STORYMIRROR

Satyabati Swain

Romance Others

4  

Satyabati Swain

Romance Others

ବଏ ଫ୍ରେଣ୍ଡ୍

ବଏ ଫ୍ରେଣ୍ଡ୍

5 mins
229


ବାପାଙ୍କ ବଦଳି ସହ ମୋ ସ୍କୁଲ ଠିକଣା ବି ବଦଳି ଗଲା।


ନୂଆ ସ୍କୁଲ ନୂଆ ବନ୍ଧୁ ଓ ପରିବେଶ।ଟିଚର ମାନଙ୍କ ପଢା ଧରିବାରେ ମୋତେ ଟିକେ କଷ୍ଟ ହେଉଥିଲା।ବିଶେଷ କରି ଅପ୍ସନାଲ ମ୍ୟାଥ୍।ଅପ୍ସନାଲ ମ୍ୟାଥ୍ ଏମିତି ବି ମୋତେ ଡରାଏ।ଦଶମ ଶ୍ରେଣୀ ପୁଣି ବୋର୍ଡ ପରୀକ୍ଷା।


ଦିନେ ମ୍ୟାଥ୍ ଅପ୍ସନାଲ କ୍ଲାସ୍ ପରେ ରିସେସରେ ମନ ଦୁଃଖ କରି ବସିଥିଲି ଖେଳ ପଡିଆ ବାଲି ମଠ ଆମ୍ବ ଗଛ ତଳେ।ମୋ ଚାରି ବନ୍ଧୁ ଟିଫିନ୍ ଖାଇବା ପାଇଁ ମୋତେ ଖୋଜି ଖୋଜି ସେଠି ହାଜର ହୋଇ ଗଲେ।


ଆରେ ଅଙ୍କିତା କଣ ହେଲା ତୋର ? ଆମକୁ ନ ଡାକି ଏକା ଏଠି ମନ ଦୁଃଖ କରି ବସିଛୁ? ଶାନ୍ ପଚାରିଲା।


ଶୁଭମ୍ କହିଲା, ତୁ ମନ ଦୁଃଖ କଲେ ଧରା ପଡିଯାଉ ଲୋ ଅଙ୍କିତା।ତୋ ଆଖି ବାରମ୍ବାର ଉଠେ ପଡେ।


ହଁ ବେ ଶୁଖିଲା ଅରେଞ୍ଜ ପରି ଦିଶେ ବିକାଶ ଦାନ୍ତ ପଞ୍ଝାକ ଦେଖେଇ କହିଲା।


କଣ ହୋଇଛି ଅଙ୍କିତା କହୁନୁ ରୀଟା ଫୁଲେଇ ହୋଇ କହିଲା?


ଅପ୍ସନାଲ ମ୍ୟାଥ୍ କିଛି ବୁଝି ପାରୁନି ; କୁଣ୍ଠିତ ଚିତ୍ତରେ କହିଲି।


ହସି ଉଠିଲେ ରୀଟା ତିନି ପୁଅ ସାଙ୍ଗ।


ଫୁ..ଉ..ର୍ ଇଏ ଗୋଟେ ମନ ଦୁଃଖ କରିବା କଥା!!


ଆମ ଶାନ୍ ଗଣିତରେ ପୋକ। ଶାନ୍ ପରି ସାଙ୍ଗ ଥାଉ ଥାଉ ଗଣିତ ଡରେଇବ ତୋତେ! ଭୁଲି ଯା।


ଆମେ ସମସ୍ତେ ଲାଗି ପଡି ପନ୍ଦର ଦିନ ଭିତରେ ତୋତେ ଗଣିତକୁ ଭଲ ପାଇବା ଶିଖାଇ ଦେବୁ।ପକ୍କା।


ଭବାନୀପାଟଣାର ଏଇ ତିନି ବଏ ଫ୍ରେଣ୍ଡ ମୋତେ ପ୍ରେରଣା ଦେଇ,ଉତ୍ସାହିତ କରୁଥିଲେ ଗଣିତ ପଢା ପାଇଁ।ହଁ ଅପ୍ସନାଲ ମ୍ୟାଥ୍ ମୋ ଦେଇ ହେବ ଏ ବିଶ୍ୱାସ ଭରୁଥିଲେ ମୋ ଭିତରେ।ସେମାନଙ୍କ ସହଯୋଗରୁ ମୁଁ ଗଣିତକୁ ଭୟ କରିବା ପରିବର୍ତ୍ତେ ଭଲ ପାଇଲି।ବହୁତ ଭଲ ହେଲା ସେ ବିଷୟଟି ମୋର। 


ସଭିଙ୍କ ଭିତରେ ଶାନ୍ ନିଆରା। କୈଶୋର ଚାଦର ଛାଡି ଆଦ୍ୟ ଯୌବନ ଓଢଣୀ ପକାଇ ମୋ ମନ ଯେତେବେଳେ ଆକାଶରେ କାହା ମୁହଁ ଦେଖେ ସେ ଶାନ୍ ହିଁ ଥାଏ।ଖୁବ୍ ଭଲ ଲାଗେ ଶାନ୍।ତା ଉପସ୍ଥିତି, କଥା ସବୁ ଯେମିତି ମୁଁ ଆଁ କରି ପିଇଯାଉଥିଲି।


ସେ ବି ମୋ ଅଲକ୍ଷ୍ୟରେ ମୋତେ ବିମୁଗ୍ଧ ନୟନରେ ଚାହୁଁଥିଲା।


ଦିନେ କହିଲା, ଅଙ୍କିତା ମୁଁ ଗୋଟେ କବିତା ଲେଖିଛି ଶୁଣିବୁ ?


ବାଃ କବିତା ! ତୋତେ କବିତା ଲେଖି ଆସେ !


ଲାଜୁଆ ଭଙ୍ଗୀରେ ଶାନ୍ କହିଲା ନା ମ। ଏଇ କିଛି ଦିନି ହେଲା ମୋର କଣ ହୋଇଛି କେଜାଣି ପଢି ବସିଲେ ପଢିବା ପରିବର୍ତ୍ତେ କବିତା ଲେଖି ହୋଇ ଯାଉଛି।


ଭଲ ତ କବିତା ଲେଖିବା ଗୋଟିଏ ଭଲ ପ୍ରତିଭା।ସମସ୍ତଙ୍କ ଦେଇ ହୁଏନି ମ।ମୁଁ ଏକା କାହିଁକି ବରଂ ରିସେସରେ ରୀଟା,ବିକାଶ ଓ ଶୁଭମ୍ ସମସ୍ତେ ସାଙ୍ଗ ହୋଇ ଶୁଣିବା।


ନାଇଁ ତୁ ଗଲୁ।ମୋ କବିତା କେହି ଶୁଣିବା ଦରକାର ନାହିଁ ଯା ସେ ମୁହଁ ଫୁଲେଇ ଚାଲି ଗଲା।


ମୁଁ ଏ କଥାଟି ରୀଟା କାନରେ ପକାଇ ଦେଲି।ସେ କି ଆଉ ଛାଡେ ଶାନ୍ ଖାତା ଘୋଷାରି ଆଣି ସମସ୍ତଙ୍କ ଆଗରେ ପଢ଼ିଦେଲା।


ଗୋରା ଚହଚହ ମୁହଁଟା ଶାନ୍ ର୍ ରଙ୍ଗା ପଡିଗଲା।ସତେକି ତା ଚୋରି ଧରା ପଡିଗଲା।ଲାଜରା ହୋଇ ବିଚରା ବାଲି ମଠ ଖେଳ ପଡିଆ ଆଡକୁ ଚାଲିଗଲା।


ବିକାଶ କହିଲା, କହିଲ... ଶାନ୍ ଏ କବିତାରେ କାହା କଥା ଲେଖିଛି ?


ରୀଟା କଥା ,ମୁଁ ଚଟ୍ କି ଉତ୍ତର ଦେଇଦେଲି।


ରୀଟା ଲାଜରେ ପୁରା ଗାଜର।


ଶୁଭମ୍ ଓ ବିକାଶ ମୂର୍କି ମୂର୍କି ହସୁଥିଲେ।


ମୁଁ କିନ୍ତୁ ବୁଝି ଥିଲି ଶାନ୍ ସେ କବିତାଟି ମୋ ପାଇଁ ହିଁ ଲେଖିଥିଲା।


ଯଦିଓ କବିତା ଚାହିଁଥିଲେ ସେ ଆହୁରି ଲେଖି ପାରିଥାନ୍ତା, ମାତ୍ର ସେଇ କବିତା ତାର ପ୍ରଥମ ଓ ଶେଷ କବିତା ଲେଖା ଥିଲା।


କବିତାଟିକୁ ମୋ ଆଗରେ ଟିକି ଟିକି କରି ଚିରି ଅଭିମାନ ରେ କହିଥିଲା ,ଶପଥ କରୁଛି ଜୀବନରେ ଆଉ କେବେ କାହା ପାଇଁ କବିତା ଲେଖିବି ନାହିଁ।

 

ବିଚରା ଶାନ୍! କିନ୍ତୁ ରୀଟା ଥାଉ ଥାଉ ମୁଁ କେମିତି  ଜାହିର କରିଥାନ୍ତି ସେ ମୋତେ ଭଲ ଲାଗେ।କାରଣ ରୀଟା ଶାନ୍ ପାଇଁ ପାଗେଳି।ଖୁବ୍ ଭଲ ପାଏ ତାକୁ।ବରଂ ନ ଜାଣିଲା ପରି ଅଭିନୟ ଠିକ୍ ହେବ ଭାବି ଶାନ୍ ମନରେ ଦୁଃଖ ଦେଇଥିଲି।


କିଛି ପ୍ରେମ ମନ ଭିତରେ ସମାଧି ନେବା ଭଲ।


ବୋର୍ଡ ପରୀକ୍ଷା ସରିଗଲା।ମେସରୁ ବିଦାୟ ନେବା ଦିନ ବହୁତ କାନ୍ଦିଥିଲୁ ଆମେ ପାଞ୍ଚ ବନ୍ଧୁ।ହୁଏତ ଆଉ କେବେ କିଏ କାହାର ଦେଖା ହେବ କି ନା ଭାବି।ଏଇ ଛକରୁ କିଏ କେଉଁ ରାସ୍ତାରେ ଚାଲିବେ ଠିକ୍ ଠିକଣା ନଥିଲା।ଆମେ ଚାରି ଜଣ ରୀଟାକୁ ଛାଡି ଚାକିରିଆ ବାପାଙ୍କ ପିଲା।ରିଟା ସେଇ ସ୍କୁଲ ପାଖ ସାହି ଝିଅ।ଆମ ବାପାଙ୍କ ଟ୍ରାନ୍ସଫର ଯୁଆଡେ ଆମେ ସିଆଡ଼େ।


ସ୍କୁଲ ଜୀବନ ସବୁଠାରୁ ମନେ ରଖିଲା ପରି ଜୀବନ।ଆତ୍ମୀୟତା,ଅନ୍ତରଙ୍ଗତା ଏଠି ଯଥେଷ୍ଟ ଥାଏ।କିଛି ଭେଜାଲ କି ନକଲି ନଥାଏ।ଏଇଠି ପଡିଥାଏ ପ୍ରକୃତ ମଣିଷ ହେବାର ମୁଳୁଦୁଆ।ସବୁଦିନ ପାଇଁ ଅପାସୋରା ସ୍କୁଲ ଜୀବନ,ପାଠପଢା ଓ ବନ୍ଧୁ ବି ମିଳନ୍ତି ଏଇଠୁ।


ରୀଟା ଯିଏ କି ମୋତେ ତାର ପ୍ରବଳ ପ୍ରତିଦ୍ବନ୍ଦୀ ଭାବୁଥିଲା ମନେ ମନେ, ସେ ବେଶୀ କାନ୍ଦିଥିଲା।ସବୁ କଥା ମନ ଖୋଲି ବି କହିଥିଲା।କ୍ଷମା ବି ମାଗିଥିଲା ମୋ ପାଖରେ।ଶାନ୍ ସେଦିନ ଟିକେ ଚୁପ୍ ଓ ଗମ୍ଭୀର ଥିଲା।ପରୀକ୍ଷା ଶେଷ ରାତିରେ ଖାଇବା ପୂର୍ବରୁ ସେ ମୋତେ ମେସ୍ ପଛ ପଟକୁ ଟାଣି ନେଇ,କାନ୍ଦ କାନ୍ଦ ହୋଇଗଲା ।ମୋ ବାଗୁଲି ଚୁଟି ଟାଣି ଦେଇ କହିଲା "ମୋତେ ମନେ ରଖିବୁଟି ଅଙ୍କିତା?"


ହଁ.......


ସତ କହୁଛୁ?


ହଁ...


ତୁ ଜାଣିଛୁ ଅଙ୍କିତା ତୋ ପାଇଁ ମୋ ମନ ଭିତରେ ବନ୍ଧୁତା ଛଡା ଆଉ ଗୋଟିଏ ଭାଵ ଅଛି।


କି ଭାଵ?


ତୋ କାନ ଦେଖା ଶୁଣି କି ହସିବୁ ନାହିଁ।"ମୁଁ ତୋତେ ଭଲ ପାଏ" ଜାଣିଲୁ। ସେଦିନ କବିତା ରୀଟା ପାଇଁ ନୁହେଁ ତୋ ପାଇଁ ହିଁ ଲେଖିଥିଲି।


ଖିଲି ଖିଲି ହୋଇ ହସି ଉଠିଲା ମୁଁ।


ମୁଁ ଜାଣିଥିଲି ତୁ ହସିବୁ।ସେଇଥିପାଇଁ କହୁନଥିଲି। ହେଲେ ଆଜି ଠାରୁ ଆଉ ଆମର ଦେଖା ହେବ କି ନାହିଁ ସନ୍ଦେହ। ମୁଁ ଭାଇଙ୍କ ପାଖକୁ ବାଙ୍ଗାଲୋର ଯିବି,ସେଇଟି ରହି ପଢିବି।ମୁଁ ଯେ ତୋତେ ଭଲ ପାଏ ଏତକ ନ କହିଥିଲେ ଭାରି ଅସୁସ୍ଥ ଲାଗିଥାନ୍ତା।ମୋ ପାଠ ପଢା ସରିବା ଯାଏ ମୋତେ ଅପେକ୍ଷା କରିବୁ।ସେତେବେଳେ ମୁଁ ବଡ଼ ହୋଇ ଯାଇଥିବି।ଲୁଚିକି ନୁହେଁ ସମସ୍ତଙ୍କ ଆଗରେ ତୋତେ ଭଲପାଏ ବୋଲି କହି ପାରିବି।ଆମେ ମ୍ୟାରେଜ କରି ସବୁ ଦିନ ବନ୍ଧୁ ହୋଇ ରହିବା ।ଅପେକ୍ଷା କରିବୁ ନା?


ଏତକ କହିବା ସହ ଶାନ୍ ମୋତେ ତା ଛାତି ସହ ଜାବୁଡି ଧରିଥିଲା।ମୋ କଅଁଳ ଛାତିଟି ସେଦିନ ଗୋଟେ ଅଦ୍ଭୂତ ଅନୁଭବରେ ଚହଲି ଯାଇଥିଲା।ସତେକି ବିଚିତ୍ର କରେଣ୍ଟ ମୋ ଭିତରେ ସୃଷ୍ଟି ହେଲା।ଶାନ୍ କିସ୍ ଟିଏ ବି କରିଦେଇଥିଲା ବିଦାୟ ଉପହାର ସ୍ୱରୂପ ମୋ ଗାଲରେ। ଝାଳେଇ ଗଲା ସାରା ଶରୀର ମୋର। ଶାନ୍ ଓ ମୋ ଛାତି ଜୋରେ ଜୋରେ ଧଡ୍ ଧଡ୍ ହେଉଥିଲେ।


ମନ କହୁଥିଲା ଶାନ୍ ଏମିତି ମୋତେ ଜାବୁଡି ଧରିଥାନ୍ତା କି? ଗୋରା ତକ ତକ ମୁହଁରେ ଶାଗୁଆ ଶାଗୁଆ ନିଶ ଉଠି ଶାନ୍ କୁ ପୁଅ ପିଲାରୁ ପୁରୁଷ କରିବା ଆରମ୍ଭ କରିଦେଇଥିଲା ସେତେବେଳେକୁ। ଆଦ୍ୟ ଯୌବନ ଦୁହିଁଙ୍କର। ଖସଡ଼ା,ଶିଉଳି ଭର୍ତ୍ତୀ,ଅବୁଝା ରଙ୍ଗୀନ ବି। ପରସ୍ପରର ସ୍ପର୍ଶ ଅତି ଭଲ ଲାଗୁଥିଲା।


ମୁଁ ଲାଜରେ ନିଜକୁ ଶାନ୍ କବଳରୁ ମୁକାଳି ଦୌଡ଼ିଲି ମେସ୍ କୁ। ଧକ୍କା ଖାଇଲା ରୀଟା ଦେହରେ। ଭୟ ଓ ଲାଜ ଦୁହେଁ ମିଶି ମୋତେ ମାଡି ବସିଥିଲେ। ରୀଟା କହିଲା କଣ ହେଲା ଅଙ୍କିତା ,ଏମିତି ଝାଳରେ ଗାଧୋଇ ଦୌଡୁଛୁ,ଚୋରି କଲା ପରି ?


ଧେତ୍!ତୁ ନା.... କଣ କହୁ ଯେ। ମେସ୍ ରେ କଣ ଅଛି ଚୋରି କରିବି ?


କାଇଁ ମନ ଅଛି । କାହା ମନ ଚୋରି କଲୁ କି ? ତୁ ଯାହା ମନ ଚୋରି କର ମୋର ମନା ନାହିଁ ; କିନ୍ତୁ ଶାନ୍ ର ମନ ଚୋରି କରିବୁନି। ସେ ମନଟି କେବଳ ମୋର।


ଆଁ ତୋର ! କହି ଫିକ୍ କିନା ହସି ଦେଲି ମୁଁ।


ବାପା ଲୋକ ପଠେଇଥିଲେ ମୋତେ ନେବାକୁ। ବାରଦିନ ପରେ ଘରକୁ ଯିବି ନା ସେଥିପାଇଁ ଖୁସିରେ ଦୌଡୁଛି ,ବୁଝିଲୁ ରୀଟା।


ସେଦିନ ମୁଁ ରୀଟାକୁ କାହିଁକି ମିଛ କହିଲି ? ମୁଁ ଜାଣେ ରୀଟା ଶାନ୍ କୁ କେତେ ଭଲପାଏ। କିନ୍ତୁ ଶାନ୍ ......ଓଃ ଗୋଳ ମାଳିଆ ହୋଇଗଲା ମୁଣ୍ଡ।


ଶାନ୍ ଯେ ମୋ ଜୀବନର ପ୍ରଥମ ପ୍ରେମ ଏକଥା କାହାକୁ ନ କହିଲେ ବି ମୁଁ ଜାଣେ। ଶାନ୍ କଥା ମନେ ପଡିଲେ ମୁଁ ଅସୁସ୍ଥ ଅସୁସ୍ଥ ଅନୁଭବ କରେ। ମନେ ପଡେ ଶାନ୍ ଜାବୁଡି ଧରିଥିବା ମୁହୂର୍ତ୍ତ। ଆଖି ବୁଜି ମନେ ପକାଏ ସେ କ୍ଷଣିକ ଉନ୍ମାଦନାର୍ ମିଠା ଅନୁଭବ। କୋମଳ ମହ୍ଲାର ହୋଇ ଅପୂର୍ବ ଆନନ୍ଦ ଦିଏ ସେ ଦିନର କଥା ଓ ସ୍ମୃତି। ଅନୁଢା ପ୍ରାଣର ପ୍ରଥମ ପ୍ରେମ ନିଶ୍ଚିନ୍ତ ଅଭୁଲା,ନିଆରା ଓ ଅପାସୋରା । ଅବୁଝା ବୟସର ତାତି ବି ମାରାତ୍ମକ।


ତାତିକୁ ଛାତିରେ ମାଖି ମେସ୍ ସହ ଗୋଟିଏ ସୁନ୍ଦର ସମୟକୁ ସବୁଦିନ ବିଦାୟ ଦେଇ ଦେଲୁ ଆମେ ;ଦଶମ ବୋର୍ଡ ପରୀକ୍ଷା ଦେଇ।ମେସ୍ କାନ୍ଥରେ ଲେଖି ଦେଇ ଆସିଲୁ ଓଡ଼ିଆରେ ବି, ଦା ପାଇଁ 'ଦାଆ' ର ଗୋଟିଏ ଚିତ୍ର ଓ 'ୟ' ପାଇଁ ହିନ୍ଦୀରେ ଅକ୍ଷର ୟ।


ମନଲୋଭା ସବୁବେଳେ ମନେ ପକାଇ ଖୁସିରେ ଗଦ୍ ଗଦ୍ ହେବା ସମୟ,ବୟସ ଓ ମନକୁ ବି ବିଦାୟ ଦେଇ ଦେଲୁ ସେବେଠୁ। ଏବେ ସେ ସବୁ ମନେ ପଡିଲେ ଖୁବ୍ ଖୁସି ଲାଗେ। ଇଚ୍ଛା ହୁଏ ଆଉଥରେ ମିଳନ୍ତା କି ସେ ନିଆରା ଜୀବନ !!


ମୁଁ ଜାଣେନି ଏବେ ଶାନ୍ ସମେତ ଅନ୍ୟ ବନ୍ଧୁ ମାନଙ୍କ ବିଷୟରେ। ଯେହେତୁ ଯୋଗା ଯୋଗ ମାଧ୍ୟମ ଆମ ବେଳେ କିଛି ନଥିଲା। ଏଣୁ କିଏ କେଉଁଠି କଣ କଲେ ଜାଣି ହେଲାନି।


ଦୌଡୁଥିଲା ସମୟ ତା ସହ ମୋ ବୟସ ବି।


ପିୟୁପାରୁ ବାହାରି ପ୍ରଜାପତି ହୋଇ ଫୁଲ ସନ୍ଧାନ କରିବା ପରି ମୁଁ ଜୀବନକୁ ହାତ ମୁଠାରେ ମୁଠାଇ କଲେଜରୁ ଚାକିରି ଓ ପରେ ବିବାହ କରି ସଂସାର ସ୍ୱପ୍ନରେ ବୁଡି ଗଲି।


ଏବେ ଆମ ବ୍ୟାଚ ପିଲା ମାନେ ଗୋଟେ ହ୍ଵାଟ୍ସଆପ ଗ୍ରୁପ୍ କରିଛନ୍ତି।ସେଥିରୁ ଆସ୍ତେ ଆସ୍ତେ ସବୁ ଜାଣି ହେଉଛି। ରୀଟା ଓ ଶାନ୍ ଙ୍କ ଭିତରେ କିଛି ବି ସମ୍ପର୍କ ନାହିଁ ସେବେଠାରୁ। ପରସ୍ପର ବିଷୟରେ ଜାଣି ସମସ୍ତେ ଭାରି ଖୁସି। ଏବେ ଏବେ ମୁଁ ଆଡ଼ ହୋଇଛି ସେ ଗ୍ରୁପରେ।


କାଲି ଆମ ବ୍ୟାଚର ପ୍ରଥମ ଗେଟ୍ ଟୁ ଗେଦର୍।


ସମୟ ସବୁ ଭୁଲେଇ ଦେଇଛି। କିନ୍ତୁ ଶାନ୍ ମୋ ବଏ ଫ୍ରେଣ୍ଡ୍ କୁ ଆଜିଯାଏ ଭୁଲି ପାରିନି ମୋ ହୃଦୟ। କାଲି ତା ସହ ଦେଖା ହେବ ଭାବି ଆଜି ରାତିରେ ନିଦ ହେଉନି, ପୁଣି ଦଶ ବର୍ଷ ବୟସ ଝିଅର ମା ହୋଇ !


ସତରେ ଅଦ୍ଭୁତ ନା ଏ ହୃଦୟ ?



Rate this content
Log in

Similar oriya story from Romance