ଡାହା ମିଛୁଆ ପଡିଲେ ଧରା
ଡାହା ମିଛୁଆ ପଡିଲେ ଧରା
କଳସପୁର ଗାଁଠାରୁ କବୀରପୁର ଉଚ୍ଚ ବିଦ୍ଯାଳୟ ପ୍ରାୟ ତିନି କିମି ଦୂର । ସେହି ଗାଁରୁ ହରି,ବ୍ରଜ,ନାରଣ ଓ ରବି ପ୍ରତିଦିନ ସାଙ୍ଗ ହୋଇ ବିଦ୍ୟାଳୟକୁ ପଢିବାକୁ ଯାଆନ୍ତି । ବାଟରେ ଗପସପ କରି ଗଲେ ବିଦ୍ୟାଳୟରେ ପହଞ୍ଚିବାକୁ ବିଳମ୍ବ ହୋଇଯାଏ । ପିଲାମାନେ ଟିକେ ଦୂରରୁ ଆସୁଛନ୍ତି ବୋଲି ଶିକ୍ଷକ ଡେରି ହେଲେ ବି ସେମାନଙ୍କୁ ବେଶୀ କିଛି ଗାଳି ଦିଅନ୍ତି ନାହିଁ ।
ଚାରି ସାଙ୍ଗ ଶିକ୍ଷକ କିଛି ନ କହୁଥିବାରୁ ଧିରେ ଧିରେ ମନମୋଟିଆ ହୋଇଗଲେ । ଠିକ ସମୟରେ ଆସିବା ବଦଳରେ ହଲିଝୁଲି ଅଭ୍ଯାସଗତ ଭାବେ ଅଧିକ ବିଳମ୍ବରେ ଆସିବାକୁ ଲାଗିଲେ । ଶ୍ରେଣୀ ଶିକ୍ଷକ ଏକଥା ପ୍ରଧାନ ଶିକ୍ଷକଙ୍କ କାନକୁ ନେଲେ । ତା ପରଦିନ ପ୍ରଧାନ ଶିକ୍ଷକ ଶ୍ରେଣୀକୁ ହଠାତ ଆସି ସବୁ ଛାତ୍ରଛାତ୍ରୀଙ୍କୁ କହିଲେ,ପିଲାମାନେ କାଲି ଜିଲ୍ଲାର ଶିକ୍ଷା ଅଧିକାରୀ ବିଦ୍ଯାଳୟ ପରିଦର୍ଶନରେ ଆସୁଛନ୍ତି ।ସମସ୍ତେ ଠିକ ସମୟରେ ଆସି ପହଞ୍ଚିବା ଉଚିତ ।
ନିର୍ଦ୍ଧାରିତ ଦିନ ବି ଚାରି ଅଳସୁଆ ସାଙ୍ଗ ବିଦ୍ୟାଳୟକୁ ଠିକ ସମୟରେ ପହଞ୍ଚି ପାରିଲେ ନାହିଁ । ବରଂ ଠକିବାକୁ ଏକ ସୁନ୍ଦର ବାହାନା ଦେଖାଇବାକୁ ଠିକ କରିଥିଲେ । ଯଦି ଶିକ୍ଷକ ପଚାରନ୍ତି ତେବେ ସେମାନେ ଗୋଟିଏ କଥା କହିବ
େ ଯେ,ବାଟରେ ଦୁଇଟି ଷଣ୍ଢ ଲଢାଲଢି ହେଉଥିଲେ , ଏଣୁ ସେମାନଙ୍କୁ ଭୟ ଲାଗିବାରୁ ଟିକେ ରହିଗଲେ ।
ସେଦିନ ନିଜେ ପ୍ରଧାନ ଶିକ୍ଷକ ଶ୍ରେଣୀରେ ଉପସ୍ଥିତ ରହିଥାନ୍ତି । ଚାରିଜଣ ସାଙ୍ଗ ନମସ୍କାର ଜଣାଇ ଭିତରକୁ ଆସିବାକୁ ଅନୁମତି ମାଗିଲେ । ପ୍ରଧାନ ଶିକ୍ଷକ ବିଳମ୍ବର କାରଣ କଣ ପଚାରିବାରୁ ସମସ୍ତେ ଏକା ସ୍ବରରେ ପୂର୍ବରୁ ଭାବିଥିବା କଥା କହିଦେଲେ ।
ପ୍ରଧାନ ଶିକ୍ଷକ ସେମାନଙ୍କୁ ଜଣ ଜଣ କରି ପାଖକୁ ଡାକି ଷଣ୍ଢ ଦୁଇଟିର ରଙ୍ଗ କିପରି ଥିଲା ଚୁପକରି କାନରେ କହିବାକୁ କହିଲେ । ଏପରି ଚାରି ଜଣଙ୍କୁ ପଚାରି ସାରିବା ପରେ ସେ ଚାରିଜଣଙ୍କୁ ଧାଡିରେ ଠିଆ କରାଇଲେ । ଦୁଇଟା ଷଣ୍ଢଙ୍କ ରଙ୍ଗ ଚାରି ମୁହଁରେ କିପରି ଅଲଗା ହେଲା ବୋଲି ପଚାରିଲେ । ଶ୍ରେଣୀ ଗୃହରେ ସମସ୍ତଙ୍କ ଆଗରେ ଚାରି ଅଳସୁଆ ସାଙ୍ଗଙ୍କ ସେଦିନ ଡାହା ମିଛ ଧରାପଡିଗଲା । ଲାଜରେ ମୁହଁ ଉଠାଇ ସେମାନେ କାହାକୁ ଚାହିଁ ବି ପାରୁ ନଥାନ୍ତି ।
ପ୍ରଧାନ ଶିକ୍ଷକଙ୍କ ପାଖରେ ସବୁ ସତ ମାନି ସେହି ଦିନଠାରୁ ଆଉ କେବେ ବି ବିଦ୍ୟାଳୟରେ ପହଞ୍ଚିବାରେ ଡେରି କରିବେ ନାହିଁ ବୋଲି ଚାରି ସାଙ୍ଗ କଥା ଦେଲେ ।
----