suchismita Panda

Romance

4  

suchismita Panda

Romance

ଅତିଥି

ଅତିଥି

3 mins
491


      ପ୍ରବେଶ କରେ ପହିଲେ ରଜ । ଆରମ୍ଭ ହୋଇ ଯାଇଥାଏ ସଜବାଜ । ପାଦରେ ଅଳତା, ହାତରେ ମେହେନ୍ଦୀ, ନୂଆଁ ପୋଷାକ ସବୁ ପିନ୍ଧି ବୋଉ ହାତ ତିଆରି ପିଠା ପଣା ନେଇ ମୁଁ, ସୁମି ସହ ଯାଏ ମୋ ମକର ଘରକୁ ।

ମକର...ଏ ମକର । କୁଆଡେ ଲୁଚିଛ ଯେ । ଆଜି କେମିତି ସଜେଇ ହେଇଛ ଦେଖେ ଟିକେ କହି କହି ପଶିଯାଏ ତାଙ୍କ ଘରକୁ । 

      ମକର କିନ୍ତୁ ସଜେଇ ହେବା ଛାଡି ଆଖିରେ ପେଲାଏ ଲୁହକୁ ଜମାକରି ମନ ଦୁଃଖରେ ବସିଥାନ୍ତି । ତାଙ୍କୁ ସେମିତି ଦେଖି ମୋ ସବୁ ଖୁସି ଫସର ଫାଟିଯାଏ । ମକରଙ୍କୁ ପଚାରି ବୁଝେ କି ସେଇ ରଜ ତାଙ୍କର ଶେଷ ରଜ, ଆଗାମୀ ରଜରେ ସେ ଆଉ ବାପ ଘରେ ନଥିବେ ଭାବି କାନ୍ଦୁଛନ୍ତି ବୋଲି ଜାଣି ହସିଉଠେ ଫିର କିନା ପୁଣି ଥରେ । ଏ କି କଥା ମକର ଲୋ କହି ତାଙ୍କୁ ହସେଇ ଦେଇ ନିଜ ହାତେ ବାନ୍ଧି ଦିଏ ଖୋସା । ସଜେଇ ଦିଏ ତାଙ୍କୁ ସୁନ୍ଦରୀ କରି । କାଳେ କିଏ ନଜର ପକେଇ ଦେବ ଭାବି କଜଳର ଟୀକାଟିଏ କାନ ପଛପଟେ ଲଗାଇ ବାହାରି ଯାଉ ଆମେ ଦୋଳି ଖେଳ ପାଖକୁ ।   

   ବଡ ଗାଁଟି ଆମର । ଦୋଳି ଖେଳ ହୁଏ ଗାଁ ମୁଣ୍ଡରେ । ଘରଠୁ ଟିକେ ଦୂର । ବେଶୀ ବି ନୁହେଁ । ହସି ହସି ଆମେ ବଢୁଥାଉ ଗାଁ ଦାଣ୍ଡରେ । ଗୋଟିଏ ସାହି ଡେଇଁ ଅନ୍ୟ ସାହିରେ ଯାଉଥିବା ବେଳେ ଆଖି ପଡେ ଗୋଟେ ଘର ଉପରେ । ସତ କହିବି ଯଦି ସେ ଘରକୁ ଦେଖିନଥିଲେ । ସେଠି ଛିଡା ହୋଇଥିବା ଗୋଲ ଗାଲ, ଶ୍ୟାମଳ ରଂଗର ଦେହରେ ନୀଳ ରଂଗର ଡ୍ରେସଟା ପିନ୍ଧି ହିରୋଙ୍କ ଭଲି ଦେଖାଯାଉଥିବା ସୁଢଳ ଯୁବକଠି ହିଁ ଆଖି ଲାଖିଯାଏ । 

      ଚାଲୁ ଚାଲୁ ପାଦ ସେଇ ଅଗଣା ଡେଇଁ ଯାଏ । ଆଖି କହେ ମନକୁ ପୁଣି ଥରେ ଦେଖିଦେ । ମନ ହଁ ହଁ କହି ଓଲଟି ପଡି ଦେଖୁ ଦେଖୁ ସେଇ ଯୁବକର ଚାହାଣୀ ଓ ମୋ ଚାହାଣୀର ମେଳ ହୋଇପଡେ । ଲାଜରେ ମୁହଁ ଫେରାଇ ଆଣି ଦୋଳି ଖେଳ ପାଇଁ ଚାଲେ । ଦୋଳି ଖେଳ ପୂର୍ବଥର ଭଳି ଆର୍କଷଣୀୟ, ହସ ଖୁସି ଭରା ହୁଏ ହେଲେ ମୋ ମନ ହଜିଥାଏ ସେଇ ଯୁବକଠାରେ ।

     ଖେଳ ସାରି ଫେରୁଥିବା ସମୟରେ ମଧ୍ୟ ସେଠି ସେମିତି ପୁଣି ଦେଖା ହେବାର ସୁଯୋଗ ମିଳେ । ସେଦିନ ଘରକୁ ଆସିବା ପରେ ଚାରିଦିଗ ସେ ମୟ ଲାଗୁଥାନ୍ତି ମୋତେ । ଆଖି ଖୋଲିଲେ ତାଙ୍କ ଚେହେରା ଆଖି ବନ୍ଦ ଚଲେ ତାଙ୍କ ହସ ଭିତରେ ମୁଁ ବୁଡି ରହିଯାଏ । ଅନେଇ ଅନେକ ମନ ଗଢା କାହାଣୀ ଗଢି ରାତି ସାରା ହଜି ରହିଥାଏ । ଅଜଣା ସେଇ ଯୁବକଙ୍କ ଠିକଣା ପାଇବାକୁ ଚାହେଁ । ତାଙ୍କ ସହ ମନି ମନେ ଖୁସି ଗପ ହେଉଥାଏ । ମୁଁ ଏକ ଭିନ୍ନ ଦୁନିଆରେ ପହଞ୍ଚି ଯାଇଥାଏ ।

     ରଜ ସଂକ୍ରାନ୍ତି ଦିନ ଦୋଳି ଖେଳିବାକୁ ଯିବା ବେଳେ କିନ୍ତୁ ଆଉ ଭେଟ ହୋଇନଥାଏ । ଅନେକ ଆଶା, ଖୁସି କ୍ଷଣିକରେ ଚୁର ମାର ହୋଇଯାଏ । କୁଆଡେ ସେଇ ମନର ମଣିଷଟି । କାହିଁକି ଦେଖା ଦେଇ ନାହାନ୍ତି । କଣ ଜାଣି ଗଲେକି ମୋ ମନ କଥା । ଏମିତି ଡରରେ ଛାତି ଧକ୍ ଧକା ହେଉଥାଏ । ଦୋଳିରେ ଝୁଲୁଥିଲେ ସୁଦ୍ଧା ମନ ଝୁଲୁ ନଥାଏ । ସେତେବେଳେ ହିଁ ମୋ ନଜରକୁ ଆସେ ଟିକେ ଦୂରେ ସେ ହିଁ ସାଙ୍ଗ ସାଥି ଗହଣେ ରହି ମୋତେ ଦେଖୁଥାନ୍ତି । ଆହଃ! କି ଅପୂର୍ବ ଶାନ୍ତି ତାଙ୍କୁଟିକେ ଦେଖି ଦେଲା ପରେ । ବର୍ଣ୍ଣନା ଦେବା ମୋ ପକ୍ଷେ ସହଜ ନୁହେଁ । ତାଙ୍କୁ ଦେଖି ଦେଲା ପରେ ଦୋଳି ଖେଳର ମଜା ଫେରି ଆସେ ।

      ତୃତୀୟ ଦିନ କିନ୍ତୁ ମୁଁ ଆଉ ତାଙ୍କୁ ଦେଖିନି ଜମାରୁ । ବହୁତ କଣେଇ କଣେଇ ଖୋଜିଛି ହେଲେ କିଛି ସୁରାଗ ମୋ ହାତରେ ନାହିଁ । ମକରକୁ ମଧ୍ୟ କିଛି କହିନି ଏ ଯାଏଁ । ସେ ଜାଣିଥିଲେ କିଛି ଖବର ଆଣି ଦିଅନ୍ତେ । ଛଟପଟ ହୋଇପଡେ । ଦିନ ବିତିଯାଇ ରାତି ହେବା ବେଳକୁ ଆଉ ମୁଁ ଧୈର୍ୟ୍ଯରେ ରହିପାରେନା । ବୋଉ ଆଗରେ ଜିଦ୍ ଧରେ ମକର ପାଖକୁ ନେଇ ଦେବାକୁ । ମୋ ଜିଦ୍ ର ମାତ୍ର ଏତେ ଅଧିକ ଯେ ବୋଉ ବାଧ୍ୟ ହୋଇପଡେ । ମକରଙ୍କୁ ସବୁ କହି ଖୁବ୍ କାନ୍ଦେ । ମୋ ମନକଥା ସେ ବୁଝି ପାରି ବୋଉଙ୍କୁ ଆଜି ରାତି ପାଇଁ ତାଙ୍କ ଘରେ ରହିବାର ଅନୁମତି ନେଇ ଆସନ୍ତି ମକର । ସେ କଥା ଦିଅନ୍ତି ସକାଳ ହେବା ପରେ ପରେ ଖବର ଆଣି ଆସିବା । 

      ନିଦ ନଥାଏ ଆଖିରେ । ସକାଳର ଅପେକ୍ଷା କେବଳ । କୁକୁଡାର ପାଟି ଶୁଣିଛି କି ନାଇଁ ମକରଙ୍କୁ ଉଠେଇ ଦିଏ । ସେ ତଥାପି ଅଳସୁଆମି କରୁଥାନ୍ତି ହେଲେ ରାଣ, ନିୟମ ଦେଇ ତାଙ୍କୁ ଉଠେଇ ଖବର ସଂଗ୍ରହ କରିବାକୁ ଚେଷ୍ଟା କରୁ । ମକର ତାଙ୍କ ସାଙ୍ଗ ଠାରୁ ପଚରା ପଚରି କରି ଜାଣନ୍ତି ଯେ - ଯୁବକ ଜଣକ ହେଉଛନ୍ତି ମାଧ ଦାଦାଙ୍କ ଅତିଥି । ସେ କିଛି ଦିନ ପାଇଁ ଆସିଥିଲେ ବୁଲି । ଏବଂ ଛୁଟି ସରିବା ପରେ ତାଙ୍କ କର୍ମକ୍ଷେତ୍ର କୁ ଫେରିଗଲେ । ସେତେବେଳକୁ ଫୋନ୍ ନଥାଏ । ଆମେ ସଂଗେ ସଂଗେ ଫୋନ୍ କରି ପାରିନଥାଉ । ବହୁତ କଷ୍ଟରେ ତାଙ୍କ ଠିକଣା ପାଇ ଚିଠି ଟିଏ ଦେଉ । ହେଲେ ସେଇ ଚିଠିଟିର ଉତ୍ତର ଆଜି ଯାଏଁ ଆସିନି କେବେ । ସେଇ ଅତିଥି ଜଣଙ୍କୁ ମଧ୍ୟ ଆଉ ଦେଖିନାହିଁ ଏତେ ବର୍ଷ ପରେ ମଧ୍ୟ । 

     ଆରମ୍ଭ ନ ହେଉନୁ ଲୁପ୍ତ ହୋଇଯାଏ ମୋ ପ୍ରେମ। ଦୁଃଖରେ ମ୍ରିୟମାଣ ହୋଇ ମୁଁ ଦିନକୁ ଦିନ କ୍ଷୀଣ ହୋଇ ଚାଲୁଥାଏ । ତଥାପି ଜୀବନର ଅନ୍ୟ ନାମ ସଂଘର୍ଷ । ସେଇ ସଂଘର୍ଷ ହିଁ ପ୍ରଭୁଙ୍କ ଖେଳ, ଖେଳରୁ ଶିକ୍ଷା ଆଦିର ମୂଳମନ୍ତ୍ର । ଏସବୁ ବୁଝି ପୁଣି ଜୀବନ ବଂଚିବା ଆରମ୍ଭ ହୋଇପଡେ । 


     


Rate this content
Log in

Similar oriya story from Romance