ଭିିନ୍ନ ଏକ ଧଳାବାଘ
ଭିିନ୍ନ ଏକ ଧଳାବାଘ
ଉଆଁଶ ରାତିର କିଟିମିଟିଆ କଳା ଅନ୍ଧାରକୁ ଚିରି ରତ୍ନ ଅଳଙ୍କାର ବିଭୂଷିତ ଧଳାବସ୍ତ୍ର ପରିହିତ ରାଜା ବିକ୍ରମାର୍କ ଦ୍ରୁତ ପଦବ୍ରଜରେ ଆଗକୁ ମାଡି ଚାଲିଥାନ୍ତି । ସତେ ଯେମିତି ସତ୍ଯର ଅନୁସନ୍ଧାନ ପାଇଁ ସେ ପାଲଟି ହୋଇ ଯାଇଛନ୍ତି ଭିନ୍ନ ଏକ ଧଳା ବାଘ । ହଠାତ ଅନୁଭବ କଲେ ତାଙ୍କ କନ୍ଧ ଓ ପିଠିରେ ସତେ ଯେମିତି କଛି ଓହଳି ରହିଛି ଭାରି ଓଜନ ।
କିଏ ତୁମେ ଅଶରିରୀ ? ଏମିତି ଆସି ମୋ ଉପରେ ସବାର ହେବାର କଣ ରହିଛି ତୁମର ଉଦ୍ଦେଶ୍ଯ ? ପ୍ରଶ୍ନ କଲେ ରାଜନ ।
ମୋତେ ତୁମର ଜଣେ ସେବକ ବା ସହଚର ମନେ କରିପାର । ଏବେ ଟିକେ ମୋ କଥା ମନଦେଇ ଶୁଣ । ଏହା ନିଶ୍ଚିତ ତୁମ ପଥଶ୍ରମକୁ ଲାଘବ କରିବ ଏବଂ ମୁଁ ଯତ୍ପରନାସ୍ତି ତୁମର ଲକ୍ଷ୍ଯ ସିଦ୍ଧି ପାଇଁ ପ୍ରଯତ୍ନଶୀଳ ହେବି । ମୋ କଥା ଶୁଣି ଏବଂ ପଚାରିଥିବା ପ୍ରଶ୍ନର ସଠିକ ଉତ୍ତର ଦେଇ ପାରିଲେ ମୁଁ ଆପଣା ଛାଏଁ ଆପଣଙ୍କ ପାଖରୁ ଅପସରି ଅଦୃଶ୍ଯ ହୋଇଯିବି ,ଅନ୍ଯଥା ତୁମର ଅଶେଷ କିଛି କ୍ଷତି ଘଟାଇବି ।
ରାଜା ଅନ୍ଯନୋପାୟ ହୋଇ ଚୁପ ରହିଲେ । ଅଶରିରୀ କହି ଚାଲିଲା-
ପୌରାଣିକ ଯୁଗ ମହାଭାରତ କାଳର କଥା । କରୁଷ ଦେଶର ରାଜା ଥିଲେ ପୌଣ୍ଡ୍ରକ । ସେ କୃଷ୍ଣଙ୍କ ପରି ବେଶ ପରିପାଟୀରେ ସଜ୍ଜିତ ହୋଇ ନିଜକୁ ନିଜେ ଭଗବାନ ବାସୁଦେବ ବୋଲାଇଲା । ତାକୁ ପୂଜା ନକଲେ ସେ ସମସ୍ତଙ୍କୁ ମାରି ପକାଇବ ବୋଲି ଧମକଚମକ ଦେଲା । ଦ୍ବାରକାକୁ ଦୂତ ପଠାଇ କିଏ ପ୍ରକୃତ ଭଗବାନ ବୋଲି ପରିଚୟ ସ୍ପଷ୍ଟ କରିବାକୁ ସମ୍ମୁଖ ଯୁଦ୍ଧ ପାଇଁ ଆହ୍ବାନ ଦେଲା । ଶ୍ରୀକୃଷ୍ଣ ମଧ୍ଯ ତାହାର ଏତାଦୃଶ୍ୟ ଧୃଷ୍ଟତାର ଉଚିତ ଶିକ୍ଷା ଦେବାକୁ ସ୍ଥିର କଲେ । ପୌଣ୍ଡ୍ରକ ନିଜର ଦୁଇ ଅକ୍ଷୌହିଣୀ ଏବଂ ମିତ୍ର କାଶୀରାଜାଙ୍କ ତିନି ଅକ୍ଷୌହିଣୀ ଏମିତି ମୋଟରେ ପାଞ୍ଚଟି ଅକ୍ଷୌହିଣୀ ବିରାଟ ସୈନ୍ଯବାହିନୀ ନେଇ ଯୁଦ୍ଧ କଲା । ଘମାଘୋଟ ଲଢାଇ ଚାଲିଲା । ଏ ଥିଲା ସତ୍ଯ ଓ ଛଳପ୍ରପଞ୍ଚ ମଧ୍ଯରେ ଏକ ଅଦ୍ଭୁତ ସଂଗ୍ରାମ । ଶେଷରେ କୃଷ୍ଣଙ୍କ ଚକ୍ର ସୁଦର୍ଶନ ପୌଣ୍ଡ୍ରକର ଶିର ଛେଦନ କଲା । କାଶୀରାଜ ମଧ୍ଯ ଯୁଦ୍ଧରେ ନିହତ ହେଲେ ।
ରାଜା ବିକ୍ରମାର୍କ କେବଳ ହୁଁଟି ମାରି ଆଗକୁ ଚାଲୁଥାନ୍ତି ।
ବେତାଳ କହି ଚାଲିଥାଏ- ରାଜନ ! ଏବେ ତ ଆପଣ ଖୁବ ଶକ୍ତିଶାଳୀ , ସାରା ଜଗତରେ ଜଣେ ଶ୍ରେଷ୍ଠ ଜନନାୟକ କହିଲେ ଅତ୍ୟୁକ୍ତି ହେବ ନାହିଁ । ମୋ ଜାଣିବାରେ ଏବେ ଆପଣ ମଧ୍ଯ ଚତୁର୍ଭୁଜ । ଆପଣଙ୍କ ଦୁଇ ହାତ ସହିତ ମୋର ଦୁଇ ମିଶି
ଯାଇଛି । ଦିିବ୍ଯ ଆୟୂଧ ଭାବରେ ଆପଣ ଶଙ୍ଖ ତ ଧାରଣ କରିଛନ୍ତି , ଚାହିଁଲେ ହସ୍ତରେ ପଦ୍ମବି ଖେଳି ପାରୁଛି , ସବୁଠାରୁ ଗରୀୟାନ ଶ୍ରେଷ୍ଠ ଭାବରେ ଆପଣ ମଧ୍ଯ ଗଦାଧର । ଆପଣଙ୍କ ଇଚ୍ଛାରେ ସବୁକିଛି ଚଳୁଛି ,ସମୟର ଚକ୍ର ବୁଲୁଛି । ଯଦି ଆପଣ ଚାହିଁବେ , ଚିରଦିନ ମୋ ସହଯୋଗରେ ଏମିତି ସର୍ବେଶ୍ଵର ଭଗବାନ ହୋଇ ରହିବେ । ମୋତେ ସବାର ହୋଇ ରହିବାକୁ ଦେବାରେ କଣ ଅସୁବିଧା ରହିଥିଲେ ଖୋଲି କରି କହନ୍ତୁ ।
ରାଜି ଥିଲେ ଧାରଣ କରିଥିବା ତୀକ୍ଷ୍ଣ ତରବାରୀ ତ୍ୟାଗକରନ୍ତୁ ,ମୁଁ ଆପଣଙ୍କ କରକମଳରେ ଦିବ୍ୟାସ୍ତ୍ର ସୁଦର୍ଶନ ନିର୍ମାଣ କରାଇ ଅର୍ପଣ କରିବି ।
କ୍ଷଣିଏ ମାତ୍ର ବିଳମ୍ବ ନକରି ରାଜନ ଉତ୍ତର ଦେଲେ - ଦୁଷ୍ଟ ମୁଁ ନୁହେଁ ପୌଣ୍ଡ୍ରକ। ଇଷ୍ଟ ଏକା ମହାପ୍ରଭୁ ଜଗନ୍ନାଥ ,ଖଣ୍ଡାୟତ ହସ୍ତ ପ୍ରତି ରହିଛି ମୋ ସୁବିଶ୍ବାସ, ଚାହୁଁନାହିଁ ମରିବାକୁ ଅକାଳେ ମୁଁ ମୁଣ୍ଡାଇ ଅପନିନ୍ଦାକୁ , ଆତ୍ମଗର୍ବ ମସ୍ତକକୁ କରେ ଭୂଲୁଣ୍ଠିତ ।
ଏତିକି ଶୁଣିବା ମାତ୍ରକେ ଛୁୁମନ୍ତର ହୋଇଗଲା ଅଶରିରୀ ବେତାଳଟା , ହସୁଥିଲେ ବିକ୍ରମାର୍କ , ଛାଟିପିଟି ବିକରାଳ କାନ୍ଦୁଥିଲା ଭୂତ ।
