Padmalaya Mishra

Classics Inspirational Children

4  

Padmalaya Mishra

Classics Inspirational Children

ବାପା ମୁଁ ମନ୍ତ୍ରୀ ହେବି

ବାପା ମୁଁ ମନ୍ତ୍ରୀ ହେବି

5 mins
11



     ଓଃ ! କହି କହି ଏ ପିଲାଟାର କିଛି ପରିବର୍ତ୍ତନ ନାହିଁ । ଚବିଶ ଘଣ୍ଟା ଖେଳ, ମୋବାଇଲ ଆଉ ଟିଭି । ଏ ପିଲାର ଭବିଷ୍ୟତ କଣ ହେବ କେଜାଣି ? ବୁଝେଇଲେ ନାହିଁ, ଗାଳିରେ ନାହିଁ କି ମାଡ଼ରେ ନାହିଁ । କଣ କରିବି ହେ ପ୍ରଭୁ ? ପିତା ମନୋଜ ମିଶ୍ରଙ୍କ ଗାଳି ଓ ବାକ୍ୟର କୌଣସି ପ୍ରଭାବ ନାହିଁ ସୁଶାନ୍ତ ଉପରେ । ନାମ ଯେମିତି କାମ ଠିକ୍ ସେମିତି । କେହି ଜାଣି ପାରିବେନି, ଶାନ୍ତ ଶିଷ୍ଠ ହୋଇ ବସିଥିବ । କିନ୍ତୁ କଣ ନା କଣ କାଣ୍ଡ କରି ଦେଇ ଥିବ । ଆଜି ବି ବାପାଙ୍କ ପାଟିରେ ଅବିଚଳିତ । ପଡୋଶୀ ଘରେ ବସି ଟିଭି ଦେଖୁଥିଲା । ରିମୋର୍ଟରୁ ବାଟେରୀ କାଢି ତାର ପୋଷ୍ଟମର୍ଟମ୍ କରି ଦେଇ ଘରକୁ ଚାଲି ଆସିଛି । ପଡୋଶୀ ମିନୁ ମାଉସୀ ଆସି କହିବାରୁ ଜଣା ପଡିଲା । ତା ପରଠାରୁ ବାପାଙ୍କ ଗାଳି, ଆଖି ଦେଖା.... କିନ୍ତୁ ସୁଶାନ୍ତ ନୀରବ । 


    ବୋଉ ଏପଟେ ପୁଅକୁ ସେପଟେ ବାପାଙ୍କୁ ଗାଳି କରୁଛି । କହୁଥିଲି, ସେ ଯଦି କହୁଛି ତାର ପଢିବାକୁ ଇଚ୍ଛା ନାହିଁ ସେ ଟିଭି ଦେଖିବ ଦେଖିବାକୁ ଦେଇଥିଲେ କଣ କ୍ଷତି ହେଇଥାନ୍ତା । ତାକୁ ରୁମରେ ବନ୍ଦ କଲ । ସେ କଲା କଣ ନା ବାଥରୁମ ବାଟେ ଝରକା ଖୋଲି ପଡୋଶୀ ଘରେ ହାଜର । ମୀନୁ ମାଉସୀଙ୍କୁ କହିଛି କଣ ନା ଆଈ କାଲି ଭାଈର ପରୀକ୍ଷା । ତାକୁ ବାପା ପଢ଼ଉଛନ୍ତି । ମୁଁ ଟିକେ ତୁମ ଘରେ କ୍ରିକେଟ ଦେଖିବି ? 

- ହଁ ଦୋଷ ମୋର । ଯୋଉ ଗୁଣବନ୍ତ ପୁଅକୁ ଜନ୍ମ ଦେଇଛ !

- କଣ କଣ... ବାରବର୍ଷ ଭିତରେ ନିଜ ପୁଅକୁ ଚିହ୍ନି ପାରିଲନି ? ପ୍ରତିଦିନ ସ୍କୁଲରୁ କମପ୍ଲେନ୍ । ସହରର ଅଧା ଲୋକଙ୍କ ଘରୁ ତା ନାମରେ କମପ୍ଲେନ୍ ଆସି ସାରିଲାଣି । ଆମେ ଯାହାକୁ ବି ନଚିହ୍ନିଛେ ପୁଅ ପାଇଁ ସେମାନେ ଆମକୁ ଚିହ୍ନି ଗଲେଣି । 

ବାକ୍ୟ ପରେ ବାକ୍ୟ । ବାପା ଓ ବୋଉ ମଧ୍ୟରେ ଯୁକ୍ତିତର୍କ, କଥା କଟାକଟି ରୁ କଳିର ରୂପ ଧାରଣ କଲାଣି । ବଡ଼ଝିଅ ସୁନନ୍ଦା ଆସି ଚୁପ୍ କରେଇଲା । 


- ବାପା ବୋଉ, ତୁମେ ଦୁଇ ଜଣ ଯାହା ପାଇଁ ଝଗଡା କରୁଛ ସେ କେମିତି ଫୁଲ୍ ଭଲ୍ୟୁମରେ ମ୍ୟୁଜିକ ଲଗେଇ ଡିସ୍କୋ କରୁଛି ଦେଖିବ ଯାଅ । ମୁଁ ଆଉ ସୁଜିତ ପଢି ପାରୁନୁ । ଆମର ପରୀକ୍ଷା ଆଉ ମାସଟେ । ମୋର +୨ ବୋର୍ଡ ଓ ସୁଜିତର ଟେନ୍ଥ । ସୁଶାନ୍ତ ଏବେ ମାତ୍ର ସପ୍ତମ । ସେଥିପାଇଁ ତାର କିଛି ଚିନ୍ତା ନାହିଁ । ହେଲେ ଆମକୁ ଟିକେ ଶାନ୍ତିରେ ପଢିବାକୁ ଦିଅ ।


   ସୁଶାନ୍ତ ସୁଶାନ୍ତ ପାଟି କରି ବାପା ରୁମ୍ ଆଡକୁ ମାଡିଯିବା ବେଳେ ଭିତରୁ କବାଟ କିଳି ସୁଶାନ୍ତ ଆହୁରି ଜୋରରେ ମ୍ୟୁଜିକ ଲଗେଇ ଦେଲା । ଏପଟେ ବାପା ପାଟି କରି କରି ଚୁପ୍ ହେଇ ବସିଗଲେ ସିନା ସୁଶାନ୍ତ ଉପରେ କୌଣସି ପ୍ରଭାବ ନାହିଁ । ବାପା ଅଫିସ୍ ଗଲା ପରେ ରୁମରୁ ବାହାରି ଖାଇ ଦେଇ ସାଙ୍ଗ ମାନଙ୍କ ସହ ଖେଳିବାକୁ ବାହାରି ଗଲା । ବୋଉ କିଛି ସମୟ ଚୁପ୍ ହୋଇ ଶାନ୍ତିରେ ଖଟ ଉପରେ ଗଡି ପଡିଲା । 


   ମିନୁ ମାଉସୀ ଘରକୁ ଆସି ବୋଉ ପାଖରେ ବସିଲେ । 

- କଣ କହିବି ମାଉସୀ କହିଲ ପିଲାଟା ପାଇଁ ଘରେ ସବୁଦିନ ଅଶାନ୍ତି । ତାଙ୍କ ମୋ ଭିତରେ କଳି । ଆଜି ଲାପଟପ୍ ଭାଙ୍ଗି ଦେଲାଣି ତ କାଲି ରାଗିକି ଦୁଇ ଚାରିଟା କାଚ ଗ୍ଲାସ । ଆଜି ଯେମିତି ତୁମ ଘର ଟିଭି ରିମୋର୍ଟ ଭାଙ୍ଗିଛି ସେମିତି ତିନି ଦିନ ତଳେ ଓଝା ବାବୁଙ୍କ ଘରେ ତାଙ୍କ କୁକୁରକୁ ପିଟି ପିଟି ଦରମରା କରି ଦେଇଥିଲା । ଏଥର ମାସକ ଭିତରେ ପରା ସ୍କୁଲରୁ ପାଞ୍ଚଥର ଡକରା ଆସିଲାଣି । କେବେ କୋଉ ପିଲାର ଚୁଟି କାଟି ଦେଇଛି ତ କେବେ ମିସ୍ ଙ୍କ କାନି କାଟି ଦେଇଛି । କେବେ କ୍ଲାସ୍ ରୁମରେ ଗୋବର ନେଇ ସାଙ୍ଗ ମାନଙ୍କ ଉପରେ ଫୋପାଡୁଛି ତ କେବେ ସ୍କୁଲ୍ ଟଏଲେଟ୍ ର ବଲ୍ ରେ ପାଣି ପକେଇ ଫଟେଇ ଦେଉଛି । ଖାଲି ଆମ ସାହି ନୁହଁ ସହରର ଅଧା ଲୋକଙ୍କ ଘରୁ କମ୍ପ୍ଲେନ୍ ଆସୁଛି । ଏତେ ଲୋକଙ୍କୁ ସେ ଚିହ୍ନିଲା କେମିତି କେଜାଣି ? ଯୋଉଦିନ କିଛି କମ୍ପ୍ଲେନ୍ ଆସୁନି ସେଦିନ ମତେ ଆହୁରି ଡର ମାଡୁଛି ଯେ ଆଜି ଚୁପ୍ ଅଛି ମାନେ କାଲି ବଡ଼ଧରଣର କାଣ୍ଡ କରିବ । କାନ୍ଦି କାନ୍ଦି ଏକ ନିଶ୍ଵାସରେ କହିଗଲେ । 

- ମୋର ଜଣେ ଚିହ୍ନା ବାବା ଅଛନ୍ତି । ତାଙ୍କ ପାଖକୁ ଯିବା । ସୁଶାନ୍ତର ଧନୁ ରାଶି ତ ? ଶନି ସାଢେସାତି ବି ଚାଲିଛି । ତାର ଦୁଷ୍ଟାମୀ ବଢିବ । ତା ପୂର୍ବରୁ ଚାଲେ କାଲି ବାବାଙ୍କ ଠାରୁ ପ୍ରତିକାର ବୁଝି ଆସିବା ।

- ମାଉସୀ ! ସୁନନ୍ଦାର ତ ବିଛା ରାଶି ଆଉ ସୁଜିତର କନ୍ୟା ରାଶି । ସେମାନଙ୍କ ରାଶିରେ ଶନି ସାଢେସାତି କେବେଠାରୁ ଚାଲିଲାଣି । କାହିଁ କିଛି ଖରାପ ହେଇନି ତ ? ଓଲଟି ସୁନନ୍ଦା ସେସମୟରେ ଟେନ୍ଥରେ ତୈୟାନବେ ପ୍ରତିଶତ ରଖିଲା । ସୁଜିତର ତୁମେ କେବେ ପାଟି ଶୁଣିଛ ? ବଢିଆ ଚେସ୍ ଖେଳୁଛି । ଆଉ ଏଇଟା କୂଳ ବାଳୁଙ୍ଗା । ଜନ୍ମରୁ ତାର ବିଛୁଆତି ଗୁଣ । 

- ତଥାପି ଗ୍ରହ ନକ୍ଷତ୍ରର ଦୋଷ ଥାଏ । ପ୍ରତିକାର କଲେ କିଛି ମାତ୍ରାରେ ସେ ସୁଧୁରିବ ବୋଲି ମୋର ଆଶା । 

- ହେଉ । ସେ ଆସନ୍ତୁ । ମୁଁ ପଚାରି ତୁମକୁ କହିବି । ହେବ ଯଦି ଇଏ କାଲି ଅଫିସ୍ ଯିବା ପରେ ଆମେ ବାବାଙ୍କ ପାଖକୁ ଯିବା । 


    ସୁନନ୍ଦା ସବୁ ଶୁଣୁଥିଲା । ମିନୁ ମାଉସୀ ଯିବା ପରେ ବୋଉ ପାଖରେ ଆସି ବସିଲା । ମୁଣ୍ଡ ଚିପିଦେଲା । ବୋଉ ତୁ ବ୍ୟସ୍ତ ହୁଅନା । ସୁଶାନ୍ତ ଆମର ପିଲାଟା । ବଡ଼ ହେଲେ ମନକୁ ସୁଧୁରିଯିବନି । ତା ଜୀବନର ଲକ୍ଷ୍ୟ ଏ ଯାଏଁ ଆସିନି ବୋଲି ସେ ଏମିତି ହେଉଛି । ଥରେ ପଢା ପ୍ରେସର୍ କମ୍ପିଟିସନ୍ ମାଇଣ୍ଡ ହେଲେ ସବୁ ଚଗଲାମି ଛାଡିଯିବ । ଦେଖିବୁ ସେ ଏମିତି ଭଲ ପଢିବ ଯେ ସୁଜିତ ଓ ମତେ ପାଠରେ ପଛେଇ ଦେବ । 


    ସୁନନ୍ଦା ଜାଣି ପାରୁଛି ବୋଉର ମନସ୍ଥିତି । ତା ମୁଣ୍ଡ ଆଉ ଥୟ ନାହିଁ । ଯେମିତି ହେଲେ ଜାତକ ଦେଖାଇ ସୁଶାନ୍ତର ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ଚେଷ୍ଟା କରିବ । 


    ଘରକାମରେ ମନ ଲାଗୁନଥିଲା । ସ୍ଵାମୀ ଅଫିସରୁ ଫେରିଲେ । ଟିକିଏ ଫ୍ରେଶ ହୋଇ ଚା ପିଇ ବସିଲା ବେଳେ ପୁଅର ଜାତକ ବିଷୟ ଉଠେଇଲେ । ଭାବିଲେ ବାବା, ଜାତକ କଥା ଶୁଣି ଚିଡିବେ । ହେଲେ ଓଲଟା କଥା । କହିଲେ, ଠିକ୍ ଅଛି ଥରେ ଜାତକ ଦେଖେଇ ଆସ । 


    ପରଦିନ ମିନୁ ମାଉସୀଙ୍କ ସହ ସୁଶାନ୍ତର ଜାତକ ନେଇ ବାବାଙ୍କ ପାଖକୁ ଗଲେ । କିଛି ସମୟ ପରେ ଫେରିଲେ । ମୁଖ ମଣ୍ଡଳରେ ଶାନ୍ତିର ଆଭାସ ପ୍ରତିକାର ବୋଧହୁଏ ପାଇ ଯାଇଛନ୍ତି । 


    ଅଫିସରୁ ଫେରି ସ୍ଵାମୀଙ୍କ ପ୍ରଶ୍ନ ରେ ସେ ଆଶ୍ଚର୍ଯ୍ୟ ହେଲେ । ଯେଉଁ ଲୋକ ବାବା ତନ୍ତ୍ର ମନ୍ତ୍ର କିଛି ମାନନ୍ତିନି, ପୁଅର ଦୁଷ୍ଟାମୀରେ ଏତେ ଅତିଷ୍ଠ ଯେ ଆଜି ବାବାଙ୍କ ଉପରେ ବିଶ୍ୱାସ କଲେଣି । ସ୍ତ୍ରୀ ଙ୍କ ମନକଥା ବୁଝି ଗଲେ । କହିଲେ, ବୁଝିଲ.... ବୁଡି ଯାଉଥିବା ଲୋକର କୁଟା ଖିଏ ସାହା । ବଡ଼ ପିଲା ଦିଜଣଙ୍କୁ ଚାହିଁ ଯେତିକି ଗର୍ବ ଅନୁଭବ ହେଉଛି , ସାନକୁ ଚାହିଁଲେ ସେତିକି ଡର ମାଡୁଛି । ତାର ଭବିଷ୍ୟତ କଣ ହେବ ? କାଲି ଯେତେବେଳେ ଆମେ ନଥିବା ଆଉ ସୁନନ୍ଦା ଓ ସୁଜିତ ତାଙ୍କ ପରିବାରରେ ବ୍ୟସ୍ତ ରହିବେ ସୁଶାନ୍ତ କଣ କରିବ ? ଯଦି ପାଠ ପଢିବନି, ରୋଜଗାରକ୍ଷମ ହେବନି ତେବେ କଣ ହେବ ? ଏସବୁ ଭାବିଦେଲେ ମତେ ଅସ୍ଥିର ଲାଗୁଛି । 


    ଜଣେ କଡା ମିଜାଜର ପିତା ଭିତରେ ବି ଏତେ ମାତ୍ରାରେ ଭୟ ରହିଛି । କଷ୍ଟ ଅନୁଭବ କଲେ । ବାବା ଦେଇଥିବା ଡେଉଁରିଆ ଦେଖାଇ କହିଲେ, ଏଇଟା ପୁଅ ହାତରେ ବାନ୍ଧିବାକୁ ଦେଇଛନ୍ତି । ପ୍ରତିଦିନ ସକାଳୁ ଗାଧେଇ ସୂର୍ଯ୍ୟ ନମସ୍କାର କରି ହନୁମାନ ଚାଳିଶା ପାଠ କରିବାକୁ କହିଛନ୍ତି । ଶନିବାର ଆମିଷ ଭକ୍ଷଣ ନିଷେଧ । ମତେ ସଞ୍ଜବେଳେ ଅଶ୍ଵସ୍ତ ଗଛ ମୂଳରେ ସୋରିଷ ତେଲରେ ଦୀପ ଜାଳିବାକୁ କହିଛନ୍ତି । 


   ହଁ.... କରିବା.... । ଦେଖିବା ଆମ ଭାଗ୍ୟ । ସ୍ଵାମୀଙ୍କ ଦୀର୍ଘ ନିଶ୍ଵାସ ହୃଦୟତନ୍ତ୍ରୀ ହଲାଉଥାଏ । 


    ସୁନନ୍ଦା ଓ ସୁଜିତର ପାଠ ପଢାରେ ସୁଶାନ୍ତ ହଇରାଣ କରୁଛି । ପିତା ହିସାବରେ ସବୁବେଳେ ରାଗୁଥିବା ଲୋକ ଆଜି ପୁଅକୁ ଡାକି କୋଳରେ ବସାଇଲେ । ଧନରେ ବାପାରେ କହି ଇଆଡୁ ସିଆଡୁ କଥା ହେଲେ । ହାତରେ ଡେଉଁରିଆ ବାନ୍ଧି ଦେଲେ । ବାବା ବତାଇଥିବା ଅନୁସାରେ ସବୁ ବୁଝେଇ କହିଲେ । ମୋର ବିଶ୍ୱାସ ତୁ ନିଷ୍ଠାପର ହୋଇ କରିବୁ । 


    ବାପାଙ୍କ ମୁହଁରେ ଚିନ୍ତା ଦେଖି ସୁଶାନ୍ତ କହିଲା, ମୁଁ ଦୁଷ୍ଟାମୀ କରୁଛି ବୋଲି ଚିନ୍ତା କରନି । ମୁଁ ନିଶ୍ଚୟ ସ୍ଵାବଲମ୍ବୀ ହେବି । ବାପା ମୁଁ ମନ୍ତ୍ରୀ ହେବି । ରାଜନୀତି ପାଇଁ ବୁଦ୍ଧି ଆବଶ୍ୟକ ପାଠ ନୁହେଁ । ଆମ ଦେଶରେ ଏମିତି କେତେ ନେତା ଅଛନ୍ତି ପାଠ ପଢି ନାହାନ୍ତି । ସେମାନେ ଶୂନରୁ କୋଟିପତି । ମୁଁ ବଡ଼ ହେଲେ ଦେଖିବ ସବୁ ନେତା ମନ୍ତ୍ରୀ ମାନଙ୍କୁ ପଛରେ ପକେଇ ମନ୍ତ୍ରୀ ହେବି । କୋଟି କୋଟି ଟଙ୍କା ରୋଜଗାର କରିବି । 


    ପୁଅର ମାନସିକତାକୁ ହଠାତ ବୁଝି ପାରିଲେନି । କିଛି ସମୟ ପରେ ଆତ୍ମସ୍ଥ ହେଲେ । ଆଜିର ନେତା ମାନେ ଯେ ପ୍ରାୟ ଏୟା କହିବା ଭୁଲ୍ ନୁହେଁ ହେଲେ ତାଙ୍କ ପୁଅ ଯେ ସେମାନଙ୍କୁ ଆଦର୍ଶ କରିଛି ଜାଣି ଆହତ ହେଲେ । ପୁଅକୁ ସିନା କିଛି କହିଲେନି ହେଲେ ପୁଅର ଚିନ୍ତାଧାରା କେମିତି ବଦଳେଇବେ ସେଇ ଚିନ୍ତାରେ ଏବେ ଅଛନ୍ତି ।।



Rate this content
Log in

Similar oriya story from Classics