ମରୀଚିକା
ମରୀଚିକା
ନୀରବତା ରାଜୁତି କରୁଛି ଘର ସାରା । କେଉଁ ଏକ ଦୁନିଆରେ ହଜି ନିଜକୁ ଖୋଜୁଛୁ ମାଳତୀ ? ଇଆଡେ ସିଆଡେ ଚାହିଁ ପ୍ରକୃତିସ୍ଥ ହେଲା ମାଳତୀ । ଏ ତ ମୋର ଅନ୍ତରାତ୍ମା । ଯିଏ ହସି ଶିଖିଥିଲା, ମନ ଭରି କାନ୍ଦିଥିଲା, ମନକୁ ମାରିବା ଶିଖିଥିଲା, ସେ ଆଜି ପ୍ରଶ୍ନ କରୁଛି । ମାଳତୀର ହୃଦୟତନ୍ତ୍ରୀ ଝଙ୍କୃତ ହେଉଛି ।
ମାଳତୀ ବୟସ ଚାଳିଶି । ଗୋରା ରଙ୍ଗ, ମୁହଁରେ ଚମକ, ସଦାବେଳେ ହସହସ । ପାଠ ପଢାରେ ମନ ନଥିଲା ବୋଲି ମାଟ୍ରିକ୍ ପାଶ୍ କରୁ କରୁ ଘରେ ବାହାଘର କରିଦେଲେ । ସେତେବେଳେ ମାତ୍ର ଷୋହଳ ବର୍ଷ ବୟସ । ତାର ମନା କରିବାର କାରଣ ବି ନଥିଲା । ପାଠ ତ ହେଲାନି । ଭଲ ପ୍ରସ୍ତାବ ମିଳିଲା ତ ଘରେ ରାଜି ହେଇଗଲେ । ବାପା ବୋଉ ଯେମିତି ଘର ସଂସାର କରିଛନ୍ତି ସେମିତି କରିବାକୁ ହେବ, ଏତିକି ଜାଣିଥାଏ ମାଳତୀ ।
ମନୋଜ ଦେଖିବାକୁ ସୁନ୍ଦର, ସହରର ପ୍ରତିଷ୍ଠିତ ବ୍ୟବସାୟୀ, ପ୍ରଥମ ଦେଖାରେ ମାଳତୀକୁ ପସନ୍ଦ କରିଛନ୍ତି । ନିର୍ବନ୍ଧ ପରେ ନିୟମିତ ଘରକୁ ଫୋନ୍ କରି ମାଳତୀର ମନକୁ ବୁଝିବାକୁ ଚେଷ୍ଟା କରନ୍ତି । ମାଳତୀ ଠାରୁ ବାର ବର୍ଷ ବଡ଼ । ଅଠେଇଶି ବର୍ଷ ବୟସ । ମାଳତୀ କଥାରେ ପିଲାଳିଆମି ଥିଲା ବେଳେ ମନୋଜଙ୍କ କଥାରେ ପରିପକ୍ଵତା ।
ନିର୍ବନ୍ଧର ତିନି ମାସ ପରେ ଶୁଭ ଲଗନରେ ଉଭୟଙ୍କ ବାହାଘର ହେଲା । ସାଂସାରିକ ଜୀବନରେ ପ୍ରବେଶ କରି ମଧ୍ୟ ପ୍ରେମ ପ୍ରଣୟ ଠାରୁ ମାଳତୀ ବହୁ ଦୂରରେ । ମନୋଜ ଚାରିଭାଈ ମଧ୍ୟରେ ସବା ସାନ । ପିଲାଦିନରୁ ବାପାଙ୍କୁ ହରେଇ ଥିଲେ । ଏବେ ଦୁଇ ବର୍ଷ ତଳେ ବୋଉକୁ ବି ହରେଇଲେ । ତିନି ଭାଈ ବାହା ହୋଇ ଯିଏ ଯାହା ସଂସାରରେ ବ୍ୟସ୍ତ । ସମ୍ପତ୍ତି ବି ଭାଗବଣ୍ଟା ସରିଥାଏ । ବ୍ୟବସାୟ ଖୁବ୍ ଭଲ ଚାଲୁଥାଏ । ମାଳତୀ ପରି ସୁନ୍ଦରୀ ସ୍ତ୍ରୀ ପାଇ ଆନନ୍ଦିତ ।
ମାଳତୀର ମନ ମାଟିରେ ପୋତା ସୁପ୍ତ ମଞ୍ଜିଟିଏ । ଚୁଲବୁଲି ଥିଲା ସତ କିନ୍ତୁ ପ୍ରେମ ଓ ପୁରୁଷ ଠାରୁ ବହୁ ଦୂରରେ ଥିଲା । ମନୋଜଙ୍କ ସହ ବିବାହ ପରେ ମନର ମଞ୍ଜି ଅଙ୍କୁରୋଦଗମ ହେଲା ପ୍ରକୃଷ୍ଟ ପରିବେଶ ପାଇ । ତଥାପି ପ୍ରେମ ପ୍ରଣୟ ସହ ଏକାତ୍ମ ହେବାକୁ ଦୁଇ ବର୍ଷ ଲାଗିଗଲା । ମାତ୍ର ଅଠର ବର୍ଷ ବୟସରେ ସେ ମାତୃତ୍ଵ ଲାଭ କଲା । କୋଳପୂର୍ଣ୍ଣ କଲା ଅଲିଅଳି ରାଜକୁମାରୀ ଅଙ୍କିତା । ମନୋଜ ସମ୍ଭାଳି ନେଲେ ମା ଓ ଝିଅ ଉଭୟଙ୍କୁ । ଝିଅ ଜନ୍ମର ଦୁଇ ମାସ ବାପାଘର ରହଣି ସମୟରେ ବୋଉ ଝିଅ କଥା ବୁଝୁଥିଲା । ତାପର ଠାରୁ ମନୋଜ ଝିଅର ଦାୟିତ୍ୱ ନେଇ ଯାଇଛନ୍ତି । ମାଳତୀ ଆଶ୍ଚର୍ଯ୍ୟ ହୁଏ ବ୍ୟବସାୟ ଓ ଘର ଉଭୟକୁ ସମାନ ଭାବେ ସମ୍ଭାଳି ପାରୁଛନ୍ତି କେମିତି ମନୋଜ ।
ଧୀରେ ଧୀରେ ମନୋଜଙ୍କ ପ୍ରେମରେ ବାନ୍ଧି ହେଲା ମାଳତୀ । ବୟସ ସିନା ବଢୁଥାଏ ମସ୍ତିଷ୍କର ବୃଦ୍ଧି ବୋଧହୁଏ ହେଉ ନଥାଏ । ନହେଲେ ଏବେ ତେଇଶି ବର୍ଷ ବୟସ ହେଲାଣି, ଦ୍ୱିତୀୟ ଥର ଗର୍ଭବତୀ ହୋଇଛି ତଥାପି ମନୋଜଙ୍କ ମନକଥା ହୃଦୟ କଥା ଠାରୁ ସେ ଦୂରରେ ।
ଛବର୍ଷର ଝିଅ ଓ ନବଜାତ ପୁତ୍ର କୁ ନେଇ ହସି ଉଠିଲା ଘର ସଂସାର । ଦୁନିଆର ସବୁଠାରୁ ଭାଗ୍ୟବତୀ ବୋଲି ଅନୁଭବ କଲା ମାଳତୀ । ମନୋଜଙ୍କ ପରି ପୁରୁଷ ଭାଗ୍ୟରେ ଥିଲେ ମିଳେ । ମାଳତୀକୁ ରାଣୀ ପରି ରଖିଛନ୍ତି । ଅଭାବ ବୋଲି କିଛି ନାହିଁ । ଯେତେବେଳେ ଯାହା ଇଚ୍ଛା କରେ ମାଳତୀ ତା ହାତ ପାହାନ୍ତାରେ ଖଞ୍ଜି ଦିଅନ୍ତି ।
ସୁଖର ଆୟୁଷ କ୍ଷଣିକ ବୋଲି ସମସ୍ତେ କୁହନ୍ତି । ଅଚାନକ ବ୍ରେନ୍ ଷ୍ଟ୍ରୋକ୍ । ମନୋଜ ବେହୋସ ହୋଇ ପଡିଗଲେ । କିଛି ଜାଣି ନଥିବା, ଦୁନିଆଦାରି ଠାରୁ ଦୂରରେ ଥିବା ମାଳତୀ କେମିତି ହସପିଟାଲ୍ ନେଇଛି କିଛି ଜାଣିନି । ନିଜ ଶଙ୍ଖା ସିନ୍ଦୂରକୁ ବଞ୍ଚାଇବା ପାଇଁ ସବୁକିଛି କରିଛି । ଦିନ ରାତି ଏକ କରି ଦେଇଛି । ପୁଅଝିଅ ଅଜାଘରେ । ମାଳତୀ ହସପିଟାଲ୍ ରେ । ମାସକ ଲଢେଇ ମୃତ୍ୟୁ ସହ । ତାପରେ ଆଖି ମୁଜି ଦେଲେ ମନୋଜ ।
ବୟସ ମାତ୍ର ତିରିଶି । ସଂସାର କଣ ସାଂସାରିକ ସୁଖ କଣ ବୁଝିଲା ବେଳକୁ ଉଜୁଡିଗଲା ତାର ସଂସାର । ଯେଉଁ ବୟସରେ ତା ସହ ପାଠ ପଢୁଥିବା ଝିଅ ମାନେ ସଂସାର ଆରମ୍ଭ କରୁଛନ୍ତି, ଭଗବାନ ତାଠାରୁ ସେ ସୁଖ ଛଡେଇ ନେଲେ । କୋଳରେ ବାରବର୍ଷର ଝିଅ ଓ ଛ ବର୍ଷର ପୁଅ । ପ୍ରଥମେ କିଛି ଦିନ ହଜାଇ ଦେଲା ନିଜକୁ ମନୋଜଙ୍କ ଖିଆଲରେ । ଭିଜିଗଲା କାନି ଅଶ୍ରୁରେ । କିନ୍ତୁ କେତେ ଦିନ ? କେତେ ଦିନ ଅନ୍ୟ ଉପରେ ଆଶ୍ରୟ କରିବ ? ସମସ୍ତଙ୍କ ନିଜ ନିଜ ସଂସାର ଅଛି । ଏଇ କିଛି ବର୍ଷ ଭିତରେ ମନୋଜଙ୍କ ଠାରୁ ଶିଖିଥିବା ବ୍ୟବସାୟ କୌଶଳ ପ୍ରୟୋଗ କଲା । ମନୋଜ ସିନା ବିଭିନ୍ନ ରକମର ବ୍ୟବସାୟରେ ନିଜକୁ ନିୟୋଜିତ କରିଥିଲେ । ମାଳତୀ ଧୀରେ ଧୀରେ ସବୁ ବନ୍ଦ କରି ଦୁଇଟି ବ୍ୟବସାୟ କ୍ଷେତ୍ରରେ ମନ ଦେଲା । ଝିଅ ପୁଅକୁ ସେ ଏକୁଟିଆ ବଡ଼ କରି ପାରିବ, ଏ ବିଶ୍ୱାସ ନିଜ ଭିତରେ ଜନ୍ମେଇଲା । ଦିନ ସାରା ନିଜକୁ ପରିବାର ଓ ବ୍ୟବସାୟରେ ବ୍ୟସ୍ତ ରଖିବା ପରେ ରାତିରେ ତକିଆ ଭିଜିଯାଏ ମନୋଜଙ୍କ ଭାବନାରେ ।
ମନୋଜ ହାତ ଛାଡି ଚାଲିଗଲେ ସତ କିନ୍ତୁ ବେସାହାରା କରି ଦେଇ ନାହାନ୍ତି । ତାଙ୍କ ଆଶିର୍ବାଦ ସ୍ଵରୂପ ଝିଅ ଏକ ସଫ୍ଟଓୟାର ଇଞ୍ଜିନିୟର, ପୁଅ ଇଣ୍ଟରମିଡିଏଟ୍ ପାଶ୍ କରି ଇଞ୍ଜିନିୟରିଂ ପଢା ଆରମ୍ଭ କଲା । ଏବେ ଟିକିଏ ଆଶ୍ଵସ୍ତ ହେଲା ମାଳତୀ । କିନ୍ତୁ ଏତେ ବଡ଼ ଘରେ ଏକୁଟିଆ । ସମୟ କାଟିବା ପାଇଁ ସ୍ମାର୍ଟ ଟିଭି ଓ ସ୍ମାର୍ଟ ଫୋନ୍ ଏକମାତ୍ର ସାହାରା । ତା ମାଧ୍ୟମରେ ଦୂରରେ ଥିବା ନିଜ ପୁଅ ଝିଅ ସହ ନିତି ଦେଖା ହୋଇ ପାରୁଛି । ରୋଷେଇ କରିବାକୁ ଇଚ୍ଛା ନଥିଲେ ଝିଅ ଅନ୍ ଲାଇନ୍ ଅର୍ଡର କରି ଦେଉଛି ଯେ ଘରେ ଖାଇବା ପହଞ୍ଚି ଯାଉଛି । ପ୍ରଥମେ ପ୍ରଥମେ ମାଳତୀକୁ ଏସବୁ କୁହୁକ ପରି ଲାଗୁଥିଲା । ପରେ ଦିନେ ଝିଅ ଛୁଟିରେ ଆସିଥିବା ସମୟରେ ସୋସିଆଲ ପ୍ଲାଟଫର୍ମ ସହ ମାଳତୀର ପରିଚୟ କରିଦେଲା । ତାପର ଠାରୁ ସେ ମାଧ୍ୟମରେ ପାଇଗଲା ନିଜ ପିଲାଦିନର ସାଙ୍ଗ ସାଥୀ ମାନଙ୍କୁ । ଗପସପ ବ୍ରାଉଜିଂରେ ସମୟ ଅତିବାହିତ ହୋଇ ଯାଏ । ସାଙ୍ଗ ମାନଙ୍କ ପୁଅ ଝିଅ ଏଯାଏଁ ମାଟ୍ରିକ୍ ପାଶ୍ କରି ନାହାନ୍ତି ଅଥଚ ସେ ନିଜକୁ ରିଟାଏର୍ଡ ପରସନ୍ ଭାବି ସାରିଲାଣି ।
ସକାଳୁ ଭଜନ ଚଲେଇ ନିତ୍ୟକର୍ମ କରେ । ପୂଜା ପାର୍ଥନା ସାରି ଜଳଖିଆ ଖାଇ ବ୍ୟବସାୟ ବିଷୟରେ ହିସାବ ନିଏ । ଦ୍ଵିପହର ଖାଇବା ସାରି ସାଙ୍ଗ ମାନଙ୍କ ସହ, ବାପା ବୋଉ ଭାଈ ଭଉଣୀ ମାନଙ୍କ ସହ ଫୋନରେ ଗପୁଗପୁ ସଞ୍ଜ ହେଇଯାଏ । ସଞ୍ଜ ଆଳତି ସାରି ନିଜକୁ ହଜାଇ ଦିଏ ସୋସିଆଲ ପ୍ଲାଟଫର୍ମ ରେ ।
ଏମିତି ଖୋଜୁ ଖୋଜୁ ସୋସିଆଲ ପ୍ଲାଟଫର୍ମ ରେ ଭେଟିଲା ବିନୋଦ ସହ । ଫୋଟୋ ଦେଖି ଘଡିଏ ରହିଗଲା । ମନୋଜଙ୍କ ପରି ଚେହେରା ଚାହାଣୀ । ସେପଟୁ ମେସେଜ୍ ଆସିଲା ହାୟ । ମୁଁ ଆପଣଙ୍କ ସହ ବନ୍ଧୁ ହେବାକୁ ଚାହେଁ । ବିଚଳିତ ହେଇଗଲା ମାଳତୀ । ଫୋନ୍ ବନ୍ଦ କରି ଦେଇ ଟିଭି ଲଗେଇ ମନକୁ ଶାନ୍ତ କରିବାକୁ ଚେଷ୍ଟା କଲା । ନିଜକୁ ସେ ଲୋକ ଠାରୁ ଦୂରେଇ ରଖିବାକୁ ଚେଷ୍ଟା କଲା ।
ମନୋଜଙ୍କ ଭାବନା ଯେ କେତେବେଳେ ମାଳତୀକୁ ବିନୋଦ ଆଡ଼କୁ ଟାଣି ନେଲା ସେ ଜାଣି ପାରିଲା ନାହିଁ । ବନ୍ଧୁତା ସ୍ଵୀକାର କରି ନିୟମିତ କଥା ଚାଲିଲା । ବିନୋଦ... ବୟସ ଛୟାଳିସ୍ । ପତ୍ନୀ ଓ ଦୁଇ ପୁଅ ସହ ସୁଖର ସଂସାର । ଇଞ୍ଜିନିୟର ଚାକିରି ଛାଡି ବ୍ୟବସାୟ କରୁଛନ୍ତି । ନିଜ ପାଠ ଓ ଚାକିରିର ଅଭିଜ୍ଞତା କୁ ବ୍ୟବସାୟରେ ଲଗାଇ ସଫଳ ବି ହୋଇଛନ୍ତି । ମାଳତୀ କରୁଥିବା ବ୍ୟବସାୟ ମାଧ୍ୟମରେ ଚିହ୍ନି ସୋସିଆଲ ପ୍ଲାଟଫର୍ମରେ ବନ୍ଧୁତା କଲେ ।
ମନୋଜଙ୍କ ସହ ସାମଞ୍ଜସ୍ୟ ଥିବା ହେତୁ ନିଜ ଅଜାଣତରେ ଆକର୍ଷିତ ହୋଇ ଯାଇଛି ମାଳତୀ । ବିନୋଦ ଭିତରେ ଖୋଜୁଛି ମନୋଜଙ୍କୁ , ତାର ଅଧା ରହି ଯାଇଥିବା ପ୍ରେମକୁ ।
ଜଗବନ୍ଧୁ ହେ ଗୋସାଇଁ ମୋବାଇଲ ରିଙ୍ଗ୍ ଟୋନରେ ପ୍ରକୃତିସ୍ଥ ହେଲା ମାଳତୀ । ଝିଅ ଫୋନ୍ କରିଛି । ମାମା ଭିଡିଓ କଲ୍ ଉଠାଅ । ପୁଅ ବି ଭିଡିଓ କଲରେ ଅଛି । କଥା ହେବା । ଠିକ୍ ଅଛି କହି ନିଜ ନୀରସ ମୁହଁରେ ହସ ଫୁଟାଇ କଥା ହେଲା ।
ରାତି ବଢି ବଢି ଯାଉଛି । ନିଜକୁ ନିଜେ ପ୍ରଶ୍ନ ପଚାରୁଛି, ଝିଅର ବିବାହ ବୟସରେ ମା'ର ମନ ପରପୁରୁଷ ଆଡେ ଢଳିବା ଶୋଭା ପାଉନାହିଁ । ଏ ସଂସାର କଣ କହିବ ? ମନୋଜଙ୍କ ଆତ୍ମାକୁ ବାଧିବ । ସବୁଠୁ ବଡ଼ କଥା ହେଲା ବିନୋଦର ସୁଖର ସଂସାର । ଓଃ ଇତସ୍ତତଃ ଭାବନା । ଅନ୍ତରାତ୍ମାର ପ୍ରଶ୍ନ, ହୃଦୟର ଝଙ୍କାର ଭିତରେ ପେଶୀ ହେଇଯାଉଛି ମାଳତୀ । ଜାଣିଛି ସେ ଏକ ମରୀଚିକା ପଛରେ ଧାଉଁଛି । ତେଣୁ ଜଳୁଛି ଜଳୁଥିବ ଯନ୍ତ୍ରଣା ଯୁଇରେ ।

