Siddhartha Tripathy

Romance

4  

Siddhartha Tripathy

Romance

ବାସର ରାତି

ବାସର ରାତି

4 mins
295



ଅଜିତ ରାୟ। ! ପେଶାରେ ସରକାରୀ ଚାକିରୀ, ନିଶାରେ ଲେଖକ। ଲେଖିବାର ଜିଜ୍ଞାସା କେବେ ନଥିଲା, ପରିସ୍ଥିତି ହାତରେ କଲମ ଧରେଇଦେଲା । ପାଣି ମୁନ୍ଦାଏ ଆଜି ଉତ୍ତାଳ ସମୁଦ୍ର। ଅଜିତ ରାୟର ଲେଖାରେ ରାଜପଥର ଗାଡ଼ି ଅଟକିଯାଏ। ବଳାତ୍କାର କରିବାକୁ ଯାଉଥିବା କାମୁକ ଲମ୍ପଟ ଗୁଡ଼ାକ ନିରୀହା ଝିଅ ମୁହଁରୁ ଅଜିତ ରାୟର ଗଳ୍ପ ପଢନ୍ତୁ ଶୁଣୁ ଶୁଣୁ କାମ ବାସନାରୁ ନିବୃତ ହୋଇଯାଆନ୍ତି। ଅଜିତ ରାୟ ମନେମନେ ଗର୍ବ କରେ କଲମର ଶକ୍ତି ପାଇଁ ।


ଏତେ ବଡ ଲେଖକ, କିନ୍ତୁ ସ୍ତ୍ରୀର ଅଚାନକ ମୃତ୍ୟୁ ପରେ ନୀରବି ଯାଇଛି କଲମ। ଦୂର ଦିଗନ୍ତକୁ ଅନେଇ ରହିଛି ଅଜିତ ରାୟ । ସବୁଦିନ ପରି ଡାକ ପିଅନ ମେଞ୍ଚାଏ ଚିଠି ଦେଇଗଲା। ଅଧିକାଂଶ ଲେଖା ଆଗକୁ ଲେଖିବାର ଅନୁରୋଧର ଚିଠି।


ଚିନ୍ତା କରୁଥିଲା ଅଜିତ ରାୟ। ସବୁ ଚିଠିରେ ବୟସର ପ୍ରଶ୍ନ।କିଏ ମଉସା ଡାକେ ତ କିଏ ଅଙ୍କଲ ! 


କିନ୍ତୁ....

ତିରିଶଟି ଫଗୁଣ ବି ଅତିକ୍ରାନ୍ତ ହୋଇନାହିଁ । ସ୍ତ୍ରୀ ଆରପାରିରେ , ବାହାଘର ଖୁବ୍ କମ୍ ଦିନ ଭିତରେ । ବାସର ରାତିର ସ୍ଵାଦ ଚାଖିବାର ବି ସୁଯୋଗ ମିଳିଲାନି।


ସେତେବେଳେ ମୋବାଇଲ୍ ଯୁଗର ଆରମ୍ଭ ହୋଇନଥିଲା। ଚିଠି ପତ୍ରରେ ପ୍ରେମର ଆହ୍ଵାନ। ଅତର ଲଗା ପୋଷ୍ଟକାର୍ଡରେ ପ୍ରେମ ନିବେଦନର ମଜା ନିଆରା। ସ୍ତ୍ରୀର ଆକସ୍ମିକ ମୃତ୍ୟୁ ପରେ ପୁନଃ ବାହାଘରର ସ୍ପୃହା ନଥିଲା ଅଜିତର। ଆଜି ଦପ୍ତର ଛୁଟି। କିଛି ଗୋଟେ ଲେଖିବସିବା ପୂର୍ବରୁ ପୋଷ୍ଟକାର୍ଡ ଗୁଡ଼ିକୁ ଓଲଟାଇ ଦେଖୁ ଦେଖୁ ନଜର ପଡ଼ିଲା ଦିବ୍ୟା ଭଟ୍ଟର ଚିଠି ଉପରେ।


ସୁନ୍ଦର ଇଂରାଜୀ ଲେଖା। ପ୍ରଶଂସା ପତ୍ର ନୁହେଁ ତ ପ୍ରେମ ପତ୍ର। ସବୁଠାରୁ ଅଧିକ ଚିଠି ଦିବ୍ୟାର । ତଳେ ଠିକଣା। ଆଜିଯାଏଁ କୌଣସି ଚିଠିର ଉତ୍ତର ଦେଉନଥିଲା ଅଜିତ। ଆଜି ପ୍ରଥମଥର ଦିବ୍ୟାର ଚିଠିର ଉତ୍ତର ଲେଖିବସିଲା ସେ ।


ଏମିତି ଉତ୍ତର, ପ୍ରତ୍ୟୁତ୍ତର ଭିତରେ , 

ପ୍ରେମ ..........!

ପ୍ରେମ ଏକ ଅନ୍ଧୁଣି ନଈ । ବୋହିନେଇଯାଏ ସୁଖ, ଦୁଃଖ , ହସ, କାନ୍ଦ ତାର ତୀବ୍ର ପ୍ରବାହରେ। ମହାମାରୀରେ ବି ନିସ୍ତାର ଅଛି , କିନ୍ତୁ ପ୍ରେମରେ ଔଷଧ ନାହିଁ।


ଚିଠିପତ୍ରରେ ନିଜର ସ୍ତ୍ରୀ ମୃତ୍ୟୁ ଓ ସଂସାର ବୈରାଗ୍ୟ କଥା ଜଣେଇ ଥିଲା ଅଜିତ। ଦିବ୍ୟା କହିଥିଲା, ଶିଳ୍ପୀ, କଳାକାର, ସାହିତ୍ୟିକ ମାତ୍ରେ ହିଁ ମଦ୍ୟପ, ଚରିତ୍ରହୀନ __ ଏଭଳି ଏକ ଧାରଣା ଆମର ଶିକ୍ଷିତ ଲୋକେ ମାତୃ ଜଠରରୁ ହିଁ ଶୁଣି ଶୁଣି ଜନ୍ମ ହୋଇଥାନ୍ତି । ତେଣୁ ଆମ ନିବିଡ ସମ୍ପର୍କ ଭିତରେ ବି ଆପଣଙ୍କ ସମ୍ପର୍କରେ କୁଢେଇ ହେଇ ପଡ଼ୁଥିବା ଅପବାଦକୁ କର୍ଣ୍ଣପାତ ନକଲେ ବି ମନଟା ......। କିନ୍ତୁ ଆପଣଙ୍କ ବିଷୟ ଶୁଣିଲା ପରେ ମୁଁ ଭାବୁଛି ଏସବୁ ଭ୍ରାନ୍ତ ଧାରଣା।


ଉତ୍ତରରେ ଅଜିତ ଲେଖିଲେ, ତମର ପଲ୍ଲବୀତ କୁମାରୀ ବୁକୁରେ କାନରଖି ତମ ହୃଦୟ ସଙ୍ଗୀତ ଶୁଣିବାକୁ ମୋରପ୍ରବଳ ଇଚ୍ଛା। ତମ ପ୍ରେମର ନଈରେ ଝାସ ଦେଇ ପୁଣି ଥରେ ତମସହ ସଂସାର କରିବାର ଇଚ୍ଛାକୁ ମୁଁ ପ୍ରତିରୋଧ କରିପାରୁନାହିଁ ? 

ତମେ ରାଜି ତ ?

ଉତ୍କଣ୍ଠାର ସହ ଅପେକ୍ଷା କଲା ଉତ୍ତରକୁ ।


କିନ୍ତୁ ......


ଦିବ୍ୟା ଲେଖିଥିଲା ,

ହେ ମୋର ପ୍ରେମିକ ପ୍ରବର !

ମୁଁ ମଧ୍ୟବିତ୍ତ ଶ୍ରେଣୀର କନ୍ୟା। ମୋର ଭାବି ସ୍ୱାମୀର ଛବି କଲେଜ ପଢ଼ିବା ସମୟରୁ ଆମ ମସ୍ତିସ୍କରେ ଅଙ୍କା ସାରିଥାଏ। ତେଣୁ ମୋ ବାହାଘର ନିଷ୍ପତ୍ତି ମୋ ବାପାମାଆଙ୍କର । ଜାଣିଛି ବାହା ହେଲା ପରେ ବି ଆପଣଙ୍କ ସ୍ମୃତିରେ ଜଳି ଜଳି ମରିବି , କିନ୍ତୁ ମୁଁ ନାଚାର । 


ହଉ ଠିକ୍ ଅଛି କହି ଚୁପ୍ ହେଇଗଲା ଅଜିତ। ପ୍ରେମର ଗଭୀରତା ବଢିଚାଲିଲା। ଲେଖିଥିଲା ଦିବ୍ୟା ,

ଅଜିତ ! ତମେ ହେଇଗଲ ମୋ ଶାଢ଼ୀ କାନିର ଚାବି ନେନ୍ଥା । ଯେତେେଳେ ଇଚ୍ଛା ସେତେବେଳେ ମନର ସିନ୍ଦୁକ ଖୋଲି ମୁଁ ପ୍ରବେଶ କରିଗଲି।

ମୁଁ ହୋଇଗଲି ଆପଣଙ୍କ ପାଖରେ ଗୋଟିଏ ଆବୃତ୍ତ ମାଂସ ପିଣ୍ଡୁଳା, ଆଉ ଆପଣ ଗୋଟେ ଖୋଲା ବହି।


କିନ୍ତୁ.....

ମୋ ବାହାଘର ସ୍ଥିର ହୋଇସାରିଛି। ଆପଣଙ୍କ ଅନାବିଳ, ଅନାସକ୍ତ, ସ୍ବାର୍ଥ ରହିତ ପ୍ରେମ କେବଳ ମୋ ହୃଦୟ ଆଲବମ୍ ଭିତରେ ମୁକସାକ୍ଷୀ ପରି ଜୀବନ ସାରା କଣ୍ଟକିତ ଶରଶଯ୍ୟାର ଦୁଃଖ ଦେଉଥିବ। ମୁଁ ନିରୁପାୟ ଅଜିତ। ମୁଁ ତ ମୋ ସଂସାର କରିନେବି 

କିନ୍ତୁ .....

ଏହି ଦୁଃଖରେ ଜୀବନସାରା ଜଳିବି ଯେ ଆପଣଙ୍କ ପରି ବୈରାଗି ମଣିଷ ହୃଦୟରେ ପ୍ରେମର ସ୍ପନ୍ଦନ ସୃଷ୍ଟି କରି ପୁଣି ଏକା କରିଦେଲି।


ଉତ୍ତର ଦେଇନଥିଲେ ଅଜିତ।

ଶେଷ ଚିଠିରେ ଆମନ୍ତ୍ରଣ ପତ୍ରଟିଏ ଥିଲା , ଦିବ୍ୟାର । ଦିବ୍ୟାସହ ଶୁଭମର ବାହାଘର। ବୋଧହୁଏ ସେଇଥି ପାଇଁ କୁହାଯାଏ ପ୍ରେମ ଅସଫଳ। ଆସକ୍ତିବିହୀନ ପ୍ରେମ ବି ବିଫଳ। କାରଣ ଏଇଟା କଳିକାଳ । ଜଣକୁ ବାହାହୋଇ ଜଣକୁ ପ୍ରେମ କଲେ ନାରୀ ସତୀ କି ଅସତୀ ହୁଏ ସେ ଗହନ ଚାଷ ମୋର ନାହିଁ ।


କିନ୍ତୁ...

ମୋ ହାତରେ ବେଡି ।


ବାହାଘର ଦିନ ଉପନୀତ। ସମ୍ପନ୍ନ ହେଲା ଦିବ୍ୟାର ବାହାଘର। ସଜେଇ ହେଇ ବସିଛି ବାସର ଘରେ। ବାସର ରାତି, ସବୁ କୁମାରୀ ଜୀବନର ପ୍ରତିକ୍ଷୀତ ରାତି। ଅଜଣା ଅଶୁଣା ଘର, ଅଜଣା ବ୍ୟକ୍ତିତ୍ଵକୁ ବିନା ଦ୍ବିଧାରେ କୁମାରୀ ଲଜ୍ଜାର ସମର୍ପଣ।

ଅଦ୍ଭୁତ ଭଗବାନଙ୍କ ସର୍ଜନା !

ଲମ୍ବା ଓଢଣା । ମନରେ ଅଦ୍ଭୁତ ଭୟ।


ଥରୁଥିଲା ଦିବ୍ୟା । ଶୁଣିଥିଲା ଶୁଭମ ଜଣେ ଭଲ ମଣିଷ। କାହାର ଘର ଭିତରକୁ ପ୍ରବେଶ କରିବା ଶବ୍ଦରୁ ଜାଣିପାରିଲା ଶୁଭମ ନିଶ୍ଚୟ। ଶୁଭମ ପାଖକୁ ଆସି ପଚାରିଲା, ଦିବ୍ୟା ! ମୁଁ ଶୁଭମ, ତମ ଇହକାଳ, ପରକାଳର ଦେବତା । ଆସ, ବାସର ରାତିର ମଜା ନେବା। ଶୁଭମ ଭିଡ଼ି ଧରିଲା ଦିଵ୍ୟାକୁ । ଠେଲି ଦେଲା ଦିଵ୍ୟା । ଶୁଭମ ଆଶ୍ଚର୍ଯ୍ୟ ହୋଇ କହିଲା, ଦିଵ୍ୟା ! ତମେ କଣ ଆଉ କାହାକୁ ଭଲ ପାଉଛ ?


ମୁଣ୍ଡ ହେଲେଇ ଓଢଣା ତଳୁ ହିଁ ଭରିଲା ଦିଵ୍ୟା । ଶୁଭମ ଦିଵ୍ୟାର ଓଢଣା ତଳକୁକରି କହିଲା ତାହେଲେ ମତେ ତମେ ବହାହେଲ କାହିଁକି ? ତମେ କ'ଣ ସତରେ ଅଜିତ୍ କୁ ବହୁତ ଭଲ ପାଅ ? ଚମକି ଉଠିଲା ଦିଵ୍ୟା ।


ଅନେଇ ରହିଥିଲା ଶୁଭମକୁ । ତାକୁ କୋଳେଇ ନେଉ ନେଉ ଶୁଭମ କହିଲା ମୁଁ ହିଁ ତମ ପ୍ରେମିକ ଅଜିତ।ମୋର ଲେଖକ ନାମ ଅଜିତ ଓ ପ୍ରକୃତ ନାମ ଶୁଭମ। ତମେ କହିଲ ଆମେ ମଧ୍ୟବିତ୍ତ ପରିବାରର। ବାପାମାଆଙ୍କ ସହମତିରେ ବାହାଘର। ସେବେଠାରୁ ମୁଁ ପ୍ରସ୍ତାବ ଦେଇଥିଲି। ତମ ଘରେ ବି ରାଜିଥିଲେ। 


ଲେଖକ ମାନେ ଭାରି ଚାଲାକ୍ କହି ଖୁସିରେ କୁରୁଳି ଉଠୁଥିଲା ଦିଵ୍ୟା । ଦୃଢ଼ ଆଲିଙ୍ଗନରେ ଥିଲେ ଦୁହେଁ । ଘିଅ ସରି ବାସର ଦୀପଟି ଲିଭି ଯାଇଥିଲା। କୋଠରୀର ତାପମାତ୍ରା ବଢ଼ିବାରେ ଲାଗିଥିଲା।


Rate this content
Log in

Similar oriya story from Romance