜର ମିଶାଇବା ମୋ ପାଇଁ କଷ୍ଟକର ଥିଲା । ତା ମାନେ ନୁହେଁ ତା ଠାରୁ ହ୍ୟାଣ୍ଡସମ୍ ପିଲା ଆଗରୁ ଦେଖି ନଥିଲି, କିନ୍ତୁ ସେ ଦିନ ବୋଧହୁଏ ତା ପାଖରେ କିଛି ଯାଦୁ ଥିଲା, ଆଉ ମୁଁ ଟାଣି ହୋଇ ଯାଉଥିଲି । ମୋ ଵାନ୍ଧଵୀ ସବୁଥର ପରି ତା ଗପର ପାସରା ଖୋଲି ଥିଲା । କିନ୍ତୁ ନା ମୁଁ କିଛି ଶୁଣୁଥିଲି, ନା ସେ କିଛି ଶୁଣୁଥିଲା । କଥା ହେଉଥିଲେ ତା ଚୋରା ନଜର ସହିତ ମୋ ଚୋରା ନଜର । ଵାସ୍ ମୋ ବାନ୍ଧବୀ ଟ୍ରେନରେ ଚାଲିଗଲା ତା ଲକ୍ଷ୍ୟସ୍ଥଳକୁ, ଵାକି ରହି ଯାଇଥିଲୁ ସେ ଆଉ ମୁଁ । ସେଦିନ ଠିକ୍ ଆଜି ପରି ବର୍ଷାର ଆଗମନର ସୂଚନା ମିଳି ସାରିଥିଲା । ଏହା ସହ ମିଶି ଆମେ ଷ୍ଟେସନ ଵାହାରକୁ ଆସିଲୁ । ସେ କହିଲା ବର୍ଷା ଆସିପାରେ, ଚାଲ୍ ଛାଡିଦେବି । କିନ୍ତୁ ମୁଁ ମନା କଲି ଆଉ ରିକ୍ସା ନେଇ ହଷ୍ଟେଲ ଫେରି ଆସିଲି।
ତା ପର ଠାରୁ ଆରମ୍ଭ ହୁଏ ତା ସହ ଚାଟିନ୍ଗ । ଯଦିଓ ସେ ଏତେ ପରିଚିତ ନଥିଲା, ତଥାପି ଦିନ ଯାକର ସବୁ ପ୍ରକାର କଥା ତା ସହ ସେୟାର କରିବାର ମଜା କିଛି ଅଲଗା ଥିଲା । ଏମିତି କିଛି ଦିନ ଗଲା, ସେ ମତେ ହଷ୍ଟେଲ ବାହାରକୁ ଡାକିଲା, ଆଉ କହିଲା ତାର ଜଵ୍ ହୋଇ ଯାଇଛି ଦିଲ୍ଲୀକୁ । କାଲି ସକାଳେ ଫ୍ଲାଇଟ୍ । କିଛି କ୍ଷଣ ପାଇଁ ଶାନ୍ତ ହୋଇ ଯାଇଥିଲି, ଲାଗୁଥିଲା ନିଜର କିଏ ଦୂରକୁ ଯାଉଛି । କିନ୍ତୁ କିଛି କହି ପାରିଲି ନାହିଁ । ଖୁସିର ସହିତ ବିଦାୟ ଦେଲି । ତାର ପ୍ୟାକିଙ୍ଗ୍ ସାରି ସେ ମତେ କଲ୍ କଲା, ପାଖାପାଖି ରାତି 12 ଟା । ସେଦିନ ନା ହାଏ ଥିଲା ନା ହାଲୋ । ଆରମ୍ଭ ହୋଇଥିଲା ଡୁ ୟୁ ଲଭ୍ ମିରୁ ଆଉ ଶେଷ ହୋଇଥିଲା ୟେସରେ ।
ସେଦିନ ପ୍ରଥମ ଥର ପାଇଁ ସୋସିଆଲ ସାଇଟରେ ସିଙ୍ଗିଲରୁ କମିଟେଡ୍ କରିଥିଲି । ଆଉ ତା ଆକାଉଣ୍ଟରେ ବି ଲେଖା ହୋଇଥିଲା କମିଟେଡ୍ । କିଛି ଦିନ ପରେ ସେ କହିଲା ଆମେ ସାଙ୍ଗ ଠିକ୍ ଥିଲୁ, ଏ ଲଭ୍ ସଭ୍ ତୋ ସହ ହେବନି । ପ୍ରଥମ ଥର ପାଇଁ ହୃଦୟ ଭାଙ୍ଗି ଥିଲା, କିନ୍ତୁ ସେଥିରେ ଶବ୍ଦ ନଥିଲା । ତା ଆକାଉଣ୍ଟ କମିଟେଡରୁ ସିଙ୍ଗିଲ୍ ହୋଇ ସାରିଥିଲା । କିନ୍ତୁ ମୁଁ ସୋସିଆଲ ନେଟୱାର୍କରୁ ନିଜକୁ ଦୂରେଇ ରଖିଥିଲି । ନିଜକୁ ଵୁଝାଇ ସାରିଥିଲି, ପ୍ରେମ ଵାଧ୍ୟ ଵାଧ୍ୟକତାରେ ହୁଏ ନାହିଁ।
ସେଥର ତାକୁ ଭୁଲିବା କଷ୍ଟକର ନଥିଲା । ଏମିତି ତିନି ମାସ ପରେ ତା ଫୋନ୍ ଆସିଲା, ମୁଁ ଅଫିସରେ ଥିଲି, ତିନି ଥର ରିଂ ପରେ ଉଠେଇଲି । ସେପଟୁ ସେ କହୁଥାଏ.. କୋଉ ଠାରେ ତୁ, ତୋ ହଷ୍ଟେଲ ଆଗରେ ମୁଁ ଅପେକ୍ଷା କରିଛି । ମୋର ଉତ୍ତର ଥିଲା କିଏ ତୁ ମୁଁ ଜାଣେନି । ଆଉ ଫୋନ୍ କାଟି ଦେଲି । ପ୍ରାୟ ଏକ ଘଣ୍ଟା ପରେ ହଷ୍ଟେଲ ଗଲି । ବର୍ଷା ପଡୁଥାଏ, ମୁଁ ଛତା ଧରି ହଷ୍ଟେଲ ଆଡକୁ ଯାଉଥାଏ । ପଛରୁ ସେ ଡାକ ଦେଲା, ହେଇ ଶୁଣିଲୁ..
ପଛକୁ ଵୁଲି ଦେଖିଲି ସେ ଵାଇକ୍ ଉପରେ ବସି ଭିଜୁଛି । ଆଉ ତା କ୍ରୋଧର ମାତ୍ରା ବର୍ଷା ଠାରୁ ଅଧିକ ଥିଲା । ତମ୍ ତମ୍ ହୋଇ ପାଖକୁ ଆସିଲା, ଆଉ ଚିଲାଇ ଚିଲାଇ କହୁଥାଏ ତୁ ମତେ ଚିହ୍ନିନୁ, କେମିତି କହିଲୁରେ, ମୁଁ ତାହାହେଲେ ପାଗଳ ଯିଏ କି ତତେ ଏଇଠି ଅପେକ୍ଷା କରିଛି । ରାଗରେ ସେ କେତେ କଥା କହୁଥାଏ । ଆଉ ମତେ ତା ରାଗରେ ବି ନିଜ ପ୍ରତି ଆତ୍ମୀୟତା ଭାବ ଆସୁଥାଏ । ଵାସ୍ ମୋ ମୁହଁରୁ ଵାହାରି ଗଲା ଆଇ ଆମ୍ ସରି । ଆଉ ହଠାତ୍ ବର୍ଷା କମିଗଲା । ଆଉ ହୃଦୟରୁ ଶବ୍ଦ ଆସିଲା ଧକ୍ ଧକ୍ ଧକ୍ ଧକ୍ ଆଉ ଧକ୍ ଧକ୍ । ସେ ଶୀତଳ ସ୍ୱରରେ କହିଲା ତୁ ମୋ ସାଙ୍ଗ ଥିଲୁ ଆଉ ରହିବୁ।
ସେଦିନ ଗୋଟିଏ ଜିନିଷ ଵୁଝି ସାରିଥିଲି । ଯଦିଓ ସେ ତା ଜୀବନରେ ଆଉ କାହାର ଅପେକ୍ଷା କରିଛି, କିନ୍ତୁ ମୋ ଜୀବନ ତାକୁ ପାଇ ଅପେକ୍ଷାର ଅନ୍ତ ଘଟାଇ ସାରିଛି । ତା ସହ ସମ୍ପର୍କ ଥିଲା କିଛି ନିଆରା । ଏକତରଫା ପ୍ରେମ ବି ମତେ ଖୁସି କରୁଥିଲା । କିଛି ଦିନ ଗଲା । ମୋ ଵାହାଘର ଅନିମେଶଙ୍କ ସହ ହୋଇଗଲା । କିଛି ଦିନ ପାଇଁ ଭାଵି ନେଇଥିଲି ମିତକୁ ମୋ ହୃଦୟରୁ କାଢିଦେଵି । କିନ୍ତୁ ତା ପୂର୍ବରୁ ଅନିମେଶଙ୍କ ସତ୍ୟତା ଜଣା ପଡିଥିଲା । ସେ ମତେ ଵିଵାହ କରିଥିଲେ କେବଳ ଏକ ସନ୍ତାନ ପ୍ରାପ୍ତି ନିମନ୍ତେ । ମୋ ପ୍ରତି ତାଙ୍କର କୌଣସି ଭଲ ପାଇବା ନଥିଲା । ତଥାପି ଚେଷ୍ଟା କରିଥିଲି ସେ ସମ୍ପର୍କକୁ ଵାନ୍ଧିଵା ପାଇଁ । ତା ପୂର୍ବରୁ ସେ ସମସ୍ତ ସମ୍ପର୍କରେରେ ପୁର୍ଣ୍ଣଛେଦ ଦେଇ ଚାଲି ଯାଇଥିଲେ ବିଦେଶକୁ । ସେଠି ସେ ଏବେ ଲିଭ୍ ଇନରେ ରହୁଛନ୍ତି ତାଙ୍କ ଏକ ପୁରୁଷ ବନ୍ଧୁ ସହିତ । ଯଦି ଏ ସମାଜ ସେ ସମ୍ପର୍କକୁ ଗ୍ରହଣ କରିଥାନ୍ତା ତେବେ ମୋ ପରି କେହି ଜଣେ ବଳି ପଡି ନଥାନ୍ତେ।
ସେଇଠୁ ଫେରି ଆସିଥିଲି, ଆଉ ରାସ୍ତାରେ ଭେଟ ହୋଇଥିଲା ମିତ ସହ । ଯଦିଓ ଵିଵାହ ବିଛେଦର ଘଟଣା ତାକୁ ଜଣା ଥିଲା, କିନ୍ତୁ କାରଣ ତାକୁ କହିନଥିଲି । ତା ସାହାଯ୍ୟରେ ତା ଅଫିସରେ ଚାକିରି ଖଣ୍ଡେ ମିଳିଗଲା । ମୋ ଠାରୁ ଅଧିକ ମୋ ପୁଅ ରାହୁଲ ତାର ନିକଟତର ଥିଲା । ଆଉ ତାକୁ ମୋ ସମ୍ମୁଖରେ ପାଇ ପୁଣି ମୋ ହୃଦୟ ଭିତରେ ତା ପାଇଁ ଭଲ ପାଇବା ସୃଷ୍ଟି ହେଉଥିଲା । କିନ୍ତୁ ମୁଁ କେଵେ ବି ତା ଆଗରେ ମୋ ଦୁର୍ବଳତା ପ୍ରକାଶ କରି ନଥିଲି । କିଛି ଦିନ ପରେ ସେ ମୋତେ ଵିଵାହ ପ୍ରସ୍ତାବ ଦେଲା । କିନ୍ତୁ ମୁଁ ବାରଣ କରିଥିଲି । କାରଣ ମୁଁ ତା ଆଗରେ ଦୟାର ପାତ୍ରୀ ହେବାକୁ ଚାହୁଁ ନଥିଲି । ଗୋଟିଏ ଛୁଆ ପାଇଁ ଏ ସମାଜ ଏକ ସାବତ ମାଆ ଗ୍ରହଣ କରିପାରିବ, କିନ୍ତୁ ସାବତ ବାପା ଗ୍ରହଣ କରିବା କଷ୍ଟକର।
ତା ପରଠାରୁ ତା ପାଇଁ ଝିଅ ଖୋଜିଵା ଆରମ୍ଭ କରି ଦେଇ ଥିଲି । କାରଣ ନଥିଲା ତାକୁ ମୋ ଠାରୁ ଦୂରରେ ରଖିବା, କାରଣ ଥିଲା ନିଜକୁ ତା ଠାରୁ ଦୂରେଇ ରହିବା । ଖୁବ୍ ସୁନ୍ଦର ଅଭିନୟ କରୁଥିଲି ମୁଁ ତାକୁ ଭଲ ନ ପାଇଵାର । କିନ୍ତୁ ପ୍ରେମ ଠାରୁ ସମ୍ମାନ ବଡଥିଲା ତା ପ୍ରତି । ବହୁତ କଷ୍ଟ ଥିଲା ତାକୁ ନିଜ ଠାରୁ ଦୂରେଇ ଦେବା ।
କିଛି ଦିନ ଗଲା, ତା ପାଇଁ ମୋ ପସନ୍ଦର ଗୋଟିଏ ଝିଅ ମିଳିଗଲା । ଆଉ ତା ଵାହାଘର ଠିକ୍ ହୋଇଗଲା । ଆଉ ତା ଵିଵାହ କିଛି ଦିନ ପୂର୍ବରୁ ଇସ୍ତଫା ଦେଇ ତା ଅଫିସରୁ ଚାକିରି ଛାଡି ଦେଲି।
ଆଉ ଯେତେବେଳେ ସେ ଜାଣିଲା ବହୁତ ଡେରି ହୋଇଯାଇଥିଲା । ମୁଁ ପୁନେ ଅଭିମୁଖେ ଯାତ୍ରା କରିବାର ପ୍ରସ୍ତୁତି କରି ଟ୍ରେନକୁ ଅପେକ୍ଷା କରିଥାଏ । ବର୍ଷା ସକାଶେ ଟ୍ରେନ ଵିଳମ୍ବ ଥାଏ । ଵିଜୁଳି ଘଡଘଡି ଭୟଙ୍କର ରୂପ ଧାରଣ କରିଥାଏ । ଆଉ ମୁଁ ସେଇଠି ଠିଆ ହୋଇ ଥାଏ, ଯେଉଁଠାରେ ପ୍ରଥମ ଥର ପାଇଁ ତା ସହ ଦେଖା ହୋଇ ଥିଲା ।
ଆଉ ହଠାତ୍ ପଛରୁ ସେ ଡାକ ପକେଇଲା, ତୋ ହୃଦୟ ଯଦି ମୋ ପାଇଁ କିଛି ନାହିଁ କାହିଁକି ଚାଲି ଯାଉଛୁ । ରହିଯା, କିଛି ନା କିଛି ଉପାୟ ଵାହାରି ଯିବ । ମୁଁ କହିଲି ଆଉ ଦୁଇ ଦିନ ପରେ ମୋର ପୁନେ ଅଫିସରେ ଜଏନିଙ୍ଗ୍ ।ସେ କହୁଥାଏ ଏଇଠି ବି ଭଲ ଅଫିସ ଅଛି ରହିଯା । ଟ୍ରେନ ଆସିଗଲା । ମୁଁ ରାହୁଲକୁ ଧରି ଟ୍ରେନ୍ ଭିତରକୁ ପ୍ରବେଶ କଲି । ଆଉ ସେ ଟ୍ରେନ ଝରକା ସେପଟେ ସେମିତି ପ୍ରଶ୍ନ କରୁଥାଏ । ଆଉ ଟ୍ରେନ ଚାଲିବା ଆରମ୍ଭ ହୋଇଥିଲା ଛୁକ୍ ଛୁକ୍ ଛୁକ୍......... ଆଉ ତାକୁ ପ୍ରଥମ ଥର ପାଇଁ ଦେଖିଥିଲି ମୋ ପାଇଁ ଭାଙ୍ଗି ଯିବାର, ଯଦି ସେଦିନ ମୋ ପ୍ରେମର ନିବେଦନ କରି ଦେଇଥାନ୍ତି, ହୁଏତ ମୋ କାହାଣୀରେ ବି ଏକ ହାପି ଏଣ୍ଡିଙ୍ଗ୍ ଆସି ଯାଇଥାନ୍ତା, କିନ୍ତୁ ମୋ ପ୍ରେମ ଥିଲା ଭିନ୍ନ ପ୍ରକାରର।
କିଛି ଦିନ ପରେ ତା ଵାହାଘର ସରିଲା । ଆଉ ମୋ ପାଖକୁ ସେ ଫୋନ୍ କଲା । ଆଉ କହିଲା ଏବେ ତୁ ଖୁସି ନା । ଏବେ ତ ମୋର ପ୍ରଶ୍ନର ଉତ୍ତର ଦେ । ମୁଁ କହିଲି ତତେ ମୋ ହୃଦୟରୁ କାଢିବାର ଥିଲା । ଆଉ ଏବେ ମୁଁ ସଫଳ ହୋଇଛି । ଆଉ କିଛି କ୍ଷଣ ସ୍ଥିର ରହି ସେ ରାହୁଲ ଵିଷୟରେ ପଚାରିଲା । ମୁଁ କହିଲି ସେ ଠିକ୍ ଅଛି । ସେ କହିଲା ତାକୁ କହିଦେଵୁ ମିତ୍ ଅଙ୍କଲ୍ ମିସ୍ କରୁଛନ୍ତି । ବାସ୍ ମୁଁ ଫୋନ୍ ରଖିଦେଲି। ଆଉ ଫୋନର ପ୍ରତି ଶବ୍ଦ ଭିତରେ ଅନୁଭବ କଲି ତା ସ୍ପର୍ଶକୁ ।
ଯଦିଓ ପ୍ରତ୍ୟକ୍ଷ ଭାବେ ତାକୁ କେଵେ ମୁଁ ସ୍ପର୍ଶ କରିନି । ତଥାପି ତା ହୃଦୟକୁ ପ୍ରତି କ୍ଷଣ ସ୍ପର୍ଶ କରୁଛି ମୁଁ । ପ୍ରତିଟି ଵର୍ଷାଵୁନ୍ଦା ମତେ ତା ଉପସ୍ଥିତିର ସ୍ପର୍ଶ ଦେଉଛି । ପବନର ସ୍ପର୍ଶରେ ମୁଁ ତାକୁ ଅନୁଭବ କରୁଛି । ଜାଣିନି ପ୍ରେମରେ କି ଆକର୍ଷଣ ରହିଛି । କିନ୍ତୁ ତା ଭାବନାରେ ବି ମତେ ଏକ ଭିନ୍ନ ସ୍ପର୍ଶର ଆକର୍ଷଣ ମିଳୁଛି । ରାହୁଳ ଆଉ ମୁଁ ଏବେ ଆମ ଜୀବନରର ନୂତନ ଅଧ୍ୟାୟରେ ବେଶ୍ ଖୁସି । ତେଣୁ ଆଉ ନୂତନ ପ୍ରେମର ଅଭିଳାଷ ନାହିଁ।
କିନ୍ତୁ କାଲି ବି ମୁଁ ଏକ ତରଫା ପ୍ରେମିକା ସାଜି ଖୁସି ଥିଲି, ଆଉ ଆଜି ବି । ଆଶ୍ଚର୍ଯ୍ୟ ଲାଗେ ଯେତଵେଳେ କିଏ କହେ, ପ୍ରେମର ସ୍ପର୍ଶ ପୁନଃର୍ବାର ଆସିଥାଏ । ମତେ ତ ଲାଗେ ପ୍ରେମ ଥରେ ହୋଇଥାଏ, ମିଛ ସେହିମାନେ କୁହନ୍ତି, ଯେଉଁମାନେ ପ୍ରେମରେ ହାରି ପୁନର୍ଵାର ପ୍ରେମର ନା ନେଇ ନିଜ ଜୀବନକୁ କମ୍ପ୍ରମାଇଜ୍ କରିଦେଇଥାନ୍ତି..........

