ରସ ଥାଳି
ରସ ଥାଳି
ଶ୍ରୀ ଜିତେନ୍ଦ୍ର ସାମନ୍ତରା
ହଳ ଫିଟେଇ ଗୋରୁ ମାନଙ୍କୁ ଘର ଆଗ ଡଙ୍ଗା ପାଖରେ ବନ୍ଧିଦେଲେ। କୁଣ୍ଡା ତୋରାଣି ଦେଇ ଟିକେ ହାତ ଗୋଡ ଧୁଆ ଧୁଇ ହେଇଗଲେ। ଦିନ ଆସି ବାରଟା ବାଜିଲାଣି। ବୃଢି ମାଁ ସେମିତି ଅସନା ହେଇ ପିଣ୍ଡା ଶେଯ ଉପରେ ପଡ଼ି ରହିଛି। ହାତରେ ଠାରୁଛି ପୁଅ ମାଧବକୁ। ହାତ ଠାରି ମାଧବ ବାବୁ ପଚାରିଲେ ଖାଇନୁ କି ମାଁ ? ବୁଢ଼ୀ ହାତ ହଲେଇ କହିଲା ଦେଇନି ଖାଇବାକୁ। ବୁଢ଼ୀର ଆଖି ନେନ୍ଧୁଆରେ ଭରି ହେଇଛି।
ମାଧବ ବାବୁ ବୁଢ଼ୀ ମାଁକୁ ଟେକି ନେଇ ପିଣ୍ଡା ପାହାଚ ଉପରେ ବସେଇ ଦେଇ କହିଲେ - ତୁ ବସିଥା। ମୁଁ ପାଣି ଆଣିବାକୁ ଯାଉଛି। ପାଖ କୂଅ ରୁ ଗରା ଟେ ପାଣି ଆଣି ବୁଝି ମାଁ କୁ ଗାଧୋଇ ଦେଲେ। ଓଳମୁଣ୍ଡି ରୁ ଶୁଖିଲା ଲୁଗା ମାଁ କୁ ପିନ୍ଧେଇ ଶୁଖିଲା ଜାଗାରେ ବସେଇ ଦେଲେ। ବାସି ଶେଯ କୁ ତୋଳି ବେରୁହାଁ ପଟିକୁ ବଇକୁ ଆଉଜେଇ ଦେଲେ । ଘର ଭିତରକୁ ଯାଇ ଥାଳିରେ ଖାଇବା ଆଣି ବୁଢ଼ୀ ମାଁକୁ ଖୁଆଇବାକୁ ପ୍ରସ୍ତୁତ ହେଉଛନ୍ତି, ପଛପଟୁ ଶୁଭିଲା ଏ..... ରୁହ।
ମାଧବ ବାବୁ ପଛକୁ ଚାହିଁ ଦେଖିଲେ ସ୍ତ୍ରୀ ମାଳତୀ ରାଗ ତମତମ ହେଇ କ୍ଷୀପ୍ର ଗତିରେ ମାଡ଼ି ଆସୁଛି। ତମକୁ କିଏ କହିଲା ଏଇ ଥାଳିରେ ବୁଢ଼ୀ କୁ ଖାଇବାକୁ ଦବାକୁ। ବୁଢ଼ୀର ରସ ଥାଳି କୁଆଡେ ଗଲା କି? ବଡ ତେଠେଇ ହର ଝିଅଟା ଯେ ପିତଳ ଥାଳିରେ ଖାଇବ।
ମାଧବ ବାବୁ ଗୋଟିଏ ବୋଲି ପୁଅ ବୁଢ଼ୀ ମାଁ ର। ବୁଢ଼ୀ ଯେବେ ବାହା ହେଇଥିଲା କାଳେ ରୂପାର ବାସନ ଆଣିଥିଲା ବୋଲି ସାଇପଡିଶା କଥା ହୁଅନ୍ତି। ହେଲେ ଏବେ ବୋହୂ ରସ ଥାଳି ବ୍ୟତୀତ ଅନ୍ୟ କୌଣସି ବାସନାରେ ଖାଇବାକୁ ଦବାକୁ ନାରାଜ। ମାଧବ ବାବୁ କାଲି ରାତିର ଅଇଁଠା ରସ ଥାଳି କୁ ଧୋଇ ସେଥିରେ ପିତଳ ଥଳିର ଖାଇବା କୁ ଢାଳିଲେ। ଆଉ ମାଁ କୁ ଖୁଆଇ ନିଜେ ଗାଧୋଇବାକୁ ଗଲେ ପୋଖରୀକୁ। ଗାଧୋଇ ଖାଇବା ବେଳକୁ ଦିନ ଗୋଟାଏ। ଏ ହେଉଛି ମାଧବ ବାବୁଙ୍କର ସକାଳ ଖିଆ। ସକାଳୁ ପାଣି ଟୋପେ ବି ପେଟରେ ପଡିନି।
କଣ ବା ଆଉ କରିପାରିବେ। ବୁଢ଼ୀ ମାଁ କୁ ଆଖିରେ ଦେଖିବାକୁ ନାରାଜ ସ୍ତ୍ରୀ ମାଳତୀ। କାହାକୁ କହିବେ। ବରଂ ନିଜେ ମାଁ ର ସେବାରେ ନିଜକୁ ସମର୍ପଣ କରିଦେଇଛନ୍ତି। ଆଉ କେତେ ଦିନବା ବଞ୍ଚିବ। ତାରବି ଶେଷ ସମୟ ପାଖେଇ ଆସିଲାଣି ଚିନ୍ତା କରି ଆଖିରୁ ଦୁଇ ଧାର ଲୁହ ନିଗିଡ଼ି ଗଲା।
ମାଧବ ବବୁଙ୍କର ଦୁଇ ପୁଅ ଆଉ ଦୁଇ ଝିଅ। ପୁଅମାନେ ବାହାରେ ରହି କାମ କରନ୍ତି। ଆଉ ଗାଁକୁ ଆସିଲେ ବୁଢ଼ୀ ମାଁର ଟିକେ ସେବା କରିବାକୁ ଆଗ୍ରହୀ ହୁଅନ୍ତି। ହେଲେ ମାଁ ମାଳତୀ ତାଗିଦ୍ କରେ ପୁଅ ମାନଙ୍କୁ। ତା ମାଁର କାମ ତା ପୁଅ କରିବ। ତୁମ ମାନେ କରିବା ଆବଶ୍ୟକ ନାହିଁ।
ବୁଢ଼ୀ କୁ ଘର ଭିତରେ ଶୋଇବାକୁ ଅନୁମତି ଦିଅନ୍ତି ନାହିଁ ବୋହୂ ମାଳତୀ। ଯେହେତୁ ବୁଢ଼ୀ ଝାଡା, ପରିସ୍ରା ଶେଯରେ କରୁଛି। ବୁଢ଼ୀ ଖରା,ବର୍ଷା, ଶୀତ ବାରମାସ ପିଣ୍ଡାରେ ସୁଏ। ଦିନେ ବର୍ଷା ରାତିରେ ବୁଢ଼ୀ ଅଚିନ୍ତା ନିଦ୍ରାରେ ସୋଇଛି। ସକାଳୁ ମାଧବ ବାବୁ ବୁଢ଼ୀ ମାଁ କୁ ଉଠେଇଲେ। ହେଲେ ଆଉ ବୁଢ଼ୀ ଉଠିଲା ନାହିଁ। ଥପ ଥପ ଲୁହ ଧାର ବହି ଯାଉଥାଏ ମାଁ କୁ ହରେଇ ଥିବା ସେଇ ପୁଅ ଆଖିରୁ। ଆଉ କହୁଥାନ୍ତି ଏଥର ଶାନ୍ତି !!
ଆଉ ତମକୁ ରସ ଥାଳିରେ ଦବାକୁ ପଡ଼ିବନି। ଏଇ ଥାଳି ତୁମେ ସାଇତି ରଖିଥାଅ। ତୁମ ଭବିଷ୍ୟତ ପାଇଁ।
