Bharatabandhu Biswal

Horror Tragedy Inspirational

4  

Bharatabandhu Biswal

Horror Tragedy Inspirational

କଞ୍ଚା ଡାହାଣୀ

କଞ୍ଚା ଡାହାଣୀ

4 mins
10



 ହୃଦୟକୁ ଥରାଇ ଦେଲା ପରି ସତ କାହାଣୀଟିଏ । ନିଜକୁ ଅତ୍ଯାଧୁନିକା ବୋଲାଉଥିବା ଏକ ଉଚ୍ଚ ଶିକ୍ଷିତା ତଥା ଉଚ୍ଚ ପଦ ମର୍ଯ୍ଯାଦା ଲାଭ କରି ପାରିଥିବା ମହିଳା କିପରି ନିଜର କୁତ୍ସିତ ଭାବନାକୁ ଚରିତାର୍ଥ କରିବାକୁ ଅତି ବିଭତ୍ସ କାଣ୍ଡ ଘଟାଇ ପାରିଲା,ତାହା ଶୁଣିବା ମାତ୍ରେ ଭୟରେ ରୋମମୂଳ ଶିହରି ଉଠିବ ।

  କଲିକତାର ମୂଳ ନିବାସୀ 39 ବର୍ଷୀୟା ସୁଶ୍ରୀ ସୂଚନା କୃତିତ୍ବର ସହ ବିଜ୍ଞାନରେ ସ୍ନାତକ ପରେ ସଂସ୍କୃତରେ ସ୍ନାତୋକୋତ୍ତର ଶିକ୍ଷା ଏବଂ କମ୍ପ୍ୟୁଟର ଡାଟା ଓ କୃତ୍ରିମ ଜ୍ଞାନ ବିଜ୍ଞାନ ପ୍ରଯୁକ୍ତି ( AI) ଆଦି ବହୁ ବିଷୟରେ ବିଶେଷ ଦକ୍ଷତା ଓ ପ୍ରଶିକ୍ଷଣ ଲାଭ କରି ସାରିବା ପରେ ବାଙ୍ଗାଲୋରକୁ ଆସି ନିଜର ଏକ ଷ୍ଟାର୍ଟଅପ କମ୍ପାନୀ ଏଇ କିଛିବର୍ଷ ତଳେ ଆରମ୍ଭ କରିଛନ୍ତି । ଦେଶର ଏକଶହଟି ପ୍ରତିଷ୍ଠିତ କମ୍ପାନୀ ମଧ୍ଯରେ ଏହା ସ୍ଥାନିତ ହୋଇଥିବାରୁ ଏବଂ ନିଜ ପ୍ରତିଷ୍ଠାନର ସର୍ବେସର୍ବା (CEO) ଭାବରେ ସୂଚନା ପ୍ରତିମାସ ମୋଟା ଅଙ୍କର ରୋଜଗାର ମଧ୍ଯ କରି ପାରୁଛନ୍ତି । ସହରର ଖୁବ ସମ୍ଭ୍ରାନ୍ତ ଅଞ୍ଚଳରେ ନିଜର ଘର ,ଗାଡି କୌଣସିଥିରେ ତାଙ୍କର କିଛି ଅଭାବ ନାହିଁ।

 ଚଳିତ ବର୍ଷ ଜାନୁଆରୀ ମାସର କଥା । ଛଅ ତାରିଖ ଦିନ ବାଙ୍ଗାଲୋରରୁ ଗୋଆ ଯିବା ପାଇଁ ସୂଚନା ତାଙ୍କ ଚାରିବର୍ଷର ଶିଶୁ ପୁତ୍ରଟିକୁ ଧରି ଏୟାରପୋର୍ଟ ପହଞ୍ଚିଲେ । ସେଠାରେ ପହଞ୍ଚି ପୂର୍ବରୁ ବୁକ କରିଥିବା ଏକ ଗ୍ରାଣ୍ଡ ହୋଟେଲରେ ଅବସ୍ଥାନ କଲେ । ଦୁଇ ତିନିଦିନ ଗୋଆର ବିଭିନ୍ନ ସ୍ଥାନ ବେଶ ମନଫୁର୍ତ୍ତିରେ ବୁଲାବୁଲି କରି ସାରିବା ପରେ ଠିକ ଆଠ ତାରିଖ ରାତ୍ର 10ବେଳକୁ ନିଜର ସବୁକିଛି ଜିନିଷପତ୍ରକୁ ଏକ ବଡ ବ୍ଯାଗରେ ଭର୍ତ୍ତିକରି ହୋଟେଲ ମାନେଜରଙ୍କୁ କହିଲେ ଯେ ତାଙ୍କର ଅତ୍ୟନ୍ତ ଜରୁରୀ କାମ ପଡିଯିବାରୁ ସେ ଆସନ୍ତାକାଲି ପର୍ଯ୍ୟନ୍ତ ନରହି ଆଜି ହିଁ ବାଙ୍ଗାଲୋର ଫେରିବାକୁ ଚାହୁଁଛନ୍ତି । ଏଣୁ ତାଙ୍କ ପାଇଁ ଏକ ଟାକ୍ସି ଭଡା ଯୋଗାଡ କରି ଦିଆଯାଉ । ମେନେଜର ଓ ଉପସ୍ଥିତ ହୋଟେଲ କର୍ମଚାରୀ ତାଙ୍କୁ ଯେତେ ବୁଝାଇଲେ , ଗୋଆରୁ ବାଙ୍ଗାଲୋର ସଡକପଥରେ 550କିମିରୁ ଅଧିକ ବାଟ,ଅଧିକ ରାତ୍ରୀରେ ଜଣେ ଏକାକୀ ମହିଳା କାବରେ ଏତେ ବାଟ ଯିବା ଅଧିକ ଖର୍ଚ୍ଚ ବହୁଳ ଓ ଆଦୌ ନିରାପଦ ନୁହେଁ,ସେଥିପ୍ରତି ସୂଚନା ଆଦୌ କର୍ଣ୍ଣପାତ କଲେ ନାହିଁ। ତାଙ୍କର ଗୋଟିଏ ଜିଦ ଯେତେ ଟଙ୍କା ଖର୍ଚ୍ଚ ହେଉ ପଛେ ସେ କାବ ନେଇ ଯିବାକୁ ଚାହୁଁଛନ୍ତି ବୋଲି କହିଲେ । ଏକ ଟ୍ରାଭେଲ ଏଜେନ୍ସିରୁ ଗାଡି ଠିକ କରି ସୂଚନାଙ୍କୁ ମଧ୍ଯ ରାତ୍ର ସୁଦ୍ଧା ପଠାଇ ଦିଆଗଲା ।

  ତାପର ଦିନ ସକାଳୁ ହୋଟେଲର ସଫେଇ କର୍ମଚାରୀ ସୂଚନାଙ୍କ ରୁମ ସଫା କରିବା ସମୟରେ ଏଠି ସେଠି କିଛି ରକ୍ତ ଛିଟା ପଡିଥିବା ଦେଖି ମନରେ ସନ୍ଦେହ ଉପୁଜିବାରୁ ମାନେଜରଙ୍କୁ ଖବର କଲେ । ମାନେଜର ତତକ୍ଷଣାତ ସ୍ଥାନୀୟ ପୋଲିସ କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ପୋଲିସ ସବୁ ବିଷୟକୁ ଟିକନିଖ ତନଖି କଲେ । ସୂଚନାଙ୍କ ଆସିବା ଓ ଯିବା ସମୟର ସିସିଟିଭି ଫୁଟେଜରୁ ଜଣାପଡିଲା ଯେ ତାଙ୍କ ସହିତ ଆସିଥିବା ଚାରିବର୍ଷର ଶିଶୁପୁତ୍ରଟି ଗଲାବେଳେ ତାଙ୍କ ସହିତ ଯାଇନାହିଁ।

   ସୂଚନାଙ୍କୁ ନେଇ ଯାଇଥିବା କାବ ଡ୍ରାଇଭରର ମୋବାଇଲ ନମ୍ବର ସଂଗ୍ରହ କରି ପୋଲିସ ସମ୍ପର୍କ କରି ଜାଣିଲେ ସେ ଅର୍ଦ୍ଧାଧିକ ରାସ୍ତା ଅତିକ୍ରମ କରି ସେତେବେଳକୁ କର୍ଣାଟକର ଚିତଦୁର୍ଗରେ ପହଞ୍ଚି ଗଲେଣି । ସୂଚନାଙ୍କୁ ଶିଶୁପୁତ୍ରଟି ବିଷୟରେ ପଚାରିବାରୁ ସେ ବିଚଳିତ ନହୋଇ ଉତ୍ତର ଦେଲେ ଯେ ,ତାଙ୍କର ଜରୁରୀ କାମ ଥିବାରୁ ସେ ହଠାତ ବାଙ୍ଗାଲୋର ଫେରୁଛନ୍ତି ।ତାଙ୍କ ଶିଶୁଟିକୁ ସେ ଜଣେ ପରିଚିତ ସମ୍ପର୍କୀୟଙ୍କ ଘରେ ଛାଡି ଆସିଛନ୍ତି । ପୋଲିସ ସମ୍ପର୍କୀୟଙ୍କ ଠିକଣା କଣ ବୋଲି ପଚାରିବାରୁ ସେ ଏକ ଠିକଣା ଓ ସମ୍ପର୍କ ନମ୍ବର ବି ଜଣାଇ ଦେଲେ ।

  ସମୟ ବିଳମ୍ବ ନକରି ଗୋଆ ପୋଲିସ ଛାନଭିନ କରିବାରୁ ଜଣାଗଲା ଯେ ସୂଚନା ଦେଇଥିବା ଠିକଣା ଓ ନମ୍ବରର କୌଣସି ବୈଧତା ନାହିଁ ।

  ତତକ୍ଷଣାତ ପୁନଶ୍ଚ କାବ ଡ୍ରାଇଭରଙ୍କୁ ପୋଲିସ ନିର୍ଦ୍ଦେଶ ଦେଲେ ଯେ ସେ ଯେଉଁ ସ୍ଥାନରେ ପହଞ୍ଚିଛନ୍ତି,ସେହି ଅଞ୍ଚଳର ଲୋକାଲ ଥାନାରେ ଗାଡି ରଖି ଦାୟୀତ୍ବରେ ଥିବା ପୋଲିସଙ୍କ ସହିତ ଯୋଗାଯୋଗ କରାଇଦେବା ପାଇଁ। ଡ୍ରାଇଭର ପରିସ୍ଥିତିର ଗୁରୁତ୍ୱକୁ ଉପଲବ୍ଧି କରି ତଦନୁରୂପ କାର୍ଯ୍ଯ କରିବାରୁ ଗୋଆ ପୋଲିସ ସମସ୍ତ ବିଷୟ ସଂକ୍ଷେପରେ ସ୍ଥାନୀୟ ପୋଲିସଙ୍କୁ ଜଣାଇ ଦେଲେ ଓ ଏକ ପୋଲିସ ଟିମ ଅଧିକ ଅନୁସନ୍ଧାନ ପାଇଁ ଯାତ୍ରା କଲେ ।

   ସୂଚନାଙ୍କୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପେଶ କରି ରିମାଣ୍ଡରେ ପୋଲିସ ଗୋଆକୁ ଆଣିବା ବେଳେ ପଚରା ଉଚରା ଚଳାଇ ଥାଏ । ଘଟଣା ସମ୍ପର୍କରେ ପୋଲିସ ଯାହା ତଥ୍ଯ ପାଇଲେ ସଂକ୍ଷେପରେ ତାହା ହେଉଛି, ସୂଚନା 2010ମସିହାରେ କେରଳ ନିବାସୀ ଭେଙ୍କଟରମଣଙ୍କୁ ବିବାହ କରିଥିଲେ । 2019ମସିହାରେ ତାଙ୍କର ଶିଶୁପୁତ୍ରଟି ଜନ୍ମଲାଭ କରିଥିଲା । 2020 କରୋନା ସମୟରୁ ତାଙ୍କ ସ୍ବାମୀଙ୍କ ସହିତ ସୂଚନାଙ୍କର ମନମାଳିନ୍ଯ ଆରମ୍ଭ ହୁଏ । ସ୍ବାମୀ ଓ ସ୍ତ୍ରୀ ପରସ୍ପର ଠାରୁ ଦୂରେଇ ରହନ୍ତି । ଏ ମଧ୍ଯରେ କୋର୍ଟରୁ ଛାଡପତ୍ର ବି ମଞ୍ଜୁର ହୋଇ ସାରିଛି । ମାତ୍ର ଶିଶୁଟି ପ୍ରତି ପିତାଙ୍କର ରହିଛି ବଡ ଦୁର୍ବଳତା । କୋର୍ଟ ଯଦିବା ଶିଶୁଟି ତାର ମା ସୂଚନାଙ୍କ ପାଖରେ ଅଧିକ ଯତ୍ନର ସହିତ ଲାଳନ ପାଳନ ହୋଇ ପାରିବ ମନେ କରି ସେହି ମର୍ମରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି,ତଥାପି ପ୍ରତି ସପ୍ତାହର ରବିବାର ଦିନ ପିତା ଚାହିଁଲେ ପତ୍ରଟିକୁ ସାକ୍ଷାତ କରିପାରିବେ ବୋଲି ସ୍ପଷ୍ଟ କରିଛନ୍ତି ।

  ଏହି ସର୍ତ୍ତ ଯୋଗୁ ସୂଚନା ବିଚଳିତ ହୋଇ ପଡିଲେ । ସେ କୌଣସି ପରିସ୍ଥିତିରେ ପିତା ଓ ପୁତ୍ରଙ୍କ ମଧ୍ଯରେ ଭେଟ ହେଉ ବୋଲି ଚାହୁଁ ନଥିଲେ । ବହୁତ ଭାବିବା ପରେ ତାଙ୍କ ମୁଣ୍ଡକୁ ଯେଉଁ ଦୁର୍ବୁଦ୍ଧି ଯୁଟିଲା ତାକୁ କାର୍ଯ୍ଯକାରୀ କରିବାକୁ ସେ ଗୋଆ ଆସିଥିଲେ । ପୁତ୍ରକୁ ଭେଟି ପିତା ଅର୍ଥାତ ତାଙ୍କ ଛାଡପତ୍ର ପାଇଥିବା ସ୍ବାମୀ ଯଦି ସାମୟିକ କିଛି ଖୁସି ପାଇଯିିବେ ତେବେ ତାହା ସୂଚନାଙ୍କୁ କାଳେ ଆଦୌ ବରଦାସ୍ତ ହୋଇ ପାରିବ ନାହିଁ ବୋଲି ସେ ହୃଦୟଙ୍ଗମ କଲେ। ସେ ନିଜର କୁତ୍ସିତ ଅହମିକାକୁ ବଜାୟ ରଖିବା ପାଇଁ ଶେଷରେ ନିଜ ମମତାକୁ ବି ବଳୀ ଚଢାଇ ଦେବାକୁ ପଛାଇଲେ ନାହିଁ । ଏକ ଅପରିଚିତ ସ୍ଥାନରେ ମୃତ ଶିଶୁଟିର ଶବକୁ ଠିକଣାରେ ଲଗାଇବାକୁ ଅସୁବିଧା ରହିଥିବାରୁ ତଥା କାଳେ ଉଡାଜାହାଜ ଯୋଗେ ଆସିଲେ ଚେକିଂବେଳେ ସବୁ ସତକଥା ଜଣା ପଡିଯିବ,ସେହି ଆଶଙ୍କାରେ ସେ କାବ ବୁକ କରି ଆସିବାକୁ ଚାହିଁଥିଲେ ବୋଲି ଜଣା ପଡିଲା ।

   କୁତ୍ସିତ ମାନସିକତା ଯୋଗୁ ମଣିଷ କେତେ ନୀଚ୍ଚ ସ୍ତରକୁ ଯାଇପାରେ ଓ ବିଦ୍ଯା,ଅର୍ଥ ଓ କ୍ଷମତାର ଅପପ୍ରୟୋଗ ଯେ କେତେ ଭୟାବହ , ସୂଚନା ହେଉଛନ୍ତି ତାର ଏକ ଜ୍ଜ୍ବଳନ୍ତ ନିଦର୍ଶନ । ମମତାକୁ ଯିଏ ନିଜ ନୃସଂଶ ହାତରେ ଖଣ୍ଡ ଖଣ୍ଡ କରି କାଟି ଦେଇ ଏକ ଥଳୀରେ ମୋଡି ମକଚି ଟିକିଏ ବି ଭୟ ଓ ସଙ୍କୋଚ ନକରି ନିଜ ଭବିଷ୍ୟ ସୁଖ କଥା ଚିନ୍ତା କରିପାରେ ସିଏ ମାଆ ନୁହେଁ ଲୋକକଥାରେ ପ୍ରଚଳିତ ପୈଶାଚିକ ପ୍ରବୃତ୍ତିର ଏକ କଞ୍ଚା ଡାହାଣୀ ନୁହେଁ କି ?

      



Rate this content
Log in

Similar oriya story from Horror