ଅପ୍ରତ୍ୟାଶିତ
ଅପ୍ରତ୍ୟାଶିତ


ମୁଁ ତୁମକୁ ଚାହେଁ
ତୁମେ କ'ଣ ଆଉ କାହାକୁ?
ତୁମେ ଯାହାକୁ ଚାହଁ
ସେ ଯଦି ଆଉ କାହାକୁ?
ମେସେଜଟି ପଢି କିଛି ମୁହୂର୍ତ୍ତ ରହିଗଲା ମିଠୁ। ଦୀର୍ଘ ସାତ ମାସର ବ୍ୟବଧାନ ପରେ ମୋହିତର ମେସେଜ। କହିବାକୁ ଗଲେ ପ୍ରଥମ ମେସେଜ। ଅଭିମାନରେ ଭିଜିଗଲା। ଓହୋ! ଏତେ ଦିନ ପରେ ତେବେ ମନେ ପଡିଲି। ପୁଣି ଇଏ କୋଉ ପ୍ରକାର ମେସେଜ ଯେ! ଆଶା ତ କରିଥିଲା ଅନ୍ୟ କିଛି। ଝିଅଟିଏ ସିଏ।ସହଜାତ ଲଜ୍ଜା ତ ରହିବ। ସେଥିପାଇଁ ତ ପାଖରେ ଫୋନ ନମ୍ବର ଥାଇ ମଧ୍ୟ ଆଜି ପର୍ଯ୍ୟନ୍ତ ନିଜ ତରଫରୁ ମେସେଜ କରିନି କି ଫୋନ ବି କରିନି।
ଦୁଇ ବର୍ଷ ତଳେ ସ୍କୁଟିରୁ ପଡି ପାରାଲିଟିକ ଆଟାକ ଆସିଥିଲା ମିଠୁକୁ । ଆୟୁର୍ବେଦ ଚିକିତ୍ସା ପାଇଁ ବାପା ତାକୁ କେରଳର ମାଲାପୁରମ ଜିଲ୍ଲାରେ ଥିବା କୋଟକଲର ଆର୍ଯ୍ୟ ବୈଦ୍ୟଶାଳାକୁ ଆଣିଥିଲେ। ଅଠେଇଶି ଦିନର ଚିକିତ୍ସା। ଗାର୍ଡେନରେ ହୁଇଲ ଚେୟାରରେ ମିଠୁ।ବାପା ପାଖରେ। ଦିନସାରାର ଟ୍ରିଟମେଣ୍ଟ ପରେ ଏ ଗାର୍ଡେନରେ ଟିକେ ବସେ ସେ। ସବୁଜ ବନାନୀ, ଚାରିପଟେ ପାହାଡ଼ ଫୁଲରେ ଭରା ବଗିଚା ମନ ଖୁସି ହେଇଯାଏ। ଭାବେ ମନର ମିତଟିଏ ଯଦି ପାଖରେ ଥାନ୍ତା ଏ ସୁନ୍ଦର ସ୍ଥାନ ଛାଡି କଦାପି ସେ କୋଳାହଳ ପୂର୍ଣ୍ଣ ସହରକୁ ଫେରିଯାଆନ୍ତାନି। ଏଇଠି ରହିଯାଅନ୍ତା। ମନଟା ଉଦାସ ହେଇଯାଏ। ତା'ର ଯେଉଁ ଶାରୀରିକ ସ୍ଥିତି କିଏ ବା କାହିଁକି ତାକୁ ଗ୍ରହଣ କରିବ? ଛଳ ଛଳ ହେଇଯାଏ ଆଖି। ଡକ୍ଟର କହିଛନ୍ତି ମିଠୁ ନିଶ୍ଚୟ ଭଲ ହୋଇଯିବ। ପୁଣି ପୂର୍ଵ ପରି ସେ ସ୍ୱାଭାବିକ ଜୀବନ ଜୀଇଁବ ।
ଏଇ ଗାର୍ଡେନରେ ହିଁ ମୋହିତ ସହ ଦେଖା। ମୋହିତର ସାନଭାଇ ଅଣ୍ଟା ବ୍ୟଥା ଯୋଗୁଁ ସେ ହସ୍ପିଟାଲରେ ଚିକିତ୍ସିତ। ସେ ହି ପ୍ରଥମେ ହାଲୋ କହି ପାଖକୁ ଆସିଥିଲା। ଏଇ ତ ବୈଶିଷ୍ଟ୍ୟ ଏ ହସ୍ପିଟାଲର। ଜଣା ଅଜଣା କିଛି ନଥାଏ ପରସ୍ପରକୁ ଦେଖି ହସି ଦିଅନ୍ତି ସମସ୍ତେ। ସତେ କି ବହୁତ ଦିନର ପରିଚିତ କେହି। ତା'ପରେ ଆଳାପ। ବାପାଙ୍କ ସହ ମୋହିତର ବହୁତ ଭଲ ପଡେ। ହସ ଖୁସି ଚାଲେ। ମିଠୁର ସୌନ୍ଦର୍ଯ୍ୟରେ, ତା' ସରଳତାରେ ମୋହିତ ମୁଗ୍ଧ। ଠାକୁରଙ୍କୁ ପଚାରେ ଏତେ ଭଲ ଝିଅଟି ପ୍ରତି ଏ ନିଷ୍ଠୁରତା କାହିଁକି??
ମିଠୁ ବହୁତ କମ କଥା କହେ। ମୋହିତ ଯେତିକି ପଚାରେ, ଵାସ୍ ସେତିର ଉତ୍ତର। ମୋହିତର ମଜାଳିଆ କଥାରେ ଅଳ୍ପ ଟିକେ ହସିଦିଏ। ମୋହିତକୁ ଲାଗେ ସ୍ୱର୍ଗର କେଉଁ ଏକ ଡେଣାକଟା ପରୀ, ସତେ ଯେପରି ତା' ପାଇଁ ହିଁ ଏ ମର୍ତ୍ତ୍ୟକୁ ଓହ୍ଲେଇ ଆସିଛି। ସ୍ନିଗ୍ଦ ଚାହାଣୀରେ ଚାହିଁରହେ ମୋହିତ। ଚାରି ଆଖି ମିଶିଗଲେ ଲାଜରେ ପଲକ ନୁଆଇଁ ଆଣେ ମିଠୁ। ଧୀରେ ଧୀରେ ଉଭୟ ଉଭୟଙ୍କ ଅପେକ୍ଷାରେ ରହିଲେ । ଜଣଙ୍କର ଆସିବାରେ ଟିକେ ବି ଆଉ ଜଣେ ଅଧୀର ହୋଇଯାଏ। ଅଜାଣତେ ପ୍ରୀତିର କଳିକାଟି ବିକଶିତ ହେବାରେ ଲାଗିଲା।
ଆଉ ଦିନେ ପରେ ଯିଏ ଯାହା ସହରକୁ ଫେରିଯିବେ। ଚିକିତ୍ସାର ଅବଧି ସରି ଆସିଲାଣି। ମିଠୁର ବାପାଙ୍କୁ କିଛି କାମରେ ହସ୍ପିଟାଲ ଅଫିସକୁ ଯିବାକୁ ପଡିଲା। ତେଣୁ ସେ ମୋହିତକୁ ଡକାଇ ମିଠୁ ପାଖରେ କିଛି ସମୟ ବସିବା ପାଇଁ କହିଲେ। ପ୍ୟାକିଙ୍ଗ ବି କରିବାର ଅଛି। ରୁମରେ ଏବେ ମିଠୁ ଓ ମୋହିତ। ନୀରବରେ କିଛି କ୍ଷଣ ବିତିଗଲା। ହଠାତ ମୋହିତ ଉଠି ଆସି ମିଠୁର ପାପୁଲିକୁ ଧରି ପକେଇଲା" ମିଠୁ ମୁଁ ତୁମକୁ ସବୁଦିନ ପାଇଁ ନିଜର କରିବାକୁ ଚାହେଁ। ତୁମକୁ ବିବାହ କରିବାକୁ ଚାହେଁ।" ସ୍ତବ୍ଧ ମିଠୁ। ଯଦିଓ ମୋହିତ ତା' ସ୍ବପ୍ନର ରାଜକୁମାର କିନ୍ତୁ ନିଜ ଅବସ୍ଥା ବି ସେ ଜାଣେ। ନିଜ ପଙ୍ଗୁ ଦେହର ଭାର ଆଉ ଜଣଙ୍କୁ ବୋହିବା ପାଇଁ କେମିତି ସେ ଦେଇ ପାରିବ? " ନା ନା ଏମିତି ହେଇପାରିବନି ମୋହିତ! ମୁଁ କଦାପି ଏ ପ୍ରସ୍ତାବରେ ସ୍ୱୀକୃତି ଦେଇ ପରିବିନି।" ପାପୁଲିରେ ମୁଁହ ଘୋଡେଇ କଇଁ କଇଁ ହୋଇ କାନ୍ଦିଉଠିଲା ମିଠୁ। " ଠିକ ଅଛି ମିଠୁ ତୁମକୁ ମୁଁ ଅପେକ୍ଷା ନିଶ୍ଚୟ କରିବି।" ଏତିକି କହି ରୁମ ଛାଡି ଚାଲିଗଲା ମୋହିତ। ସେଦିନ ପରଠୁ ମିଠୁ ସହ ଆଉ କଥା ହେଇନି କି ମେସେଜ ବି ହେଇନି। ଆଜି ହଠାତ ଏତେଦିନ ପରେ ଏପରି ମେସେଜ ଦେଖି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ କଥା।
ଏବେ ସେ ବାଡ଼ି ଧରି ଧରି ଚାଲି ପାରୁଛି। ଡକ୍ଟର କହିଛନ୍ତି ଆଉ କିଛିଦିନ ଲାଗିବ ଭଲରେ ଚାଲିବା ପାଇଁ। ମୋହିତର ମେସେଜର କି ଉତ୍ତର ଦେବ ଭାବୁଛି। ମୋହିତ ଛଡା ଯେ ତା' ମନରେ ଆଉ କେହି ଆସି ପାରିନାହାନ୍ତି କେମିତି କହିବ ତାକୁ।ଧୀରେ ଧୀରେ ସ୍ୱପ୍ନ ଦେଖିବାକୁ ଭଲ ଲାଗିଲାଣି ମିଠୁକୁ। ଅନୁତାପ କରୁଛି କାହିଁକି ଯେ ମୋହିତର ପ୍ରସ୍ତାବରେ ମନା କଲା! ତା' ମନ ବି ତ ଚାହୁଁଥିଲା ସବୁଦିନ ପାଇଁ ମୋହିତର ହେଇଯିବାକୁ। ଛାଡ଼। ଆଉ ଭାବି ଲାଭ ବା କ'ଣ ? କିନ୍ତୁ ମୋହିତର ମେସେଜ!! ଏବେ ସେ କ'ଣ ଚାହୁଁଛି? ମୁଣ୍ଡ କ'ଣ ହେଇଯାଉଛି। ଭାବି ପାରୁନି ଆଗକୁ। ମନେ ମନେ ସ୍ଥିର କଲା ଉତ୍ତର ତ ଦବ ଯେମିତି ହେଲେ ।କିନ୍ତୁ କି ଉତ୍ତର ଦବ !
ଶରତର ସନ୍ଧ୍ୟା। ବହୁତ ଭଲଲାଗେ ଏ ୠତୁଟି ମିଠୁକୁ। ହାଲ୍କା ହାଲ୍କା ଥଣ୍ଡା। ଧଳା ବୋଇତରେ ଭରା ଆକାଶ। ସେଥିରେ ଦ୍ଵିତୀୟା ଜହ୍ନ ଆକାଶରେ। ଆହା! ଏ ସମୟରେ ତା'ପାଖେ ଯଦି ମୋହିତ ଥାଆନ୍ତା!! ଆହୁରି ଲୋଭନୀୟ ହେଇଯାଅନ୍ତା ସନ୍ଧ୍ୟାଟି। କାହିଁକି ବା ଆଶା କରିବ ? ଛାତ ଉପରେ ଚେୟାରରେ ବସିଚି ମିଠୁ । ମନେ ପଡୁଛି କେରଳର ସେ ହସ୍ପିଟାଲର ସ୍ମୃତି।ମୋହିତର ସ୍ମୃତି।ତା' ପ୍ରଥମ ପ୍ରେମର ସ୍ମୃତି। ଚକ୍ଷୁ ମୁଦି ହେଇ ଯାଉଛି। କାହାର ମୃଦୁ ସ୍ପର୍ଶ ତା' କାନ୍ଧରେ। ପୁଣି ମନର ଭ୍ରମ। ହେତ୍।ସବୁବେଳେ ମୋହିତର ଅନୁଭବ। ମିଠୁ! ଚମକି ଚାହିଁଲା ପଛକୁ।ଆରେ, ଏ ତ ସତରେ ମୋହିତ। ତେବେ ଏଇଟା ତା'ର ଭ୍ରମ ନୁହେଁ। କିଛି କହି ପାରିଲାନି ହଠାତ। ବିଶ୍ୱାସ ହଉନି ମୋହିତ ତା'ର ଏତେ ନିକଟରେ ବୋଲି।
କିଛି କହିବା ଆଗରୁ ମୋହିତ ମିଠୁ ପାଟିରେ ହାତ ରଖିଦେଲା। " ଉହୁଁ , ଆଜି ତୁମେ ଶୁଣିବ ଓ ମୁଁ କହିବି। ଆଶ୍ଚର୍ଯ୍ୟ ହବାର କିଛି ନାହିଁ। ହସ୍ପିଟାଲରେ ଥିଲାବେଳେ ହିଁ ମୁଁ ନିଜକୁ କଥା ଦେଇଥିଲି,ତୁମକୁ ହିଁ ମୋର ଜୀବନସାଥୀ କରିବି। ତୁମ ବାପାଙ୍କୁ ମୁଁ ଏକଥା ସେଠି କହିଥିଲି ମଧ୍ୟ। ସେ କହିଲେ ତୁମେ ରାଜି ହେଲେ ତାଙ୍କର କୌଣସି ଆପତ୍ତି ନାହିଁ। ତୁମେ ତ ମନା କରିଦେଲ।ଭାବିଲି ହୁଏତ ତୁମ ମନରେ ଆଉ କେହି ଅଛି। ଫେରି ଆସିଲି ଦୁଃଖରେ। ନିଜକୁ ବହୁତ ପଚାରିଛି ଏ ବିଷୟରେ। ତୁମ ଅଖିରେ ମୁଁ ମୋ ପ୍ରତି ଥିବା ଦୁର୍ବଳତା ପଢ଼ିଥିଲି। ତଥାପି ବୁଝି ପାରିଲିନି ତୁମେ ମନା କାହିଁକି କଲ। ସେଦିନ ମୋ ଅନୁରୋଧରେ ହିଁ ବାପା ତୁମକୁ ମୋ ପାଖେ ଛାଡି ବାହାରକୁ ଯାଇଥିଲେ।ତୁମ ବାପାଙ୍କ ସହ ଫୋନରେ ସବୁବେଳେ କଥା ହୁଏ। ତୁମର ପ୍ରତ୍ୟେକ ଦିନର ସବୁ ଘଟଣା ମୁଁ ଜାଣେ ମିଠୁ। ଆଜି ମୁଁ ତୁମ ମନ ନିଶ୍ଚୟ ଜାଣିବି। ଆମ ଘରେ ସବୁ କହି ସାରିଛି। ସମସ୍ତେ ରାଜି ମଧ୍ୟ।କେବଳ ତୁମ ହଁ କୁ ଅପେକ୍ଷା।"
ଲାଜେଇଗଲା ମିଠୁ।ଏମିତି ନାଟକୀୟ ରୂପ ନେବ ତାଙ୍କ ପ୍ରେମ କାହାଣୀ ସେ ଆଶା ବି କରି ନଥିଲା। ତା'ର ଇପ୍ସିତ ପୁରୁଷ ସାମନାରେ।କେମିତି କହିବ ଯେ ମୋହିତକୁ ସେ କେତେ ଭଲପାଏ। ଏ ଦିନଟି ପାଇଁ ତା'ର କେତେ ପ୍ରତୀକ୍ଷା ଥିଲା। କେତେ ଅଶ୍ରୁ ନିଗାଡିଛି ରାତି ରାତି ଅନିଦ୍ରା ରହି। କେମିତି କହିବ ତା' ମନର କଥା। ଲାଜ ଲାଗିବନି କି? କୌଣସି ଝିଅ କ'ଣ ମୁହଁ ଖୋଲି କହିପାରେ? ଲାଲ ହେଇଗଲା ତା' ମୁହଁ। ଆସ୍ତେ କରି କହିଲା ମେସେଜ ଦେଖ ଫୋନରେ....
ତୁମେ ଇପ୍ସିତ ତୁମେ ପ୍ରିୟତମ
ତୁମ ବିନା ଆଉ କାହାକୁ ଚାହେଁନା,
ତୁମେ ମୋ ସୁରୁଜ ମୁଁ ଯେ କମଳିନୀ
ତୁମେ ମୋର ଜହ୍ନ ମୁଁ ଯେ ଜୋଛନା.....