ବାଘୁଣୀର ପ୍ରେମ ନିଶା
ବାଘୁଣୀର ପ୍ରେମ ନିଶା
ଏମିତି ତ ଅତି ଅଦ୍ଭୁତ ଏବଂ ବିରଳ ପ୍ରେମ କାହାଣୀର ଅଭୁଲା ସ୍ମୃତି ଭରି ରହିଛି ଆମ ଓଡିଶାର ଖୁବ ସୁନ୍ଦର ପ୍ରାଣୀ ଉଦ୍ୟାନ ଭାବେ ଖ୍ଯାତି ଅର୍ଜନ କରିଥିବା ନନ୍ଦନକାନନ ଇତିହାସ ପୃଷ୍ଠାରେ । ସବୁଠୁ ଅଧିକ ରୋମାଞ୍ଚ ସୃଷ୍ଟିକରେ ବାଘୁଣୀ "କାନନ"ର ଦୁଃସାହସିକ ଏବଂ ଉତ୍ସର୍ଗୀକୃତ ପ୍ରେମ । ସେ ସ୍ମରଣୀୟ ଦିନଟି ହେଉଛି 1967 ମସିହା ଜାନୁଆରୀ ଚାରି ତାରିଖ । ଚନ୍ଦକା ଘଞ୍ଚ ଜଙ୍ଗଲରେ ବିଚରଣ କରୁଥିବା ବାଘୁଣୀ କାନନ ପଡିଯାଇଥିଲା ନନ୍ଦନକାନନ ଖୁଆଡ ଭିତରେ ରହୁଥିବା ବାଘ ପ୍ରଦୀପର ପ୍ରେମରେ । କାନନ ସେଦିନ ମାନି ନଥିଲା ସୁଉଚ୍ଚ ତାରବାଡ ଘେରା ଆକଟ ଓ କୌଣସି ବାଧା ବନ୍ଧନକୁ । ନିଜ ଜୀବନକୁ ପାଣି ଛଡାଇ ସେ ଲମ୍ପ ଦେଇ ଲଙ୍ଘି ଯାଇଥିଲା ମଣିିଷ ନିିର୍ମିିତ ସବୁ ସୁରକ୍ଷାର ଘେରା ।
ମାତ୍ର କାନନ ଜାଣି ନଥିଲା ପ୍ରଦୀପ ସେହି ଖୁଆଡ ଭିତରେ ଥିବା ବାଘୁଣୀ ଶିଖାକୁ ଏତେ ଅଧିକ ଭଲ ପାଏ ବୋଲି ।ସେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପରି ଏତେ ଏକପତ୍ନୀ ନିଷ୍ଠ ଥିଲା ଯେ ଏତେ ତ୍ଯାଗ ସ୍ବୀକାର କରି ବାଧାବିଘ୍ନକୁ ଖାତିର ନକରି ତା ପାଇଁ ପାଗଳିନୀ ହୋଇ ଧାଇଁ ଆସିଥିବା ବାଘୁଣୀ କାନନକୁ ସେ ଜୀବନ କାଳ ଭିତରେ ଥରୁଟିଏ ବି ଆଖି ଟେକି ଅନାଇଲା ନାହିଁ, ତା ଦେହକୁ କେବେ ଛୁଇଁଲା ବି ନାହିଁ ।
ବିଚରା ବାଘୁଣୀ କାନନ ପ୍ରଦୀପର ଅପେକ୍ଷାରେ ସେହି ଖୁଆଡରେ ଦୀର୍ଘ ଏଗାର ବର୍ଷ ରହି ଶେଷରେ 1978 ଜୁଲାଇ 21ରେ ଶେଷ ନିଶ୍ଵାସ ନେଇ ଥିଲା । ସେ ବଞ୍ଚିଥିବା ବେଳେ ପ୍ରଦୀପକୁ ଏତେ ଭଲ ପାଉଥିଲା ଯେ ଖୁଆଡ ଭିତରେ ଥିବା ଅନ୍ଯ କୌଣସି ବାଘଙ୍କ ସହିତ ମିଶୁ ନଥିଲା ।
ଏତ ହେଉଛି ବାଘୁଣୀ କାନନର ଅନନ୍ଯ ପ୍ରେମ କାହାଣୀ । ମାତ୍ର ଅତ୍ଯାଧୁନିକ ସମାଜରେ ଆମ ରାଜଧାନୀ ଭୁବନେଶ୍ବରର ଛାତି ଉପରେ ଏବେ ମଣିଷ ବାଘୁଣୀ ମାନେ ଯେପରି ଘୃଣ୍ୟ କର୍ମରେ ଲିପ୍ତ ରହି ଖବରର ଶିରୋନାମା ପାଲଟିଛନ୍ତି ତାହା ଅତ୍ୟନ୍ତ ଲଜ୍ଜାଜନକ।
ଖୁବ ଅଳ୍ପଦିନ ମଧ୍ଯରେ ରୂପଜାଲରେ ବଡ ବଡ ଧନୀମାନୀ ଲୋକଙ୍କୁ ମୋହିତ କରାଇ ଆଲିସାନ ବଙ୍ଗଳା ତୋଳି ଐଶ ଆରାମ କରି ସମସ୍ତଙ୍କୁ ଗାଲୁଭୁରୁଡି ମାରିବା ଓ ନାଲି ଆଖି ଦେଖାଇବା ଭଳି ଅତି କଦର୍ଯ୍ଯ ଓ କୁତ୍ସିତ କାମ କେବଳ ମଣିଷ ବାଘୁଣୀ ହିଁ କରିପାରେ , ଏ କଥା ସହଜରେ ବିଶ୍ବାସ କରି ହେଉନାହିଁ ।
ବାଘୁଣୀ କାନନ ଏବଂ ବାଘ ପ୍ରଦୀପଙ୍କ ଜୀବନରୁ ମଣିଷ ବହୁତ କିଛି ଶିଖିବାର ଅଛି । ମଣିଷ ନିଜର କୁତ୍ସିତ ଅଭିଳାଷକୁ ଚରିତାର୍ଥ କରିବାକୁ ଯାଇ ସଭ୍ଯ ସମାଜକୁ ନର୍କରେ ପରିଣତ ନ କରୁ ,ଏ ବିଷୟରେ ଯେତେ ଶୀଘ୍ର ସଚେତନ ହୋଇପାରିବ ସେତେ ମଙ୍ଗଳ।

