ଅମାନିଆ ସର୍କସର ବାଘ
ଅମାନିଆ ସର୍କସର ବାଘ
ଆଜକୁ ପ୍ରାୟ ପଚାଶ ବର୍ଷ ତଳର କଥା । ଯାଜପୁର କଚିରି ପଡିଆରେ ବିଖ୍ୟାତ ଭାରତ ସର୍କସ ପଡିଥାଏ । ଲୋକ ଗହଳି ଦେଖିବ କଣ । ଜାଣିବ ଅଦିନରେ ମହାବାରୁଣୀ ଯୋଗ । ଆମ ଗାଁରୁ ମଧ୍ଯ ଦଳ ଦଳ ହୋଇ ଲୋକ ଦେଖିବାକୁ ଯାଉଥିଲେ । ମୁଁ ବି ଜିଦି କଲାରୁ ବାପାବୋଉଙ୍କ ସାଥିରେ ଗଲି । ଟିକଟକାଟି ଭିତରେ ପ୍ରବେଶ କରି ବହୁ ଚମତ୍କାର ଖେଳମାନ ଦେଖି ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲି । ଶୂନ୍ଯରେ ଦୋଳିଖେଳ ,ତାର ଉପରେ ଚାଲିବା , ଏକ ଗୋଲାକାର ଗମ୍ବୁଜ ଭିତରେ ଖୁବ ବେଗରେ ମଟର ସାଇକେଲ ଚାଳନା ସହିତ ଜୋକର ମାନଙ୍କ ମଜାଦାର ମୁଖଭଙ୍ଗୀ ଦର୍ଶକ ମାନଙ୍କୁ ଅଭିଭୂତ କରୁଥିଲା ।
ଶେଷକୁ ଥିଲା ବାଘମାନଙ୍କ ପ୍ରଦର୍ଶନ । ପିଞ୍ଜରା ଭିତରୁ ଜାତି ଜାତି ବାଘ ସବୁକୁ ମଞ୍ଚର ଏକ ନିବୁଜ ସ୍ଥାନକୁ ଛାଡି ଦିଆଗଲା । ସେମାନେ ଆସି ଉଦ୍ଦିଷ୍ଟ ଜାଗାରେ ଚାଟଶାଳୀ ପିଲା ଭଳି ବସିଲେ । ଶେଷକୁ ଯେଉଁ ବାଘଟି ବାହାରିଲା ସେ ଥିଲା କଳା ରଙ୍ଗର । ତାହାକୁ କୁଆଡେ ଆଫ୍ରିକାରୁ ଅଣାଯାଇଥିଲା । ତାର ଶରୀର ଗଠନ ଅପେକ୍ଷାକୃତ ପତରା ଲମ୍ବା ରହିଥିଲା । ରିଂମାଷ୍ଟର ହାତରେ ଥିବା ଚାବୁକ ଦେଖି ଅନ୍ୟସବୁ ବାଘ ଡରି ଯାଉଥିବା ବେଳେ ସେ ବଡ ଅବାଧ୍ଯ ହେବା ଲାଗୁଥିଲା । ଏକ ରିଂ ଭିତର ଦେଇ ଗଳି ସମସ୍ତେ ଯିବାବେଳେ ସେ ବହୁ କଷ୍ଟରେ ଯିବା ଦେଖାଗଲା ।
ଆମେ ଦେଖି ଆସିବା ଦୁଇ ଦିନ ପରେ ସର୍କସର ସୋ ଦେଖିଥିବା ଲୋକମାନଙ୍କଠୁ ଶୁଣିବାକୁ ମିଳିଲା ଯେ ସେ କଳାବାଘଟିକୁ ସର୍କସରେ ଆଉ ବାହାରକୁ ଅଣାଯାଉ ନାହିଁ, କାରଣ ଦ୍ବିପହରରେ ଅଳ୍ପ ଖାଦ୍ଯ ଦିଆ ଗଲାବୋଲି ସେ ସର୍କସର କର୍ମଚାରୀଙ୍କୁ ଆକ୍ରମଣ କରି କ୍ଷତବିକ୍ଷତ କରି ପକାଇଛି ।
ଯାହାହେଉ ଆମେ ସର୍କସର ବିଶେଷ ଆକର୍ଷଣ ଥିବା କଳାବାଘଟିକୁ ଦେଖିପାରି ଥିବାରୁ ଖୁସି ହେଉଥିଲୁ । କିଛିଦିନ ପରେ ଖବର କାଗଜ ସୂତ୍ରରୁ ଜଣା ପଡିଲା ଯେ ବିହାରର କେଉଁ ଏକ ସ୍ଥାନକୁ ସୋ କରିବାକୁ ଯିବାବେଳେ ପଶୁ ମାନଙ୍କୁ ନେଇ ଯାଉଥିବା ଗାଡି ଦୁର୍ଘଟଣାଗ୍ରସ୍ତ ହେବାରୁ ବହୁ ହିଂସ୍ର ଜନ୍ତୁ ମରି ଯାଇଛନ୍ତି ।
ସମ୍ବାଦଟି ଶୁଣି ଅତ୍ଯନ୍ତ ଦୁଃଖ ଲାଗିଲା । ଭାରତ ସରକାର ବି ସଂଜ୍ଞାନକୁ ତୁରନ୍ତ ନେଇ ଏପରି ପ୍ରଦର୍ଶନ ପାଇଁ ବଣର ହିଂସ୍ର ପଶୁ ମାନଙ୍କୁ ଅପବ୍ୟବହାର କରିବା ଉପରେ କଟକଣା ଲଗାଇଦେଲେ । ତାପରଠୁ ଆଉ ବଡ ବଡ ସର୍କସ ଦେଖିବାକୁ ମିଳିଲା ନାହିଁ ।
ଅମାନିଆ କଳାବାଘଟିର ପ୍ରତିବାଦ ପାଇଁ ପିଞ୍ଜରା ଭିତରେ ଦହଗଞ୍ଜ ହୋଇ ବଞ୍ଚୁଥିବା ଅନେକ ବନ୍ଯପ୍ରାଣୀ ସ୍ବଚ୍ଛନ୍ଦ ଜୀବନ ଫେରି ପାଇ ପାରିଲେ ।
