କୂଳ ଉଦ୍ଧାର
କୂଳ ଉଦ୍ଧାର
ତତେ କିଏ କହିଲା ମୋ କମ୍ପାସ ଧରିବାକୁ? ତୋ କମ୍ପାସ କୁଆଡେ ନେଲୁ କି? ବାପା ତୋପାଇଁ କମ୍ପାସ ଆଣିଥିଲେ ତୁ କୁଆଡେ ନେଲୁ! ଲକ୍ଷ୍ମୀ ଚୁପଚାପ୍ ଆଖିରୁ ଲୁହ ଦୁଇ ଧାର ନିଗିଡେଇ କହିଲା... ଏଇଟା ମୋ କମ୍ପାସ। ତୋର ସିବୁ ନେଇଯାଇଛି କାଲି ରାତିରେ..। ଲକ୍ଷ୍ମୀ ଆଉ ସାବିତ୍ରୀ ଦୁଇ ଭଉଣୀ । ବାପା ଗୋଟେ କିନ୍ତୁ ମାଁ ଅଲଗା ଅଲଗା। ସାବିତ୍ରୀ କୁ ବେସି ଭଲ ପାଆନ୍ତି ବାପା ସୁଦର୍ଶନ। ସୁଦର୍ଶନ ମଲ୍ଲିକଙ୍କର ପ୍ରଥମ ସ୍ତ୍ରୀ ହେଉଛନ୍ତି ନନ୍ଦିନୀ ଦେବୀ। ଥିଲାବାଲା ଘର ଝିଅ ଥିଲେ ନନ୍ଦିନୀ ଦେବୀ। ଆଉ ସୁଦର୍ଶନ ମଲ୍ଲିକ ମଧ୍ୟ କୋଲିଆରି ଚାକିରି କରୁଥାନ୍ତି। ବେଶ୍ ଧୁମ୍ ଧାମରେ ବାହାଘର ହୁଏ। ହସ ଖୁସିରେ ସଂସାର ଚାଲିଥାଏ। ବାହାଘର ଏତେ ଦିନ ବିତିଯାଇଥିଲେ ମଧ୍ୟ ପିଲା ଛୁଆ ପାଇଁ ଚିନ୍ତିତ ଥିଲେ ଦୁହେଁ। ହେଲେ ଦୀର୍ଘ ଦିନର ଅପେକ୍ଷା ପରେ ନନ୍ଦିନୀ ଦେବୀଙ୍କ କୋଳ ପୂରଣ ହେଲା। ଡାକ୍ତର ଖନାରେ ମେଜର ଅପରେସନ ହେଇ ଝିଅ ଲକ୍ଷ୍ମୀ ଜନ୍ମ ହେଲା। ଯେହେତୁ ଥିଲବାଲା ଲୋକ। ଭୋଜି ଭାତରେ ଗାଁ ପୁରୀ ଉଠିଲା।
ହେଲେ ଏ ଖୁସି ବେସି ଦିନ ରହିଲା ନାହିଁ। ଡାକ୍ତର କହିଛନ୍ତି ନନ୍ଦିନୀ ଦେବୀ ଆଉଥରେ ମାଁ ହେଇ ପାରିବେ ନାହିଁ। ସୁଦର୍ଶନ ବାବୁଙ୍କ ମାଁ କହିଲେ ଏ କୁଳ ଉଦ୍ଧାର କେମିତି ହବ! ମାଁ ଜିଦ୍ ଧରିଲେ ଦିତ୍ୱୀୟ ବିବାହ କରିବାକୁ। ସୁଦର୍ଶନ ବାବୁ ସଫାସଫା ମନା କରିଦେଲେ। ହେଲେ ବନ୍ଧୁ ପରିଜନ ଏବଂ ସ୍ତ୍ରୀ ନନ୍ଦିନୀ ଦେବୀଙ୍କ ପରାମର୍ଶରେ ରାଜିହେଲେ। ସେଇ ଗାଁର ଝିଅ କନକକୁ ଠିକ୍ କଲେ ସୁଦର୍ଶନଙ୍କର ମାଁ। କନକ ଦେଖିବାକୁ ବହୁତ୍ ସୁନ୍ଦର। ଗୋଟିଏ ଚାଉଳରେ ଗଢା। ସତେକି ସ୍ଵର୍ଗରୁ ଅପସରା ଉଲ୍ହେଇ ଆସିଛି ଧାରା ପୃଷ୍ଠକୁ। ସୁଦର୍ଶନ ପ୍ରଥମ ଦେଖାରେ ବିମୋହିତ ହେଇଗଲେ। ବାହାଘର ତିଥି ନିର୍ଦ୍ଧାରିତ ହେଲା। ଯେହେତୁ ସୁଦର୍ଶନ ଆଗରୁ ବିବାହିତ, ପୁରୋହିତ କହିଲେ....ବେଦିରେ କନ୍ୟାର ହାତ ଗଣ୍ଠି କୁମ୍ଭ ଢାଳ ସହ ପଡ଼ିବ। ବାହାଘର ଠିକ୍ ସେ ସରିଲା।
ବାସର ରାତି ଠାରୁ ସବୁକିଛି ବଦଳି ଗଲା। ସୁଦର୍ଶନ ଆଉ ଆଗ ଭଳି ସ୍ତ୍ରୀ ନନ୍ଦିନୀ କୁ ଭଲ ପାଉନାହାନ୍ତି। ଦୂରେଇ ଦୂରେଇ ରହୁଛନ୍ତି। କେବଳ ଦିତ୍ୱିୟ ସ୍ତ୍ରୀ କନକକୁ ଭଲ ପାଉଛନ୍ତି। ବେଳେବେଳେ ଝିଅ ଲକ୍ଷ୍ମୀ ସହ ଟିକେ ଗେଲ ହୁଅନ୍ତି ବାସ..। ବାହାଘର ଚାରି ମାସ ପରେ କନକ ମାଁ ହବା ଖବର ଗାଁ ସାରା ଚହଳ ପଡ଼ିଲା। ନଅ ମାସ ପରେ କନକ ମଧ୍ୟ ଡାକ୍ତର ଖାନାରେ କନ୍ୟା ସନ୍ତାନକୁ ଜନ୍ମ ଦେଲେ। ଆଉ ଡାକ୍ତର ସେଇ ପୁରୁଣା କଥା କହିଲେ.... କନକ ଆଉ ଥରେ ମାଁ ହେଲେ ଜୀବନ ପ୍ରତି ବିପଦ।
ହେଲେ ଯୋଉ କୂଳ ଉଦ୍ଧାର ଦ୍ୱାହି ଦେଇ ମାଁ ଦ୍ଵିତୀୟ ବିବାହ କରେଇ ଥିଲେ....ସବୁ ପାଣି ଫାଟି ଗଲା। କାରଣ କନକ ଆଉ ପୁଅ ଜନ୍ମ କରି ପାରିବନି। ଏମିତି ଖବର ଶୁଣି ମାଁ ହାର୍ଟଆଟାକରେ ସେପୂରକୁ ଚାଲିଗଲେ। ଧୀରେଧୀରେ ଦିତୀୟ ଝିଅ ସାବିତ୍ରୀକୁ ମୂହୁର୍ତ୍ତଟେ ପାଖରୁ ଛାଡ଼ୁ ନଥାନ୍ତି ସୁଦର୍ଶନ। ଆଉ ଲକ୍ଷ୍ମୀ ଏକାଏକା ମାଁ ନନ୍ଦିନୀ ଦେବୀଙ୍କ ସହ ଖେଳୁଥାଏ। ରୋସେଇବାସ ଠୁ ଆରମ୍ଭ କରି ଗାଈକୁ ତୋରାଣି ଦବା, ଘୁଆଳ ସଫା କରିବା, ବିଲକୁ ଯିବା, ଘାସ କାଟିବା ଇତ୍ୟାଦି ଘରର ସବୁ କାମ ସ୍ତ୍ରୀ ନନ୍ଦିନୀ କରନ୍ତି। ଆଉ ମହାରାଣୀ ଭଳି ପଲଙ୍କରେ ଆରାମରେ ସୋଇ ରୁହେ ଦିତୀୟ ସ୍ତ୍ରୀ କନକ। ସତେ ଯେମତି ଦୁଃଖର ପାହାଡ ଲଦିହୋଇ ପଡ଼ିଛି ନନ୍ଦିନୀଙ୍କ ଉପରେ। ବାପା ମାନଙ୍କର ଗୋଟିଏ ବୋଲି ଝିଅ ଥିଲେ ନନ୍ଦିନୀ। ବଡ ଗେଲବସରରେ ବଢ଼ି ଥିଲେ। ହେଲେ ଏବେ ଘରର ଚାକରାଣୀ କରିଦେଇଛି ସଉତୁଣୀ କନକ। କାହାକୁ ବା ଦୋଷ ଦେବେ, ଯିଏ ଦିନେ ରାଣୀ କରି ରଖିଥିଲେ ... ସେ ଯଦି ଦେଖିକି ଅଣଦେଖା କରୁଛନ୍ତି କରନ୍ତୁ! ନିଜେ ଏଥିପାଇଁ ଦାୟୀ ଭାବି ଚୁପଚାପ୍ ସବୁ କାମ କରିଦିଅନ୍ତି। ଏଣିକି ଯାହା ମୋ ଝିଅର ଭାଗ୍ୟରେ ଲେଖା ଥିବା ସେଇଆ ହବ।
ଧୀରେ ଧୀରେ ଦୁଇ ଝିଅ ଲକ୍ଷ୍ମୀ ଓ ସାବିତ୍ରୀ ବଡ ହେବାକୁ ଲାଗିଲେ। ଯେହେତୁ ଦୁହେଁ ଦୁଇ ବର୍ଷରେ ସାନବଡ ତେଣୁ ସ୍କୁଲ ଶିକ୍ଷକ କହିଲେ ଦୁହିଁଙ୍କର ଗୋଟିଏ ଶ୍ରେଣୀରେ ନାମ ଲେଖେଇବାକୁ। ମାଁ ଭଳି ସାବିତ୍ରୀ ମଧ୍ୟ ବହୁତ୍ ସୁନ୍ଦର। ତେଣୁ ଲକ୍ଷ୍ମୀ ଅପେକ୍ଷା ସାବିତ୍ରୀକୁ ବେସି ଗେଲ କରନ୍ତି ବାପା ସୁଦର୍ଶନ। ସବୁ ଜିନିଷରେ ଲକ୍ଷ୍ମୀ ଠାରୁ ସାବିତ୍ରୀ ପାଇଁ ଅଧିକ ଆଣନ୍ତି ସୁଦର୍ଶନ। ଲକ୍ଷ୍ମୀ ଛୋଟ ପିଲା ସେ କିଛି ଜାଣି ପାରେନାହିଁ। ହେଲେ ମାଁ ନନ୍ଦିନୀ ସବୁ ଦେଖି ଆଖିରୁ ଲୁହ ବାହାର କରି ଚୁପ୍ ରୁହନ୍ତି। ଏବେ ଲକ୍ଷ୍ମୀ ଆଉ ସାବିତ୍ରୀ ସପ୍ତମ ଶ୍ରେଣୀରେ ପଢୁଛନ୍ତି। ବାପା ପାଖ ବଜାରରୁ ଦୁଇ ଜଣଙ୍କ ପାଇଁ ଦୁଇଟି କମ୍ପାସ କିଣି ଆଣିଥିଲେ। ରାତିରେ ସୁଦର୍ଶନଙ୍କ ବଡ ଭାଇ ନାତି ଶିବୁ ଆସି ସାବିତ୍ରିର କମ୍ପାସ ନେଇକି ଯାଇଛି। ହେଲେ ସକାଳୁ ଟିଉସନ୍ ରେ ଲକ୍ଷ୍ମୀର କମ୍ପାସ ଛଡେଇ ନେଇ ସାବିତ୍ରୀ କହୁଛି ଏଇଟା ମୋ କମ୍ପାସ ତୁ କାହିଁକି ନେଇଛୁ? ଏହି କଥାରେ ଲକ୍ଷ୍ମୀ ଆଖିରୁ ଲୁହ ଦୁଇ ଧାର ବାହାରି ପଡ଼ିଛି। ଏବେ ଲକ୍ଷ୍ମୀ ସବୁ ବୁଝି ପାରୁଛି। ବାପା କାହାକୁ ଅଧିକ ଭଲ ପାଉଛନ୍ତି ଆଉ କାହାକୁ କମ ଭଲ ପାଉଛନ୍ତି। ବାପା କାହା ମାଁକୁ ଅଧିକ ଭଲ ପାଉଛନ୍ତି ଆଉ କାହା ମାଁକୁ କମ୍ ଭଲ ପାଉଛନ୍ତି। ହେଲେ ନନ୍ଦିନୀ ଦେବୀ ଝିଅକୁ ସବୁବେଳେ ସଂସ୍କାର ଶିକ୍ଷା ଦେଇଛନ୍ତି। ଯାହା ଲକ୍ଷ୍ମୀର ଚେହେରାରେ ବେଶ୍ ବାରି ହେଇପଡେ।
ଦୁହେଁ ଏବେ ଯୁକ୍ତମାନ ହୋଇ ଦଶମ ଶ୍ରେଣୀରେ ପଢୁଛନ୍ତି। ହେଲେ ସୁଦର୍ଶନଙ୍କୁ ଏବେ ପତ୍ର ଖୋଜା ଚିନ୍ତା ଘାରିଛି। ଦେଖୁ ଦେଖୁ ଦୁଇଝିଅ ଦ୍ଵାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଗଲେ। ସାନ ଝିଅ ସାବିତ୍ରୀ ପାଇଁ ଭଲ ପ୍ରସ୍ତାବ ଆସିଛି। ଜମିଦାରୀ ଘର। ଜ୍ୱାଇଁ ପୁଅ ଗାଁରେ ବ୍ୟବସାୟ କରନ୍ତି। ଆଉ ବଡ ଝିଅ ଲକ୍ଷ୍ମୀ ପାଇଁ ଯୋଉ ପାତ୍ର ଠିକ୍ କରିଛନ୍ତି ସେ ସୁରତରେ ରହି କାମ କରନ୍ତି। ଆଖି ଦୃଷ୍ଟିଆ ସମ୍ପତି ନାହିଁ।
ତିଥି ଲଗ୍ନ ଠିକ୍ ହେଲା। ବାହାଘର ଦିନ ପାଖେଇ ଆସିଲା। ଯେହେତୁ ଦୁଇ ଝିଅଙ୍କର ଏକା ସାଙ୍ଗରେ ବାହାଘର କରୁଛନ୍ତି ସୁଦର୍ଶନ... ପାତର ଅନ୍ତର କରିଲେ ଗାଁର ସାହି ଭାଇ, ବନ୍ଧୁ ପରିଜନ ସବୁ ଜାଣିଯିବେ ଭାବି..... ସବୁ ଏକା ପ୍ରକାର ଜିନିଷପତ୍ର ଦୁଇ ଝିଅ ପାଇଁ କିଣାକିଣି କଲେ। ଆଉ ଧୁମ୍ ଧାମ ରେ ବାହାଘର ହେଲା। ଦୁଇ ଝିଅକୁ ଶୁରୁଖୁରରେ ବିଦାକଲେ।
ପଥମ ଭାର ଝିଅ ଘରକୁ ଯିବ। ସାନ ଝିଅ ସାବିତ୍ରୀ ଘରକୁ ଗୋଟେ ବଡ ଟ୍ରକରେ ଭାର ପଠେଇଲେ ଏବଂ ଝିଅପାଇଁ ଆଠ ଭରିର ରାଣୀ ହାର ଓ ଜ୍ବାଇଁ ପାଇଁ ଦୁଇ ଭରିର ମୋଟା ସୁନା ଚେନ। କିନ୍ତୁ ବଡ ଝିଅ ଲକ୍ଷ୍ମୀ ପାଇଁ କେବଳ ଡାଲା ଅଟୋରେ ଅଳ୍ପ ଜିନିଷ ପଠେଇ ଦେଲେ। ନା ଝିଅ ପାଇଁ ସୁନା ନା ଜ୍ବାଇଁ ପାଇଁ ଚେନ। ଏସବୁ ଦେଖି ସ୍ତ୍ରୀ ନନ୍ଦିନୀ ଦୁଃଖରେ ଭାଙ୍ଗି ପଡ଼ି ଗୁମୁରି ଗୁମୁରି କାନ୍ଦୁଥାନ୍ତି। ମୋ ଝିଅ ତୁମର କଣ ଦୋଷ କରିଛି। କାହିଁକି ତାକୁ ଏତେ ଦଣ୍ଡ ଦଉଛ ମନେମନେ ଏମିତି କିଛି କହୁଥାନ୍ତି ନନ୍ଦିନୀ।
ସମୟାନୁ କ୍ରମେ ଦ୍ୱିତୀୟ ସ୍ତ୍ରୀ କନକର କଥାରେ ପଡ଼ି ଭିତିରି ଭିତିରି ସବୁ ବିଲବାଡି ସହରର ସବୁ କୋଠାବାଡି ସାନ ଝିଅ ସାବିତ୍ରୀ ନାଁରେ ଲେଖି ଦେଇଛନ୍ତି ସୁଦର୍ଶନ। ଆଉ ବଡ ଝିଅ ପାଇଁ କାଣି କଉଡ଼ି ଟିଏ ବି ରଖି ନାହାନ୍ତି। କେବଳ ଗାଁ ପୁରୁଣା ଘରକୁ ଛାଡି ଦେଲେ।
କଥାରେ ଅଛି ସମୟ ବଡ ବଳବାନ। ସମୟ ଲେଉଟିଛି। ଏବେ ସୁଦର୍ଶନଙ୍କର ବୃଦ୍ଧାବସ୍ଥା ଆସିଯାଇଛି। ରୋଗିଣା ହେଇ ଶଯ୍ୟା ସାଇ ହେଇ ଯାଇଛନ୍ତି। ଦିତୀୟ ସ୍ତ୍ରୀ କନକ ଏବେ ଆଉ ସୁଦର୍ଶନ ପାଖରେ ରହୁନାହାନ୍ତି। ଭୁବେଶ୍ବରରେ ନିଜ ଝିଅ ଜ୍ବାଇଁ ପାଖରେ ରହୁଛନ୍ତି। ହେଲେ ଏବେବି ସ୍ତ୍ରୀ ନନ୍ଦିନୀ ସୁଦର୍ଶନଙ୍କୁ ଛାଡି କୁଆଡେ ଯାଇନାହାନ୍ତି। ସେମିତି ଅନବରତ ସେବାରେ ଲାଗି ପଡିଛନ୍ତି। ଆଉ ଯୋଉ ବଡ ଝିଅ ଲକ୍ଷ୍ମୀକୁ ହତାଦର କରି କିଛି ଦେଇନଥିଲେ ସେଇ ଝିଅ ଏବେ ବାପାଙ୍କ ପାଖେ ପାଖେ ରହି ସେବା କରୁଛି। ଏସବୁ ଦେଖି ସୁଦର୍ଶନଙ୍କର ଆଖିରୁ ଲୁହ ଧାରେ ଧାରେ ନିଗିଡ଼ି ଯାଉଛି। ସ୍ତ୍ରୀ ନନ୍ଦିନୀ ସେବା କରିବା ସମୟରେ ହାତକୁ ଜୋରରେ ଧରି ପକେଇଲେ ସୁଦର୍ଶନ।
ମୁଁ ତୁମର ଦୋଷୀ... କିଛି ଦେଇନି ତୁମକୁ ଜୀବନରେ ଦୁଃଖ ଛଡ଼ା। ଯାହାକୁ ଦେଇଥିଲି ସେ ମୋତେ ଶେଷ ଅବସ୍ଥାରେ ଛାଡି ଝିଅ ଜ୍ବାଇଁ ପାଖରେ ଆରାମରେ ଅଛି। ଯୋଉ ଝିଅକୁ ହତାଦର କରିଛି ଜୀବନ ସାରା.. ସେ ଆଜି ଦିନ ରାତି ଏକ କରି ମୋ ସେବାରେ ଲଗିପଡ଼ିଛି। ତୁମ ମାନଙ୍କର ଋଣ ମୁଁ ଏ ଜନ୍ମରେ ନୁହଁ କୋଉ ଜନ୍ମରେ ସୁଝି ପାରିବିନି କହି... ହ.. କହି ଆଖି ବୁଜିଦେଲେ ସୁଦର୍ଶନ। ଘର କାନ୍ଦ ବୋବାଳିରେ ଫାଟି ପଡ଼ିଲା।
ଯୋଉ କୂଳ ଉଦ୍ଧାର କରିବାକୁ ଦ୍ୱିତୀୟ ବିବାହ କରିଥିଲେ ସେଇ ଝିଅ ବାପାର ମର ଶରୀରକୁ ଦେଖିବାକୁବି ଆସିଲାନି। ଆଉ ଯାହାଠାରୁ କେବେ ଆଶା କରିନଥିଲେ ସେଇ ଝିଅ ଶେଷ ସମୟରେ ବାପାର ସେବା କରି ମୁହଁରେ ମୁଖାଗ୍ନି ଦେଇ ଅନ୍ତିମ ସଂସ୍କାର କଲା ।
ସମାଜରେ ସବୁ ବଦଳିଛି ହେଲେ ଏ କଳଙ୍କିତ ଅଧ୍ୟାୟ ବଦଳି ନାହିଁ। କୁପ୍ରଥା ଓ ଅନ୍ଧବିଶ୍ୱାସ ଆଜିବି ମଡେନ୍ ଯୁଗରେ କୋଉଠି ନାଁ କୋଉଠି ଲୋକ ମାନଙ୍କ ମନରେ ଘରକରି ଅଛି। କିଏ କହିଲା କେବଳ ପୁଅ ହିଁ କୂଳ ଉଦ୍ଧାର କରି ପାରିବ। କିଏ କହିଲା କେବଳ ପୁଅ ହିଁ ପିଣ୍ଡ ଦାନ କଲେ ଆତ୍ମା ଶାନ୍ତି ହେଇ ବୈକୁଣ୍ଠ ପ୍ରାପ୍ତି ହେବ।
ଶାସ୍ତ୍ର ରେ ଲେଖା ଅଛି "ପୁତ୍ର ଜନ୍ମ ପିଣ୍ଡ ଅର୍ଥେ" ଏହାର ଅର୍ଥ ମାଲାପରେ ବର୍ଷକୁ ଥରେ ଆଣ୍ଠୁମାଡ଼ି ଓଲଟା ହାତରେ ଚାଉଳ ମୁଠା ଥୋଇବା ସେ ପିଣ୍ଡ ନୁହେଁ। ପିଣ୍ଡ ଅର୍ଥ ଶରୀର। ଶେଷ ସମୟ ବାର୍ଦ୍ଧକ୍ଷ ବେଳେ ଶରୀର ଦୃବଳ ଆଉ ଶଯ୍ୟାସାଇ ହେଇଯାଏ। ସେଇ ସମୟରେ ଯଦି ସନ୍ତାନ ଏ ଶରୀରକୁ (ପିଣ୍ଡକୁ) ସେବା କରି ଟେକପାଳ କରି ସୁରକ୍ଷିତ ରଖି ପାରିଲା ସେ ହେଲା ପିଣ୍ଡର ସୁରକ୍ଷା। ସେ ପୁତ୍ର ସନ୍ତାନ ହଉ କି କନ୍ୟା ସନ୍ତାନ... ସମସ୍ତେ ପିଣ୍ଡକୁ ବା ବାପା ମାଁ ଙ୍କର ଶେଷ ଅବସ୍ଥାରେ ସେବା କରି ବଞ୍ଚେଇ ରଖି ପାରିବେ। ତେଣୁ କନ୍ୟା ହଉ କି ପୁତ୍ର... ଦୁହେଁ ପିଣ୍ଡ ସୁରକ୍ଷା କରି ପାରିବେ।
