ବାୟା ସୁଦୁରୁ
ବାୟା ସୁଦୁରୁ
ସକାଳ ଦଶଟା ହେଲାଣି ତାକୁ ଉଠଉନ, ଗାଧୋଇବନି କି ସେ !! ଏମିତି କିଛି କହି ଟଭା ଦେବୀଙ୍କୁ ଡାକ ପକେଇଲେ ବାଙ୍କନିଧି ବାବୁ। ଟଭା ଦେବୀ ଆଉ ବାଙ୍କନିଧି ସ୍ୱାଇଁ ଙ୍କ ସାନ ପୁଅ ହେଲା ସୁଦୁରୁ। ଥିଲା ବାଲା ଘର। ଆଖ ପାଖ ପାଞ୍ଚ ଖଣ୍ଡ ଗାଁ ରେ ଖ୍ୟାତି ଅଛି। ଦୁଇ ପୁଅ ଆଉ ଦୁଇ ଝିଅ ପରେ ସାନ ପୁଅ ସୁଦୁରୁ ଜନ୍ମ ହେଇଛି।
ସବୁ ପୁଅ ଝିଅ ବାହାଘର ସରି ଝିଅ ମାନଙ୍କର ପିଲାମାନେ ମଧ୍ୟ ବାହା ହେଇ ସାରିଲେଣି। ବଡ ପୁଅ ଆଉ ମଝିଆ ପୁଅ ର ପିଲାମାନେ ମଧ୍ୟ ଭେଣ୍ଡା ହେଇ ଗଲେଣି। କିନ୍ତୁ ସୁଦୁରୁ ପାଇଁ ସବୁବେଳେ ଚିନ୍ତା ମାଁ ଟଭା ଦେବୀଙ୍କର। ସୁଦୁରୁ ପିଲାବେଳୁ ବାତ ରୋଗ (Epilepsy) ରେ ପୀଡ଼ିତ। ସୁଦୁରୁ ର ପ୍ରିୟ ମଣିଷ ହେଲେ ମଝିଆ ଭାଉଜ ଯୋଷ୍ନା। ମଝିଆ ବୋହୂ ଯୋଷ୍ନା ସୁଦୁରୁ ର ଭାରି ଯତ୍ନ ନିଅନ୍ତି। ସକାଳୁ ଗୋଧେଇବା ଠାରୁ ଆରମ୍ଭ କରି ରାତିରେ ଔଷଧ ଖୁଏଇବା ପର୍ଯ୍ୟନ୍ତ ସବୁ କିଛି ଯୋଷ୍ନା କରନ୍ତି। ହେଲେ ସୁଦୁରୁ ଗୋଟେ ଖରାପ ଅଭ୍ୟାସ ହେଲା ଗାଁ ରେ ସମସ୍ତଙ୍କୁ ନାସ ମାଗିବା। ଆଉ ଏ ନାସ ମାଗିବା ବଦଅଭ୍ୟାସ କୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ ମଝିଆ ପୁଅ ଅବିନାଶ। ସୁଦୁରୁ କୁ ବାଡେଇ ବାଡେଇ ଘରକୁ ଆଣନ୍ତି ଅବିନାଶ।
ସୁଦୁରୁ ପିଲା ବେଳୁ ଟିକେ କମଜୋର୍ ଆଉ ନିର୍ବୁଧିଆ। ସେଥିପାଇଁ ଗାଁ ରେ ସମସ୍ତେ ତାକୁ ଉପହାସ କରନ୍ତି। ରାସ୍ତାରେ ଯିବାବେଳେ ତାକୁ ଅନାବ ସନାବ କୁହନ୍ତି। କିନ୍ତୁ, ସୁଦୁରୁ କୁ କିଛି ଫରକ୍ ପଡେନି। ସମୟାନୁ କ୍ରମେ ବାଙ୍କନିଧି ବାବୁ ଆଗ ଭଳି ଆଉ ଚଳପ୍ରଚଳ ହେଇ ପାରନ୍ତି ନାହିଁ। ବୈଶାଖ ମାସର ଡହକବିକଳ ଉଦୁ ଉଦିଆ ଖରା ବେଳଟାରେ କାନ୍ଦ ବୋବାଳି ରେ ଘର ଫାଟି ପଡ଼ିଲା। ବାଙ୍କନିଧି ବାବୁ ଆଉ ନାହାଁନ୍ତି। ହେଲେ ସୁଦୁରୁର ଆଖିରୁ ଲୁହ ଟୋପେବି ଝରିଲାନି। ଝରିବ ବା କେମତି? ସେତ ବାଇଆ। ଆଉ ବାଇଆ ମାନଙ୍କ ର ଆଖିରୁ କଣ କେବେ ଲୁହ ଝରେ। ହେଲେ ଟଭା ଦେବୀ ବେସି ଭାଙ୍ଗି ପଡିଥାନ୍ତି ସୁଦୁରୁ ଚିନ୍ତାରେ। ବାପା ଥିଲେ ଯେ, ସୁଦୁରୁ ଚିନ୍ତା କିଛି ଜଣା ପଡୁ ନଥିଲା, ବୋହୂ ମାନେ ସବୁ ସୁରୁଖୁର ରେ କରୁଥିଲେ। ଏବେ କଣ ଆଉ କିଏ ସୁଦୁରୁ କଥା ବୁଝିବ... ଏମିତି କେତେ କଣ।
ଦିନେ ସୁଦୁରୁ ଭାଉଜ ଯୋଷ୍ନା ଉପରେ ରାଗ ତମ ତମରେ କଣ ସବୁ କହି ଯାଉଛି। ଭାଉଜ, ତମେ ହିଁ ଗାଁ ସାରା ମୋ ବିଷୟରେ ହାଲା କରୁଛ ମୋ ଦେହରେ ରୋଗ ଅଛି। ତମେ ହିଁ ତମ ବାପ ଘରେ ଫୋନ ରେ କହିଛ ମୋ ବିଷୟରେ। ଗାଁରେ ସମସ୍ତେ କହୁଛନ୍ତି ଏ ପିଲାଟା ଭଲ ନୁହ। ଏଇଟା କି ପିଲା। ୟା ସହିତ କଥା ହେଲେ ଆମର ଇଯତ୍ ଖରାପ ହବ। ୟାକୁ ଖାଇବାର ମଧ୍ୟ ଜଣା ନାହିଁ। ତମେ ସମସ୍ତଙ୍କୁ କହିଛ । ଏମିତି କହି ସୁଦୁରୁ ଧାରୁଆ ଛୁରୀ ରେ ନିଜ ହାତକୁ କାଟିଦେଲା। ଯୋଷ୍ନା ଏସବୁ ଶୁଣି ଆବାକ ହେଇ ଠିଆ ହେଇଥାଏ। ମାଁ ଟଭା ଦେବୀ ପଛ ପଟୁ ସବୁ ଶୁଣୁ ଥାନ୍ତି। ଧାର ଧାର ରକ୍ତ ନିଗିଡ଼ି ଯାଉଥାଏ ସୁଦୁରୁ ର ହାତରୁ। କଣ କରିବେ ଭାବି ବୋହୂ ଯୋଷ୍ନା ଗୁଣ୍ଡ ହଳଦୀ ଆଣି ଲଗେଇ ଦେଲେ। ରକ୍ତ ଟିକେ କମିଲା। ମଝିଆ ପୁଅ ଅବିନାଶ କୁ ଫୋନ କରି ଘରକୁ ଡାକିଲେ ବୋହୂ। ଅବିନାଶ ଛଅ କି.ମି ଦୂର କଣ୍ଟେଇପୂର ଗାଁ ସରକାରୀ ସ୍କୁଲ ରେ ଗଣିତ ଶିକ୍ଷକ। ଫୋନ ଶୁଣି ତତକ୍ଷଣାତ୍ ସ୍କୁଲ ରୁ ବାହାରି ଆସିଲେ। ଘରକୁ ଫେରି ନିର୍ଦ୍ଧୁମ ପିଟିଲେ ସୁଦୁରୁକୁ। ତୁ କିଛି କାମ କରିବୁନି ପୁଣି ଘରେ ଏଇ ପାଲା ଲଗେଇବୁ। ମୋର କଣ କିଛି କାମଧନ୍ଦା ନାହିଁ, ମୁଁ ତତେ ଘରେ ଜଗିକି ବସିବି। ଏମିତି କେତେ କଣ କହି ତାକୁ ପିଟି ଚାଲି ଥାନ୍ତି। ସୁଦୁରୁ କିନ୍ତୁ କହୁଥାଏ, ମତେ ତ ସୁଭିଛି। ମୁଁ କଣ କରିବି।
ଦିନ ପରେ ଦିନ ବିତି ଚାଲିଲା। ସୁଦୁରୁ ଏମତି ପ୍ରାୟ ସମସ୍ତଙ୍କୁ କୁହେ ତମେ ମାନେ ମୋ ବିଷୟରେ କଥା ହଉଛ। ମତେ ମାରିବାକୁ ଯୋଜନା କରୁଛ। ଆଉ ଗାଁ ର ସମସ୍ତେ କୁହନ୍ତି ସୁଦୁରୁ ପୁରା ପାଗଳ ହେଇ ଗଲା।
ବୟସ ବଢିବା ଯୋଗୁଁ ଟଭା ଦେବୀଙ୍କ ଆଖିକୁ ଦେଖା ଯିବା ମଧ୍ୟ ବନ୍ଦ ହେଇଗଲା। କେବଳ ସାନ ପୁଅ ସୁଦୁରୁର ଏପରି ଦୟନୀୟ ଅବସ୍ଥା ଦେଖି ଆଖିରୁ ଲୁହ ଗଡ଼େଇବା ଛଡ଼ା ଆଉ କିଛି ଉପାୟ ନାହିଁ ତାଙ୍କ ପାଖରେ। ଏପଟେ ଦିନକୁ ଦିନ ସୁଦୁରୁ ଉଗ୍ର ରୂପ ଦେଖେଇବା ଆରମ୍ଭ କରି ସାରିଥାଏ। ମଝିଆ ପୁଅ ଅବିନାଶ ସ୍କୁଲ ଚାଲି ଗଲା ପରେ ସମସ୍ତଙ୍କୁ ମାରପିଟ୍ କରିବା ଆରମ୍ଭ କରିଦେଇ ଥାଏ। ଆଉ ଏହାରି ଭିତରେ ଟଭା ଦେବୀ ମଧ୍ୟ ଆଖି ବୁଜି ଦିଅନ୍ତି। ଯେମିତି ସୁଦୁରୁର ଏ ଦୁନିଆ ରେ ଆଉ କେହି ନାହାନ୍ତି।
ଦିନେ ସୁଦୁରୁର ବଡ ଭାଇ ଅର୍ଜୁନ ବିଲକୁ ହଳ କରିବାକୁ ଯାଇଥାନ୍ତି ଆଉ ମଝିଆ ଭାଇ ଅବିନାଶ ସ୍କୁଲକୁ। ସୁଦୁରୁ ପୁଣି ଉଗ୍ର ରୂପ ଦଖେଇ ସମସ୍ତଙ୍କୁ ମାରିବାକୁ ଗୋଦେଇଲା। ମଝିଆ ଭାଉଜ ଯୋଷ୍ନା ଫୋନ କରି ଡାକିଲେ ଅବିନାସଙ୍କୁ। ଅବିନାଶ ସ୍କୁଲରୁ ଫେରି ସୁଦୁରୁର ଗୋଡ଼ ହାତକୁ ରସି ରେ ବାନ୍ଧି ଗୋଟେ ଘରେ କବାଟ କିଳୀ ପକେଇ ଦେଲେ। ସମସ୍ତଙ୍କୁ ତାଗିଦ୍ କରିଲେ କେହି ତାକୁ ଖୋଲିବନି।
ସୁଦୁରୁ ଯେତେ ଚିତ୍କାର କରିଲେ ମଧ୍ୟ କେହି କବାଟ ଖୋଲିଲେନି। ଦିନ ପରେ ଦିନ ବିତିବାରେ ଲାଗିଲା। ସୁଦୁରୁ ର ସ୍ୱର ମଧ୍ୟ ଧିମେଇବାକୁ ଲାଗିଲା। ଏମିତି ଛଅ ଦିନ ବିତି ଗଲା। ଘର ଭିତରୁ ଦୁର୍ଗନ୍ଧ ବାହାରିବାକୁ ଲାଗିଲା। କବାଟ ଖୋଲି ଦେଖିଲା ବେଳକୁ ସୁଦୁରୁ ଆଣ୍ଠୁ ମାଡ଼ି ମୁଁହ ପୋତି ସେମିତି ପଡ଼ିଛି। ଦୁର୍ଗନ୍ଧ ରେ ଫାଟି ପଡୁଛି ସେ ଘର। ସୁଦୁରୁ....ସୁଦୁରୁ... ବୋଲି ଡାକିଲେ ଭାଉଜ ଯୋଷ୍ନା !! ନିଶବ୍ଦ। ଆବାକ। ସତେ ଯେମତି ଦେଖଣା ହାରି ର ଛାତି ସ୍ତବ୍ଧ ପାଲଟି ଯାଇଥାଏ। ଓଃ... କି ଯନ୍ତ୍ରଣା ରେ ଛଟପଟ ହେଇ ପ୍ରାଣ ବାୟୁ ଉଡ଼ି ଯାଇଥିବ।...ଓଃ...
ଗାଁ ର ସାହି ପଡିଶା ଲୋକ ସୁଦୁରୁ ଦେହରୁ ବନ୍ଧା ଯାଇଥିବା ରସି ଫିଟେଇ ବାକୁ ଲାଗିଲେ। ହେଲେ ଯାହା ଦେଖିଲେ ବର୍ଣ୍ଣନା କରିବା ବହୁତ କଷ୍ଟ। ଯୋଉ ଜାଗାରେ ରସି ବନ୍ଧା ଯାଇଥିଲା ସେଇ ଜାଗା ପଚିଶଢି ପୋକ ସାଲୁବାଲୁ ହେଉଥାନ୍ତି। ମୁଣ୍ଡ ଆଉ ଆଣ୍ଠୁ ମଧ୍ୟ ଶଢ଼ୀ ଯାଇଥାଏ। ଯଥା ଶିଘ୍ର ସୁଦୁରୁକୁ ଦାହ କରିବା ବ୍ୟବସ୍ଥା ରେ ଦୁଇ ଭାଇ ଲାଗି ପଡ଼ିଲେ। ଗାଁ ମଶାଣିରେ ସୁଦୁରୁର ଶରୀର ବଞ୍ଚ ଭୂତ ରେ ଲୀନ ହେଲା।
ହେଲେ ପୂର୍ବରୁ ସୁଦୁରୁ ଯୋଉ ଆରୋପ ପ୍ରତ୍ୟାରୋପ ଆଉ ଉଗ୍ର ରୂପ ଦେଖେଇ ସମସ୍ତଙ୍କୁ ମାରିବାକୁ ଯାଉଥିଲା ସେଇ ବିଷୟରେ ଗାଁ ଜଣେ ପାଠୁଆ ପିଲା ମଝିଆ ଭାଇ ଅବିନାଶ କୁ କହିଥିଲେ। ଦୂରରୁ ଅନ୍ୟର କଥା ସୁଭିବା, ମୋ ବିଷୟରେ କେହି କଥା ହେବା ଏସବୁ ଗୋଟେ ମାନସିକ ରୋଗର ଲକ୍ଷ୍ୟଣ। ଆଉ ସେଇ ରୋଗର ନାମ ହେଉଛି ସ୍କିଯୋଫ୍ରିନିଆ (Schizophrenia) ଏହି ରୋଗ ହେବା ଦ୍ଵାରା ମଣିଷ ସନ୍ଦେହ କରିବା, ଭୟବିତ ହେବା, ଆତ୍ମହତ୍ୟା କରିବା, ଏମଟି ସବୁ ଚିନ୍ତା କରେ। ଆଉ ତୁମେ ସୁଦୁରୁକୁ ବଡ ଡାକ୍ତର ଖନାକୁ ନେଇ ଡାକ୍ତରଙ୍କ ସହ ପରାମର୍ଶ କର। ହେଲେ ଅବିନାଶ ସେଇ ପାଠୁଆ ପିଲାର କଥାକୁ ଅଣଦେଖା କରି ଗାଲେଇ ରହିଲେ। ଯାହାର ପରିଣାମ ଆଜି ସୁଦୁରୁ ଶୁଖି ଶୁଖି ପାଣି ଟୋପାଟେ ନପାଇ ଛଟ ପଟ ହେଇ ମାରିଲା। ବାୟା ସୁଦୁରୁ ଏ ଦୁନିଆ ଛାଡି ମାଁ ଟଭା ଦେବୀ ଆଉ ବାପା ବାଙ୍କନିଧିଙ୍କ ପାଖକୁ ସବୁଦିନ ପାଇଁ ଚାଲିଗଲା।
