Padmalaya Mishra

Drama Inspirational Others

4  

Padmalaya Mishra

Drama Inspirational Others

ଉପହାର

ଉପହାର

9 mins
12



     "ନବମ ଶ୍ରେଣୀ ଝିଅଟା ଛାତିକୁ ମୋ ହର୍ଟ୍ କରୁଛି ।" ପଛକୁ ବୁଲି ଚାହିଁଲା ଶାନ୍ତି ।

- ସୁର ଭାଈ ତମେ । ଏମିତି କଣ ଝିଅଙ୍କ ପଛରେ ଗୀତ ଗାଇ ବୁଲୁଛ ମ ? 

- ଝିଅଙ୍କ ପଛେ ନୁହଁ । କେବଳ ତୋ ପଛରେ । 

ସୁର ଭାଈର ଜବାବରେ ଟିକିଏ ଲାଜେଇ ମୁଣ୍ଡକୁ ନୁଆଁଇ ଚାଲିଗଲା ଶାନ୍ତି । 


    ଏ ବର୍ଷ ଶାନ୍ତିର ନବମ ସରି ଦଶମ ହେଲା । ମାଟ୍ରିକ ପରୀକ୍ଷା । ବାପା ବୋଉ କହିଛନ୍ତି ଯେମିତି ହେଲେ ବି ଭଲ ମାର୍କ ରଖି ମାଟ୍ରିକ ପାଶ୍ କଲେ, ଭଲ କଲେଜରେ ଆଇଏ ପଢିବ । ତାପରେ ସିଟି ଟ୍ରେନିଂ ନେଇ ସରକାରୀ ଚାକିରି ଖଣ୍ଡିଏ ପାଇଲେ ତାଙ୍କ ଘରର ଆର୍ଥିକ ଅବସ୍ଥା ସୁଧୁରିବ । ତେଣୁ ଏ ଭଲ ପାଇବା ଭଳି ଶବ୍ଦ ଠାରୁ ବି ନିଜକୁ ଦୂରେଇ ରଖୁଥିଲା ଶାନ୍ତି । ହେଲେ ସୁର ଭାଈ ସବୁଦିନ ସେ ସ୍କୁଲ୍ ଯିବା ବେଳେ ତା ପଛେ ପଛେ ଯାଏ । ପୁଣି ଘରକୁ ଫେରିବା ବେଳେ ତା ପଛେ ପଛେ ଫେରେ । 


    ସୁରଜ ଆଇଏ ପାଶ୍ କରି ସହରରେ ଡିପ୍ଲୋମା କରୁଛି । ତା ଘରର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ । କଲେଜ ଯିବା ଦିନୁ ତା ବାପା ତା ପାଇଁ ମଟର ସାଇକେଲ କିଣି ଦେଇଛନ୍ତି ଯେ ସେ ଏଇନେ ଏଇଠି ତ ଘଡିକରେ ଆଉ କେଉଁଠି । ତା ଗାଡି ପଛପଟେ ଗାଁର ଜଣେ ଦିଜଣ ଅଧାରୁ ପାଠ ବନ୍ଦ କରିଥିବା ଦରବୁଢା ବସିଥିବେ । ସବୁବେଳେ ହୁରହାର୍, ଗାଡି ପେଁ ପେଁ । ଗାଁ ଦାଣ୍ଡରେ ଝିଅ ମାନଙ୍କୁ ଚଲେଇ ଦିଅନ୍ତି ନାହିଁ । କିଏ ଅବା କଣ କହିବ ? ଯାହା ହେଲେ ବି ଭୀମ ବିଶ୍ଵାଳ ର ପୁଅ ସଙ୍ଗେ ଅଛନ୍ତି । ଆଉ ଭୀମ ବିଶ୍ବାଳ ସେ ଅଞ୍ଚଳର ସରପଞ୍ଚ । 

    ଶାନ୍ତି ମାଟ୍ରିକ ହେବା ଦିନ ଠାରୁ ଯୋରସୋରରେ ପଢାପଢି କରୁଛି । ଦିନେ ବି ସ୍କୁଲ୍ ଯିବା ଛାଡେନି । ଦୁଇ ତିନି ଜଣ ସାଙ୍ଗ ହୋଇ ବାଡିପଟ କେନାଲ ବନ୍ଧ ଉପରେ ଚାଲି ଚାଲି ଘରଠୁ ଦୁଇ ମାଇଲି ଦୂରରେ ଥିବା ହାଇସ୍କୁଲକୁ ଯାଆନ୍ତି । ଶାନ୍ତି ମନ ଲଗେଇ ପଢୁ ବୋଲି ତା ବାପାବୋଉ ତାକୁ ଆଉ କିଛି କାମ ବତାନ୍ତି ନାହିଁ । ଯାହା ହେଲେବି ଏ ବର୍ଷ ଘାଟିଟା ପାର ହେଲେ ଟିକିଏ ଦମ୍ଭ ଆସିବ । ବାପା ନିଜ ବାଡିରେ ପନିପରିବା ଚାଷ କରି ଗାଁ ହାଟରେ ସପ୍ତାହରେ ଥରେ ବିକ୍ରି କରନ୍ତି । ବାକି ଦିନ ତକ ଖଣ୍ଡେ ପାନ ଦୋକାନ କରି ଗାଁ ପାଖ ଛୋଟିଆ ବଜାରରେ ବ୍ୟବସାୟ କରନ୍ତି । ବୋଉ ବଳିତା ବୋଳିବା, ଆଚାର କରିବା ପରି ଛୋଟ ମୋଟ କାମ କରି ଅଳ୍ପ କିଛି ରୋଜଗାର କରିନିଏ । ଭଲ ପିଠା କରି ଜାଣେ ବୋଲି କେବେ କାହା ଘରେ ପିଠା କରିବାକୁ ସାହି ପଡିଶା ଡାକନ୍ତି । ସେଥିରୁ କିଛି ପାରିଶ୍ରମିକ ମିଳେ । ଶାନ୍ତି ଓ ସାନ ଭାଈର ପଢା ଓ ବାକି ଘରଖର୍ଚ୍ଚ ବାପାବୋଉ ଙ୍କ ରୋଜଗାର ରୁ କଷ୍ଟେମଷ୍ଟେ ଚଳିଯାଏ । ସେଇ ରୋଜଗାରର କିଛି ଅଂଶ ବୋଉ ଶାନ୍ତି ବାହାଘର ପାଇଁ ବି ସଞ୍ଚୟ କରେ । 


    ସୁରଜ ଶାନ୍ତି ପଛରେ ପାଗଳ ବୋଲି ଶାନ୍ତିର ଦୁଇ ସାଙ୍ଗ ଲିନା ଓ ଟିକି ଜାଣିଥାନ୍ତି । ଯେତେବେଳେ ସୁରଜକୁ ସେମାନଙ୍କ ପଛେ ପଛେ ସ୍କୁଲ୍ ଯିବା ଆସିବା ବେଳେ ଦେଖନ୍ତି ଥଟ୍ଟା କରି କହନ୍ତି, "ଆଲୋ ଶାନ୍ତି ତୋ ଭଅଁର ଆସି ଗଲାଣି ।" ଧେତ୍ ଏମିତି କଥାବାର୍ତ୍ତା ମୋ ସାଙ୍ଗେ କରନା କହୁଛି କହି ଟିକିଏ ବୁଲି ସୁରଭାଈକୁ ଚାହିଁ ଶାନ୍ତି ଚାଲିଯାଏ । ଦିନେ ଟିକି ତା ଅଜାଘରକୁ ଯାଇଥାଏ ଆଉ ଲିନାକୁ ଜର ହେଇଥାଏ । ବାଡିପଟ ରାସ୍ତା ଖାଁ ଖାଁ । କିନ୍ତୁ ସ୍କୁଲ୍ ବନ୍ଦ କରି ପାଠ ନଷ୍ଟ କରିବାକୁ ଚାହୁଁ ନଥିଲା ଶାନ୍ତି । ତେଣୁ ବହିପତ୍ର ଧରି ଏକୁଟିଆ ଗୋଟିଏ ଗୋଟିଏ ଚାଲିଲା । ଯେମିତି କେନାଲ ବନ୍ଧ ଉପରକୁ ଚଢିଛି, ପଛରୁ ଭୋଉ ଶବ୍ଦରେ ଚମକି ପଡିଲା ସେ । ଛାତିରେ ବହିତକ ଜାବୁଡି ଧରି ବୁଲି ଚାହିଁଲା । "ସୁରଭାଈ ତମେ" ଦୀର୍ଘ ନିଶ୍ଵାସ ଛାଡିଲା । 


    "ମୁଁ ତ ଭାବିଥିଲି ତୁ ଭାରି ସାହାସୀ, ହେଲେ ତୁ ତ ଡରକୁଳି ।" ସୁରଜ ଏତିକି କହି ଆଉ ଟିକିଏ ପାଖକୁ ଲାଗି ଆସିଲା । ଶାନ୍ତି ଶଙ୍କି ଯାଇ ବହିଖାତାକୁ ଆଉ ଟିକିଏ ଜୋରରେ ଜାବୁଡ଼ି ଧରି ପଚାରିଲା, "ଆଜି କଣ ତମ ସାଙ୍ଗ କେହି ନାହାନ୍ତି, ପୁଣି ତମ ମଟରସାଇକେଲ୍ କାହିଁ ?"


    ତତେ ଏକୁଟିଆ ଦେଖି ସନାକୁ ମଟରସାଇକେଲ୍ ଦେଇ ଆଉ ଗୋଟେ କାମରେ ପଠେଇ ଦେଲି । ତୋ ସାଙ୍ଗେ ଏକୁଟିଆ ଚାଲି ପାରିବି ବୋଲି । 


    ଶାନ୍ତି ଚୁପଚାପ୍ ବହିକୁ ଛାତିରେ ଜାକି ଚାଲିବାକୁ ଲାଗିଲା । ମୁଁ ହେଲେ ତୋ ବହିଖାତା ହେଇଥାନ୍ତି, ତୋ ଛାତିରେ ଟିକିଏ ଆଉଜି ତୋ ବନ୍ଧନରେ ତ ରହି ପାରିଥାନ୍ତି । ସୁରଜ ଠାରୁ ଏମିତି କଥା ଶୁଣି ଶାନ୍ତିର ଦେହ ଥରିଗଲା । ହାତରୁ ବହିଖାତା ତକ ତଳେ ପଡିଗଲା । ଗୋଟେଇଲା ବେଳକୁ ତା ହାତ ଥରୁଥିଲା । ସୁରଜ ଗୋଟେଇ ତାକୁ ଧରେଇଲା । 


    ଶାନ୍ତିର ହାତ ଉପରେ ନିଜ ହାତକୁ ଧୀରେ ରଖି କହିଲା, "ମତେ କେବେଠୁ ଜାଣିଛୁ ପୁଣି ଡରୁଛୁ । ମୁଁ ତତେ ଭଲପାଏ ଶାନ୍ତି ।" ଏତିକି କହି ଗାଲରେ ଚୁମ୍ବନ ଟିଏ ଦେଇ ଚାଲିଗଲା । ଶାନ୍ତି କଣ ଘଟିଲା ଜାଣି ନପାରି ଚାହିଁଥାଏ । ପଛକୁ ବୁଲି ସୁରଜ ଆଉ ଗୋଟିଏ ଫ୍ଲାଇଂ କିସ୍ ଦେଇ ଚାଲିଗଲା । 


    ଶାନ୍ତି ସ୍କୁଲରେ ଥାଏ । ପାଠପଢା ଚାଲିଥାଏ । ହେଲେ ତା ମନ ପଢାରେ ନଥିଲା । ସେ ଖାଲି କିଛି ସମୟ ଆଗରୁ ଘଟି ଯାଇଥିବା ଘଟଣାଗୁଡିକୁ ଭାବୁଥାଏ । କେତେବେଳେ ମନେ ମନେ ମୁରୁକି ହସି ଦେଉଥାଏ ତ କେତେବେଳେ ଛେପ ଢୋକି ଟିକିଏ ଥରି ଯାଉଥାଏ । ସେ ଦିନ ଯାକ କଣ ପଢା ହେଲା କିଛି ତା ମୁଣ୍ଡରେ ପଶିଲାନି । ସ୍କୁଲରୁ ବାହାରି କିଛି ବାଟ ଆସିଛି ମଟରସାଇକେଲ୍ ଧରି ସୁରଜ ଠିଆ ହୋଇଥାଏ । 

- ଶାନ୍ତି ଆ ତତେ ଘରେ ଛାଡି ଦେବି ।

- ଥାଉ ମୁଁ ଚାଲି ଯାଇପାରିବି ସୁରଭାଈ । 

ଡରନା ମୁଁ କିଛି କରିବିନି କହି ହାତକୁ ଟାଣି ଧରିଲା ସୁରଜ । ମଟରସାଇକେଲ୍ ରେ ବସିଲା ଶାନ୍ତି । ନୀରବେ ବସିଥାଏ । ଯେଉଁ ରାସ୍ତାକୁ ସେ ଚାଲି ଚାଲି ଘରେ ଅଧଘଣ୍ଟାରେ ପହଞ୍ଚେ ଆଜି ଦଶମିନିଟ୍ ବି ହେଇନି ପହଞ୍ଚି ଗଲା । ସୁରଭାଈ ଗାଡି ରଖ । ଓହ୍ଲେଇ ପଡିଲା ଶାନ୍ତି । ଏଠି କାହିଁକି ଓହ୍ଲେଇ ପଡିଲୁ । ନାହିଁ.... ବାପା କି ବୋଉ ଦେଖିଲେ ରାଗିବେ । ତୁମେ ଏଥର ଯାଅ ତୁମକୁ ମୋ ରାଣ । 


    ଟିକିଏ ହସି ଚାଲିଗଲା ସୁରଜ । ଦୁଇ ତିନି ମିନିଟର ରାସ୍ତାକୁ ଧୀରେ ଧୀରେ ଚାଲି ଚାଲି ପନ୍ଦର ମିନିଟରେ ଘରେ ପହଞ୍ଚିଲା । ନହେଲେ ବୋଉ ପଚାଶ ପ୍ରଶ୍ନ ପଚାରିଥାଆନ୍ତା । ସବୁଦିନ ତ ଏତିକି ବେଳକୁ ଆସୁ ଆଜି କେମିତି ଚଞ୍ଚଳ ଆସିଲୁ । ଆଉ ଯଦି ସୁରଭାଈଙ୍କ ଗାଡି ପଛେ ବସି ଆସିବା କଥା ଜାଣିବ ତାହେଲେ ତ ଠିଆ ଫାଡିଦବ । 


    ରାତିଟା ଯାକ ଆଉ ଶାନ୍ତିକୁ ନିଦ ନାହିଁ । ସୁରଭାଈ କଥା ଭାବି ଭାବି ରାତି ପାହିଲା । ପରଦିନ ପୁଣି ଏକୁଟିଆ ସ୍କୁଲ୍ ଯିବାକୁ ପଡିଲା । ପଛରୁ ସୁରଜ ଆସି ଚମକେଇ ପଚାରିଲା, "ରାତିରେ ଶୋଇନୁ ନା । ମୋ କଥା ଭାବି ଭାବି ରାତି ପାହିଲା ।" ଟିକିଏ ଟାଣ କରି ଶାନ୍ତି କହିଲା, "ସୁରଭାଈ ତମେ ଗଲ । ଏ ବର୍ଷ ମୋର ମାଟ୍ରିକ । ମତେ ମନ ଲଗେଇ ପଢିବାକୁ ହେବ । " ତା କଥାରେ ବାଧା ଦେଇ ସୁରଜ କହିଲା, "ଆଉ ମୋ ସଙ୍ଗେ କଥା ହେଲେ ତୁ ପଢି ପାରୁନୁ ଖାଲି ମୋ କଥା ଭାବୁଛୁ ।" ନାଇଁ ଯେ

ନାଇଁ ଯେ କଣ ? ଏୟା ଅର୍ଥ କଣ ଜାଣିଛୁ ? ତୁ ବି ମତେ ଭଲ ପାଉଛୁ । 

ଲାଜେଇ ମୁଣ୍ଡ ପୋତିଦେଲା ଶାନ୍ତି । 

     ଏଇଟା ତୋ ପାଇଁ । ଶାନ୍ତି ମୁଣ୍ଡ ଟେକି ଚାହିଁଲା ବେଳକୁ ଲାଲ୍ ଗୋଲାପ ଟିଏ ହାତରେ ଧରି ଚୁମି ଶାନ୍ତିର ମୁଣ୍ଡରେ ଖୋସିଦେଲା ସୁର । ଶାନ୍ତି ଡଗଡଗ ହେଇ ଚାଲିବାକୁ ଲାଗିଲା । 

  ଏ ଶାନ୍ତି ରହ କହି ପଛରୁ ହାତକୁ ଟାଣି ଧରିଲା ସୁରଜ । ଶାନ୍ତି ହାତ ଛଡେଇ ଦୌଡିଗଲା । 


    ସ୍କୁଲ୍ ସରିଲା, ବାହାରିକି କିଛି ବାଟ ଆସିଛି ସୁରଜ ମୋଟରସାଇକେଲ୍ ଧରି ଠିଆ ହୋଇ ଥାଏ । ଶାନ୍ତିକୁ ଦେଖି କହିଲା , ଆ ବସ । ତତେ ଛାଡିଦେବି । ଶାନ୍ତି କିଛି ବିରୋଧ ନକରି ଚୁପଚାପ୍ ବସିଲା । 

- ସତ କହିଲୁ ଶାନ୍ତି ତୁ ମତେ ଭଲ ପାଉନୁ ? 

- ନା, ସେ ଭଲ ପାଇବା ପାଇଁ ମୋ ପାଖେ ସମୟ ନାହିଁ ।  ନା ଯଦି, ତେବେ ମୁଁ ପିନ୍ଧେଇଥିବା ଗୋଲାପ ଫୁଲ ଏଯାଏଁ କାହିଁକି କାଢିନୁ ? ନୀରବ ରହିଲା ଶାନ୍ତି । ସତରେ ସେ ତ ମନ ଦେଇ ସାରିଥିଲା । 


    ତା ପରଠାରୁ ନିଇତି ବରାବର ଉଭୟଙ୍କ ଭେଟ ହୁଏ । ସ୍କୁଲ୍ ଯାଆସ ବେଳେ ସାଙ୍ଗରେ ଲିନା ଓ ଟିକି ଥାଆନ୍ତି, ତେଣୁ ଭେଟ ହୋଇ ପାରେ ନାହିଁ । କିନ୍ତୁ ସ୍କୁଲରୁ ଫେରିବା ପରେ ଆଉ ଛୁଟି ଦିନ ମାନଙ୍କରେ କଣ ନା କଣ ବାହାନା କରି ଶାନ୍ତି ବାଡିପଟ ଆମ୍ବତୋଟାକୁ, ସଞ୍ଜରେ ଗାଁ ଠାକୁରାଣୀ ଙ୍କ ମନ୍ଦିର ବେଢାରେ ସୁରକୁ ଭେଟେ । 

   ପ୍ରତି ଦେଖାରେ ସୁରଜ ଶାନ୍ତିକୁ ଉପହାର ଦିଏ । କେବେ ଚୁଡି, କେବେ କାନଫୁଲ, କେବେ ପାଉଁଜି । ଆଉ ସେ ଉପହାର ବଦଳରେ ଶାନ୍ତି ଓଠର ଉଷ୍ମ ପରଶ ନିଜ ଓଠରେ ଅନୁଭବ କରେ । 


    ଟେଷ୍ଟ ପରୀକ୍ଷା ପରେ ସ୍କୁଲ୍ ଛୁଟି ହୋଇ ଗଲା । ଆଉ ଦିମାସ ରେ ମାଟ୍ରିକ ବୋର୍ଡ ପରୀକ୍ଷା । ଶାନ୍ତି ସ୍କୁଲ୍ ଯିବା ବନ୍ଦ । ବିଶେଷ କିଛି ବାହାନା କରି ବାହାରକୁ ବି ଯାଇ ପାରୁ ନଥାଏ । ତେଣୁ ସୁର ଓ ଶାନ୍ତିର ଦେଖା ସାକ୍ଷାତ ଆଠ/ ଦଶ ଦିନରେ ଥରେ ହୁଏ । ସେ ବି କମ୍ ସମୟ ପାଇଁ । ସୁରଜ ପାଗଳ ଭଳି ହେଉଥାଏ । କେବେ ପରିବା କିଣିବା ବାହାନାରେ ହେଉ କି ସାନଭାଇ କୁ ଚକୋଲେଟ୍ ଦେବା ବାହାନାରେ ହେଉ ସୁରଜ ଶାନ୍ତି ଘରକୁ ଆସେ । ଉଭୟଙ୍କ ଆଖି ନୀରବରେ କଥା ହୁଅନ୍ତି ଆଉ ସୁରଜ ଚାଲିଯାଏ । 

    ଦିନେ ଖରାବେଳେ ଶାନ୍ତି ବୋଉ ସୁରଜ ଘରକୁ ପିଠା ଛାଣିବା ପାଇଁ ଯାଇଥାଏ । ସୁରଜ ଜାଣିଥିଲା ସେଦିନ ହାଟପାଳି । ଶାନ୍ତିର ବାପା ସଞ୍ଜ ଯାଏଁ ଘରକୁ ଫେରିବେନି । ସାନଭାଇ ସ୍କୁଲ୍ ଯାଇଥିବ । ସେଇ ମୌକାରେ ଶାନ୍ତି ସହ ଭେଟିବା ପାଇଁ ସୁରଜ ଶାନ୍ତି ଘରକୁ ଆସିଲା । ଶାନ୍ତି ବାଡିପଟ ଅଗଣାରେ ଚାଞ୍ଚ ଖଣ୍ଡେ ପକେଇ ତା ଉପରେ ପେଟେଇ ଶୋଇ ପଢୁଥିଲା । ତା ପାଦ ସାଲୁସାଲୁ ଲାଗିଲା । ସେ ଚମକି ପଡି ଦେଖେ ତ ସୁରଭାଈ । ସେ ଡରିଗଲା । କାଳେ ସାହି ପଡିଶା କିଏ ଦେଖିଦେବେ ତେଣୁ ସୁରକୁ ସେଠାରୁ ଚାଲି ଯିବା ପାଇଁ କହିଲା । ସୁରଜ କିନ୍ତୁ ଆଜି ଯିବା ପାଇଁ ନାରାଜ । ଶାନ୍ତି ଧଡ଼ପଡ଼ ହୋଇ ଘର ଭିତରକୁ ପଳେଇଲା । ତା ପଛେ ପଛେ ସୁରଜ ବି ଘର ଭିତରକୁ ପଶିଗଲା ଓ କବାଟ ଦେଇଦେଲା । 

- ସୁରଭାଈ କବାଟ କାହିଁକି ଦେଇ ଦେଲ ?

- ତତେ ପରା ଡର ମାଡୁଛି କାଳେ ସାହି ପଡିଶା ଦେଖିଦେବେ । 

- କବାଟ ଖୋଲ ଆଉ ତମେ ଯାଅ । ବୋଉ ଆସିଯିବ । 

- ତୋ ବୋଉ ଆମ ଘରୁ ଅତିକମରେ ଦୁଇ ଘଣ୍ଟା ପରେ ଯାଇ ଆସିବେ । 


   ଶାନ୍ତି ଆଉ କିଛି କହିବା ପୂର୍ବରୁ ସୁରଜ ଶାନ୍ତି ଗଳାରେ ସୁନ୍ଦର ହାରଟିଏ ପିନ୍ଧେଇ ଦେଲା । ଶାନ୍ତି ଦର୍ପଣ ସାମନାରେ ନିଜକୁ ସେ ହାର ସହ ଦେଖିଲା । 

- ସୁରଭାଈ ଆଜି ବେଶୀ ଦାମୀ ଉପହାର ଆଣିଛ । 

- ତୋ ଗଳାରେ ପଡିବାରୁ ହାରଟିର ମୂଲ୍ୟ ବଢିଗଲା । 

ଏତିକି କହି ପଛପଟୁ ଶାନ୍ତିର ଅଣ୍ଟାକୁ ଜାବୁଡି ଧରିଲା । 


   ଶାନ୍ତି ଟିକିଏ ଛଡେଇବାକୁ ଚେଷ୍ଟା କଲା ବେଳେ ତାକୁ ନିଜ ଆଡକୁ ଟାଣି ଆଣି ମୁହଁ ବେକରେ ଚୁମା ଦେଇ ଚାଲିଲା ସୁରଜ । 

ଆଉ ତୋ ଠାରୁ ଦୂରେଇ ରହି ହେଉନି ଶାନ୍ତି । 

ଉଭୟ ଉଭୟଙ୍କୁ ଜାବୁଡି ଧରି ହଜିଗଲେ ସ୍ଵପ୍ନ ସାଗରରେ । 

କିଛି ସମୟ ପରେ ହୋସକୁ ଆସିଲା ଶାନ୍ତି । ସେତେବେଳକୁ ସେ ନିଜର ଆତ୍ମା ଶରୀର ସବୁ କିଛି ସମର୍ପି ସାରିଥିଲା ସୁରକୁ । 


   ଦିନେ ସଞ୍ଜ ବେଳେ ଗାଁ ଠାକୁରାଣୀ ଙ୍କ ପାଖରୁ ଫେରୁଥାଏ ଶାନ୍ତି । ଜାମୁକୋଳି ଗଛ ମୂଳେ ଠିଆ ହୋଇଥିଲା ସୁର । ଶାନ୍ତିକୁ ପାଖକୁ ଟାଣି ସାରା ଶରୀରରେ ଚୁମ୍ବନ ଦେବାକୁ ଲାଗିଲା । ଏଥର ଶାନ୍ତି ବାରଣ କଲା । ନାହିଁ ସୁରଭାଈ ବିବାହ ପୂର୍ବରୁ ଏସବୁ ପାପ । ଥରେ ଅଜାଣତରେ ହୋଇ ଯାଇଛି । ଆଉ ନୁହଁ । ସଙ୍ଗେ ସଙ୍ଗେ ଶାନ୍ତି ଧରିଥିବା ଠାକୁରାଣୀଙ୍କ ଭୋଗ ଥାଳିରୁ ସିନ୍ଦୂର ନେଇ ଶାନ୍ତି ସିନ୍ଥିରେ ଭରି ଦେଲା ସୁର । 


   ଏଥର ତୁ ମୋର ସ୍ତ୍ରୀ । ଆଉ ତୋ ଉପରେ ମୋର ପୂର୍ଣ୍ଣ ଅଧିକାର । ସେଇ ମୂହୁର୍ତ୍ତରେ ଶାନ୍ତିର ଅନିଚ୍ଛା ସତ୍ତ୍ୱେ ତାର ଶରୀରକୁ ଉପଭୋଗ କଲା ସୁର । 


    ଇତି ମଧ୍ୟରେ ବୋର୍ଡ ପରୀକ୍ଷା ସରିଥାଏ । ଶାନ୍ତି ପରୀକ୍ଷାରେ ବହୁତ ଭଲ କରିଥାଏ ।ଯେମିତି ହେଲେ ବି ଭଲ ମାର୍କ ଆସିବ ଆଉ ସେ ନିଶ୍ଚିତ ଭଲ କଲେଜରେ ନାମ ଲେଖାଇ ପାରିବ । କିନ୍ତୁ ସେ ଖୁସି ହୋଇ ପାରୁନଥାଏ । କେମିତି ବିଚିତ୍ର ଅନୁଭବ ହେଉଥିଲା । ଧୀରେ ଧୀରେ ଜାଣି ପାରିଲା ତା ଗର୍ଭରେ ଆଉ ଏକ ଜୀବ ବଢିବାକୁ ଲାଗିଛି । କାହାକୁ କହିବ କଣ କହିବ ଜାଣି ପାରିଲାନି । ସୁବିଧା ସୁଯୋଗ ଦେଖି ସୁରଜ ଆଗରେ କହିଲା । ହେଲେ ସୁରଜ ନଜାଣିଲା ପରି ରହିଲା । ଶାନ୍ତି ବାରମ୍ବାର କହିବାରୁ ଓଲଟି ତାର ଚରିତ୍ର ଉପରେ ଆକ୍ଷେପ କଲା । ଥଟ୍ଟା କରି କହିଲା, ଯେମିତି ସବୁ ଉପହାର ଦେଉଥିଲି ସେମିତି ଏକ ଉପହାର ଦେଇଛି ବୋଲି ଭାବି ନେ । 


    ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଶାନ୍ତି ଫାଷ୍ଟ ଡିଭିଜନ ରେ ପାଶ୍ କରିଛି । ଘରେ ସମସ୍ତେ ଖୁସି । ବୋଉ ଘରେ ଆରିସା କାକରା ଛାଣି ସାହି ପଡିଶାଙ୍କୁ ବାଣ୍ଟୁଛି । ବାପା ଭାରି ଖୁସି ଅଛନ୍ତି । ଗାଁ ସ୍କୁଲର ସାରଙ୍କ ସହ କେଉଁ କଲେଜରେ ଝିଅ କେମିତି ଆଡମିଶନ୍ ନେବ କଥା ହେଉଛନ୍ତି । ଶାନ୍ତି ଉପରକୁ ହସୁଥାଏ କିନ୍ତୁ ତାର ଅନ୍ତରାତ୍ମା ରୋଦନ କରୁଛି । ସାନଭାଇ କହିଲା, "ଅପା, ବାପା ତୋ ପାଇଁ ଉପହାର ଆଣିଛନ୍ତି ।" ଉପହାର ଶବ୍ଦ ଶୁଣି ଚମକି ପଡିଲା ଶାନ୍ତି । ବୋଉ ଦେଖେଇଲା ବାପା ସୁନ୍ଦର ନୂଆ ଚୁଡିଦାର ଆଣିଛନ୍ତି । ପ୍ରଥମ ଦିନ କଲେଜ ଗଲା ବେଳେ ଆମ ଝିଅ ଏଇ ଡ୍ରେସ୍ ପିନ୍ଧିବ । 


    ସଞ୍ଜବେଳେ ଅଚାନକ ଅଦିନିଆ ମେଘ ଅସରାଏ ହେଲା । ରାତିରେ ଆଉ ଜହ୍ନ ତାରା ଦିଶୁ ନାହାନ୍ତି । କଳାହାଣ୍ଡିଆ ମେଘ ଆକାଶକୁ ଘୋଟି ରହିଥାଏ । ମଝିରେ ମଝିରେ ବିଜୁଳି ମାରୁଥାଏ । ବୋଉ ଶାନ୍ତିର ମନ ପସନ୍ଦ ଖାଦ୍ୟ ରାନ୍ଧିବାରେ ବ୍ୟସ୍ତ । ବାପା ମଶିଣା ପକେଇ ଗଡୁଥାନ୍ତି । ବର୍ଷା ଯୋଗୁଁ ଲାଇଟ୍ କଟି ଯାଇଛି । ତେଣୁ ସାନଭାଇ ଡିବି ଆଲୁଅରେ ପଢୁଛି । ସମସ୍ତେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ଶାନ୍ତି ଅନ୍ୟ ଏକ ରାଇଜରେ ହଜି ଯାଇଥିଲା । ଝରକାର ଏ ପାଖରେ ଠିଆ ହୋଇ ସେ ପାଖର ଦୃଶ୍ୟକୁ ଚାହିଁ ରହିଥିଲା ସେ । ସେ ପାଖରେ ଝିପିଝିପି ବର୍ଷାରେ ଭିଜୁଥିଲା ମାଟି, ଏ ପାଖରେ କିନ୍ତୁ ସେ ଭିଜୁଥିଲା ତା ଆଖି ଲୁହରେ । ସେ ଭାବୁଥିଲା ତାର ପରବର୍ତ୍ତୀ ପଦକ୍ଷେପ ବିଷୟରେ । ଆତ୍ମହତ୍ୟା କଲେ ସମସ୍ତେ ତାର ଚରିତ୍ରକୁ ଆକ୍ଷେପ କରିବେ । ସେ ସିନା ମରିଯିବ ହେଲେ ତା ବାପା ବୋଉ ଜୀଇଁଥାଇ ମରିଯିବେ । ଆଉ ଯଦି ସେ ବଞ୍ଚେ ତାର ଏ ଅବସ୍ଥା ପାଇଁ କୈଫତ୍ ଦେବ ସଭିଙ୍କୁ । କେହି ସୁରଭାଈ ଉପରେ ଆଙ୍ଗୁଠି ଉଠେଇବେନି । ସମସ୍ତେ ମତେ କଳଙ୍କିନୀ କହିବେ । ଆମ ଘରକୁ ନିଆଁ ପାଣି ବନ୍ଦ କରିଦେବେ । 


    ରାତି ପାହିଲା । ମେଘ ଆକାଶରୁ ଅପସରି ଯାଇଥିଲା । ନୂଆ ଦିନର ସୂର୍ଯ୍ୟ କିରଣ ଚାରିଆଡେ ବିଛୁରିତ ହେଉଥିଲା । କିନ୍ତୁ ଶାନ୍ତିର ବାପାବୋଉ ପାଇଁ ସେଦିନ କାଳ ହୋଇଗଲା । ଶାନ୍ତି ନଈକୁ ସାଙ୍ଗ ମାନଙ୍କ ସହ ଗାଧେଇବା ପାଇଁ ଯାଇଥିଲା । ଗୋଡ଼ ଖସିଗଲା ଆଉ ସେ ସୁଅରେ ଭାସିଗଲା । ଶବ ମଧ୍ୟ ମିଳୁନି । ତା ପାଇଁ ଆଣିଥିବା ନୂଆ ଡ୍ରେସକୁ ଦେଖି ବାପାଙ୍କ ଆଖି ଛଳଛଳ, ବୋଉ ମୃତପ୍ରାୟ ପଡି ରହିଛି , ସାନଭାଇ କଇଁ କଇଁ ହୋଇ କାନ୍ଦୁଛି । 


    କିନ୍ତୁ ସୁରଜ ଓରଫ୍ ସୁରଭାଈ ଗାଁର ଆଉ ଏକ ଝିଅ ପଛେ ଗୀତ ଗାଇ ବୁଲୁଛି ଆଖୋଁ ମେ ତେରି ଅଜବସି ଅଜବସି ଅଦାଏଁ ହେଁ ।


Rate this content
Log in

Similar oriya story from Drama