ଅଯୋଗ୍ୟ ପୁଅ
ଅଯୋଗ୍ୟ ପୁଅ
ଶ୍ରୀ ଜିତେନ୍ଦ୍ର ସାମନ୍ତରା
ଭଜମନ ମହାନ୍ତି ଆଉ ଧର୍ମ ପତ୍ନି ସୁଭାଷିନୀ ଦେବୀଙ୍କ ଦୁଇ ଝିଅ ଲକ୍ଷ୍ମୀ,ସରସ୍ଵତୀ ପରେ ଜନ୍ମ ନିଏ ପୁଅ ଯଜ୍ଞ। ମାଁ ସୁଭାଷିନୀ ଦେବୀ ଭାରି ଖୁସି ହୁଅନ୍ତି। ଆଉ ଭଜମନ ମଧ୍ୟ ଗାଁ ସାରା ମିଠା ବାଣ୍ଟନ୍ତି ପୁଅ ଜନ୍ମ ହେବା ଖୁସିରେ। ଦୁଇ ଝିଅରେ ପୁଅ ଯେହେତୁ ଆସିଛି ପିଲାବେଳୁ ବେଶ୍ ଗେହ୍ଲା ରେ ବଢ଼ିଛି ଯଜ୍ଞ।
ସମୟ କ୍ରମେ ଦୁଇ ଝିଅ ମ୍ୟାଟ୍ରିକ ପାସ୍ କରିଲେ। ହେଲେ ଭଜମନଙ୍କର ଆଉ ଇଚ୍ଛା ନାହିଁ ଦୁଇ ଝିଅକୁ କଲେଜ ରେ ପଢେଇବାକୁ। କୋଉଠୁ ଆସିବ ଅର୍ଥ! ଗାଁ ରେ କୁଲି ମଜଦୁରି କରି ଯେତେକ ଅର୍ଥ ଆଣନ୍ତି ଭଜମନ ତେଲ ଲୁଣ ର ସଂସାରରେ ଶେଷ। ଅଳ୍ପ ନିଜ ଜମି ଆଉ ଅଳ୍ପ ଭାଗ ଚାଷ ଜମିରୁ ଯାହା ଧାନ ଅମଳ ହୁଏ ବର୍ଷ ସାରା ଖାଇବାକୁ ହିଁ ହୁଏ। ଯୋଉ ବର୍ଷ ବାତ୍ୟା ଆସେ ସେ ବର୍ଷ ବହୁତ୍ କଷ୍ଟରେ ଚଳିବାକୁ ହୁଏ ପୁରା ପରିବାରକୁ।
ଯଜ୍ଞ ଏବେ ବାର ବର୍ଷ ର ହେଇଗଲାଣି। ସ୍କୁଲ ଯିବାକୁ ନାଁ ଧରୁନି। ବାଳୁଙ୍ଗା ପିଲାଙ୍କ ମେଳରେ ମିଶି ସବୁ ପାଠ ପାସୋରି ଦେଲାଣି। ବଡ ଭଉଣୀ ଲକ୍ଷ୍ମୀ ଠୁ ନୀଇତି ଗୋବା କହୁଣି ଖାଏ ଯଜ୍ଞ ବୋଉ ବିଲକୁ ପଳେଇଲେ। ଧୀରେ ଧୀରେ ସ୍କୁଲ ଯିବା ବନ୍ଦ୍ କରିଦେଲା ଯଜ୍ଞ। ବାପା ଭଜମନ ବହୁତ୍ ବୁଝାଇଲେ, ହେଲେବି ସେ ସ୍କୁଲ ଯିବାକୁ ନାରାଜ। ଭଜମନ ଯଜ୍ଞ କୁ ପାଖ ହାଟ ବେଗୁନିଆପଡ଼ା ରେ ଗୋଟେ ଦୋକାନ ରେ ହଳିଆ ଲଗେଇଦେଲେ।ଯଜ୍ଞ ଭାରି ଖୁସି। ସବୁଦିନ ସନ୍ଧ୍ୟାରେ ମାଲିକ କୋଡ଼ିଏ ଟଙ୍କା ଦିଅନ୍ତି ଜଳଖିଆ ଖାଇବାକୁ। ଆଉ ଯଜ୍ଞର ମାସିକ ପାଉଣା ଥିଲା ୨୫୦୦ ଶହ ଟଙ୍କା ମାତ୍ର। ସମୟ କ୍ରମେ ଯଜ୍ଞ ର ମାସିକ ପାଉଣା ବଢ଼ି ୫୫୦୦ ଶହ ଟଙ୍କା ହୋଇଯାଇ ଥାଏ। ମଝିରେ ମଝିରେ ବେସି ହଳିଆ ହେଇଗଲେ ଭଜମନ ଦେଶୀ ମହୁଲି ଟିକେ ମାରିଦେଇ ଶୋଇପଡ଼ନ୍ତି। କିନ୍ତୁ ଯେଉଁଦିନ ଟିକେ ଅଧିକ ମାତ୍ରା ରେ ମହୁଲି ପିଇଦେଇଥିବେ, ସେଦିନ ଘରର ରାସ୍ତା ନିଶ୍ଚିତ ଭୂଳିଯାଇଥିବେ ଭଜମନ। ଆଉ ସେଇଠୁ ଆରମ୍ଭ ହୁଏ ମହାଭାରତ।
ଭଜମନ ପ୍ରକୃତରେ ବହୁତ୍ ଭଲ ମଣିଷ, ଆଉ ସେଇ ଝଲକ ପୁଅ ଯଜ୍ଞ ଠାରେ ବାରିହେଇ ପଡେ। ହେଲେ କିଛି ଲୋକଙ୍କର ଦୁର୍ବଳତା ଥାଏ। ଆଉ ଭଜମନଙ୍କର ଦୁର୍ବଳତା ହେଲା ନିଶା। ବେଳେବେଳେ ଅଧିକ ନିଶା ବାପା ପୁଅଙ୍କ ମଧ୍ୟରେ ତିତ୍କତା ସୃଷ୍ଟି କରେ। ସମୟ ଅତିବାହିତ ହେବା ସଙ୍ଗେ ସଙ୍ଗେ ବଡ ଝିଅ ଲକ୍ଷ୍ମୀର ବିବାହ ବୟସ ପାଖେଇ ଆସିଥାଏ। ଭଜମନଙ୍କର ବଡ ଭଉଣୀ ପ୍ରସ୍ତାବ କରନ୍ତି ତାଙ୍କ ବଡ ପୁଅ ସହ ଲକ୍ଷ୍ମୀର ବାହାଘର କରିବାକୁ। ପରିବାର ରେ ସମସ୍ଥେ ପ୍ରାୟ ଅରାଜି ଏହି ପ୍ରସ୍ତାବରେ। କାରଣ, ଭଜମନଙ୍କର ବଡ ଭଉଣୀ ଆଉ ଭେଣେଇ ପ୍ରାୟ ଲୋଭି ପ୍ରକୃତିର ମଣିଷ। କିନ୍ତୁ, ଭଜମନ ଏହି ପ୍ରସ୍ତାବରେ ରାଜି। ଯେହେତୁ ଭଣଯା କୁ କନ୍ୟାଦାନ କରିଲେ ମଙ୍ଗଳ ହୁଏ ବୋଲି ଭଜମନଙ୍କର ବିଶ୍ୱାସ ଥିଲା। ହେଲେ ହଠାତ୍ ସବୁକିଛି ଓଲଟ ପାଲଟ ହେଇଗଲା। ଭଜମନଙ୍କର ଭଉଣୀ କହିଲେ ଯୌତୁକ ବାବଦକୁ ୭୦,୦୦୦ ହଜାର ଟଙ୍କା ଦେଲେ ବାହାଘର ହବ ନଚେତ୍ ବାହାଘର ହବନି କହି ଫୋନ କାଟିଦେଲେ। ଭଜମନ କହିଲେ ହଉ ଯାହା କଥା ଅଛି ଆସନ୍ତୁ ଘରେ ବସି କଥାହେବା। ହେଲେ ସାମ୍ନା ବାଲା ଲୋକ ଅତି ନିଷ୍ଠୁର ଲୋକ। ଶୁଣିବାକୁ ନାରାଜ। ଶେଷରେ ଭଜମନ ସେଠି ବହାଦବାକୁ ମନା କରିଦେଲେ। ଆଉ ସବୁଦିନ ପାଇଁ ନିଜ ଭଉଣୀ ସହ ସମ୍ପର୍କ ଡୋରି ଛିଡେଇ ଦେଲେ।
କିଛି ଦିନ ପରେ ଜଣେ ମଧ୍ୟସ୍ଥି ଝିଅ ଲକ୍ଷ୍ମୀ ପାଇଁ ପ୍ରସ୍ତାବ ନେଇ ଆସିଲେ। ବହୁତ ଭଲ ପ୍ରସ୍ତାବ ହେଇଥିବାରୁ ସମସ୍ତଙ୍କୁ ପସନ୍ଦ ଆସିଲା। ନୂଆଁ ସମୁଦୀ ମଧ୍ୟ ବହୁତ୍ ଭଲ ଲୋକ। ବର୍ଷେ ପରେ ନିର୍ବନ୍ଧ ଆଉ ତାପରେ ବାହାଘର ମଧ୍ୟ ସୁରୁଖୁରୁ ରେ ସରିଯାଏ। ଝିଅ ବାହାଘର ପାଇଁ ଯଜ୍ଞର ସାଉକାର ଠାରୁ ଭଜମନ କିଛି ଟଙ୍କା ଧାର କରି ଆଣିଥିଲେ। କିନ୍ତୁ, ଯଜ୍ଞକୁ ପସନ୍ଦ ନଥିଲା। କାମ ବେସି ବଢ଼ିଯିବାରୁ ଯଜ୍ଞର ସାଉକାର ନୂଆଁ ପିଲା ଆଣି ଦୋକାନ ରେ ରଖିଲେ ଯଜ୍ଞ କୁ ସାହାଯ୍ୟ କରିବ ବୋଲି। ହେଲେ ସେ ନୂଆଁ ପିଲା ସାହାଯ୍ୟ କରିବା ବଦଳରେ ଓଲଟା ଯଜ୍ଞକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରେ। ଆଉ ଯଜ୍ଞ ମଧ୍ୟ ଗୋଟେ ଚାପୁଡ଼ା ଦିଏ ସେ ପିଲାର ଗାଲରେ। ମାଲିକ କିଛି ନବୁଝୀ ସବୁ ଦୋଷ ଯଜ୍ଞର କହି ଗାଳି ଦିଅନ୍ତି। ଯଜ୍ଞ ସେଠି ଆଉ କାମ କରିବନି ବୋଲି ମାଲିକକୁ କହି ଚାଲି ଆସିବାକୁ ବାହାରେ। ମାଲିକ କୁହନ୍ତି ତୋ ବାପା ଯୋଉ ଧାର ନେଇଛି ସେ ଟଙ୍କା କାଲି ନେଇକରି ଆସିବୁ। ଯ
ଜ୍ଞ ସେଠୁ ଆସିପାରେ ନାହିଁ । ମନେ ମନେ ବହୁତ୍ ରାଗେ ବାପା ଉପରେ। ହେଲେ କରିବ କଣ। ବାପା ତ ଧାର କରିଛନ୍ତି। ଚୁପ୍ ଚାପ୍ ଯଜ୍ଞ ସେଥି ପୂର୍ବଭଳି କାମ କରିବାକୁ ଲାଗେ। ରାତିରେ ଘରକୁ ଫେରି ବାପା ଙ୍କ ସହ ପାଟିତୁଣ୍ଡ କରେ। ନଖାଇ ଉପାସରେ ସୋଇପଡେ଼। ଭଜମନ ଆଉ ପୁଅ ଯଜ୍ଞ ର ପସନ୍ଦ, ତାଙ୍କର ନୂଆଁ ଜ୍ବାଇଁ ପୁଅ ଜିତୁ। ଯଜ୍ଞ ସବୁକଥା ଶୁଣେ ଜିତୁ ଭାଇନା ଯାହା କୁହନ୍ତି। ଯେବେ ଯେବେ ଯଜ୍ଞ ବାପା ଉପରେ ରାଗେ ଜ୍ବାଇଁ ଜିତୁ ହିଁ ଯଜ୍ଞ କୁ ବୁଝେଇଦିଆନ୍ତି। ଆଉ ଯଜ୍ଞ ବୁଝିଯାଏ।
ଜିତୁ ଭାଇନା ଯଜ୍ଞ କୁ ସବୁବେଳେ ବୁଝାନ୍ତି ଯେ, ଏବେ ତମେ ଯୋଉ ବାପାଙ୍କ ଉପରେ ରାଗି ହତାଦର କରୁଛ ଦିନ ଆସିବ ତମେ ବାପାଙ୍କୁ ଖୋଜିଲେବି ପାଇବ ନାହିଁ। ସେତେବେଳେ ତମେ ନିଜକୁ ଧିକ୍କାର ଦବାଛଡା କିଛି ନଥିବ। ବାପା ଟିକେ ମଦ ପିଅନ୍ତି ନିଜର କ୍ଳେଶ ଦୂର କରିବାପାଇଁ। ଯଦି କେଉଁଦିନ ଅଧିକ ପିଇଦିଅନ୍ତି ତେବେ ଅନ୍ୟତ୍ର ନିଶାରେ ସୋଇ ପଡନ୍ତି। ଆଉ ତମେ ତାଙ୍କୁ ଗାଳି ଗୁଲଜ କରିବାଟା ଠିକ୍ ନୁହଁ। ଏମଟି ଅନେକ ଜିତୁ ଭାଇନା ଯଜ୍ଞ କୁ ବୁଝାଇ ଥାନ୍ତି। ସେଇଥି ପାଇଁ ଜ୍ବାଇଁ ଜିତୁ ସମସ୍ତଙ୍କର ପସନ୍ଦ ପାତ୍ର ଟିଏ। ବଡ ଝିଅ ଲକ୍ଷ୍ମୀର ବାହାଘର କୁ ଚାରି ବର୍ଷ ବିତିଯାଇଥାଏ। ଯଜ୍ଞ ଏବେ ୨୦ ବର୍ଷର ଭେଣ୍ଡା ହେଇ ଯାଇଥାଏ। ସେ ଏବେ ଆଉ ପାଖ ବଜାରରେ ହଳିଆ କାମ କରୁନି। ଏବେ ସେ ସୁଦୂର ଚେନ୍ନାଇ ରେ ଟେଇଲର କାମ କରୁଛି। ମାସକୁ ଅଠର ହଜାର ଟଙ୍କା ଦରମା ପାଉଛି।
କିଛିଦିନ ପରେ ସାନ ଝିଅ ସରସ୍ଵତୀ ପାଇଁ ପ୍ରସ୍ତାବ ଆସେ। ଯଜ୍ଞ ଆଉ ଭିଣୋଇ ଜିତୁ ସେ ପ୍ରସ୍ତାବରେ ରାଜି ହୁଅନ୍ତି। ବାହାଘର ପାଇଁ ସବୁ ପ୍ରସ୍ତୁତି ସରେ। ବାହାଘର କୁ ଅଳ୍ପ କିଛି ଦିନ ବାକି ଥାଏ ହଠାତ୍ ଭଜମନ ଙ୍କ ଘରେ ନିଆଁ ଲାଗିଯାଏ। ସମସ୍ତେ ପାଖ ବଜାର କୁ ଯାଇଥାନ୍ତି ବାହାଘର ପାଇଁ ଲୁଗା କିଣିବା ପାଇଁ। କେହି କିଛି ଖବର ପାଇବା ଆଗରୁ ଦାଣ୍ଡ ବଖରା ଜଳି ପୋଡ଼ି ପାଉଁଶ ହେଇଯାଏ। ପାଖ ପଡିଶା ଲୋକ କବାଟ ଭାଙ୍ଗି ବାହାଘର ପାଇଁ ଥିବା ଜିନସ ସବୁ ବାହାର କରିଦେଇଥିଲେ। ଦମକଳ ବାହିନୀ ଆସି ନିଆଁ କୁ ଆୟତ କରି ଚାଲିଗଲେ। ଦାଣ୍ଡ ବଖରା ଯେହେତୁ ମାଟି ବାଡ ଥିଲା ତେଣୁ ପାଣି ପଡି ଭାରି ହୋଇଯାଇଥାଏ। ସମସ୍ତେ କାନ୍ଦ ବୋବାଳି କରୁଥାନ୍ତି। କିଛିଦିନ ପରେ ଝିଅର ବାହାଘର। ଭଜମନ ଆଉ ପୁଅ ଯଜ୍ଞ ର ଆଖି ଛଳ ଛଳ ହେଇଯାଉଥାଏ।
ପୂର୍ବ ତିଥି ଅନୁସାରେ ଝିଅର ବାହାଘର ହେଲା। ସବୁ ଦାୟିତ୍ଵ ଜ୍ବାଇଁ ଜିତୁ ବୁଝୁଥାନ୍ତି।ସବୁକିଛି ସୁରୁଖୁରରେ ହେଇଯାଏ। ଆଉ ଯଜ୍ଞ, ଜିତୁ ଭାଇନା ଯାହା କୁଅନ୍ତି ସେଇଆ କରେ। ସାନ ଝିଅ ଜ୍ବାଇଁ ଦସଦିନ ପାଳି ଆସନ୍ତି। ଆଉ ଝିଅ ଜ୍ବାଇଁ ଙ୍କୁ ଭାର ଦେଇ ବିଦାୟ କରନ୍ତି ଭଜମନ। ଦିନେ ହଠାତ୍ ପୋଡିଯାଇଥିବା ବତୁରା ମାଟି ବାଡ଼ ଭଜମନଙ୍କ ଉପରେ ପଡ଼ିଯାଏ। ଭଜମନ ଙ୍କର ଅଣ୍ଟା ର ହାଡ ଭାଙ୍ଗି ଯାଏ। ସେ ଦୀର୍ଘ ଦିନ ବ୍ରହ୍ମପୁର ମେଡିକାଲ ରେ ଚିକିତ୍ସିତ ହୁଅନ୍ତି। ଅସହ୍ୟ ଯନ୍ତ୍ରଣା ରେ ଛଟପଟ ହୋଇ ଶେଷରେ ଆଖିବୁଜି ଆର ପାରିକୁ ଚାଲି ଯାଆନ୍ତି।
ଗୋଟେ ପରିବାର ଉପରେ ଦୁଃଖର ପାହାଡ ଯେମିତି ଲଦିହେଇଯାଏ। ଯଜ୍ଞ ନିଜକୁ ନିଜେ ଧିକାର କରେ। ମାନେ ପଡେ ତାର ସବୁ କଥା। କେମିତି ସେ ଅଜାଣତରେ ବପାଙ୍କ ପ୍ରତି ଖରାପ ବ୍ୟବହାର କରିଛି। ଏମତି ଭାବି ଭାବି ତା ଆଖି ଦିଟା ଛଳଛଳ ହେଇ ଯାଏ। ହଜି ଯାଇ ଥିବା ମଣିଷ ଆଉ ଫେରନ୍ତି ନାହିଁ ବୋଲି ଯଜ୍ଞ ବେଶ୍ ଭଲ ଭାବେ ବୁଝି ଯାଇଥିଲା। ଆଉ ଜିତୁ ଭାଇନା କହିଥିବା ପ୍ରତ୍ୟେକ କଥା ତାର ମନେ ପଡି ଯାଉଥାଏ। ସତରେ ଭଲ ହୁଅନ୍ତୁ କି ଖରାପ ହୁଅନ୍ତୁ ବାପା ସବୁବେଳେ ବାପା। ତାଙ୍କ ସ୍ଥାନ କେହି କେବେ ନେଇ ପାରିବେ ନାହିଁ । ସେ କେବେ ନିଜର ଭଲ ପାଇବାକୁ ମାଁ ଭଳି ଦେଖେଇ ପାରନ୍ତି ନାହିଁ। ତେଣୁ ପିଲାମାନେ ଭାବନ୍ତି ମାଁ ହିଁ ସବୁଠୁ ଅଧିକ ଭଲ ପାଆନ୍ତି। ବାପାଙ୍କ ବିନା ଘର ଘର ନୁହଁ।ସମାଜରେ ବାପାଙ୍କ ପରିଚୟ ବିନା ପୁଅର ପରିଚୟ କିଛି ନୁହେଁ। ଯଜ୍ଞ ନିଜକୁ ନିଜେ ବହୁତ୍ ଛୋଟ ଅନୁଭବ କରୁଥାଏ। ବଞ୍ଚିଥିବା ବେଳେ ବାପାଙ୍କର ମୂଲ୍ୟ ବୁଝିପାରିଲିନି। ଏବେ ବୁଝୁଛି ବାପା ତୁମ ମୂଲ୍ୟ ମୋ ଜୀବନରେ କଣ ଥିଲା। ତୁମେ ଫେରିଆସ ବାପା ତୁମେ ଫେରି ଆସ। ମୁଁ ତୁମ ଅଯୋଗ୍ୟ ପୁଅ ଡାକୁଛି ବାପା ଫେରି ଆସ। ନିଜକୁ ନିଜେ ଯଜ୍ଞ ଅଯୋଗ୍ୟ ପୁଅ ବୋଲି ଘୋଷଣା କରିସାରି ଥାଏ ଯଜ୍ଞ। ଆଖିରୁ ଲୁହ ଆଉ ହୃଦୟ ରୁ କୋହ ସ୍ଵଷ୍ଠ ବାରି ହେଇ ପଡୁଥାଏ।
ମୋ. 8530095625