STORYMIRROR

Jitendra Samantara

Drama

4  

Jitendra Samantara

Drama

ମିଛ ଚାକିରି

ମିଛ ଚାକିରି

8 mins
3

ଶ୍ରୀ ଜିତେନ୍ଦ୍ର ସାମନ୍ତରା 


 ଦଶମ ପରୀକ୍ଷା ସରିଲା। ପଡ଼ିଶା ଘର ଗୋବିନ୍ଦ ଭାଇଙ୍କ ସହ କିଶୋର ସୁରତ ବୁଲିବାକୁ ଯିବ ବୋଲି ବୋଉକୁ କହିଲା। ଯେହେତୁ ପରୀକ୍ଷା ଫଳ ବାହାରିବାକୁ ଆହୁରି ଦେଢ଼ ମାସ ସମୟ ବାକିଅଛି, ଟିକେ ବୁଲି ଆସିବ ବୋଲି ଚିନ୍ତା କରିଲା। କିଶୋର ର ବାବା ସୁରତ ରେ ରୁହନ୍ତି। ବୋଉକୁ ବହୁତ୍ କଷ୍ଟରେ ରାଜି କରେଇଲା କିଶୋର। କପଡା ପତ୍ର ଛୋଟ ଗୋଟେ ବିମଲ୍ ବ୍ୟଗ ରେ ଭର୍ତ୍ତି କରିବା ଆରମ୍ଭ କରିଦେଲା କିଶୋର। ପରଦିନ ଭୋର ରୁ ବାହାରିବାକୁ ହେବ। ବୋଉ ପଡ଼ିଶା ଘର ଗୋବିନ୍ଦ ଭାଇକୁ ହଜାରେ ଟଙ୍କା ଦେଇ କହିଲା କିଶୋରର ଟ୍ରେନ ଟିକେଟ ଆଉ ଖିଆ ପିଆ ବାବଦକୁ ଖର୍ଚ୍ଚ କରିବ। ଆଉ ଯାହା ବଳିବ କିଶୋର ବାବା ଙ୍କୁ ସୁରତ ରେ ଦେଇଦେବ। କିଶୋର ସକାଳ ଛଅଟା ରୁ ଉଠି ଗାଧୋଇ ଡ୍ରେସ୍ ପିନ୍ଧି ଖାଇବା ପାଇଁ ବସିପଡ଼ିଲା।

        ସେପଟୁ ଶୁଭିଲା କିରେ....ତୋ ଆହୁରି ସରିନି କି! ବସ୍ ଫିଟିଯିବ ଜେ!!! ଶିଘ୍ର ଆ..କହି ଗୋବିନ୍ଦ ଭାଇ ଚାଲିଗଲେ ତାଙ୍କ ଘରକୁ। କିଶୋର ଖାଇସାରି ଇସାଣେ ମୁଣ୍ଡିଆ ମାରିଲା। ବୋଉକୁ ମୁଣ୍ଡିଆ ମାରି ବୋଉ ସହ ଗୋବିନ୍ଦ ଭାଇ ଘରକୁ ବାହାରି ପଡ଼ିଲା। ତାକୁ ଭଲରେ ଭଲରେ ନବ ଗୋବିନ୍ଦ... କହି ବୋଉ ଘରକୁ ଫେରିଲା। ସକାଳ ଆଠଟା ରେ ବସ୍ ଆସି ଗାଁ ମୁଣ୍ଡ ଛକରେ ଠିଆ ହେଲା। କିଶୋର ଆଉ ଗୋବିନ୍ଦ ଭାଇ ବସରେ ବସି ବାହାରି ପଡ଼ିଲେ ବ୍ରହ୍ମପୁର। ଦିନ ଦୁଇଟା ରେ ଟ୍ରେନ୍ ଅଛି ସୁରତ କୁ। ବ୍ରହ୍ମପୁର ଷ୍ଟେସନରୁ ଦୁଇଟା ଜେନେରାଲ ଟିକେଟ ଗୋବିନ୍ଦ ଭାଇ ବାହାର କରି ପ୍ଲାଟଫର୍ମରେ ଟ୍ରେନ୍ କୁ ଅପେକ୍ଷା କରିଲେ। ଟ୍ରେନ୍ ଟିକେ ବିଳମ୍ବରେ ଆସି ପହଞ୍ଚିଲା। କଷ୍ଟେ ମଷ୍ଟେ ଟ୍ରେନ୍ରେ ଚଢ଼ି ଉପର ସିଟରେ ବସି ପଡିଲେ ଦୁଇଜଣ।0ଯେହେତୁ ସୁରତ ବୁଲିବାକୁ ଯାଉଛି, କିଶୋରର ମନ ବହୁତ୍ ଖୁସି ଥାଏ। ଏମିତି କେତେ କଣ ଭାବି ଭାବି କିଶୋରର ସମୟ ଅତିବାହିତ ହୁଏ। 

     ପରଦିନ ସନ୍ଧ୍ୟାରେ ଟ୍ରେନ୍ ସୁରତ ଷ୍ଟେସନରେ ଲାଗିଲା। ଯେହେତୁ ଗୋବିନ୍ଦ ଭାଇ ଅଲଗା ଜାଗାରେ ରୁହନ୍ତି ତେଣୁ କିଶୋରର ବାବା କିଶୋରକୁ ନବାପାଇଁ ଆସିଛନ୍ତି ଷ୍ଟେସନକୁ। କିଶୋର ବାବାଙ୍କୁ ପ୍ରଣାମ କରି ବ୍ୟାଗ୍ ଧରି ବାବାଙ୍କ ସହ ଚାଲିଗଲା। ଆଉ ଗୋବିନ୍ଦ ଭାଇ ତାଙ୍କ ଜାଗାକୁ ଚାଲିଗଲେ। 

    ଛୁଟି ହେଲେ ବାବାଙ୍କ ସହ କିଶୋର ବୁଲିବାକୁ ଯାଏ ବିଭିନ୍ନ ଜାଗାକୁ। ହେଲେ ବାକି ଦିନ ବିଜାର ଲାଗେ କିଶୋରକୁ। କିଛିଦିନ ପରେ ବାବାଙ୍କ ସାଙ୍ଗ କହିଲେ କିଶୋର ବିଜାର ହେଇଯାଉ ଥିବ ଏକା ଘରେ ବସିବସି। ମୋ ପୁଅ ସହ ତାକୁ ପଠଉନ କାମ ଶିଖିବାକୁ। କାମକୁ କାମ ଶିକ୍ଷା ହବ ଆଉ ତାକୁ ଭଲବି ଲାଗିବ। କିଶୋରବି ଖୁସିରେ ହଁ କରିଦେଲା। 

  ସକାଳୁ ଖାଇଦେଇ ରାମ ସହ କିଶୋର କାମ ଶିଖିବା ପାଇଁ କମ୍ପାନୀକୁ ବାହାରି ଗଲା। ସବୁ ସିଲେଇ କାମ। କମ୍ପ୍ୟୁଟର ଲାଗିଛି ଆଉ ଏସିବି ଲାଗିଛି। କିଶୋରକୁ ଭାରି ମଜା ଲାଗୁଥାଏ। କିଶୋର କାମ ଶିଖିବାରେ ଲାଗି ପଡ଼ିଲା। ସନ୍ଧ୍ୟାରେ କମ୍ପାନୀ ସୁପରଭାଇଜର କିଶୋରକୁ କହିଲେ ମାସକୁ ଚାରିହଜାର ଟଙ୍କା ତୁମର ଦରମା। କିଶୋର ଘରକୁ ଆସି ବାବାଙ୍କୁ କହିଲା। ପ୍ରାୟ ପନ୍ଦର ଦିନ କାମ କରିବା ପରେ ହଠାତ୍ କିଶୋରର ବୋଉ ଆସି ସୁରତରେ ପହଞ୍ଚିଲେ। କିଶୋରର ଖୁସି କହିଲେ ନସରେ ବୋଉକୁ ଦେଖି। ଦେଢ଼ ମାସ କାମ କରିବା ପରେ ପରୀକ୍ଷା ଫଳ ବାହାରିବା ସମୟ ଆସିଗଲା। କିଶୋର ଦିନରେ କାମରୁ ଛୁଟି ନେଇ ପରୀକ୍ଷା ଫଳ ବାହାର କରିବାକୁ ବାହାରି ପଡ଼ିଲା। ନୂଆଁ ଜାଗା କିଏ ବା ବାହାର କରିଦବ ପରୀକ୍ଷା ଫଳ। ସେତେବେଳେ ଇଣ୍ଟରନେଟ୍ ଏତେ ସକ୍ରିୟ ନଥିଲା। ବୁଲି ବୁଲି ପଚାରୁ ଥାଏ । ଶେଷରେ ଜଣେ ହାର୍ଡୱେର ଦୋକାନୀ ରାଜି ହେଲେ ଓଡ଼ିଶା ବୋର୍ଡ ପରୀକ୍ଷା ଫଳ ବାହାର କରିବାକୁ। 

   ଦୋକାନୀ ଜଣଙ୍କ ଖୁସିରେ ହିନ୍ଦୀ ଭାଷାରେ କହିଲେ ଭାଇ... ମିଠାଇ ଲାଓ। କିଶୋର ଜାଣି ସାରିଥାଏ ସେ ପାସ କରିଛି ବୋଲି। ହେଲେ ଯେତେବେଳେ କିଶୋର ହାତକୁ ପରୀକ୍ଷା ଫଳ ପେପର ଦୋକାନୀ ଜଣଙ୍କ ବଢେଇ ଦେଲେ କିଶୋର ଦେଖି ନିଜକୁ ନିଜେ ବିଶ୍ୱାସ କରିପାରୁ ନଥାଏ। କାରଣ, କିଶୋର ଦ୍ଵିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଇଛି। କଥା କଣକି.... କିଶୋରର ଭାଷାରେ ଭଲ ମାର୍କ ରୁହେ। ହେଲେ ଗଣିତ ଆଉ ବିଜ୍ଞାନରେ ଦୁର୍ବଳ। ତେଣୁ ପ୍ରିଟେଷ୍ଟ ପରେ ସେ କୋଚିଙ୍ଗ କ୍ଲାସରେ ତିନିମାସ ଟିଉସନ୍ ହେଇଥିଲା। କିଶୋର ଖୁସିରେ ଦୋକାନୀ ଭାଇଙ୍କୁ ତାଙ୍କ ପ୍ରାପ୍ୟ ଦେଇ ଘରକୁ ଫେରିଲା। ବୋଉ ବାବା ଙ୍କୁ ଖୁସି ଖବର ଜଣେଇଲା। ସେମାନେବି ବହୁତ୍ ଖୁସି ହେଲେ। 

  କିଶୋର ବୋଉକୁ କହିଲା ଆମକୁ ପନ୍ଦର ଦିନ ଭିତରେ ଗାଁକୁ ଫେରିବାକୁ ହବ କଲେଜ ରେ ଆଡ଼ମିଶନ ପାଇଁ। ହେଲେ କାହାରି ମୁହଁରୁ କିଛି ବହରିଲା ନାହିଁ। ଦୁହେଁ ନୀରବ ରହିଲେ। କିଶୋର କହିଲା କଣ ହେଲା ବାବା। ବୋଉ ବାବା ଗୋଟେ ସ୍ୱର ରେ କହିଲେ ... ଆଉ ପଢ଼ିକି କଣ କରିବୁ?? କିଶୋର ଶୁଣି ସ୍ତବ୍ଦ ହେଇଗଲା। ଛଳ ଛଳ ଆଖି ପୋଛି କହିଲା ମୁଁ କଲେଜ୍ ଯିବି ବାବା। ମୁଁ ଜିବିଲୋ ବୋଉ। ଏମିତି ଜିଦ୍ ଧରିଲା କିଶୋର। କାରଣ, କିଶୋର କଲେଜ୍ ଯିବ ବୋଲି କେତେ ସ୍ଵପ୍ନ ଦେଖିଥିଲା। ଫୁଲ ପ୍ୟାଣ୍ଟ୍ ଫୁଲ ସାର୍ଟ ପିନ୍ଧି କଲେଜ୍ ଯିବା ହିରୋ ଭଳି କେତେ କଣ ମଜା ସେ କଳ୍ପନା କରି ସାରିଥିଲା। ହେଲେ ତା ଜିଦ୍ ଶୁଣୁଛି କିଏ। ଦୁଇ ଦିନ ପରେ କିଶୋର ମାମୁଁ ଦୟାନିଧି ଆସିଲେ। ସିଏବି ସୁରତ ରେ ରୁହନ୍ତି। ଆଉ ଏଇ ସବୁ କଥା କିଶୋରର ବାବା ବୋଉ ମାମୁଁଙ୍କୁ କହିଲେ। କିଶୋର ଟିକେ ଆଶାବାଦୀ ହେଇଥିଲା ଯେ, ମାମୁଁ ନିଶ୍ଚୟ ରାଜିହେବେ। କାରଣ, ପରିବାରରେ କେବଳ ମାମୁଁ ହିଁ ଜଣେ ମାତ୍ର ଲୋକ ଯିଏ ଅଳ୍ପ ଶିକ୍ଷିତ। ଆଉ ତାଙ୍କ କଥା ରୁହେ। ମାମୁଁ କହିଲେ ନାଇଁବା ଆଉ ପଢ଼େନା। ଆଜି କାଲି ଯୁଗ ଭଲ ନୁହଁ। କଲେଜ୍ ଗଲେ ପିଲାମାନେ ନଷ୍ଟ ହେଇ ଯାଉଛନ୍ତି। ବାସ୍ ଏଇ ପଦେ କଥା କିଶୋର ଜୀବନକୁ ସବୁଦିନପାଇଁ ପଛକୁ ନେଇଗଲା। ବହୁତ୍ କାନ୍ଦିଲା କିଶୋର। କାନ୍ଦି କାନ୍ଦି ଆଖି ଲାଲ ହେଇ ଗଲା। ହେଲେ କରିବବା କଣ! କିଏ ତା ଦୁଃଖକୁ ବୁଝି ପାରିବ। ଚୁପ୍ ଚାପ୍ କାମ କରିବାକୁ ଲାଗିଲା ସୁରତରେ। 

   ନଅ ମାସ ପରେ ଗାଁକୁ ସମସ୍ତେ ଗଲେ। କିଶୋରବି ଗଲା। ଗାଁ ପିଲାମାନେ ସକାଳୁ ସକାଳୁ ପାଖ ସହରକୁ କମ୍ପ୍ୟୁଟର କ୍ଲାସ ଶିଖିବାକୁ ଯାଆନ୍ତି। କିଶୋର ପଚାରି ବୁଝିଲା ସିଏବି କମ୍ପ୍ୟୁଟର ଶିଖିଲେ ହବକି? କମ୍ପ୍ୟୁଟର ସାର କହିଲେ ତୁମେ ଡିସିଏ କୋର୍ସ କରିଲେ ହବ। କିନ୍ତୁ ,ତମେ ଯେହେତୁ କଲେଜ୍ ପାସ କରିନାହଁ ତୁମକୁ ସାର୍ଟିଫିକଟ ମିଳିବ ନାହିଁ। କିଶୋର ସବୁ କଥାରେ ରାଜି ହେଇ କମ୍ପ୍ୟୁଟର ଶିଖିବାକୁ ଲାଗିଲା। ମାସକୁ ତିନିଶହ ଟଙ୍କା। ତିନି ମାସରେ କୋର୍ସ ସରିବ। କିଶୋର କମ୍ପ୍ୟୁଟର ଶିଖିବା ସହ ଟାଇପିଙ୍ଗ୍ ଟେଷ୍ଟ, ଫୋଟସପ୍ ବି ଶୁଖିଲା। ପୁଣି ସୁରତ ଫେରିବା ସମୟ ଆସିଲା। ସମସ୍ତେ ସୁରତ ଫେରିଲେ। କିଶୋର ପୁଣି କାମରେ ଲାଗିଗଲା। 

   ବର୍ଷକ ପରେ ପୁଣି କିଶୋର ଗାଁକୁ ଫେରିଲା। ଦିନେ ଖବର କାଗଜ ପଢ଼ୁ ପଢ଼ୁ ଦେଖିଲା ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଛି। କିଶୋର ସେଇ ନମ୍ବରକୁ ଫୋନ ଲଗେଇ ବୁଝିଲା। ଏବଂ ସେମାନେ ପଚାରିଲେ ଆପଣଙ୍କ କମ୍ପ୍ୟୁଟର ଟାଇପିଙ୍ଗ୍ ସ୍ପିଡ କେତେ?? 

କିଶୋର - ୭୦ ରୁ ୮୦ ସେମାନେ କହିଲେ କଂଗ୍ରାଚୁଲେଶନ 

ଆପଣ ଶିଘ୍ର ଭୁବନେଶ୍ୱର ଆସନ୍ତୁ ଇଣ୍ଟର୍ଭ୍ୟୁ ପାଇଁ। କିଶୋର ମନେ ମନେ ବହୁତ୍ ଖୁସି ହେଇଗଲା। ବୋଉ ବାବାକୁ ସବୁକଥା କହିଲା। ସେମାନେ ରାଜିହେଲେ। ତିନି ହଜାର ଟଙ୍କା ବୋଉ ଦେଲା କିଶୋରକୁ। କିଶୋର ସକାଳ ଚାରିଟା ରାତିରୁ ସ୍ନାନଶୌଚ ହେଇ ବାହାରି ପଡ଼ିଲା ବସରେ ଭୁବନେଶ୍ୱର। ଅଫିସ ଖୋଜି ଖୋଜି ହାଲିଆ ହେଇ ପହଞ୍ଚିଲା ଟଙ୍କ ପାଣି ରୋଡ ରବି ଟକିଜ୍ ପାଖରେ। ଲେନ -୧ ରେ ଅଫିସ। ଲମ୍ବା ଲାଇନ୍ ଲାଗିଛି ଇଣ୍ଟର୍ଭିଉ ପାଇଁ। ଦିନ ତିନିଟା ରେ କିଶୋରର ନମ୍ୱର ଆସିଲା। ଭିତରକୁ ଗଲା କିଶୋର। ପଚାରିଲେ ତମ ଟାଇପିଙ୍ଗ୍ ସ୍ପିଡ୍ କେତେ, ତମେ ଆଗରୁ କୋଉଠି ଚାକିରି କରିଛ? ଏମିତି କେତେ କଣ? ଶେଷରେ ସେମାନେ କହିଲେ ତୁମେ ସିଲେକ୍ସନ୍ ହେଇ ଯାଇଛ।

    ପୁଣି ଅଫିସ ଭିତରକୁ ଡାକିଲେ। ତୁମ ପୋଷ୍ଟିଙ୍ଗ ଚେନେଇ Oral -B ରେ ହେଇଛି। ଜଣେ ଡାଟା ଏଣ୍ଟ୍ରି ଅପରେଟର ଭାବେ ତମେ ସେଠି କାମ କରିବ। ହଉ ତମେ ପଚିଶହ (୨୫୦୦) ଟଙ୍କା ଦିଅ। ମାନେ ଲାଞ୍ଚ। କଣ କରିବ କିଛି ଭାବି ପରୁନଥାଏ। କିଶୋର ପାଖରେ ମାତ୍ର ସତେଇସହ (୨୭୦୦) ଟଙ୍କା ଅଛି। ପୁଣି କହିଲେ କାଲି ତମେ ଚେନ୍ନାଇ ଯାଉଛ। ଟ୍ରେନ୍ ଟିକେଟ କମ୍ପାନୀ ତରଫରୁ ହେଇଛି। କିଶୋର ପଚିଶହ (୨୫୦୦) ଟଙ୍କା ଦେଇଦେଲା ସେମାନଙ୍କୁ। ହେଲେ ସେ ରାତି ରହିବ କୋଉଠି?? ଖାଇବ କଣ?? ଭୁବନେଶ୍ୱର କିଶୋର ପାଇଁ ଏକଦମ୍ ନୂଆଁ। ବୋଉକୁ ଫୋନ କରିଲା କିଶୋର। ସବୁ ଟିକିନିଖି କରି କହିଲା। ବୋଉ କହିଲା ତୁ କାଳିଆ ଦାଦା ପାଖକୁ ଯାଇ ଫୋନ କରେ। କାଳିଆ ଦାଦା ମାନେ.. କିଶୋର ପଡ଼ିଶା ଘର ଲୋକ। ସେ ପିଲାବେଳୁ ଭୁବେଶ୍ବରସ୍ଥିତ କଳିଙ୍ଗ ମେଡିକାଲ ଛକରେ ପଇଡ ବେପାର କରି ଚଳନ୍ତି। ତାଙ୍କ ଠିକଣା ସେ ଖୁଡି କିଶୋରକୁ କହିଲେ ଫୋନରେ।

   

ଠିକଣା ଖୋଜି ଖୋଜି ସନ୍ଧ୍ୟାରେ ପହଁଚିଗଲା କଳିଙ୍ଗ ମେଡିକାଲ ଛକରେ। ଆଉ କାଳିଆ ଦାଦା ସହ ଦେଖା ହେଲା। ସବୁ କଥା କାଳିଆ ଦାଦା ଶୁଣି ବୋଉ ସହ କଥା ହେବେ ବୋଲି କହିଲେ। ବୋଉ କହିଲା କିଶୋର ପାଖରେ କିଛିବି ପଇସା ନାହିଁ। ତାକୁ କିଛି ଟଙ୍କ ଦିଅ ତମେ ଗାଁକୁ ଫେରିଲେ ମୁଁ ତୁମକୁ ଫେରେଇଦେବି। ଆଉ ଆଜି ରାତିଟା ତାକୁ ତୁମ ପାଖରେ ରଖ ସକାଳୁ ତା ଟ୍ରେନ୍ ଅଛି ସେ ଚାଲିଯିବ। କାଳିଆ ଦାଦା ହଁ କହି ଫୋନ ରଖିଦେଲେ। ପାଖା ପାଖି ରାତି ଦଶଟା ବେଳେ କାଳିଆ ଦାଦା ପଇଡ ଦୋକାନ ବନ୍ଦ କରିଲେ। ଦୋକାନ କହିଲେ ରାସ୍ତା କଡ ଫୁଟଫାତ୍ ରେ ତମ୍ବୁ ଟିଏ ଟାଣି ପଇଡ ଗଦା କରି ବିକିବା। ଦୋକାନ ବନ୍ଦ କରିବା ସମୟରେ କାଳିଆ ଦାଦା କିଶୋର କୁ ପଚାରିଲେ କଣ ଖାଇଛୁ ନା ନାହିଁ। କିଶୋର ମିଛରେ ଖାଇଛି ବୋଲି ହଁ ମାରିଦେଲା। କାଳିଆ ଦାଦା କିଶୋର କୁ କହିଲେ ତୁ ଏହି ତମ୍ବୁ ତଳେ ଶୋଇ ପଡେ। ଗୋଟେ ଚିରା ଫଟା କମ୍ବଳ ଦେଇ କହିଲେ ଶୋଇ ପଡେ। ମୁଁ ଯାଉଛି କ୍ଳବ୍ ଘରେ ଶୋଇ ପଡ଼ିବି କହି ଚାଲି ଗଲେ। ମସା ଡାଉଁସ ରେ ସେ ରାତି କେମିତି କଟିଛି କହିବାକୁ ଭାଷା ନାହିଁ। ରାତି ତମାମ ମଶା ବାଡେଇ ଅନିଦ୍ରା। ଏପଟେ ଭୋକରେ ପେଟ ଆଉଟୁ ପାଉଟୁ। ବହୁତ୍ କଷ୍ଟରେ ସକାଳ ହେଲା। କାଳିଆ ଦାଦା ସକାଳ ସାତଟା ରେ ଆସିଲେ। କହିଲେ ଏଇ ନେ ହଜାରେ (୧୦୦୦) ଟଙ୍କା। ମୁଁ ଟଙ୍କା ନେଇ ବାହାରି ପଡ଼ିଲି ସେଇ ଅଫିସକୁ। ଅଫିସରୁ ବାହାରିଲୁ ଭୁବେଶ୍ବର ଷ୍ଟେସନକୁ।

   

    ଷ୍ଟେସନରେ ଦେଖା ହୁଏ ଆଉ ତିନି ଜଣ। ପୁରୀର ବୁଢ଼ା ଭାଇ, ଖୋର୍ଦ୍ଧାର ସାହିଲ, ଆଉ ଭୁବନେଶ୍ୱରର ସୋମିଓରଞ୍ଜନ ପଟ୍ଟନାୟକ। ଆମେ ଚାରିଜଣଙ୍କୁ ଜେନେରାଲ ଟିକେଟ ଦେଇ ଟ୍ରନରେ ବସେଇ ଚାଲିଗଲେ ଅଫିସର ଜଣେ କର୍ମଚାରୀ। ଷ୍ଟେସନକୁ ସୋମିଓର ଗାର୍ଲଫ୍ରେଣ୍ଡ ମଧ୍ୟ ଆସିଥିଲା ବିଦାୟ ଦବାକୁ। ମୋ ଜୀବନରେ ପ୍ରଥମ ଥର ଦେଖିଲି କୋଉ ଗାର୍ଲଫ୍ରେଣ୍ଡ ସହ ବଏଫ୍ରେଣ୍ଡକୁ। ଆମେ ଟ୍ରେନରେ ବସିଗଲୁ। ସମସ୍ତେ କିଛି ନାଁ କିଛି ଖାଇବା ନେଇକି ଆସିଥାନ୍ତି କେବଳ କିଶୋରକୁ ଛାଡ଼ିକି। କିନ୍ତୁ, ସେମାନେ ବହୁତ୍ ଭଲ ପିଲା ଥିଲେ। କିଶୋରକୁ ସବୁ ଖାଇବା ଦିଅନ୍ତି। 

  ଅଠର ଘଣ୍ଟାର ଟ୍ରେନ୍ ଯାତ୍ରା ଶେଷରେ ଶେଷ ହେଲା। ଚେନ୍ନାଇ ସେଣ୍ଟ୍ରାଲରେ ଗାଡିରୁ ବାହାରି ଆସିଲୁ। କମ୍ପାନୀର ଲୋକ ସମସ୍ତଙ୍କୁ ନେଇକି ବାହାରିଗଲେ କମ୍ପାନୀ ଅଭିମୁଖେ। ପ୍ରଥମେ ଚାରିଜଣଙ୍କ ପାଇଁ ରହିବାକୁ ଗୋଟେ ଭଡ଼ା ଘର ବ୍ୟବସ୍ଥା କରିଲେ। ଖାଇବାକୁ ନିଜେ ନିଜର ବ୍ୟବସ୍ଥା କରିବାକୁ କହିଦେଇ ଚାଲିଗଲେ। ଗଲା ବେଳେ କହିଗଲେ ସକାଳୁ ବସ୍ ଆସି ଠିଆ ହବ। ସମସ୍ତେ ବାସରେ ବସି କମ୍ପାନୀକୁ ଆସିବ। ସମସ୍ତେ ଚାନ୍ଦା କରି ବାସନ, ଚାଉଳ, ଷ୍ଟୋଭ, ବାଲ୍ଟି ଆଉ ପରିବା ନେଇକି ଆସିଲୁ। ମୋ ପାଖରେ ଆଉ ମାତ୍ର ତିନିଶହ ଟଙ୍କା ବଳିଥାଏ। ସନ୍ଧ୍ୟାରେ ଡାଲି ଭାତ କରିଲା ବୁଢ଼ା ଭାଇ। ଆଉ କିଶୋର ଆଳୁ ଦମ୍ କରିଲା। ହେଲେ ଖାଇବା ବେଳେ ଶୋମିଓ କହିଲା ଆବେ ଏଇ କି ଆଳୁ ଦମ୍ ବେ!! ଏଇଟା ତ ଆଳୁ ଚକଟା। କିଶୋରର ଗାଁରେ ଆଳୁ କୁ ସିଝାଇ ଚକଟି ପିଆଜ ଟମାଟ କଞ୍ଚା ଲଙ୍କାକୁ ଭାଜି ସେଥିରେ ଚକଟା ଆଳୁକୁ କସିବାକୁ ଆଳୁ ଦମ୍ କୁହନ୍ତି। କିନ୍ତୁ, ଭୁବେଶ୍ବରରେ ଆଳୁ ତରକାରୀକୁ ଆଳୁ ଦମ୍ କୁହନ୍ତି। ସମସ୍ତେ ଖାଇ ଶୋଇ ପଡିଲେ। 

    ସକାଳୁ ଉଠି ପୁଣି ଅଫିସ ଯିବାପାଇଁ ବାହାରି ପଡ଼ିଲେ ସମସ୍ତେ। ଅଫିସ ବାସ୍ ଆସି ଘର ପାଖରେ ଠିଆ ହୋଇଛି। ସମସ୍ତେ ବସରେ ବସି ସଫିସ ଚାଲିଗଲେ। ଅଫିସ ଦେଖିବାକୁ ଚକାଚକ୍। କିଶୋର ତା ଯିବନରେ କେବେ ଦେଖିନି ଏମିତିକା ଅଫିସ। ସମସ୍ତଙ୍କୁ ଡକାଗଲା ଲାଇନରେ। ଗୋଟେ ଇଉଜ୍ ଆଣ୍ଡ ଥ୍ରୋ ଟୋପି ଏବଂ ହାତରେ ଲଗାଇବାକୁ ଗ୍ଲୋବ ଧରେଇ ଦେଇ କମ୍ପାନୀ ଭିତରକୁ ଯିବାକୁ କୁହା ଗଲା। ସମସ୍ତେ ଆବାକ୍ ହେଇ ପରସ୍ପରକୁ ଚାହିଁ ରହିଥାନ୍ତି। ଇଏ କଣ! ଆମକୁ କୁହା ଯାଇଥିଲା ଡାଟା ଏଣ୍ଟ୍ରି ଅପରେଟର। ଏଠି କଣ ଲେବର କାମ କରିବାକୁ କୁହାଯାଉଛି । କାହାକୁ କହିବେ ଆଉ। ଚୁପ୍ ଚାପ୍ କାମ କରିବାକୁ ଭିତରକୁ ଗଲେ ସମସ୍ତେ। କିଶୋର କିଛି ବୁଝି ପରୁନଥାଏ। 

    ଯୋଉ ଆଶା ନେଇ ଗାଁରୁ ଆସିଥିଲା ସେଇ ଆଶା ତାର ପାଣି ଫାଟି ଯାଇଛି। ସେ ବୁଝି ସାରିଛି ଦଶମ ପାସ କରି କିଏ ଚାକିରି କରିପାରିବନି। ସେ ବୁଝି ସାରିଛି ମିଛ ଚାକିରିକୁ। ସୁପରଭାଇଜର କିଶୋରକୁ ଇନ୍ଫେକ୍ସନ କାମରେ ଲଗେଇ ଦେଲେ। Orel -B ରେ ଦାନ୍ତ ଘସା ବ୍ରସ ତିଆରି ହୁଏ। କିଶୋର ବ୍ରସ୍ ଠିକ୍ ଅଛି ନା ନାହିଁ ପରୀକ୍ଷା ଦାୟିତ୍ୱରେ କାମରେ ଲାଗିଗଲା। ଆଉ ସମିଓ ମଧ୍ୟ। ବୁଢ଼ା ଭାଇ ଆଉ ସହିଲ୍ ପେକିଙ୍ଗ ଦାୟିତ୍ୱରେ ରହିଲେ। ବାର ଘଣ୍ଟା କାମ। ସକାଳ ଆଠଟାରୁ ରାତି ଆଠଟା ପର୍ଯ୍ୟନ୍ତ କାମ କରିବାକୁ ପଡ଼ିବ। କମ୍ପାନୀ କୁପନ୍ ଦିଏ ଖାଇବା ପାଇଁ। ଗୋଟେ କୁପନର ମୂଲ୍ୟ ଆଠ ଟଙ୍କା। ମାସ ଶେଷରେ ଯଦି କୁପନ ବଳିଲା, ଫେରାଇଲେ ଆକାଉଣ୍ଟକୁ ଟଙ୍କା ଫେରସ୍ତ ହୁଏ। ଅଧେ ଦିନ ଭୋକ ଉପାସରେ କିଶୋର ଆଉ ସମସ୍ତେ ରହିଛନ୍ତି ଚେନ୍ନାଇରେ। କାରଣ କମ୍ପାନୀ କାହାରିକୁ ବର୍ଷେ ପୂର୍ବରୁ ଛାଡ଼ିବାକୁ ନାରାଜ। କାରଣ କନ୍ତ୍ରାକ୍ଟ୍ ଦ୍ଵାରା ସମସ୍ତେ ଯାଇଥିଲେ ଯାହା... କେହିବି ଜାଣି ନଥିଲେ। କଷ୍ଟେ ମାଷ୍ଟେ ନଅମାସ ବିତିଗଲା। ଦିନେ ମାସର ଆରମ୍ଭର ତୃତୀୟ ଦିନ ଆକାଉଣ୍ଟ କୁ ସଲାରି ଆସିବା ପରେ କିଶୋର, ସୋମିଓ, ସାହିଲ ଆଉ ବୁଢ଼ା ଭାଇ ପ୍ଲାନ୍ କଲେ କାଲି ଡିଉଟିରୁ ଘରକୁ ଫେରି ଗାଁକୁ ଲୁଚି ପଳେଇବା। 

 ସେଇଆ ହିଁ ହେଲା। ଡିଉଟି ଯିବା ପୂର୍ବରୁ କପଡା ସବୁ ବ୍ୟାଗରେ ଭରି ରଖି ଦେଇଥିଲେ ସମସ୍ତେ। ଡିଉଟିରୁ ଫେରି ନିଜ ନିଜର ଜିନିଷ ଧରି ଷ୍ଟେସନ୍ ଅଭିମୁଖେ ବାହାରି ପଡିଲେ ସମସ୍ତେ। ରାତି ଦଶଟାରେ ଟ୍ରେନ୍ ପହଞ୍ଚିଲା। ବହୁତ୍ କଷ୍ଟରେ ବୁଢ଼ା ଭାଇ ଟ୍ରେନରେ ବସିଲେ। ପରଦିନ ଭୁବେଶ୍ବର lରେ ପହଞ୍ଚି କିଶୋର ପୁଣି ଟ୍ରେନ୍ ଧରି ବ୍ରହ୍ମପୁର ବାହାରି ଗଲା। ଆଉ ସମସ୍ତେ ନିଜ ନିଜ ଗାଁକୁ ଚାଲି ଗଲେ।

      

   ସେଇ ଦିନଠୁ କିଶୋର ଶିଖିଲା ମିଛ ଚାକିରି କଣ! କିଶୋରର ଭାଗ୍ୟରେ କଲେଜ୍ ବା ଉଚ୍ଚଶିକ୍ଷିତ ନଥିଲା। ଏବେ ଏହି ଦଶମ ପାଠ ଦ୍ଵାରା କଣ କରି ନିଜ ଜୀବନକୁ ସୁଗମ ସୁଶୀଳ କରିପାରିବ ସେଇ ଅନ୍ୱେଷଣରେ ଲାଗିପଡିଲା। ମିଛ ଚାକିରି ଖୋଜା ଆଜିକୁ ଚଉଦ ବର୍ଷ ବିତି ଯାଇଛି । ହେଲେ କିଶୋର ଆଜି ଜଣେ ସଫଳ ବ୍ୟବସାୟୀ। ଚାକିରି ଠାରୁ ଢେର ଅଧିକ ଟଙ୍କା ରୋଜଗାର କରି ପରିବାର ପ୍ରତିପୋଷଣ କରିପାରିଛି। ସମାଜରେ କିଶୋର ଆଜି ଜଣେ ପ୍ରତିଷ୍ଠିତ ବ୍ୟକ୍ତି। କେବଳ ଆଉ କେବଳ ନିଜ ପରିଶ୍ରମରେ। 

    

  ତେଣୁ ବିଦ୍ୟା କେବଳ ଡିଗ୍ରୀରେ ସୀମିତ ନଥାଏ। ବିଦ୍ୟା ସମାଜରୁ, ପ୍ରତିଦିନ ଘଟୁଥିବା ଘଟଣାରୁବି ଅର୍ଜନ କରାଯାଇ ପରେ।


 ଶିକ୍ଷିତ ମୂର୍ଖ ହବା ଅପେକ୍ଷା ... ଅଶିକ୍ଷିତ ଚାଲଗ୍ ହେବା ଭଲ।



Rate this content
Log in

Similar oriya story from Drama