Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ସିଆଣିଆ ବାଘ ବୁଦ୍ଧି ହଜିଲା

ସିଆଣିଆ ବାଘ ବୁଦ୍ଧି ହଜିଲା

2 mins
8



  ପାହାଡ ତଳି ଗାଁ ବେଣିପୁର । ଆମ ପିଲାବେଳେ ନାଥ ବେହେରା କହିଲେ ଆଖପାଖ ଲୋକ ସମସ୍ତେ ଚିହ୍ନିଥିଲେ ।ବେଶ ହୃଷ୍ଟପୁଷ୍ଟ ମଣିଷ । ଗାଈଗୋରୁଙ୍କ ଦେହଟା ଖରାପ ଥିଲେ ବହୁଲୋକ ଆସି ତାଙ୍କ ପାଖରୁ ଚେରମୂଳି ଔଷଧ ନେଇ ଯାଆନ୍ତି । ସେତେବେଳେ ତ ପଶୁଜନ୍ତୁଙ୍କ କଥା ଛାଡ ମଣିଷ ମାନଙ୍କ ଚିକିତ୍ସା ପାଇଁ ଏତେ ସୁବିଧା ନଥିଲା । ତା ବ୍ଯତୀତ ଭଲ ଜାତିଆ ଗାଈ ବଳଦଙ୍କୁ ଚିହ୍ନିବାରେ ସେ ଥିଲେ ଓସ୍ତାଦ । ଆଖପାଖର ସବୁ ଗୋରୁୁହାଟକୁ ସେ ନିଶ୍ଚିତ ଯାଆନ୍ତି ।ଲୋକେ ଗାଈ ବଳଦ କିଣାବିକାରେ ତାଙ୍କ ସହଯୋଗ ଲୋଡନ୍ତି । ସେ ଉଭୟ ବିକିଲାବାଲା ଓ କିଣିଲାବାଲା ଠାରୁ ବେଶ କିଛି ଦଲାଲି ଅର୍ଥ ଅଣ୍ଟାରେ ଗୁଞ୍ଜି ଘରକୁ ଆସିଥାନ୍ତି । ଏଣୁ ବାଗେଇ ଚୂନେଇ ତାଙ୍କୁ ଭଲ କଥା ବି କହିଆସେ ।

   ଏହା ସହିତ ସେ ପ୍ରତି କାର୍ତ୍ତିକ ମାସ ପୂର୍ଣ୍ଣମୀ ପୂର୍ବଦିନ ପନ୍ଦର କୋଶ ଚାଲି ଚାଲି ବାବା ଧବଳେଶ୍ଵର ମନ୍ଦିରକୁ ଯାଇ ନିଶ୍ଚିତ ବଡଓଷା କରି ଦର୍ଶନ ସାରି ଫେରନ୍ତି । ସେ ଆଣିଥିବା ଗଜଭୋଗ ଖାଇବା ପାଇଁ ସାହି ପଡିଶା ଲୋକ ଅନାଇ ରହିଥାନ୍ତି ।

  ଟିକିଏ ଫୁରୁସତ ବେଳେ ତାଙ୍କଠୁ ଭୂତ କାହାଣୀ ଓ ଅନେକ ଦୁଃସାହସିକ ଅଙ୍ଗେନିଭା ଜୀବନ କାହାଣୀ ଆମେ ପିଲାଦିନେ ଉତ୍ସୁକତାର ସହିତ ଶୁଣିବା ପାଇଁ ଗହଳି କରୁଥିଲୁ । ତାଙ୍କଠୁ ଶୁଣିଥିବା ଅତି ସିଆଣିଆ ବାଘ କାହାଣୀଟି ଶୁଣି ସେତେବେଳେ ଆମ ରୁମମୂଳ ଟାଙ୍କୁରି ଉଠୁଥିଲା ।

 ଜ୍ଯେଷ୍ଠ ମାସିଆ ଖରାଦିନ । ଗାଁର ସାଧୁଜେନା ତାଙ୍କ ଝିଅ ବାହା ପାଇଁ ତାଙ୍କ ଦାମୁଡିଟି ଯେମିିତି ହେଲେ ବିକି କିଛି ଟଙ୍କା ଯୋଗାଡ କରିବା ଚିନ୍ତାରେ ଥାନ୍ତି । ଏଣୁ ନାଥକୁ ଡାକି ବାରବାର କହିଲେ ତା ପରଦିନ ବଡି ସକାଳୁ ଦାମୁଡି ସହିତ ଯାଇ ଦୁଇ କୋଶ ଦୂର ସାହାପୁର ହାଟରେ ପହଞ୍ଚିବାକୁ ପଡିବ । ରାତି ପାହିବାକୁ ଆହୁରି ଘଡିଏ ଥାଏ । କିଟିମିଟିଆ ଅନ୍ଧାର । ନାଥ ସାଧୁଆଙ୍କୁ ଡାକଟେ ମାରିଦେଇ ତରବରରେ ଖୁଆଡ ଆଡକୁ ଚାଲିଲା । ସାଧୁ କହିବା ମୁତାବକ ଗୋଠ ଭିତରେ ଶିଙ୍ଗ ଉଠି ନଥିବା ଦାମୁଡିଟାକୁ ଅଣ୍ଡାଳି ତା ବେକରେ ନୂଆ ବଳିଥିବା ମଜବୁତ ଦଉଡିଟାକୁ ଭିଡି ବାନ୍ଧିଦେଲା । ସେ ଆଗ ଆଗ ଦଉଡି ଭିଡି ଚାଲିଥାଏ । ପଛରେ ସାଧୁ ପାଞ୍ଚଣ ଧରି ଗୋଡାଉଥାଏ । ବାଟ ଅଧାରେ ନାଥକୁ ଜୋରରେ ପୋଖରୀପାଣି ଲାଗିଲା । ସେ ଅତର୍ଚ୍ଛା ରାସ୍ତାକଡର ଏକ ନଡିଆ ଗଛରେ ଦାମୁୁଡିର ପଘାକୁ ବାନ୍ଧିଦେଇ ଦଉଡିଲା । ପାଖରେ ଥିବା ଏକ ପିଣ୍ଡାରେ ସାଧୁ ଟିକେ ଥକ୍କା ମାରିବ ବୋଲି ଗାମୁଛା ପାରି ଗଡି ପଡିଲା । ନାଥ ହାଲୁକା ହୋଇ ଆସି ଦେଖେତ ତା ପିଳେହି କଞ୍ଚାପାଣି । ସାଧୁ ବି ଛାଇ ନିଦରୁ ଉଠି ହାଉଳି ଖାଇଲା । ତାଙ୍କ ପାଟି ଶୁଣି ଗାଁର ଲୋକ ମଧ୍ଯ ଜମା ହୋଇଗଲେ । ଦାମୁୁଡି ବଦଳରେ ମାତବର ମହାବଳ ଗଛରେ ବନ୍ଧାହୋଇ ସେଠି ଗର୍ଜନ ଛାଡୁଥିଲା ।

   ଲୋକମୁଖରୁ କଥା ଯାଇ ବନବିଭାଗ ବଡ ଅଫିସରଙ୍କ କାନରେ ବାଜିଲା । ବାଘଟିକୁ ନିଶା ଦିଆଯାଇ ଜାଲରେ ଗୁଡାଇ ଏକ ଜନ୍ତା ଭିତରେ ରଖାଗଲା । ପରେ ଗାଡି ସାହାଯ୍ୟରେ ତାକୁ ନନ୍ଦନକାନନ ପ୍ରାଣୀ ଉଦ୍ଯାନରେ ଛଡାଗଲା ।

  ନାଥ ବେହେରା ବୁଝାଇ ଦିଅନ୍ତି ,ବାଘଟି ଥିଲା ଅତି ସିଆଣିଆ । ସେ ଗୋଠ ଭିତରେ ନପଶି ପାଖରେ ଛକି ସୁଯୋଗକୁ ଅପେକ୍ଷା କରିଥିଲା । ତାକୁ ଟିକିଏ କଅଁଳିଆ ମାଂସଥିବା ବାଛୁରୀ ମିଳିବା ମାତ୍ରେ ସେ ଝପଟିକି ଧରି ଦଉଡି ପାଖ ଜଙ୍ଗଲକୁ ପଳାଇ ଥାଆନ୍ତା । ମାତ୍ର ଏମିତି ତା କାନମୁଣ୍ଡକୁ ଅଣ୍ଡାଳି ତାକୁ ଏପରି ବନ୍ଧାଯିବାକୁ ସେ ହଠାତ ବୁଝି ପାରିଲା ନାହିଁ । ବୋଧେ ବାଘ ଭାବିଥିଲା , ଚାଲିଥାନ୍ତୁ ,ଦୁଇ ଦୁଇଟା ଶୀକାର ଏକାବେଳେ ମିଳି ଯାଇଛି । ମୌକା ଦେଖି ଛକ୍କା ମାରିବ । ଭାଗ୍ଯ ଭଲ । ନାଥକୁ ଅତର୍ଚ୍ଛା ଲାଗିଲା । ବାବା ଧବଳେଶ୍ଵରଙ୍କ କୃପାରୁ ସେଦିନ ସେମାନେ ମରଣ ମୁହଁରୁ ବଞ୍ଚିଗଲେ । ନାଥ ତାର ସାହସିକତା ପାଇଁ ସରକାରଙ୍କ ତରଫରୁ ଏକହଜାର ଟଙ୍କା ମଧ୍ଯ ପୁରସ୍କାର ପାଇଥିବା କହି ଛାତି ଫୁଲାଇଥାନ୍ତି ।


     



Rate this content
Log in

Similar oriya story from Inspirational