Siddhartha Tripathy

Romance Tragedy Inspirational

4  

Siddhartha Tripathy

Romance Tragedy Inspirational

ଭିନ୍ନ ଏକ ଭାଲେଣ୍ଟାଇନ

ଭିନ୍ନ ଏକ ଭାଲେଣ୍ଟାଇନ

5 mins
334



ଅସୀମା ......।

ଏ ଅସୀମା......।

ବିରକ୍ତିଭରା କଣ୍ଠରେ ପଚାରିଲା , ଅସୀମା , କ'ଣ ହେଲା ? 

କାଗଜ ପୁଡ଼ିଆଟିଏ ବଢ଼େଇଦେଲା

ଅରବିନ୍ଦ । ଲକ୍ଷ୍ୟ କରୁଥିଲା ଅରବିନ୍ଦ, ପୁଡିଆ ଖୋଲି ପାଟି କରିଉଠିଲା ଅସୀମା। 


ଓଃ ! ରକ୍ତ ! 


ଛୋଟ ଲୋକ। ଏକ ଟଙ୍କିଆ କଣ୍ଟା ବାଲା ଗୋଲାପ ଦେଇ ଲେଖିଛୁ ,   


  ' ହ୍ୟପି ଭାଲେଣ୍ଟାଇନ ଡେ ! '

ଭାରୀ ସାହସ ତ ତୋର କହି ଫୁଲଟି ଅରବିନ୍ଦ ଉପରକୁ ଫୋପଡ଼ିଦେଲା ଅସୀମା। ହସିଉଠିଲେ ଶ୍ରେଣୀର ଛାତ୍ର, ଛାତ୍ରୀ। ଅସୀମା କହିଲା ଅଧ୍ୟକ୍ଷଙ୍କୁ ଅଭିଯୋଗ କରିବି।


ଅଲେଖ ପହଞ୍ଚିଗଲା ଅସୀମା ପାଖରେ। ରୁମାଲ ବାହାର କରି ହାତ ପୋଛିଦେଲା। ଦାମୀ ଉପହାର ଟିଏ ବଢ଼େଇଦେଲା ଅସୀମା ହାତକୁ। ଅସୀମା ଗାଲରେ ସର୍ବ ସମ୍ମୁଖରେ ଚୁମ୍ବନଟିଏ ଆଙ୍କି ଦେଇ କହିଲା ସେ ଗରୀବ ଅରବିନ୍ଦଟା ବିଦ୍ୟାଳୟର କୃତିଛାତ୍ର । ତାକୁ ଏଇଥର କ୍ଷମା କରିଦିଅ। ଅସୀମା କହିଲା , ଏ ମୂର୍ଖ ଅରବିନ୍ଦ ! ଦେଖେ ୟାକୁ କହନ୍ତି ଉପହାର ଓ ପ୍ରେମ !


ମନେ ମନେ ଭାବୁଥିଲା ଅରବିନ୍ଦ ,

ପ୍ରେମ ! ସବୁ ଲେଖକ, ସବୁ ପୁସ୍ତକର ପୃଷ୍ଠା ଚିତ୍କାର କରି କହେ , ପ୍ରେମ ଦେଣ, ନେଣର ହିସାବ ଖାତା ନୁହଁ। ପ୍ରେମ ନୁହେଁ ସୂର୍ଯ୍ୟାସ୍ତର ରକ୍ତିମ ଆଭା, ପ୍ରେମ ଅଟେ ଉଦୀୟମାନ ସୂର୍ଯ୍ୟର କୋମଳ କିରଣ।


କିନ୍ତୁ .....!


ପ୍ରକୃତ ଜୀବନଚର୍ଯ୍ୟ। ରେ ସବୁ ଓଲଟା। ବିଦ୍ୟାଳୟର କୋଠରୀଟି ପାଲଟି ଯାଇଥିଲା ରଙ୍ଗଶାଳା , ପବିତ୍ର ଶ୍ରେଣୀଗୃହ ଲାଗୁଥିଲା ବାରାଙ୍ଗନାର କୋଠି । ଆଖି ବୁଜିଦେଲା ଅରବିନ୍ଦ।


ଆଜି ଅଧ୍ୟାପକମାନେ ବି ଭାଲେଣ୍ଟାଇନ୍ ପାଳନରେ ବ୍ୟସ୍ତ ଥିଲେ। ଚୁପଚାପ୍ ଘରକୁ ଚାଲିଗଲା ଅରବିନ୍ଦ । ଛାଇ ପରି ଅସୀମା ଆଖ ପାଖରେ ଘୁରି ବୁଲୁଥିଲା ଅରବିନ୍ଦ।

ସେଦିନ କଲେଜର ଲନରେ ..

ହାତରେ ହାତ ଛନ୍ଦି ବସିଥିଲେ ଅସୀମା, ଅଲେଖ।


ଅଲେଖ କହୁଥିଲା ଜାଣିଛ ଅସୀମା !

ତମ ଆଖିରେ ଏକ ଯାଦୁକରୀ ସମ୍ମୋହନ ଶକ୍ତି ; ଗହଳ ଭ୍ରୂଳତା ତଳେ ସେଇ ଚଞ୍ଚଳ ହରିଣୀ- ଦୃଷ୍ଟି ଛାତିରେ କମ୍ପନ ସୃଷ୍ଟି କରେ। ଶୁଭ୍ର, ମରାଳ, ଗ୍ରୀବା ; ଦୁଇ ଉନ୍ନତ ସମୁଚ୍ଚ ବକ୍ଷୋଜ , ସୁଗଠିତ ଦୁଇ ପୀନ ନିତମ୍ବ ,ଯୌବନ- ପଲ୍ଲବିତ ଦେହରେ ଦର୍ଶକଙ୍କୁ ପାଗଳ କଲାଭଳି ଏକ ଉଗ୍ର ଯୌନ ଆବେଦନ କହି ଅସୀମାର ଶରୀରରେ ହସ୍ତ ସଞ୍ଚାଳନ କରୁଥିଲା।

ଅରବିନ୍ଦ ପହଞ୍ଚି କହିଲା ଏସବୁ କାମୁକ ଆଖିକୁ ଦେଖାଯାଏ।


କିନ୍ତୁ......


ମତେ ଅସୀମାର ସୌନ୍ଦର୍ଯ୍ୟ ରେ ସମାହିତ ରୂପ ଦେଖାଯାଏ।

ଅଲେଖ କହିଲା ଆରେ ଗରିବ କୁକୁର ଅଇଁଠା ଚାଟିବାକୁ ଚାଲି ଆସିଲୁ କହି ଧକ୍କା ଦେଲା ଅରବିନ୍ଦକୁ । ଚୁପଚାପ୍ ଚାଲିଗଲା ଅରବିନ୍ଦ।


ଆପତ୍ତି କଲା ଅସୀମା। ତମର ଏପରି ବ୍ୟବହାର କାହିଁକି ଅରବିନ୍ଦ ପ୍ରତି ? ଗରିବୀକୁ ଘୃଣା କର, ଗରିବକୁ ନୁହଁ। ତାଛଡା ତା ଚିନ୍ତାଧାରା ବହୁତ୍ ଉନ୍ନତ। ତମପରି ସେ ଖାଲି ଶରୀରର ପ୍ରଶଂସା କରେନାହିଁ। ଶରୀର ନଶ୍ଵର , ପ୍ରେମ ଅବିନଶ୍ଵର ।


ମନର କ୍ରୋଧକୁ ମନରେ ମାରି ଯିବାକୁ କହିଲା ଅସୀମାକୁ । ବାହାରିଲେ ଦୁହେଁ। ରାତିସାରା ଅରବିନ୍ଦର ସେଇ ପଦିକ କଥା ତା ମନମନ୍ଦିରରେ ଘୁରି ବୁଲୁଥିଲା।


ପରଦିନ ସକାଳୁ ସକାଳୁ ....।

ଅରବିନ୍ଦକୁ ଦେଖା କରିବାର ଆଗ୍ରହ ପ୍ରକାଶ କଲା ଅସୀମା। ବହୁତ ସମୟ ଗପିବା ସହ ଅସୀମା କହିଲା, 

ତମ ଆଦର୍ଶବାଦୀ କଥାବାର୍ତ୍ତା ମତେ ବହୁତ ଅନୁପ୍ରାଣିତ କରେ। ମୁଁ ଅଲେଖକୁ ବହୁତ ଭଲ ପାଏ ଓ ତାଙ୍କୁ ବାହାହେବି । ଆପଣ ମୋର ବନ୍ଧୁ ହୋଇ ରହିପାରିବେ ?


ଫିକା ହସ ହସି ଅରବିନ୍ଦ କହିଲା, ମୁଁ ତମକୁ ବହୁତ ଭଲ ପାଏ ଅସୀମା । ହେଲେ ଗରୀବ ଧନୀର ପ୍ରାଚୀର ! ସବୁ ସୁଖର ସ୍ମୃତି ମୋ ପାଇଁ ଫୁଟା ଡଙ୍ଗା ପରି ; ଯାହା ମଝି ନଈରେ ପାଣି ପଶି ବୁଡ଼ିଯାଏ।


ହଠାତ୍.....

ଅଲେଖ ପହଞ୍ଚିଗଲା। ପଚାରିଲା, ପୁଣି ଏ ଭିକାରୀ ତମକୁ ହଇରାଣ କରୁଛି କି ? ରାଗରେ ଅନେଇ ଅସୀମା କହିଲା ସେ ମୋର ବନ୍ଧୁ। ସେମିତି କୁହନି। ଚୁପ୍ ହେଇଗଲା ଅଲେଖ। ଚାଲିଗଲା ଅରବିନ୍ଦ।


ଲନରେ ଅଲେଖର ଗୋଡ଼ରେ ମୁଣ୍ଡ ଦେଇ ଶୋଇଥିଲା ଅସୀମା। ଅଲେଖ କହିଲା ଏଥର ଭାଲେଣ୍ଟାଇନରେ ହାରଟିଏ ଉପହାର ଦେବି। ସେଦିନ ପାଞ୍ଚତାରକା ହୋଟେଲରେ ଜୀବନ, ଯୌବନକୁ ଉପଭୋଗ କରିବା। ହସି ହସି ଅସୀମା କହିଲା ଆହୁରି ଉପଭୋଗ ପାଇଁ କଣ ବାକି ଅଛି କି ? ମୋ କୁମାରୀଲଜ୍ଜା ବହୁତ ଥର ତମ ପାଖରେ ସମର୍ପିତ।

ତଥାପି......

ଇଚ୍ଛାର ଅନ୍ତ ଥାଏ କି ? କହି ଅସୀମାର ସମ୍ବେଦନଶୀଳ ଅଙ୍ଗରେ ହସ୍ତ ସଞ୍ଚାଳନ କରିବାରେ ଲାଗିଲା ଅଲେଖ। ଧେତ୍ ଦୁଷ୍ଟ ! କହି ଉଠିଗଲା ଅସୀମା।


ଅରବିନ୍ଦ ସହ ବନ୍ଧୁତ୍ୱ ବଢ଼େଇଥିଲା ଅସୀମା। ଏସବୁ ଦେଖି ଧିରେ ଧିରେ ଦୁରତ୍ଵ ବଢ଼ାଉଥିଲା ଅଲେଖ। ଅସୀମା ଲକ୍ଷ୍ୟ କରୁଥିଲା ଏସବୁ ଓ ଏଇୟା ବି ସେ ଜାଣିଥିଲା ଧିରେ ଧିରେ ବହୁତ ଝିଅଙ୍କ ସହ ସମ୍ପର୍କ ରଖୁଛି ଅଲେଖ।


ଭାବି ସ୍ବାମୀ ସେ। ତାକୁ ରାସ୍ତାକୁ ଆଣିବା କାମ ଅସୀମାର । ଦେଖିବ ଅରବିନ୍ଦ ଏହି ସୁନ୍ଦରୀ ଅସୀମା ଅଲେଖକୁ ରାସ୍ତାକୁ ନେଇଆସିବ। ହସିଦେଇ ଅରବିନ୍ଦ କହିଲା, ନା ଅସୀମା ଏଗୁଡ଼ିକ ମଣିଷ ରକ୍ତଲୋଭୀ କାମୁକ କୁକୁର।


ସେଇ ଦିନ ଉପସ୍ଥିତ। ଚତୁର୍ଦ୍ଦିଗ ଉତ୍ସବମୁଖର । କି ପଲ୍ଲୀ କି ସହର ସବୁଠି ପାଶ୍ଚାତ୍ୟ ସଂସ୍କୃତି, ନଗ୍ନ ସଭ୍ୟତା।ଭାଲେଣ୍ଟାଇନର ମହୋତ୍ସବ।

ଅଲେଖ ଆମନ୍ତ୍ରିତ କଲା ଅସୀମାକୁ । ସୁସଜ୍ଜିତ ପଞ୍ଚତାରକା ହୋଟେଲ। ସୁଗନ୍ଧିତ ଅତରର ବାସ୍ନା ସାଙ୍ଗକୁ ଅସୀମାର ପାଉଁଜିର ଛମ୍ ଛମ ଶବ୍ଦ ପରିବେଶକୁ ଆହୁରି ରଙ୍ଗୀନ କରି ଗଢି ତୋଳି ଥିଲା।


ଭୟଙ୍କର ତୋଫାନ ଆଶଙ୍କାରେ ହୋଟେଲ ହଲରେ ଠିଆ ହୋଇଥିଲା ଅରବିନ୍ଦ ଓ ଦେଖୁଥିଲା ପଥଭ୍ରଷ୍ଟ ଯୁବକ ଯୁବତୀଙ୍କ ଉଚ୍ରୁଙ୍ଖଳ ରୂପ।

ହାର ପିନ୍ଧେଇବା ସମୟରେ ଅସୀମା କହିଲା, ଏ..... ଅଲେଖ ! ତମେ ମଦ୍ୟପାନ କରିଛ ? ତମେ ବିଗିଡି ଗଲଣି । ଜଲଦି ଘରକୁ ଆସ , ବାହାଘର ତାରିଖ ପକ୍କା କରିବା।


ଅଲେଖ କହିଲା ତୋର ଅରବିନ୍ଦ ଅଛି। ମୁଁ ଗୋଟିଏ ନାରୀ ପାଖରେ ସାରା ଜୀବନ ବାନ୍ଧି ହୋଇ ରହିପାରିବିନି । ଟଣାଓଟରା କରି ଅସୀମା ଉପରକୁ ଲମ୍ଫ ପ୍ରଦାନ କଲା ଅଲେଖ। ବହୁତ କଷ୍ଟରେ ନିଜକୁ ଉଦ୍ଧାର କରି ତଳକୁ ଦୌଡ଼ି ଗଲା ଅସୀମା। ହସୁଥିଲା ଅଲେଖ।ଆଖିରେ ଆଖିଏ ଲୁହ । 


ଜାବୁଡ଼ି ଧରିଥିଲା ଅରବିନ୍ଦକୁ । ଟାଣି ଟାଣି ନେଲା ଅରବିନ୍ଦକୁ । ଘରକୁ ଯାଇ କହିଲା ମୁଁ ଅରବିନ୍ଦକୁ ବହାହେବି, ତାହା ବି ସାତ ଦିନ ଭିତରେ। ଆଶ୍ଚର୍ଯ୍ୟ ପୁରା ପରିବାର। ବାପା କହିଲେ , ଝିଅ ! ବାହାଘର ପିଲାଖେଳ ନୁହଁ। ତୁ ତ ସ୍ଥିର କରିଥିଲୁ ଅଲେଖ ସହ ବାହାହେବୁ । 


ଅସୀମା କହିଲା ନା ନା ସେ କାମୁକ, ଲମ୍ପଟ। ମୋ ବାହାଘର ମନ୍ଦିରରେ ହେବ। ସେୟା ହିଁ ହେଲା।

ସାତ ଦିନ ପରେ......

ଅରବିନ୍ଦ ବାରିରୁ ଗୋଲାପ ଫୁଲଟିଏ ବାହାର କଲା। ଅସୀମା ହାତକୁ ଫୁଲ ବଢାଇ ଦେଉ ଦେଉ ଅରବିନ୍ଦ କହିଲା କଣ୍ଟା ଲାଗିବ, ପୁଣି ଗାଳିଦେବ, ଜାଗ୍ରତରେ ରଖ।


ଆଶ୍ଚର୍ଯ୍ୟ ହୋଇ ଅସୀମା କହିଲା ସକାଳୁ ସକାଳୁ କ'ଣ ଏତେ ପ୍ରେମ ? ଅରବିନ୍ଦ କହିଲା କାହାର ଶେଷ ଇଚ୍ଛା ପୂରଣ କରିବା ସହ ଭାଲେଣ୍ଟାଇନର ଶେଷ ଇଚ୍ଛା ପୂରଣ କରିବାର ଅଛି।


ଚିଡି ଉଠି ଅସୀମା କହିଲା ତମେ ବେଳେବେଳେ ଦାର୍ଶନିକ ପରି କୁହ, କିଛି ବୁଝିହୁଏନା । ଅରବିନ୍ଦ କହିଲା, ସମୟ କମ୍ ଚାଲ ଯିବା। ବାହାରିଲେ ଦୁହେଁ । କଟକ ବଡ଼ଡ଼ାକ୍ତରଖାନା । ଖଚାଖଚ ଭିଡ଼। ଭିଡ଼ ଠେଲି ସ୍ଵତନ୍ତ୍ର କୋଠରୀରେ ପହଞ୍ଚିଲେ ଦୁହେଁ। କଙ୍କାଳସାର ମଣିଷଟିଏ ବିଛଣାରେ ।


ପାଖକୁ ଠେଲିଦେଲା ଅରବିନ୍ଦ। ଚମକି ଉଠିଲା ଅସୀମା ! 

ଅ....ଲେ..... ଖ !

ଏମିତି କେମିତି ହେଲା ? କୋରଡପଶା ଆଖିରୁ ଶୁଖିଲା ଲୁହ ଦୁଇବୁନ୍ଦା ଝରେଇ ଅରବିନ୍ଦ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କଲା ଅଲେଖ।


ଅରବିନ୍ଦ କହିଲା, ଅସୀମା ! ଅଲେଖ ଜାଣିବାକୁ ପାଇଲା ସେ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ। ସେ ତମକୁ ଓ ତମେ ତାକୁ ବହୁତ୍ ଭଲ ପାଉଥିଲ ।

ତମ ବନ୍ଧୁ ରୂପେ ମୋତେ ଅଲେଖ ହିଁ ଭର୍ତ୍ତି କରିଥିଲା। ନିଜ ବିଷୟ କହିବା ସହ ଭାଲେଣ୍ଟାଇନର ରାଣ ଦେଇଥିଲା ତମକୁ କିଛି ନକହି ବାହା ହୋଇଯିବାକୁ। ନହେଲେ ତମ ପରି ଜିଦ୍ଦିଆ ଝିଅ ରାଜି ହୋଇନଥାନ୍ତ , ତେଣୁ ନିଜେ ନିଜ ଚରିତ୍ର ସଂହାର ନାଟକ କରିଥିଲା ଅଲେଖ।


ଅଲେଖ କହିଲା, ହିଁ ମାଡ଼ମ ! ଜୀବନଟା ଗୋଟେ ନାଟକ। ଆମେ ସବୁ ସେଇ ରଙ୍ଗମଞ୍ଚର କଳାକାର। ଅଭିନୟ ଶେଷ, ନାଟକର ଅନ୍ତ।

ଅସୀମା କୋଳରେ ମୁଣ୍ଡ ରଖି ଗୋଲାପଫୁଲଟି ହାତରେ ଧରିଥିଲା ଅଲେଖ। କ୍ଷୀଣ କଣ୍ଠରେ କହୁଥିଲା , ହ୍ୟାପି ଭାଲେଣ୍ଟାଇନ । ଆଖିର ଲୁହ ବୋଲ ମାନୁନଥିଲା ଅସୀମାର । ଅସୀମା କହୁଥିଲା , ହେ ଭିନ୍ନ ମଣିଷ ! ହେ ମନ ମନ୍ଦିରର ଦେବତା ! ଭିନ୍ନ ଏକ ଭାଲେଣ୍ଟାଇନର ସର୍ଜନା କରି ଠକି ଦେଲ ତମେ। ହସୁଛ କ'ଣ ଯେ ? କହି ହାତଟାକୁ ହଲେଇଦେଲା ଅସୀମା। ହାତ ତଳକୁ ଖସିଗଲା ଅଲେଖର । 


କିନ୍ତୁ.....।


ଗୋଲାପ ଫୁଲଟି ଭିଡ଼ି ଧରିଥିଲା ହାତରେ । 


କାରଣ.....

ତାହା ଥିଲା ,.....

ଭିନ୍ନ ଏକ ଭାଲେଣ୍ଟାଇନ !!!!!!


Rate this content
Log in

Similar oriya story from Romance