ଅଶାନ୍ତ ଗ୍ରହ
ଅଶାନ୍ତ ଗ୍ରହ


ସୁଧୀର ଚାଲିଯାଏ ସେହି ଗଛଟି ପାଖକୁ ପ୍ରତି ଦିନ ସନ୍ଧ୍ୟାରେ I ଅନ୍ୟ ଗଛଠାରୁ ଟିକେ ଭିନ୍ନ ଆକାରର ଗଛଟିଏ I ବୋଧହୁଏ ଯେଉଁ ମାଳି ଜଣେ ତାହାର ସ୍ଥାପନ କରିବା ସମୟୟର ଯତ୍ନ ନେଇଥିଲା ନିଜେ ମଧ୍ୟ କାହାକୁ ଭଲ ପାଇ ବସିଥିଲା I ଗଛଟିକୁ ଠିକ ହୃଦୟ ଢାଞ୍ଚାରେ କଟା ଯାଇଛି I ପାଖରୁ ଦେଖିଲେ ଆହୁରି ମଧ୍ୟ ମନୋରମ ଲାଗେ ଗଛଟି I ବସନ୍ତର ଦିନରେ ତାହାର ପତ୍ର ସବୁ ନାଲି ହୃଦୟ ଆକାରର ହୋଇ ଯାଏ ସବୁଜ ପାଲଟିବା ପୂର୍ବରୁ I ଲାଗେ ସତେ ଯେମିତି ନିର୍ଜନ ବେଳା ଭୁଇଁରେ, ତାହା ଏକ ମାତ୍ର ପ୍ରେମର ପାନ୍ଥଶାଳା ବିରହରେ କ୍ଳାନ୍ତ ପ୍ରେମିକ ପ୍ରେମିକାଙ୍କ ଲାଗି I ସନ୍ଧ୍ୟାରେ ଗଛଟିର ସୌନ୍ଦର୍ଯ୍ୟ ଆହୁରି ବଢି ଯାଏ ଏବଂ ଯେ କେହି ମଧ୍ୟ ଚାହିଁବ କିଛି ସମୟ ତାହାର ଆଶ୍ରୟରେ ସମୟ ଅତିବାହିତ କରିବା ଲାଗି I କିନ୍ତୁ ଅନ୍ୟ କାହାକୁ ସୁଯୋଗ ମିଳିଲେ ତ ! ସେଠି ତ ସୁଧୀର ପ୍ରତିଦିନ ସନ୍ଧ୍ୟାରେ ସୂର୍ଯ୍ୟାସ୍ତର ଘଣ୍ଟାଏ ପୂର୍ବରୁ ସୂର୍ଯ୍ୟାସ୍ତ ଅପରାନ୍ତ ଘଣ୍ଟାଏ ଯାଏଁ ଉପସ୍ଥିତI ସନ୍ଧ୍ୟା ଭ୍ରମଣ ବାହାନଟିଏ ମାତ୍ର I ଅଭ୍ୟାସଟିଏ ତାହାର ଅଥବା ବାଧ୍ୟତା ମୁଁ ଜାଣେନି କିନ୍ତୁ ଅନେକ ଥର ବୁଝେଇଛି, ଜୀବନଟି ଯେତେ ସରଳ ରେଖା କରି ବଞ୍ଚି ହେବ ସେତେ ଭଲ I ଯେଉଁ ଦୁନିଆଁରେ ଚାକିରୀ ଖଣ୍ଡିଏ ମିଳିବା କଷ୍ଟ, ତାହାର ସରକାରୀ ଚାକିରୀଟିଏ ଅଛି ଏବଂ ନିୟମିତ ଦରମା ପାଉଛି I ପରିବାର ଦାୟିତ୍ଵ କିଛି ରହିଛି ନିଶ୍ଚୟ ଅନ୍ୟ ମଧ୍ୟବିତ୍ତ ପରିବାରର ପୁଅଙ୍କ ଭଳି I ଅନ୍ୟ ପରିବାର ଭଳି ତାହାର ମାଆ ବାପାଙ୍କର ମଧ୍ୟ ସ୍ଵପ୍ନଟିଏ ଅଛି, ପୁଅ ବଡ ହେଲା ଚାକିରୀ କଲା I ଘର ଦୁଆର ଟିକେ କଲେ ବୋହୂଟିଏ ଆସିବାଆଉ ତେଲ ଲୁଣର ସଂସାର ଆଗକୁ ବଢ଼ିବ I ଜୀବନ ଚକ୍ରଟି ଚାଲିବ ଆଗକୁ I କିଏ କାହିଁକି ଚାହିଁବ ଅଯଥା ବ୍ୟତିକ୍ରମଟିଏ ? ହଁ କିନ୍ତୁ ବ୍ୟତିକ୍ରମଟିଏ ତ ଘଟିଛି I
ଶାନ୍ତ ପୋଖରୀର ପାଣିରେ ପଥରଟିଏ ପଡି ସାରିଛି ଆଉ କରିଛି ସୃଷ୍ଟି ଲହଡି I କିନ୍ତୁ ଏ ଲହଡି ତ ଥମୁ ନାହିଁ, ଦୁଇ ବର୍ଷ ହୋଇଗଲାଣି, ଅନବରତ ଗୋଳିଆ କରି ଚାଲିଛି ସୁଧୀରର ଚିନ୍ତନକୁ I ଶାନ୍ତ ସୁଧୀର ହୋଇଛି ଅଧୀର ଅଶାନ୍ତ ଗ୍ରହଟିଏ, ସେହି ଦିନ ଠାରୁ ଯେଉଁ ଦିନ ଜସ୍ମିନ ତାକୁ ଶେଷ ଥର ପାଇଁ ଦେଖା କରିଥିଲା I
ଜସ୍ମିନ ନିଶ୍ଚୟ ଅଜବ ଝିଅଟିଏ I. କଣ ଅଛି ତାହାର ମନରେ କିଏ ଜାଣେ ? "ଚାକିରି କରିବ ବୋଲି ପାଠ ପଢୁଛି ତେଣୁ ଏବେ ବାହା ହେବନି ବୋଲି କହୁଛି I କିନ୍ତୁ ଚାକିରୀ ପାଇଲା ପରେ ବାହା ହେବାର ନିର୍ଭୋକ୍ତି ମଧ୍ୟ ଦେଇନି I କହିଛି ସିଏ ନିଜର ସ୍ଵାଧୀନତା ହରେଇ କାହା ଉପରେ ନିର୍ଭରଶୀଳ ହେବାକୁ ଚାହେଁନା, " ସୁଧୀର କହିଲା ମୁଁ ଟିକିଏ ଅଧିକ ପଚାରିବାରୁ I "ଉଚ୍ଚାଭିଳାଷୀ ନିଶ୍ଚୟ ଜସ୍ମିନ," ମୁଁ କହିଲି ସୁଧୀରକୁ ! "କିନ୍ତୁ ଚାକରି କରିବା ମହିଳା ମାନେ କଣ ଘର ସଂସାର ସମ୍ଭାଳନ୍ତି ନାହିଁ? ନ ବିବାହିତା ମହିଳା ମାନେ ପାଠ ପଢି ଚାକିରୀ କରନ୍ତି ନାହିଁ ? ମୋତେ କାହିଁକି କହୁନି ସେ କଣ ଚାହୁଁଛି?" ସୁଧୀର ପଚାରିଲା," ମୁଁ ତ ସବୁ କିଛି କରିବା ଲାଗି ପ୍ରସ୍ତୁତ ତାହା ପାଇଁ I ଘରେ ବହୁତ ପ୍ରସ୍ତାବ ଆସୁଛି I ମୁଁ ନାନା ବାହାନା କରି ଟାଳି ଦେଉଛି I ଆଉ କାହା ସହ ମୁଁ ସୁଖରେ ରହି ପାରିବିନି I "ମୁଁ ଭାବିଲି ଏହା ନିଶ୍ଚୟବୟସର ପ୍ରଭାବ ଏବଂ ଧୀରେ ଧୀରେ ସମାପ୍ତ ହୋଇଯିବ, ଯେଉଁଦିନ ଜସ୍ମିନ ଆଉ କାହାକୁ ବାହା ହୋଇ ଚାଲିଯିବ I ତା ପରେ ସୁଧୀର ନିଶ୍ଚୟ ସୁଧୁରି ଯିବ I ପରିବାର ଆଉ ସମାଜର ଚାପକୁ ଏଡେଇବା କଣ ଏତେ ସହଜ ହୋଇଛି ଜଣେ ଚାକିରିଆ ଟୋକା ଲାଗି? କିନ୍ତୁ ଏହା ଭିତରେ ଦୁଇ ବର୍ଷ ବିତିଗଲାଣି, ନା ଜସ୍ମିନ ବାହା ହୋଇଛି ନା ସୁଧୀର ! ଅଜବ ପ୍ରେମ କାହାଣୀଟିଏ ସତରେ !
ଏହା ମଧ୍ୟରେ ବାର୍ତ୍ତାଳାପ ମଧ୍ୟ ଅନେକ କମି ଯାଇଛି ଦୁହିଁଙ୍କ ମଧ୍ୟରେ, ମଧ୍ୟ ରାତ୍ରିରେ ଅନ୍ଧକାରରେ ଆଦାନ ପ୍ରଦାନ ହେଉଥିବା କିଛି ମେସେଜକୁ ବାଦ ଦେଲେ I କିନ୍ତୁ ଅଧିକ ଅଜବ ଲାଗେ ମୋତେ ସୁଧୀର ର ପ୍ରତିଦିନ ସନ୍ଧ୍ୟାରେ ସେହି ଗଛଟି ପାଖକୁ ଯାଇ ଆଉଜି ଠିଆ ହେବାର ପରମ୍ପରାକୁ ଦେଖି I
ଶେଷରେ ପଚାରି ଦେଲି ଦିନେ ତାହାର ଏହିପରି ଏକ ଅଭୂତପୂର୍ବ ଅଭ୍ୟାସର କାରଣ I କିଛି ସମୟ ନିରବ ରହିବ ପରେ ସୁଧୀର କହିଲା," ତାକୁ ଗୋଟିଏ ମୁଦିଟିଏ ଉପହାର ଦେଇଥିଲି I ଆଶ୍ଚର୍ଯ୍ୟ କଥା ହେଲା ତାହାର ବାଆଁ ହାତର କନିଷ୍ଠ ଆଙ୍ଗୁଠିରେ ତାହା ଠିକ ଫିଟ ହେଲା I ପିନ୍ଧିଥିଲା ମଧ୍ୟ ଖୁସିରେ I କିନ୍ତୁ ଦିନେ ସନ୍ଧ୍ୟା ବେଳେ କଣ ହେଲା କେଜାଣି, ଦେଖିଲି ତାହାର ହାତରେ ଆଉ ସେ ମୁଦିଟି ନାହିଁ I ପଚାରିବାରୁ କହିଲା, ରଖି ଦେଇଛି ବାହାର କରି, ଢିଲା ହେଉଛି ! କେହି ବୋଧେ କିଛି କହିଥିବ," ସୁଧର କହିଲା I "କିନ୍ତୁ ଏଥିରେ ଏତେ ବିଚଳିତ ହେବାର କଣ ଅଛି ? ତାହାର ଇଛା ହେଲେ ପିନ୍ଧିବା ନଚେତ ନାହିଁ I ଏଇଟା କୋଉ ନିର୍ବନ୍ଧ କି ବାହା ଗହ୍ୱରରେ ମୁଦି ଯେ ନ ପିନ୍ଧିଲେ କିଛି ଅଡୁଆ ଲାଗିବ ? ମୁଁ ନିଜେ ତ' ବାହାଘର ମୁଦି ପିନ୍ଧେନି" ନିଜ ଆଙ୍ଗୁଠିକୁ ଦେଖେଇ କହିଲି ମୁଁ I "ନା କିନ୍ତୁ କଥା ସେତିକି ନୁହଁ I ହଁ ସେଦିନ ଠାରୁ କାହିଁକି ଆଉ ଠିକ ଲାଗିଲାନି ତାକୁ ଆଙ୍ଗୁଠିରେ ସେ ମୁଦିଟି ପିନ୍ଧିବାକୁ I ଗଛ କୋରଡ ଭିତରେ ଥିବା ଗୋଟିଏ ଗର୍ତ୍ତରେ ତାକୁ ପକେଇ ଦେଲା ସିଏ ମୋ ସାମ୍ମାରେ ଆଉ କହିଲା, ସେଇଠି ସୁରକ୍ଷିତ ଥାଉ, ହଜିବନି କେବେ ମଧ୍ୟ I ତା ପରେ ତା' ସମ୍ପର୍କଟି ଯେମିତି 'ହଁ ଆଉ ନାହିଁ ' ମଧ୍ୟରେ ରହି ଯାଇଛି I କିଛି ସଠିକ କହୁନି, ମୁଁ କଣ କରିବି କହିଲ," ସୁଧୀର ଓଲଟା ପଚାରିଲା ମୋତେ I ମୁଁ ନିରବୀ ଗଲି କିଛି କ୍ଷଣ I "ନାରୀ ମନକୁ କିଏ ଜାଣେ କହିଲ ? ନାରୀ ମାୟା ପରା ସ୍ଵୟଂ ନାରାୟଣଙ୍କୁ ଅଜଣା ! ତୁମର ବନ୍ଧୁ ହିସାବରେ ଏତିକି ମାତ୍ର କହିବି ଯଦି ତୁମେ ନିଜ ଜୀବନକୁ ନୂଆ ମୋଡ ଦେଇ ପାରିବ ତାହା ହେଲେ ହୁଏତ ଭଲ ହୋଇ ପାରେ ?" ମୁଁ କହିଲି I
ଆଜି ମଧ୍ୟ ସନ୍ଧ୍ୟାରେ ସୁଧୀର ସେହି ଗଛଟି ପାଖରେ ବସୁଛି I ଆଜି ମଧ୍ୟ ନୀଳ ଢେଉରେ ଭାସି ଆସେ ଜସ୍ମିନର ସ୍ମୃତି ସବୁ ଆଉ ଅଶାନ୍ତ ହୋଇ ଯାଏ ସୁଧୀର ସାଗର ତଟରେ I ଯେ ଯାଏଁ ଘଡ଼ିଟିଏ ଆଉଜି ଠିଆ ନ ହେଇ ଯାଏ ସେହି ସ୍ଥଳରେ ଘରକୁ ଫେରେନି, ଖରା ହେଉ କି ବର୍ଷା ହେଉ I ସତେ ଯେପରି ଦ୍ରୁମର ଦେହରେ ନିଜର ଭାର ଥୋଇ, ସ୍ଥିରତା ଫେରି ପାଏ I କିନ୍ତୁ ସିଏ ଫେରି ପାଏନା ଶକ୍ତି ତାହାର ଜୀବନର ନିୟମିତ ଭାବରେ ପୁନଃ ଆବୃତି ହେଉଥିବା ଶୈଳୀଟିକୁ ଆଡେଇ କରି ବଂଚିବା ଲାଗି, ତାହାର ଇଛାର କକ୍ଷରେ ଆଜି ପାଲଟିଛି ସିଏ ପଥହୀନ ଅଶାନ୍ତ ଗ୍ରହଟିଏ ! ମୁଁ ଜାଣେ ତଥାପି ଜାଣେନା ସେ କାହିଁକି ଯାଏ ପ୍ରତିଦିନ ସେହି ଗଛ ମୂଳକୁ !