STORYMIRROR

Anuradha Nath

Romance Tragedy

4  

Anuradha Nath

Romance Tragedy

ଭିଡରେ ମୁଁ

ଭିଡରେ ମୁଁ

4 mins
252


ଏବେ ସକାଳୁ ଉଠିବାରେ ଟିକିଏ ଅଧିକ ଲେଟ ହୋଇଯାଉଛି l କେତେବେଳେ ଦଶଟା ତ କେତେବେଳେ ଵାରଟା l କଣ କରିବି ? ତମ କଥା ଭାଵି ଭାଵି କେତେବେଳେ ପାହାନ୍ତା ହୋଇ ଯାଉଛି ଜାଣି ହେଉନାହିଁ l ଅନଲାଇନ ଵାଲା ଆସି ଖାଇଵା ଦେଇ ଯାଉଛି, ପୁଣି ତେଲ ମସଲା ଭରା, ଯେମିତି ମୁଁ ଖୋଜୁଥିଲି, ତମେ ଥିଲା ଵେଳେ l କିନ୍ତୁ ଆଜି ବୟସ କାରଣରୁ ସେହି ଖାଇବା ଆଉ ଦେହରେ ଯାଉନାହିଁ l ଖାଇଲା ଵେଳେ ଭାରି ମନେ ପଡୁଛି ତମ ହାତ ତିଆରି କମ୍ ତେଲ ଯୁକ୍ତ ଅଲଣା ଖାଇଵା l ସେତେବେଳେ ତମକୁ ଲୁଚି ଲୁଚି ହୋଟେଲରେ ଖାଇ ଦେଇ ଆସୁଥିଲି, ତା ପରେ ଦେହ ଖରାପ ହେଉଥିଲା, ତମେ ମୋ ଉପରେ ରାଗିଥିଲ ସତ କିନ୍ତୁ ତମ ରାଗ ଠାରୁ ତମ ଯତ୍ନ ମୋ ପାଇଁ ଅଧିକ ଥିଲା l ଏବେ ଦେହ ଖରାପ ହେଉଛି କିନ୍ତୁ ଯତ୍ନ ନେବା ପାଇଁ କେହି ନାହାନ୍ତି l ତମର ଅଭିମାନ ଭରା ମିଠା ରାଗ ମତେ ଭାରି ମନେ ପଡୁଛି l 

ତିରିଶ ବର୍ଷ ତଳର ଲୁନାଟି କାଢିଵା ଉଦ୍ଦେଶ୍ୟରେ ଗେଟ୍ ପାଖକୁ ଯାଉଛି l ଆଉ ଉପରୁ ଵାଲ୍କୋନୀକୁ ଅନାଉଛି l କେତେବେଳେ ତମେ ମୁଁ ଭୁଲି ଯାଇଥିବା ଲୁନା ଚାଵିଟି ତଳକୁ ପକାଇବ, ବହୁତ ସମୟ ଧରି ଵାଲ୍କୋନୀକୁ ଅନଉଛି,କିନ୍ତୁ ତମେ ଚାଵି ଧରି ଆସୁନ,ଏଣୁ ଵାଧ୍ୟ ହୋଇ ପୁଣି ମୁ ଉପରକୁ ଯାଉଛି, ଆଉ ଚାବିଟି ନେଇ ତଳକୁ ଆସୁଛି l 

ମାର୍କେଟ ଵୁଲିଵା ଵେଳେ ତମେ ଦେଇଥିବା ନୋକିଆ 2600 ମୋବାଇଲକୁ ଵାରମ୍ଵାର ଦେଖୁଛି, କେତେବେଳେ ତମେ ଫୋନ କରି କହିବ ଏତେ ସମୟ କଣ କରୁଛ? ଘରକୁ ଜଲଦି ଆସ ... କିନ୍ତୁ ସେହି ମଧୁର ଶବ୍ଦ ଆଉ ଏ ମୋବାଇଲରେ ଶୁଭୁ ନାହିଁ l ଏମିତି ଭିଡରେ ହଜିଵାକୁ ଚେଷ୍ଟା କରୁଛି ତମ ସ୍ମୃତିରେ l ଯଦିଓ ତମେ ପାଖରେ ନାହଁ ତଥାପି ତମ ସ୍ମୃତିକୁ ପାଖେ ପାଖେ ନେଇ ରାସ୍ତା ଗହଳିରେ ମୁଁ ଚାଲୁଛି, ଆଉ ଅନୁଭବ କରିବାକୁ ଚେଷ୍ଟା କରୁଛି ତମର ହାତର ଏକ ସ୍ପର୍ଶ ।

ଚାଳିଶ ବର୍ଷ ପୂର୍ବେ ତମେ ଵୋହୂ ହୋଇ ଆମ ଘରକୁ ଆସିଥିଲ l ପରିବାରର ଗହଳିରେ ତମେ ମୋ ପାଇଁ ସମୟ କାଢି ପାରୁନଥିଲ l ସେତେବେଳେ ତମ ଉପରେ ଅଭିମାନ କରୁଥିଲି, କିନ୍ତୁ ଖୁସି ଵି ଥିଲି ମୋ ପରିବାରକୁ ନିଜର ଭାଵି ତମେ ତମ କର୍ତ୍ତବ୍ୟ କରି ଚାଲିଥିଲ l କେଉଁ ଦିନ ମଧ୍ୟ କାହା ଵିରୋଧରେ ମତେ ଅଭିଯୋଗ କରିନଥିଲ l ଦେହ ଖରାପ ହେଲେ ମଧ୍ୟ ଆରାମ କରିବାକୁ ପସନ୍ଦ କରୁନଥିଲ, ମୁଁ ଆରାମ ପାଇଁ ଵାଧ୍ୟ କଲେ କହୁଥିଲ, ମତେ ତୁମ ପରି ଅଳସୁଆ କରିବ ନା କଣ? ସେତେବେଳେ ମୁଁ ଆଶ୍ଚର୍ଯ୍ୟ ହେଉଥିଲି ତମକୁ ଦେଖି l 

ମନେ ଅଛି ସେଦିନ ଅପା ଘରକୁ ଆସିଥିଲା l ମୁଁ ଅଫିସରୁ ଫେରିଵା ଵାଟରେ ତମ ପାଇଁ ପ୍ରଥମ ଥର ପାଇଁ ରଜନୀଗନ୍ଧାର ଗଜରା ନେଇକି ଆସିଥିଲି l ପକେଟରୁ ରୁମାଲଟି କାଢୁ କାଢୁ ସମସ୍ତଙ୍କ ସାମ୍ନାରେ ଗଜରାଟି ପଡିଗଲା l ସେଦିନ ସମସ୍ତଙ୍କ ଆଗରେ ସାହସ କରି କହି ପାରିନଥିଲି, ସେଇଟା ମୁଁ ତମ ପାଇଁ ଆଣିଥିଲି, ଆଉ ନିଜ ଅନିଚ୍ଛା ସତ୍ତ୍ୱେ ଵାଧ୍ୟ ହୋଇ ଅପାକୁ ଦେଇଦେଲି l କିନ୍ତୁ ତମେ ଟିକିଏ ଵି ଅଭିମାନ କି ଅଭିଯୋଗ କରି ନଥିଲ l 

ତମେ କେଵେହେଲେ ମତେ କୌଣସି ଜିନିଷ ମୁହଁ ଖୋଲି ମାଗି ନଥିଲ, ସେଇଥିପାଇଁ ତମ ପସନ୍ଦ ଆଉ ନାପସନ୍ଦ ଵିଷୟରେ ମୁଁ ଵେଶି କିଛି ଜାଣିବାକୁ ପାଇନି l ସେଦିନ ଘରେ ପୂଜା ଥିଲା, ପୂଜା ପାଇଁ ମୁଁ ତମ ପାଇଁ ଏକ ଧଳା ରଙ୍ଗର ଶାଢ଼ି ନେଇକି ଆସିଥିଲି, ଆଉ ତମେ ମତେ ସେ ଶାଢୀ ଫେରାଇ ହଳଦିଆ ରଙ୍ଗର ଶାଢ଼ି ଆଣିବାକୁ କହିଥିଲ l ସେଇଦିନ ମୁଁ ଜାଣିଥିଲି ତମକୁ ଧଳା ରଙ୍ଗ ପସନ୍ଦ ନୁହେଁ l ଆଉ ମୁଁ ସେମିତି କଥା ଛଳରେ କହିଦେଲି, ମୁ ଦୁନିଆଁ ଛାଡି ଗଲା ପରେ ତମେ କଣ ଧଳା ରଙ୍ଗର ଶାଢ଼ି ପିନ୍ଧିଵନି l ଆଉ ତମେ ରାଗିକି ତିନି ଦିନ ମୋ ସହ କଥା ହୋଇନଥିଲ, ଆଉ ସେହି ସମୟରେ ମତେ କହିଥିଲ ତମ ପୂର୍ବରୁ ମୁଁ ଏ ଦୁନିଆ ଛାଡ଼ି ଚାଲିଯିଵି, ସତରେ ତମେ ଠିକ୍ ଥିଲ, ନହେଲେ ଏମିତି ଏ ଵୁଢା ବୟସରେ ମତେ ଏକୁଟିଆ ଛାଡି ଯାଇନଥାନ୍ତ।

ଏଇ କୋରୋନା ସମୟରେ ମତେ ଟିକିଏ ଅଧିକା ଜଗୁଥିଲ l ତମକୁ ଭୟ ଥିଲା କାଳେ ମୋ ପ୍ରକୃତି ଯୋଗୁଁ ମତେ କରୋନା ହେଇଯିବ, ଆଉ ମୁଁ ତମ କଥା ଶୁଣିନଥିଲି, ସତରେ ମତେ କୋରୋନା ହୋଇଗଲା, ଆଉ ମୋ ଠାରୁ ତମକୁ ଡେଇଁଥିଲା l କିନ୍ତୁ ଭାଗ୍ୟର ଏ କି ଲୀଳା, ମୁଁ ତ ଵଞ୍ଚିଗଲି, କିନ୍ତୁ ତମେ ଦୁନିଆ ଛାଡ଼ି ଚାଲିଗଲ l ଗଲାବେଳେ ମତେ କି ଆମ ପରିବାରକୁ ତମ ଶେଷ ଦର୍ଶନ ଵି କରାଇ ଦେଲ ନାହିଁ l ଯଦି ଶେଷ ସମୟରେ ମୁଁ ତମକୁ ଦେଖିନାହିଁ, କେମିତି ଵିଶ୍ୱାସ କରିଵି ତମେ ଆଉ ଆମ ଭିତରେ ନାହଁ ଵୋଲି l 

ତମେ ଗଲାପରେ ପୁଅ ଝିଅ ଦୁହେଁ ଆସିଥିଲେ ମତେ ତାଙ୍କ ସହିତ ନେଵା ପାଇଁ, କିନ୍ତୁ ମୁଁ ଗଲି ନାହିଁ l ଏ ଘର, ଏ ରାସ୍ତାର ଭିଡରେ, ଏ ସହରରେ ସବୁଠି ତୁମର ସ୍ମୃତି ଅଛି, ଆଉ ମୋ ହୃଦୟକୁ ମୁଁ ଏତେ ଶକ୍ତ କରିନି, ଯେ ତମ ସ୍ମୃତିକୁ ପାସୋରି ଅନ୍ୟତ୍ର କୁଆଡେ ଚାଲିଯିଵି l ଖାସ ସେଇଥିପାଇଁ ପାଇଁ ପ୍ରତି ସପ୍ତାହରେ ସେମାନେ ମତେ ଦେଖିବାକୁ ଆସୁଛନ୍ତି l 

ତମ ପୁଅ ଝିଅ ମତେ ଜିଦଖୋର କହୁଛନ୍ତି, କାରଣ ସେମାନେ ମତେ ଏଇଠି ଏକୁଟିଆ ଛାଡିବାକୁ ଚାହୁଁ ନାହାନ୍ତି l କିନ୍ତୁ ତାଙ୍କୁ ମୁଁ ଵି ଵୁଝାଇ ପାରୁନାହିଁ, ମୁଁ ଭିଡରେ ଏକୁଟିଆ ନୁହେଁ ତମ ସ୍ମୃତି ସହିତ ରହିଛି l 

ତମକୁ କ୍ରିକେଟ୍ ଭଲ ଲାଗେ ନାହିଁ, ଏଣୁ ଆଜି ଵି ମୁଁ,ତମେ ଦେଖୁଥିବା ସିରିଆଲ ସଵୁ ଦେଖୁଛି, କାରଣ ମତେ ଲାଗୁଛି ତମେ ଵି ମୋ ସହ ଦେଖୁଛ l ତମେ ଘରେ ଆମିଷ ପୁରାଉ ନଥିଲ, ହଁ ମୁଁ ଵି ଆମିଷ ଖାଇଵା ଛାଡି ଦେଇଛି l ଗହଳି ରାସ୍ତାରେ ଵର୍ଷା ଆସିଲେ ତମେ ଜଲ୍ଦି ଜଲ୍ଦି ଚାଲି ମତେ ଵି ଚାଲିବାକୁ କହୁଥିଲ, ସେତେବେଳେ ଅଜାଣତରେ ତମେ ବର୍ଷାରେ ଭିଜି ଯାଉଥିଲ, ଏଣୁ ସବୁଥର ପରି ମୁଁ ତମ ଆଡକୁ ଛତା ବଢାଇ ଆଗେଇ ଆଗେଇ ଚାଲିଛି l ସେତେବେଳେ ତ ତମେ ଛତାରେ ମୋ ସହ ଥିଲ, କିନ୍ତୁ ଆଜି ମୁଁ ଆଉ ମୋ ଛତା ତମ ଅନୁପସ୍ଥିତି ଅନୁଭଵ କରୁଛି l 

ଏଇ ଵୟସ ସଠିକ୍ ଥିଲା ଦୁହେଁ ଦୁହିଁଙ୍କ ସହ ସମୟ ଵିତାଇଵା ପାଇଁ l କାରଣ ମୁଁ ଚାକିରିରୁ ଅବସର ନେଇଥିଲି, ଆଉ ତମେ ଘର ଜଞ୍ଜାଳରୁ... କିନ୍ତୁ ସମୟ ତ ମୋ ସହ ଥିଲା, କିନ୍ତୁ ତମଠାରୁ ଦୂରେଇ ଯାଇଥିଲା l 

ଗୋଟିଏ ଗଛର ଫୁଲ ଥିଲେ ଆମେ, ତମେ ତ ଝଡି ଯାଇଛ, ଆଉ ମୁଁ ଅପେକ୍ଷା କରିଛି କେଵେ ମୁଁ ଵି ଝଡିଯିଵି ତମ ପରି.... ହୁଏତ ସେତେବେଳେ ତମ ସହ ଆଉଥରେ ଦେଖା ହେଵ ଏକ ନୂତନ ଦୁନିଆର ନୂତନ ଅଧ୍ୟାୟରେ l 

  ହଁ ତମ ସ୍ମୃତି ମତେ ଏମିତି ଏକ ଗହଳି ରାସ୍ତାରେ ନେଇ ଠିଆ କରାଇଛି, ଯେଉଁଠି ଆଖି ବନ୍ଦ କଲେ ତମେ ମତେ ଦୃଶ୍ୟମାନ ହେଉଛ, ଆଉ ଆଖି ଖୋଲିଦେଲେ କେଉଁଠି ଲୁଚି ଯାଉଛ l ଯେତେଦିନ ପର୍ଯ୍ୟନ୍ତ ତମର ହାତର ସ୍ପର୍ଶ ମୋ ହାତରେ ନ ଵାଜିଛି, ସେତେଦିନ ପର୍ଯ୍ୟନ୍ତ ଏମିତି ଗହଳି ରାସ୍ତାରେ ମୁ ଵୁଲୁଥିଵି, ଯାଣେନା କେତେବେଳେ ମୁଁ ଏ ଗହଳି ରାସ୍ତାରେ ଭାରସାମ୍ୟ ହରାଇ ସବୁଦିନ ପାଇଁ ଶୋଇଯିଵି, ଆଉ ଯେତେବେଳେ ଆଖି ଖୋଲିଵି ତମ ସହ ଥିବି ତମ ଦୁନିଆରେ ....

କିଛି ଏମିତି ଭାବନାରେ ମୁ ହଜିଛି,

ରାସ୍ତା ଗହଳିରେ ତମକୁ ଖୋଜୁଛି l 

ଭିଡରେରେ ମୁଁ ଏକେଲା ଅଛି,

ତମ ହାତର ସ୍ପର୍ଶ ପୁଣି ଖୋଜୁଛି ।

ସମାପ୍ତ 



Rate this content
Log in

Similar oriya story from Romance