Satyabati Swain

Romance

2  

Satyabati Swain

Romance

*ବାଜେ ଝିଅ*

*ବାଜେ ଝିଅ*

6 mins
252


ଜୀବନରେ ଲିପ୍ସା ଦି ସଙ୍ଗେ ଦେଖା ହେଲେ କେବେ କଥା ହେବିନି। ସେ ଜଣେ "ବାଜେ ଝିଅ"। ଏ ଧାରଣାଟି ମୋ ଭିତରେ ଲିପ୍ସା ଦି ପ୍ରତି ଘୃଣା ଭାଵ ସୃଷ୍ଟି କଲା। ମନେ ମନେ ତା ସହ କଟି,କଟି,କ..ଟି ପକେଇ ଦେଲି।


ଲିପ୍ସା ଦି ମୋର ଭାରି ପ୍ରିୟ ଥିଲା। କିନ୍ତୁ ଯେଉଁଦିନ ସବୁ ଲୋକଙ୍କ ଆଗେ ତା ବାବା ପଚାରିଲେ-କହ ଲିପ୍ସା! ତୁ ରିଙ୍କୁକୁ ଭଲ ପାଉ?" ସେଦିନ ଲିପ୍ସା ଦି ତଳକୁ ମୁହଁ ପୋତି କାନ୍ଦୁଥିଲା ଓ ଚୁପ୍ ରହିଲା। ତା ବାବା ଖିଙ୍କାରୀ ଉଠି କହିଲେ ଦେଖେ ବିଭୁ ! ତୋ ପୁଅ କାରସାଦି ଦେଖେ। ମୋ ଝିଅକୁ ପ୍ରେମ କରିବ,ନାଇଁ। ଭାରି ବହପ ହୋଇଗଲାଣି ତୋ ସାନ ପୁଅର। ବୁଝିଲୁ ବିଭୁ! ତୋର ଅତ୍ୟଧିକ ଗେହ୍ଲା ଓ ଶାସନ ଅଭାବରୁ ରିଙ୍କୁଟି ଅମଣିଷ ହେବାକୁ ବସିଲାଣି। ତୁ ମୋ ସାଙ୍ଗ,ସେଥିପାଇଁ କହୁଛି ତୋ ସାନ ପୁଅକୁ ବୁଝା। ହିରୋ ଗିରି ଦେଖାଉଛି। ଛଡେଇ ଦେବି ସବୁ ରଙ୍ଗ। ଜେଲରେ ପଶି ଚକି ପେଷୁଥିବ ଜୀବନ ସାରା। ହଁ..ମୋ ଝିଅ ଯଦି କହିଥାନ୍ତା ରିଙ୍କୁ କୁ ସେ ଭଲ ପାଏ ବୋଲି ତେଣିକି ବିଚାର କରିଥାନ୍ତି। କିନ୍ତୁ ଶୁଣିଲୁ ତ ମୋ ଝିଅ କହିଲା କି ରିଙ୍କୁ କୁ ଭଲ ପାଏ ବୋଲି। କି ସାହସ ତୋ ପୁଅ କଲା!! ମୋ ଝିଅକୁ ନେଇ ପିକ୍ଚର୍ ଦେଖିବାକୁ ଗଲା!! ସାବଧାନ....ଆଉ କେବେ ଯେମିତି ଏ ଭୁଲ୍ ନ କରେ। ତୁ ତ ଜାଣିଛୁ ମୁଁ ସୂର୍ଯ୍ୟ ମହାପାତ୍ର କେତେ ରାଗି ପୋଲିସ୍ ଵାଲା। ଆଚ୍ଛା ଆଚ୍ଛା ଲୋକଙ୍କୁ ପାଣି ପିଆଇ ଦିଏ। ତୋ ପୁଅ ଟା କଣ କି!


ମୁଁ କିନ୍ତୁ ଆଶ୍ଚର୍ଯ୍ୟ ହେଲି। ଲିପ୍ସା ଦି ଚୁପ୍ ରହିଲା କାହିଁକି?

ମୁଁ ଜାଣିଛି ସେ ମୋ ରିଙ୍କୁଦାଦାଙ୍କୁ ବହୁତ ଭଲ ପାଏ। ସତରେ କଣ ମୋ ରିଙ୍କୁ ଦାଦା ଯାହା କୁହେ ଲିପ୍ସା ଦି ଖରାପ ବାବାର ବାଜେ ଝିଅ! ରିଙ୍କୁ ଦାଦାଙ୍କୁ ମୁଁ ଭାରି ଭଲ ପାଏ।ସେ ମୋତେ ପାଠ,ଗୀତ,ନାଚ ସବୁ ଶିଖାନ୍ତି।କିନ୍ତୁ ଏଇ ଲିପ୍ସା ଦି ପାଇଁ ମୋ ଦାଦା ଆମଠାରୁ ବହୁତ ଦୂରରେ।


ରିଙ୍କୁ ଦାଦା ମୋର ଭୁବନେଶ୍ୱରରେ ଇଞ୍ଜିନିୟରିଙ୍ଗ୍ ପଢୁଥିଲେ। ପ୍ରାୟତଃ ଛୁଟି ହେଲେ ସେ ଘରକୁ ଆସନ୍ତି। ଯେମିତି ମୋ ରିଙ୍କୁ ଦାଦା ଘରକୁ ଆସିବ;ଲିପ୍ସା ଦି କେମିତି ଶୁଙ୍ଘି ଶୁଙ୍ଘି ଚାଲି ଆସିବ। ମୋ ମାମା ହାତରୁ କାମ ଛଡେଇବ। ମୋ ମାମା ହାତରୁ ଚା ନେଇ ଜେଜଙ୍କୁ ଦେବ। ଶେଷରେ ମୋତେ ନେଇ ମୋ ଦାଦା ରୁମ୍କୁ ଯିବ। ଦାଦା ଡାଇରୀରେ କଣ ଗାରେଇବ। ତାଙ୍କ କଲମ କାମୁଡିବ। ଦାଦାଙ୍କ ଭାଓଲିନ୍ ରେ ଟୁଙ୍ଗ୍ ଟାଙ୍ଗ୍ କରିବ।ହେ ରିଙ୍କୁ ! ମୋତେ ଟିକେ ଭାଓଲିନ୍ ଶିଖାଇ ଦେ କହିବ। ନଦି ହେଉଥିବ ମୋ ଦାଦା ଉପରେ। ରିଙ୍କୁ ମୋ ପାଇଁ ଭୁବନେଶ୍ୱରରରୁ କିଛି ଆଣିନୁ,ପଚାରି ହେଉଥିବ?? ଦରାଣ୍ଡି ପକାଇବ ମୋ ଦାଦା ବ୍ୟାଗ ପତ୍ର। ଦାଦା ପକେଟ୍ ରୁ ଶେଷରେ ବହାରିବ,ସୁନ୍ଦର ଗୋଲାପ ଫୁଲଟିଏ। କି ଚମତ୍କାର ଖୁସି ନେସି ହୋଇଯିବ ଲିପ୍ସା ଦି ମୁହେଁରେ!!।କହିବ ମୁଁ ଜାଣିଥିଲି ତୁ ମୋ ପାଇଁ ନିଶ୍ଚେ ଫୁଲଟିଏ ଆଣିଥିବୁ।


ମୋ ରିଙ୍କୁ ଦାଦା କହିବ ହେ...ଗଲୁ ତୁ,ସେମିତି କଣ ହେଉଛୁ?।ସେ ଫୁଲ ଟା ମୁଁ ମୋ ଗେହ୍ଲଇ 'ଖୁସି' ପାଇଁ ଆଣିଥିଲି ନା। ବୁଝିଲୁ ହୁଣ୍ଡି!ଆମେ ଏବେ ବଡ଼ ହେଲେଣି।ଛୋଟ ଛୁଆ ପରି କଣ ହେଉଛୁ?ମୁଁ ଯେମିତି ଆମ ଘରକୁ ଆସୁଛି ତୁ କଣ ବିଲେଇ ପରି ଶୁଙ୍ଘି ଶୁଙ୍ଘି ପଲେଇ ଆସୁଛୁ?ପୁଣି କେମିତି ହେଉଛି ଦେଖ।ଲୋକେ ଖରାପ ଭାବିବେ।ଏମିତିରେ ତୋ ବାବା ଖାଉ ପୋଲିସ୍ ଇନ୍ସପେକ୍ଟର ଭାବେ ଜଣା ଶୁଣା।ତୁ ତାଙ୍କରି ଝିଅ ରେ ବାବା।ସତ ମିଛ ଯୋଡି କଣ ନାଇଁ କଣ କରିଦେବେ।ତୋ ଦୁଇ ଖୁରାକୁ ଜୁହାର ଲୋ ଲିପ୍ସା।ବୁଝିଲୁ ଫୁଲେଇ ରାଧୀ!ତୁ ଯେମିତି ହେଉଛୁ ଯେ କେହି ଦେଖିବ କହିବ କି ତୁ ମୋତେ ଭଲ ପାଉ।


ହଁ ତ ଭଲ ପାଏ।କଣ କରିବୁ ଆଁ।ମୁଁ କଣ ମୋ ବାବାଙ୍କୁ ଡରିଛି?କହିଦେବି ତୋତେ ମୁଁ ଭଲ ପାଏ।ଭଲ ପାଇବାରେ ବାବା ଫାବା କିଛି ମାନିବି ନାହିଁ।କହିବୁତ ଏବେ ଆଜିଠାରୁ ତୁମ ଘରେ ରହିଯିବି।


ହେ ..ହେ..ଲିପ୍ସା!ତୁ ଗଲୁ ମା।ଏତେ ଆଉ ଭଲ ପା'ନା।ହାତ ଯୋଡି ରିଙ୍କୁ ଦାଦା କହିବେ 


ଉଁ...ଭାରି ଛଇ କାଢୁଛୁ ତ।ଓହୋ କି ଗୋଟେ ଭୁବନେଶ୍ୱରରେ ଯାଇ ପଢୁଛୁ ବୋଲି କି ରଙ୍ଗ ଦେଖ ବାବୁଙ୍କର?ନା କେଉଁ ଝିଅ ତୋତେ ଲାଇନ ମାରୁଛି ବା।ନା ତୁ କାହାକୁ ରସିଛୁ?କୁହେ ଲିପ୍ସା ଦି।


ହଁ ମୁଁ ରସିଛି।ମୁଁ କୁଆଡେ ରଣବୀର କପୁର ପରି ଦେଖାଯାଏ।କେତେ ଝିଅ ମୋ ପଛରେ ପଡିଛନ୍ତି।ତୋତେ କିଏ ପଚାରେ ମ।କୁହନ୍ତି ରିଙ୍କୁ ଦାଦା।ତୁ ଏମିତି କେଉଁ ସୁନ୍ଦରୀ ଟା କି??ରସିକିଆ କରି ଦାନ୍ତ ଚିପି ହସୁ ହସୁ କୁହନ୍ତି ରିଙ୍କୁ ଦାଦା।


ମୁହଁଟାକୁ ନେଫେଡେଇ ଲିପ୍ସା ଦି କୁହେ ଆହା ଲୋ ମୋ ର... ଣ...ବୀ...ର ....।କେଉଁ କାଟ୍ରିନା କି ପ୍ରିୟଙ୍କା ତୋତେ ରସନ୍ତି ବା।ବାସ୍!ଫୋପାଡା ଫୋପାଡ଼ି ଚାଲେ ଦୁହିଁଙ୍କର।ମୁଁ ବିଚରା ମଝିରେ ଥାଇ ସାକ୍ଷୀ,ଓକିଲ ଓ ବିଚାର ପତି ଦୁହିଁଙ୍କର ହୁଏ।ଗଲା ବେଳେ ଲିପ୍ସା ଦି ମୋ ରିଙ୍କୁ ଦାଦାକୁ ଗୋଟେ କିସ୍ ଦେଇ ବିଜୁଳୀ ବେଗରେ ଦଉଡ଼ି ପଳାଏ।


ଦାଦା ମୋ ମାମାଙ୍କୁ ଡାକି କୁହନ୍ତି-ଭାଉଜ !ସେ ଚଣ୍ଡି ଲିପ୍ସା ଆସିଲେ ମୋ ରୁମ୍ କୁ ଛାଡିବ ନାହିଁ ତ...।ଭାରି ହଇରାଣ କରୁଛି।


ମୋ ମାମା ଟିକେ ମୁଚୁକୁନ୍ଦିଆ ହସ ଟିଏ ହସିଦିଏ।ପ୍ରାୟତଃ ରିଙ୍କୁ ଦାଦା ଘରକୁ ଆସିଲେ ଲିପ୍ସା ଦି ଆସେ ଓ ଦୁହିଁଙ୍କର ଏମିତି ଖୁପୁରା ଖୁପୁରି ହୁଏ।ମୁଁ ମଝିରେ ଚକୋଲେଟ ହାତାଏ।


ସେଇ ଲିପ୍ସା ଦି କେମିତି ଚୁପ୍ ରହିଲା ତା ବାବା ପଚାରିଲା ବେଳେ।ସତରେ କଣ ଲିପ୍ସା ଦି ଜଣେ ବାଜେ ଝିଅ?ସତରେ ସେ ମୋ ରିଙ୍କୁ ଦାଦାଙ୍କୁ ଭଲ ପାଉ ନଥିଲା।ଗାଁ ଟା ଯାକ ରୁଣ୍ଡ କରି ଯେଉଁ ଅପମାନ ମୋ ଜେଜଙ୍କୁ ଲିପ୍ସା ଦି ବାବା ଦେଲେ- ତା ଫଳ ସ୍ୱରୂପ ଦାଦାଙ୍କୁ ଭୁବନେଶ୍ୱରରୁ ବାଙ୍ଗାଲୋର ମୋ ବାବାଙ୍କ ପାଖକୁ ପଠାଇ ଦିଆ ଗଲା।ଜେଜେ ତ ଦୁଇ ଦିନ ଗୁମ୍ ରହିଲେ।ଭେଣ୍ଡିଆ ପୁଅକୁ ହାତ ପୁରାଇ ଛେଛିଦେଲେ।ମୋ ଜେଜେ ଜଣେ ରାଜ୍ୟ ପାଳ ପୁରସ୍କାର ପ୍ରାପ୍ତ ହାଇ

ସ୍କୁଲ ପ୍ରଧାନ ଶିକ୍ଷକ ଥିଲେ।ଏଇ ତିନି ମାସ ହେବ ଅବସର ନେଇଛନ୍ତି।ସଭିଏଁ ଜାଣନ୍ତି ବିଭୁ ଦତ୍ତ ତାରେଣିଆ ଜଣେ ସ୍ୱାଭିମାନି ମଣିଷ।ଲିପ୍ସାବାବା ଓ ମୋ ଜେଜେ ଉପର ତଳ କ୍ଲାସ୍ ହୋଇ ପଢୁଥିଲେ।ଦୁହେଁ କିନ୍ତୁ ଭାରି ସାଙ୍ଗ ହୁଅନ୍ତି।ଜଣେ ପଇସା ବଳରେ ପୋଲିସ୍ ହେଲେ ଆଉ ଜଣେ ନିଜ ମେଧା ଶକ୍ତି ଯୋଗୁଁ ହାଇ ସ୍କୁଲ ପ୍ରଧାନ ଶିକ୍ଷକଟିଏ ହେଲେ।ପଇସା ଵାଲା ବୋଲି ସୂର୍ଯ୍ୟ ମହାପାତ୍ର ଇନ୍ଦ୍ର ଚନ୍ଦ୍ର ମାନନ୍ତି ନାହିଁ।କିନ୍ତୁ ମୋ ଜେଜେଙ୍କୁ ଡରନ୍ତି କାରଣ ଜେଜେ ତାଙ୍କ ପାଇଁ ଲିଖିତ ପରୀକ୍ଷା ଦେଇ ଥିବାରୁ ସେ ଆଜି ପୋଲିସ୍ ଅଫିସର୍। ଆଉ ବର୍ଷେ ଖଣ୍ଡେ ଚାକିରୀ ଅଛି ଲିପ୍ସା ଦି ବାବାଙ୍କର।ଭାରି ଲାଞ୍ଚ ଖିଆ ପୋଲିସ୍ ସେ ଦାଦା ବାଙ୍ଗାଲୋରରେ ରହିଲେ।ଲିପ୍ସା ଦି ବାହା ହୋଇ ଗଲା।ଏଇ ଲିପ୍ସା ଦି ପାଇଁ ମୋ ଦାଦା ଆଉ ଗାଁ କୁ ଆସନ୍ତି ନାହିଁ।ସେଇଥି ପାଇଁ ଲିପ୍ସା ଦି ଉପରେ ମୋର ଖୁବ୍ ରାଗ।


ସେଇ ଲିପ୍ସା ଦି କୁଆଁର ପୂର୍ଣ୍ଣିମା କରିବ ବୋଲି ଗାଁକୁ ଆସିଛି ।ବାହା ହୋଇ ତା ବର ସହ ହାଇଦ୍ରାବାଦ ଯାଇଥିଲା।ଲିପ୍ସା ଦି କୁଆଡେ ସ୍ୱର୍ଗ ଅପ୍ସରୀ ପରି ଲାଗୁଛି।ତା ଗୋରା ଚହ ଚହ ଚେହେରା ଆହୁରି ଜଳୁଛି।ତା ଗୋଲ୍ଡନ କଲର୍ ଶାଢ଼ୀ, ନାଲି ଚୁଡି,ବିନ୍ଦି,ଲିପ୍ ଷ୍ଟିକ୍ କୁଆଡେ ଭାରି ବଢ଼ିଆ ଦିଶୁଛି।ଚୁଟି ଗୁଡା ଚକ୍ ଚକ୍ କରୁଛି।ହାଇଦ୍ରାବାଦ ହାଇଦ୍ରାବାଦ ବାସୁଛି ଲିପ୍ସା ଦି।ମୋ ପରି ସାନ ପିଲା ମାନେ ଲିପ୍ସା ଦି କୁ ହାଁ କରି ଅନେଇଛନ୍ତି।ମୋର ଯଦିଓ ଇଚ୍ଛା ହେଉଥିଲା ଦେଖିବାକୁ କିନ୍ତୁ ମାମା ମନା କରିଛି।ତା ଛଡ଼ା ମୁଁ ତ ତା ସହ କଟି ପକେଇଛି।ସେ ସୁଦୁ ମିଛେଇ ଟା।ଗୋଟେ ବାଜେ ଝିଅ।


ମୋ ସାଙ୍ଗ ଶିବାନୀ ମୋତେ ଟାଣି ନେଇ କହିଲା ଆ ମ ଦେଖି ଆସିବା ଲିପ୍ସା ଦି ଙ୍କୁ।ବହୁତି ସୁନ୍ଦର ଦିଶୁଛି କାଳେ।ପୁରା ମେକ ଅପ୍ ହୋଇ ଆସିଛି।ଏକଦମ ହିରୋଇନ୍ ପରି ଦିଶୁଛି।ତିନି ଦିନ ରହି ପୁଣି ହାଇଦ୍ରାବାଦ ଚାଲିଯିବ।ତା ବର କୁଆଡେ ଛାଡିବାକୁ ଅମଙ୍ଗ ହେଉଥିଲା।ଖାଲି ଶେଷ କୁମାର ପୂର୍ଣ୍ଣିମା ଟା ତ;ଛାଡିଲା ବାଧ୍ୟ ହୋଇ ମାତ୍ର ତିନି ଦିନ।


ମୁଁ ମାମାକୁ ଲୁଚି ଲିପ୍ସା ଦି ପାଖକୁ ଗଲି।ଆଉ ଦେଖା ହେବ କି ନ ହେବ।ମୋର କିନ୍ତୁ ପଚାରିବାର ଅଛି ସେଦିନ ସବୁ ଲୋକଙ୍କ ଆଗେ କାହିଁକି କିଛି କହିଲା ନାହିଁ।ମୋ ରିଙ୍କୁ ଦାଦା ତା ପାଇଁ କାଇଁ ମାଡ଼ ଖାଇଲା

,ଦେଶାନ୍ତ୍ରରୀ ହେଲା।ସତରେ କଣ ସେ ମିଛି ମିଛିକା ଭଲ ପାଉଥିଲା।ଇସ୍!ଲିପ୍ସା ଦି କଣ ଦିଶୁଥିଲା?ମୁଁ କାନ୍ଦି ପକାଇଲି ତା କୋଳରେ ମୁଣ୍ଡ ଗୁଞ୍ଜି।ଏଇ ସୁନ୍ଦରୀ ହିରୋଇନ୍ ପରି ଦିଶୁଥିବା ଝିଅଟି ମୋ ଖୁଡି ହୋଇଥାନ୍ତା।କିନ୍ତୁ.....।ଭାବୁଥିଲି ପଚାରିବି ଲିପ୍ସା ଦି ତୁ ମିଛ କହିଲୁ କାହିଁକି?ହେଲେ ତା ଖୁସି ଦେଖି ଆଉ ଇଚ୍ଛା ହେଲାନି କିଛି ପଚାରିବାକୁ।ମୋତେ କେମିତି ଗୋଟେ ଅଣ ନିଃଶ୍ଵାସୀ ଲାଗିଲା।ଶିବାନୀ କୁ ଟାଣି ମୁଁ ବାହାରିଲି ଆସିବାକୁ।ଶିବାନୀ କହିଲା ରହ ଏତେ ତର ତର କଣ ହେଉଛୁ।ଲିପ୍ସା ଦି ମା ମୋତେ ଗଲା ବେଳେ ଦେଖା କରିବାକୁ କହିଛନ୍ତି।ତୁ ଥା ମୁଁ ଦେଖା କରି ଆସେ।


ମୁଁ କିନ୍ତୁ ସେଠି ରହିବାକୁ ଚାହୁଁ ନଥିଲି।କହିଲି ତୁ ପରେ ଆସିବୁ ମୁଁ ଯାଉଛି କହି ଆସିଲା ବେଳକୁ ଲିପ୍ସା ଦି ମୋ ହାତକୁ ଟାଣି ଧରି କହିଲା,-" ଖୁସି ତୁ ରାଗିଛୁ ମୁଁ ଜାଣେ।ରହ ତୋ ପାଇଁ ଗୋଟେ ଜିନିଷ ଆଣିଛି।"ଲିପ୍ସା ଦି ମୋତେ ଗୋଟେ ଚକୋଲେଟ୍ ଓ ଛୋଟ ଭାଓଲି

ନ୍ଟିଏ ଦେଲେ।ମୁଁ ବିସ୍ମିତ ହୋଇ କହିଲି-ଭାଓଲିନ୍ ମୋ ଦାଦା ପାଇଁ ନା?ସତ କହିବୁ ଲିପ୍ସା ଦି ସେଦିନ କାହିଁକି ମିଛ କହିଲୁ?ସତରେ ତୁ ମୋ ଦାଦାଙ୍କୁ ଭଲ ପାଉ ନ ଥିଲୁ??


ଲିପ୍ସା ଦି ସୁନ୍ଦର ମୁହଁଟିରେ ମେଘ ଘୋଟି ଆସିଲା।ବରକୋଳିଆ ଟୋପା ବର୍ଷା ବି ହେଲା। ସେ କୋହ ମିଶା ସ୍ୱରରେ କହିଲା -"ରିଙ୍କୁ କୁ ମୁଁ ବହୁତ ଭଲ ପାଏ,ପାଇବି ମଧ୍ୟ ବଞ୍ଚିଥିବା ଯାଏ।କିନ୍ତୁ ମୁଁ କଣ କରିଥାନ୍ତି କହିଲୁ-ମୋ ବାବା ଯେତେବେଳେ କହିଲେ- "ମୁଁ ଯଦି ରିଙ୍କୁ କୁ ଭଲ ପାଏ କହିବି ସେ ରିଙ୍କୁକୁ ଆତଙ୍କବାଦୀ ସଜେଇ ଜେଲ ପଠେଇ ଦେବେ।ବିଭୁ ମଉସା ଯେଉଁ ସ୍ୱାଭିମାନି ଲୋକ ସେ ତ ଆତ୍ମହତ୍ୟା କରିବେ,ରିଙ୍କୁ ବି କେଉଁ ବଞ୍ଚିବ?"ସେ ଦାଗୀ ହୋଇ ବଞ୍ଚି ପାରିବ ତ...


ଖୁସି ଲୋ !ତୁ ତ ସାନ ପିଲାଟା।କେମିତି ବୁଝିବୁ ଭଲ ପାଉଥିବା ଲୋକଟି ପାଇଁ ମୁଁ ପ୍ରତୀକ୍ଷଣେ ମରୁଛି।ମୁଁ କଣ ଏତେ ସ୍ୱାର୍ଥପର ହୋଇ ପାରିଥାନ୍ତି!ଭଲ ପାଉଥିଲି ବା ମୁଁ ରିଙ୍କୁ କୁ।କେମିତି ତାକୁ ଦାଗୀ କରିଥାନ୍ତି! ମୋ ବାବା ତ କଂସେଇଟିଏ।ସେ ଯାହା କୁହନ୍ତି ତା କରନ୍ତି।ଏଣୁ ରିଙ୍କୁ ଭଲ ପାଇଁ ମୁଁ ଚୁପ୍ ରହିବାକୁ ବାଧ୍ୟ ହେଲି।ଏଇ ଯେଉଁ ହସ ଦେଖୁନୁ ମୋର ସେ ମୁହଁର;ମନର ନୁହେଁ ଲୋ।ମୋ ମନରେ,ହୃଦରେ ରିଙ୍କୁ;କିନ୍ତୁ ଏ ଶରୀର ଆଉ ଜଣଙ୍କ ଅଧିକାରରେ।ଏ ଦୁଇଟା ଜୀବନ ବଞ୍ଚିବା କି କଷ୍ଟ ତୁ କଣ ବୁଝି ପାରିବୁ?ଲିପ୍ସା ଦି କାନ୍ଦ ଦେଖି ମୋ ଭିତରେ ଜମାଟ ବାନ୍ଧିଥିବା ରାଗର ଲାଭା ତରାଳିବାକୁ ଲାଗିଲା।ଲିପ୍ସା ଦି ପ୍ରତି ଥିବା ଅନାଦର ଭାଵ ମୋର ଉଭେଇ ଗଲା।କିନ୍ତୁ ଦ୍ଵନ୍ଦରେ ପଡ଼ିଗଲି ମୁଁ।କଣ ମନ କଣ ଶରୀର।ଏ ପୁଣି କି ଭଲ ପାଇବା।


ଫେରିଆସି ଦାଦାଙ୍କୁ ଫୋନ୍ ରେ ସବୁ କଥା କହିଲି।ଲିପ୍ସା ଦି ବାଜେ ଝିଅ ନୁହେଁ ଦାଦା।ସେ ତୁମକୁ ବହୁତି ଭଲ ପାଏ।


ରିଙ୍କୁ ଦାଦା କଣ୍ଠ ଭାରି ଓ ଓଦା ଓଦା ଲାଗୁଥିଲା।ସେ କହିଲେ ମୁଁ ଜାଣେ ଖୁସି! ଲିପ୍ସା ମୋତେ ଖୁବ୍ ଭଲ ପାଏ। ସେମିତି କିଛି କାରଣ ନଥିଲେ ସେ ଚୁପ୍ ହୋଇ ନଥାନ୍ତା।ଲିପ୍ସାକୁ କହିବୁ ଖୁସି ,ତୋ ରିଙ୍କୁ ଦାଦା 'ତା ଖୁସି ଚାହେଁ। ସେ ସବୁବେଳେ ଖୁସି ରହୁ।ଖୁସି ଲୋ!ଲିପ୍ସାକୁ କହିବୁ ତା ମୁହଁକୁ ମୂର୍କି ମୂର୍କି ହସ ଭାରି ମାନେ। ଏଇ ହସକୁ କେବେ ନିଜ ଠାରୁ ସେ ଦୁରେଇ ଦେବ ନାହିଁ। ପିଲାବେଳେ ଅନେକ ଘଟଣା ଘଟେ।ୟା ବୋଲି ସେଇ ସ୍ମୃତିକୁ ଜାବୁଡି ଧରି ବର୍ତ୍ତମାନ ଜୀବନ ନଷ୍ଟ କରିବା ଠିକ୍ ନୁହେଁ ।ମୁଁ ଈଶ୍ୱରଙ୍କୁ ଡାକୁଛି ଲିପ୍ସା ଚଣ୍ଡି ସବୁବେଳେ ହସ ଖୁସିରେ ରହୁ।"


ଦାଦା....!ଷ୍ଟାଣ୍ଡାର୍ଡ଼ ଥ୍ରୀ ରେ ପଢ଼ୁଥିବା ମୁଣ୍ଡ ଟି ମୋର ବୁଝି ପାରିଲା ନାହିଁ ଏ ଭଲ ପାଇବା ଚିଜ ଟି କଣ?କିନ୍ତୁ ଏତିକି ବୁଝିଲି କି ଲିପ୍ସା ଦି "ବାଜେ ଝିଅ" ନୁହେଁ।


Rate this content
Log in

Similar oriya story from Romance