ବାଘ ନୁହେଁ ସେ ବନଦେବୀ
ବାଘ ନୁହେଁ ସେ ବନଦେବୀ
ଆଜକୁ ପ୍ରାୟ ତିରିଶ ବର୍ଷ ତଳର କଥା । ନୂଆ ନୂଆ ମୁଁ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ଅବସ୍ଥାପିତ ହୋଇଥାଏ । ଅଗଷ୍ଟ-ସେପ୍ଟେମ୍ବର ମାସ ବେଳକୁ ଆମ ଅଫିସରେ ଅଡିଟ କାମ ଜୋରସୋରରେ ଚାଲିଥାଏ । ଯେମିତି ହେଉ ଦୁର୍ଗାପୂଜା ଆଗରୁ କାମ ସାରି ଅଡିଟ ସୁପରିଣ୍ଟେଣ୍ଡେଣ୍ଟ ଭୂବନେଶ୍ୱର ଫେରିଯିବାକୁ ତାଙ୍କ ସହକର୍ମୀଗଣଙ୍କୁ ନିର୍ଦ୍ଦେଶ ଦେଇଥାଆନ୍ତି। ରାତ୍ରୀର ବିଳମ୍ବିତ ପ୍ରହର ଯାଏ କାମ ଚାଲେ । ଅଗତ୍ଯା ଆମକୁ ମଧ୍ଯ ସୌଜନ୍ଯ ଦୃଷ୍ଟିରୁ ଅଡିଟଦଳଙ୍କ ପାଖେ ପାଖେ ଉପସ୍ଥିତ ରହି ସହଯୋଗ କରିବାକୁ ପଡେ ।
ସୁପରିଣ୍ଟେଣ୍ଡେଣ୍ଟ ରଥବାବୁ ଭାରି ମେଳାପୀ ଲୋକ । ପୁୁରୀ ଜିଲ୍ଲାର ପିପିଲି ଠାରୁ ଅଳ୍ପ ଦୂରରେ ତାଙ୍କର ଘର । ସେ ଦିନ ମଙ୍ଗଳବାର ଯୋଗକୁ ସଂକ୍ରାନ୍ତି ଥାଏ । ସଞ୍ଜ ହେବା ପରେ ଆକାଶରେ ମେଘ ଢାଙ୍କିବା ଯୋଗୁ ବାହାରେ କିଟିମିଟି ଅନ୍ଧାର । ରାତି ଦଶଟା ପାଖାପାଖି ହେବ ,କାମ ସାରିବା ପରେ ରଥବାବୁ କହିଲେ ଟିକେ ମେଟାକାନି ମନ୍ଦିର ବୁଲି ଯିବାକୁ ଇଚ୍ଛା ହେଉଛି । ତାଙ୍କ ପାଟିରୁ କଥା ନ ସରୁଣୁ ଆମ ଏଜୁକେଟର ଗୌରକିଶୋର ବାବୁ ତ ଉଠି ସଙ୍ଗେ ସଙ୍ଗେ ଠିଆ ହୋଇ ପଡିଲେ । ସେ ନୟାଗଡ ଖଣ୍ଡପଡା ଅଞ୍ଚଳର । ଜଣେ ଭଲ ଗାଳ୍ପିକ ଓ କବି ଭାବେ ଜଣାଶୁଣା । ରଥବାବୁଙ୍କ ସହିତ ଏଇ କିଛିଦିନ ହେଲା ବନ୍ଧୁତା ବେଶ ଜମାଇ ଦେଇ ଥାନ୍ତି । ରଥବାବୁଙ୍କ ସହିତ ଆମ୍ଭେ ଦୁହେଁ ତାଙ୍କ କାରରେ ବସି ସମ୍ବଲପୁର ଆଡକୁ ପ୍ରାୟ ଚାରି କିମି ଦୂରରେ ଥିବା ମେଟାକାନୀ ଅଭିମୁଖେ ବାହାରିଲୁ ।
ଆଜିକାଲି ପରି ସେତେବେଳକୁ ଉଲୁଣ୍ଡା ଅଞ୍ଚଳରେ ସେତେ ଉନ୍ନତି ହୋଇ ନଥିଲା । ସୁବର୍ଣପୁରକୁ ଯାତାୟତ ଲାଗି ମହାନଦୀ ଉପରେ ସବୁଦିନିଆ ସେତୁ ନିର୍ମାଣ ହୋଇ ନଥିଲା । ସନ୍ଧ୍ଯା ଚାରିଟା ପରେ ବୀରମହାରାଜପୁର ଠାରୁ ଶେଷ ବସଟି ସମ୍ବଲପୁର ଯିବା ପରେ ରାସ୍ତାରେ କାଁ ଭାଁ ଗାଡି ମଟର ଓ ବିଶେଷ କାମ ଥିଲେ ଲୋକବାକ ଯା ଆସ କରୁଥିଲେ ।
ଆମେ ରାସ୍ତାକଡରେ ନୂଆ ତିଆରି ହୋଇଥିବା ମା ମେଟାକାନୀଙ୍କ ବିଜେସ୍ଥଳୀର ଅତି ପାଖରେ ପହଞ୍ଚି ଯାହା ଦେଖିଲୁ ,ତା ଅବର୍ଣ୍ଣନୀୟ । ଭୟରେ ଆମ ରୋମମୂଳ ଟାଙ୍କୁରି ଉଠିଲା । ଛୋଟ ମନ୍ଦିର ଆଗରେ ଦ
ୁଇ ପାର୍ଶ୍ବରେ ଦୁଇଟି ସିଂହ ମୂର୍ତ୍ତି ରହିଥିଲା ।କିନ୍ତୁ ଠିକ ମଝିରେ ବସି ରହିଥିଲା ଏକ ମହାବଳ ।
ଆମେ ପ୍ରଥମେ ନିଜ ଆଖିକୁ ବିଶ୍ବାସ କରି ପାରିଲୁନି । ବାଘଟି ଗାଡିକୁ ଦେଖି ଧିରେ ଧିରେ ସେଠାରୁ ଅପସରି ଗଲା ।
ରଥବାବୁ ଆଉ ଗାଡିରୁ ନ ଓହ୍ଲାଇ ଉଲୁଣ୍ଡା ଆଡକୁ ବୁଲାଇଲେ । ରେଢାଖୋଲ ତଥା ଉଲୁଣ୍ଡାରେ ବହୁ ସମୟରେ ବଣୁଆ ହାତୀ ଓ ଭାଲୁ ଉପଦ୍ରବ କରିବା ଆମ୍ଭେ ଶୁଣିଥିଲୁ ,କିନ୍ତୁ ବ୍ଯାଘ୍ର ପୁଣି ମହାବଳ ଥିବା କଥା କାହାରି ଠାରୁ ବି ଶୁଣିନଥିଲୁ ।
ତା ପରଦିନ ସକାଳୁ ଗାଧୋଇ ପୁଣି ଆମ୍ଭେ ତିନିଜଣ ମାଆ ମେଟାକାନୀଙ୍କ ଦର୍ଶନ ପାଇଁ ଗଲୁ । ଡାଲାରେ ପୂଜା ସାମଗ୍ରୀ ପୂଜକଙ୍କୁ ବଢାଇ ଦେଇ ମାଆଙ୍କ ଆଗରେ ଭକ୍ତିପୂତ ପ୍ରଣିପାତ କଲୁ । ରଥବାବୁ ପୂଜକଙ୍କୁ ପୂର୍ବରାତ୍ରୀର ବୃତ୍ତାନ୍ତ କହି ଶୁଣାଇଲେ । ପୂଜାରୀ ଆମକୁ ବୁଝାଇ କହିଲେ ସେ ବାଘ ନୁହେଁ,ସାକ୍ଷାତ ବନଦେବୀ ମାଆ ମେଟାକାନୀ । ଆପଣମାନେ ତାଙ୍କ ଦୁର୍ଲଭ ଦର୍ଶନ ପାଇବା ଅତ୍ୟନ୍ତ ସୌଭାଗ୍ଯର କଥା ।
ବେଶ କିଛି ସମୟ ଦେଇ କୁତମେଣ୍ଡା ଗାଁର ନିିଜକୁ ମେଟା ଲୁହୁରାର ବଂଶଧର ଭାବେ ପରିଚୟ ଦେଉଥିବା ସେ ଝାଙ୍କର ପୂଜାରୀ ମହାଶୟ କିପରି ଅସହାୟ ମାତୃହରା କନ୍ଯା ହେମଲତାକୁ ସୁବର୍ଣ୍ଣପୁରର ତତକାଳୀନ ପ୍ରଜାନୁରଞ୍ଜକ ରାଜା ବୀରବରଦେବ ରଜାଝିଅ ପରି ଲାଳନପାଳନ କଲେ, ଉଲୁୁଣ୍ଡା ନିକଟସ୍ଥ ଦକ୍ଷିଣିପାଲିର ଶଙ୍କର ବେହେରାଙ୍କ ସୁପୁତ୍ର ବସୁଦେବ ସହ ବିବାହ ଦେଲେ , ହେମଲତା ଘରଯୋଗ୍ଯା ହେବାପରେ ଇଷ୍ଟଦେବୀ ସୁରେଶ୍ଵରୀଙ୍କ ଆଜ୍ଞାରେ ପଟୁଆର ସହିତ ଶାଶୁଘରକୁ ପଠାଇଥିଲେ ,ତାର ପଣତକାନୀ କାହିଁକି ରକ୍ତଧାର ବହୁଥିଲା ତଥା ତାଙ୍କ ପୂର୍ବଜ ମେଟା ଲୁହୁରାଙ୍କ କି ବିଶେଷ ଭୂମିକା ରହିଥିଲା ତାର ସବିଶେଷ ବୃତ୍ତାନ୍ତ ବର୍ଣ୍ଣନ କରିଥିଲେ ।
ଆମ୍ଭେ ଘଞ୍ଚ ବଣପାହାଡ଼ ଘେରା ସୁବର୍ଣ୍ଣପୁର ଅଞ୍ଚଳର ଐତିହ୍ଯର ଚିତ୍ତାକର୍ଷକ କାହାଣୀ ଶୁଣି ଆତ୍ମବିଭୋର ହୋଇ
ଯାଇଥିଲୁ । ବନ୍ଧୁ ଗୌରକିଶୋର ସେହିଦିନ ହିଁ ମାଆ ମେଟାକାନୀଙ୍କ ଲୋକକଥାକୁ ଆଧାର କରି ଏକ ସୁନ୍ଦର ଗୀତିଗାଥା ଚଟିବହି ରଚନା କରି ପରେ ଅଞ୍ଚଳର ବହୁ ଗୁଣୀଜ୍ଞାନୀଙ୍କ ଶ୍ରଦ୍ଧାଭାଜନ ହୋଇ ପାରିଥିଲେ ।