Bharatabandhu Biswal

Romance Others

4  

Bharatabandhu Biswal

Romance Others

ବାଜୁଛି ବାଇଦ

ବାଜୁଛି ବାଇଦ

3 mins
323


"ଏ ଆକାଶ! ସତରେ ତୁମେ ଏମିତି ବଦଳିଯିବ ବୋଲି ମୁଁ କେବେବି ଆଶା କରି ନ ଥିଲି।ମୋ ଗର୍ଭରେ ପରା ବଢୁଛି ଆମ ସନ୍ତାନ । ତୁମେ ଧୋକାବାଜ ସାଜି. କେମିତି ଫାଙ୍କି ଦେଉଛ ଏସବୁ।ତୁମେ ସେଦିନ କହିଥିଲ ନା, ଆମ ଏ ସମ୍ପର୍କ ଦିନକର ମାସକର ନୁହଁ, ବରଂ ଯୁଗ ଯୁଗର। ହେଲେ.....। "


ହଠାତ ବର୍ଷାର ନିଦ ଭାଙ୍ଗିଗଲା।ତା ଦେହ ଗୋଟାପଣେ ବରଡାପତ୍ର ପରି ଥରୁଥାଏ । ଆକାଶ ସତକୁ ସତ ଏବେ ଖାପଛଡା ଦେଇ ଆଦୈ। ଦେଖା ଦର୍ଶନ ଦେଉନାହାନ୍ତି । କଲିକତାରେ ବାପାଙ୍କ ଦେହ ଖରାପ ଅଛି କହି ଗଲେ ଯେ ଦୁଇମାସ ହେଲାଣି ଆସିବା ନା ଧରୁନାହାନ୍ତି । ଫୋନକଲେ ବି ପଦେ ଅଧେ ୟାଡୁ ସିଆଡୁ କହି କାଟି ଦଉଛନ୍ତି ।

ବର୍ଷା ଏବେ କରିବ କଣ? ତାର ଏ ଅସୁବିଧା କଥା କହିବ ବା କାହାକୁ ? ତା ବାପା ଭାରି କଢା ଲୋକ ।ମୁଣ୍ଡ କଟିଯିବ ପଛେ ତଳକୁ କରିବେନି । ବଡ଼ବାପା କକେଇ ମିଶି ଚାରିଜଣ , ସମସ୍ତେ ଏକକୁ ଆରେକ । ସାହି ପଡିଶା ଲୋକଙ୍କ ମୁହଁରେ ନିନ୍ଦାବାଜଣା ଶୁଣି ତା ବାପା କଣ ଧୈର୍ଯ୍ୟ ଧରି ରହିପାରିବେ ।

ଏମିତି କେତେସବୁ ଚିନ୍ତା ବର୍ଷାର ମୁଣ୍ଡରେ ଶହଶହ ବିଛା କାମୁଡିବାର ଯନ୍ତ୍ରଣାରେ ଅତିଷ୍ଠ କରି ପକାଉଥାନ୍ତି ।

   ବର୍ଷାକୁ ଏବେ ମାତ୍ର ଅଠର ବର୍ଷ ବୟସ । ଏମିତି ଆକାଶ ସହିତ ଏହି ଦୁଇବର୍ଷ ହେଲା ପରିଚୟ । ବାପାଙ୍କୁ ଲୁଚି ଆକାଶ ବର୍ଷାଙ୍କ ମଫସଲକୁ ମଝିରେ ମଝିରେ ପଳାଇ ଆସୁଥିଲେ । ବର୍ଷାର ବୋଉ ଟିକେ ଶ୍ରଦ୍ଧାଳୁ ପ୍ରକୃତିର ।ଆକାଶକୁ ଘରେ ଭଲମନ୍ଦ ହେଲେ ଡାକି ଖାଇବାକୁ ଦିଅନ୍ତି । ଏମିତି କେତେବେଳେ ଆକାଶ ସହିତ ବର୍ଷାର ବଢିଗଲା ସମ୍ପର୍କ ସେ ଆଦୈ। ଜାଣିପାରିଲା ନାହିଁ ।

  କଲିକତାରୁ ଆସିବାବେଳେ ଆକାଶ ବର୍ଷା ପାଇଁ ଭଲଭଲ ମନୋହରୀ ଜିନିଷ ସବୁ ଆଣି ଦେଉଥିଲେ ,ବର୍ଷା ସହିତ ଏକାଠି ମିଶି ହସଖୁସିରେ ବସାଉଠା କରୁଥିଲେ ।

   ଦିନେ ବର୍ଷାର ବାପା ମାଆ କିଛି ଦୂରରେ ଥିବା ତା ମାମୁଁଙ୍କ ଘରକୁ ଯାଇଥିଲେ । ବର୍ଷା ଏକୁଟିଆ ଘରେ ଥାଏ । ଆକାଶ ବଜାରରୁ କିଛି ମିଠା ଧରି ଆସି ପହଞ୍ଚିଗଲେ । ବର୍ଷା ବି ଅତି ଘନିଷ୍ଠ ସମ୍ପର୍କ ଦୃଷ୍ଟିରୁ ମନାକରି ପାରିଲାନି ।

ଦୁହେଁ ମିଶି ଖାଇ ଖଟ ଉପରେ ବସି ଲୁଡୁ ଖେଳରେ ମାତିଯାଇଥାନ୍ତି ।

 ହଠାତ ହସକୈ।ତୁକ ଭିତରେ ଯାହାସବୁ ତା ସହିତ ଘଟିଗଲା ,ତାର ଆଗତ ଭବିଷ୍ୟ ଯେ ଏତେ ଦୁଃଖ ଦାୟକ ହେବ ତା ସେ କେବେ କଳ୍ପନା କରି ନଥିଲା ।

  ପାପ ତ କେବେ ଲୁଚି ରହେନା । ଦିନ ଗଡିଲାରୁ ବର୍ଷା ଆଉ ତା ମା' ପାଖରେ କଥାକୂ ଲୁଚାଇ ପାରିଲାନି । ତା ମାଆ ଏ କଥା ଶୁଣି ମୁଣ୍ଡରେ ହାତ ଦେଇ ବସିଲା ।

କଣ କରିବ କିଛି ଭାବି ପାରୁ ନଥାଏ ।ଦିନେ କାମରୁ ଆସିବା ପରେ ବର୍ଷାର ମା ତା ବାପାଙ୍କୁ ଏ କଥା ଅତି ସନ୍ତର୍ପଣରେ କହି କିଛି ଉପାୟ କରିବାକୁ ମୁହଁ ଖୋଲି କହିଲା ।

କିନ୍ତୁ ଘଟଣା ଆହୁରି ଜଟିଳ ହୋଇଗଲା ।କଥାଟି ଶୁଣି ବର୍ଷାର ବାପା ପାଗଳ ପରି ଜୋରରେ ଚିଲାଇ ବର୍ଷାକୁ ଜୀବନରେ ମାରି ପକାଇବାକୁ ଗୋଡାଇଲେ । ତାର ବଡ଼ବାପା,ଦାଦା ଖୁଡି ଜମା ହୋଇଗଲେ । କଥା ପ୍ରଘଟ ହୋଇ ଦାଣ୍ଡରେ ଘାଟରେ ଗଡଗଡ ହେଲା ।ଯିଏ ଶୁଣିଲା ଛି ଛାକର କଲା । ଘରେ ଚୂଲି ଜଳିଲା ନାହିଁ । କାନ୍ଦ ବୋବାଳି ପଡିଗଲା ।

 ବର୍ଷାର ମା ଗାଁ ଗହଳ ସ୍ତ୍ରୀ ଲୋକଟିଏ ହେଲେ ବି ସାହସ ହରାଇଲେ ନାହିଁ । ଝିଅକୁ ଧରି ସିଧା ତାଙ୍କ ନିଜ ଗାଁ କୁ ପଳାଇଲେ । ସେଠି କାହାକୁ କିଛି ନକହି ଆକାଶକୁ ଫୋନ କରି ଡକାଇଲେ । ଗାଁ ଠାରୁ କିଛି ଦୂରରେ ଥିବା ଓଳାଭର ବଜାରରେ ସେତେବେଳେ ପ୍ରସିଦ୍ଧ କାଳିପୂଜା ଚାଲିଥାଏ । ସେଇଠାରେ ଆକାଶକୁ ଅପେକ୍ଷା କରିବାକୁ କହି ଝିଅ ବର୍ଷାକୁ ନେଇ ପହଞ୍ଚିଗଲେ । ସିଧା ଦୁଇଜଣଙ୍କୁ ନେଇ ମାଆ କାଳିଙ୍କ ଆଗରେ ଫୁଲମାଳ ବଦଳ କରାଇ ବାହା କରାଇଦେଲେ । ଫୋନରେ ଆକାଶର ବାପା ମାଆକୁ ସବୁକଥା କାନ୍ଦିବୋବାଇ କହି ଦୁଇ ଜଣଙ୍କୁ ସେହି ଠାରୁ କଲିକତା ପଠାଇଦେଲେ ।

  ବର୍ଷାର ବାପା ପରିବାର ଲୋକେ କଥା ଜାଣିଲାରୁ ବର୍ଷାର ମାଆକୁ ବି ଜୀବନରେ ମାରି ଦେବାକୁ ଜଗି ରହିଥିଲେ । ବର୍ଷାର ମା ବହୁ ନିନ୍ଦା ସହି ବାପଘର ଗାଁ ରେ ଅତି ଅସହାୟ ଅବସ୍ଥାରେ ଚଳୁ ଥାଆନ୍ତି । ବାହାର ଲୋକଙ୍କ କଥା ଛାଡ, ତାଙ୍କ ନିଜର ଭାଉଜ ମଧ୍ୟ ତାଙ୍କୁ ବହୁତ ଗଞ୍ଜଣା ଦେଉ ଥାଆନ୍ତି । ବିଚରା ଭାଗ୍ୟକୁ ଆଦରି ଦେହକୁ ପଥର କରି ସେ ପଡି ରହିଥାନ୍ତି ।

 ଏମିତି ଚାରିମାସ କଟିଗଲା । ବର୍ଷା ଓ ଆକାଶ ଖୁବ୍ ଭଲରେ ରହିଥିବା ଶୁଣି ବର୍ଷାର ବାପାଙ୍କ ମନ ବି ଧୀରେ ଧୀରେ ପରିବର୍ତ୍ତନ ହେଲା । ସେ ଆସି ବର୍ଷାର ମା କୁ ଘରକୁ ଡାକି ନେଲେ । କଥାରେ ଅଛି-ସ°ସାର ଭିତରେ ଘର କରିଥିଲେ ପଥର ପଡିଲେ ସହି । କାନ୍ଧରେ ପଡିଲେ ଲୋକ ବଜେଇ ଶିଖେ । ଭୁଲ ଭଟକାକୁ ସୁଧାରି ଆଗକୁ ବଢିବାର ନାମ ହିଁ ଜୀବନ । କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ କିଛି ଚରମ ନିଷ୍ପତ୍ତି ନେଲେ ନିଜର ଧନ ଜୀବନ ସିନା ବିପନ୍ନ ହୁଏ ,ହେଲେ କାହାର କିଛି ମଙ୍ଗଳ ହୁଏ ନାହିଁ ।

ବର୍ଷାବୋଉର ଏହି ଅସାଧାରଣ ଧୈର୍ଯ୍ୟ ଶକ୍ତି ଯୋଗୁ ଏବେ ଲୋକ ମୁଖରେ ତାଙ୍କର ବହୁତ ଚର୍ଚ୍ଚା । ଗତ ପଞ୍ଚାୟତ ସମିତି ନିର୍ବାଚନ ଜିଣି ସେ ପଞ୍ଚାୟତ ସମିତି ସଦସ୍ୟ ହୋଇଥିବା ଶୁଣି ମୋତେ ବହୁତ ଖୁସି ଲାଗିଲା , ସେ ନିର୍ବାଚନ ଜିଣିବା ଦିନ ସବୁ ବିଷୟ ଶୁଣି ନିଜକୁ ନିୟନ୍ତ୍ରଣ କରି ପାରି ନଥିଲି । ଢୋଲ ନିଶାନର ବାଇଦ ବାଜୁଥାଏ ।ମୋଟା ଗେଣ୍ଡୁଫୁଲର ଗଜରା ବେକରେ ପକାଇ ବର୍ଷାବୋଉ ହସିହସି ରାସ୍ତା ଦୁଇ ପଟରେ ଭିଡ ଜମାଇଥିବା ଲୋକମାନଙ୍କୁ ଅଭିବାଦନ ଜଣାଉଥାଆନ୍ତି । ମୁଁ ଏ ଦୃଶ୍ୟକୁ ନିଜ ଆଖିରେ ଦେଖି ଅପୂର୍ବ ରୋମାଞ୍ଚରେ ପୁଲକିତ ହୋଇ ଅତି ନିକଟରୁ ତାଙ୍କୁ ବଧାଇ ଜଣାଇ ଏବେ ଏବେ ଫେରୁଛି ।

  


Rate this content
Log in

Similar oriya story from Romance