Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Jyotiranjan Sahu

Tragedy Romance

5.0  

Jyotiranjan Sahu

Tragedy Romance

ଅପେକ୍ଷାରେ

ଅପେକ୍ଷାରେ

6 mins
428


ଏହା ଭିତରେ ବିବାହକୁ ଛଅ ମାସ ବିତିଗଲାଣି । ହେଲେ ଏବେ ମଧ୍ୟ ରାଜ୍ ଆଉ କଲ୍ୟାଣୀଙ୍କ ମଧ୍ୟରେ କେମିତି ଗୋଟିଏ ଅଜଣା ଅକୁହା ଅଦେଖା ଦୂରତାଟା ବଳବତ୍ତର ରହିଛି । ଲାଗୁଛି ଯେମିତି ଦୁଇଟି ପରିଚିତ ଶରୀର ଗୋଟିଏ ଆତ୍ମା ହେବାପାଇଁ ଏବେ ମଧ୍ୟ ଅପେକ୍ଷାରେ ଅଛନ୍ତି । ଦୁହିଁଙ୍କ ପ୍ରେମାଳାପ ମଧ୍ୟରେ କେଉଁଠି ନା କେଉଁଠି ଲୁଚିରହିଛି ଗୋଟିଏ ଶୁନ୍ୟତା; ଗୋଟିଏ ନିରବତା । ତେବେ ସେହି ଅଜଣା ନିରବତାରୁ ମୁକୁଳିବା ପାଇଁ ରାଜ୍ କିଛିଦିନ ଏକାନ୍ତରେ କଲ୍ୟାଣୀ ସହ ବିତାଇବାକୁ ଚାହାନ୍ତି । ଆଉ ସେଇଥିପାଇଁ ସେ ଦୁଇଟି ଟ୍ରେନ୍ ଟିକଟ କରିଛନ୍ତି ଦିଲ୍ଲୀ ପାଇଁ; ସେହିଠାରେ ଦୁଇ ଦିନର ରହଣି ପରେ ବାହାରିବେ କାଶ୍ମୀର । ଭାବିଥିଲେ ପୃଥିବୀର ସ୍ବର୍ଗ କାଶ୍ମୀର ଯିବାକଥା ଶୁଣିଲେ କଲ୍ୟାଣୀ ନିଶ୍ଚିତ ରୂପେ ଭାରି ଏକ୍ସାଇଟେଡ୍ ହୋଇଉଠିବେ । ତେବେ ତାଙ୍କ ଭାବନାଟା ଭଳି କଲ୍ୟାଣୀ ସେତେଟା ଏକ୍ସାଇଟେଡ୍ ଦେଖାଯାଉନଥିଲେ । ଲାଗୁଥିଲା ଯେମିତି ରାଜ୍ ଙ୍କର ମନ ରଖିବ‍ାକୁ କଲ୍ୟାଣୀ କୃତ୍ରିମ ଖୁସିରେ ନିଜର ଅନ୍ତର ବେଦନାକୁ ଲୁଚାଇବାକୁ ଚେଷ୍ଟା କରୁଥିଲେ । ତେବେ ସେ ଯାହାହେଉ ଦୁହେଁ ବାହାରିଲେ କାଶ୍ମୀର ଅଭିମୂଖେ । ଗାଡିର ବଗି ନଂ ଏ-୨ ରେ ୧୫ ଆଉ ୧୬ ନଂ ସିଟ୍ । ଝରକା କଡକୁ ଘୁଞ୍ଚି ଯାଇ କାଚ ଏପାଖରୁ ବାହାରକୁ ଚାହିଁରହିଥାନ୍ତି କଲ୍ୟାଣୀ । କିଛି ସମୟପରେ ଗୋଟିଏ ବୃଦ୍ଧ ଦମ୍ପତ୍ତି ତାଙ୍କ ଆଗ ସିଟ୍ ରେ ଆସି ବସିଲେ । ମଳିନ ମୁଖମଣ୍ଡଳରେ କ୍ଳାନ୍ତିର ଛାୟା ବେଶ୍ ପରିଦୃଶ୍ୟ । ନିରବ ପରିବେଶରେ ସେ ବୃଦ୍ଧ ଦମ୍ପତ୍ତିଙ୍କର ନିରବ ଭାବ ପରିବେଶଟାକୁ ଆହୁରି ଗମ୍ଭୀର କରିଦେଉଥାଏ ।

ଏହା ଭିତରେ ଟ୍ରେନ ଆଗେଇ ଚାଲିଲା ଷ୍ଟେସନ ଛାଡି । ଅନେକ ସମୟ ଟ୍ରେନ୍ ଭିତରୁ ବାହାରକୁ ନିରୀକ୍ଷଣ କଲାପରେ କଲ୍ୟାଣୀ ରାଜ୍ ଙ୍କୁ କହିଲେ " ଫ୍ଲାଇଟ୍ ରେ ଟିକଟ କଲେନି ! ଭଲ ହୋଇଥାନ୍ତା " ! ଟିକିଏ ହସିଦେଇ ରାଜ୍ କହିଲେ " ଆରେ ଫ୍ଲାଇଟ୍ ରୁ ଟ୍ରେନ୍ ରେ ଯିବା ମଜା ଅଧିକ " । ଏଥର ଚୁପ୍ ରହିଲେ କଲ୍ୟାଣୀ ଆଉ ପୁଣିଥରେ କେଉଁ ଏକ ଭାବନା ରେ ଚାହିଁ ରହିଲେ ଟ୍ରେନ୍ ଝରକା ଦେଇ ବାହାରକୁ । ତାଙ୍କ ନିରବତାକୁ ଦେଖି ରାଜ୍ ମନେମନେ ଭାବୁଥିଲେ ' ବୁଝିଲ କଲ୍ୟାଣୀ ! ଫ୍ଲାଇଟ୍ ରେ ଦୂରତାଟା ସିନା କମିଯିବ କିନ୍ତୁ ଆମ ମନରେ ଥିବା ଦୂରତାଟା ... ! ସେଇ ଦୂରତାଟା ଟପିବା ପାଇଁ କେଉଁ ଫ୍ଲାଇଟ୍ ରେ ଯିବାକୁ ପଡିବ ' ! ! ଏତିକିବେଳେ ହଠାତ୍ 'ଆଦି...' ବୋଲି ଚିତ୍କାର କରି ଉଠିଲେ ଆଗ ସିଟ୍ ରେ ବସିଥିବା ବୁଢୀ ମାଉସୀ । ବୁଢୀ ମାଉସୀର ଚିତ୍କାର ରେ ଚମକି ପଡିଲେ ରାଜ୍ । ହେଲେ କଲ୍ୟାଣୀ ! ସେ ସେମିତି ଅନ୍ୟମନସ୍କ ହୋଇ ଚାହିଁ ରହିଥାଆନ୍ତି ଝରକା ବାହାରକୁ । କିଛି ସମୟ ପରେ ରାଜ୍ ସେ ବୁଢା ମଉସାଙ୍କୁ ପଚାରିଲେ " ମଉସା କଣ ହେଲା? ମାଉସୀ କଣ ପାଇଁ ପାଟି କଲେ " ? ବୁଢୀ ମାଉସୀଙ୍କୁ ନିଜ କୋଳରେ ଶୁଆଉ ଶୁଆଉ ବୁଢା ମଉସା ଜଣକ ଥକାଥକା ଗଳାରେ ଦୀର୍ଘ ନିଶ୍ବାସଟିଏ ଛାଡି କହିଲେ " ଆଦିତ୍ୟ ...! ଆମ ପୁଅ.ଅ.ଅ"। ଏତିକି ବେଳେ ରାଜ୍ ଲକ୍ଷ୍ୟ କଲେ ଏତେ ସମୟ ଧରି ବାହାରକୁ ଚାହିଁ ରହିଥିବା କଲ୍ୟାଣୀ ନଜର ଫେରାଇଲେ ଟ୍ରେନ ଭିତରକୁ । ମନ ଭିତରେ କିଛି ଗୋଟେ ହଲଚଲ୍ ହେଲା ପରି ମନେ ହେଉଥାଏ । ଲାଗୁଥାଏ ଯେମିତି କିଛି ଗୋଟେ ଅନେକ ଦିନ ପରେ ଶୁଣିଛନ୍ତି କଲ୍ୟାଣୀ । କଣ ହୋଇପାରେ ସେଇଟା ! ସେଇଟା ଆଉ ଆଦିତ୍ୟ ନୁହେଁତ ! କାହିଁକିନା ଏଇ ନାଁଟା ଶୁଣୁଶୁଣୁ ତ କଲ୍ୟାଣୀ ମୁହଁରେ କେମିତି ଗୋଟିଏ ଉନ୍ମାଦନା ଖେଳିଗଲା ! ଏତିକିବେଳେ କଲ୍ୟାଣୀ ସେ ବୁଢା ମଉସାଙ୍କୁ ପଚାରିଲେ " ଆପଣଙ୍କ ପୁଅ ନାଁ କଣ ଆଦିତ୍ୟ ? ଏବେ ସେ କେଉଁଠି ଅଛନ୍ତି " ? " ସେ ଆଉ ନାହିଁରେ ମା’’ ! ତାର ଏ ଦୁନିଆଁ ଛାଡିବାକୁ ବର୍ଷଟିଏ ବିତିଗଲାଣି । ଆଜିବି ମା’’ ତାର ପୁଅ କଥା ଭାବି ଭାବି ଅଧପାଗଳି । କେମିତି ହେବନି ଯେ ! ସାତ ବର୍ଷ ପରେତ କେତେ ଦିଅଁ ଦେବତା ପୂଜି ପୁଅଟିଏ ପାଇଥିଲା । ଆଉ ଯବାନ ପୁଅଟାକୁ ହରାଇ କେଉଁ ମା’... " ! କହି କାନ୍ଦିପକାଇଲେ ବୁଢା ମଉସା । ମନର କୋହ ଲୁହର ରୂପନେଇ ବହିଚାଲିଥିଲା । " ଓଃ " କହି ଉଦାସ ହୋଇଉଠିଲେ କଲ୍ୟାଣୀ । ମନେମନେ ଭାବୁଥିଲେ 'ଏ ଦୁନିଆଁରେ ସବୁ ଆଦିତ୍ୟ ମା’ନେ କଣ ଖାଲି ଠକି ଜାଣନ୍ତି ! ସବୁବେଳେ କଣ ନିଜ ଲୋକଙ୍କୁ ଅଧାବାଟରେ ଛାଡିଯିବା ସେମା’ନଙ୍କ ଅଭ୍ୟାସ ' ! ଏକଥା ଭାବୁଭାବୁ କଲ୍ୟାଣୀଙ୍କ ମନେପଡିଯାଏ ସେଦିନର କଥାସବୁ ; ତାଙ୍କ ମନର ମଣିଷ ଆଦିତ୍ୟଙ୍କ ସହ ସେ ବିତାଇଥିବା ପ୍ରତ୍ୟେକଟି କ୍ଷଣ ସବୁ । କେମିତି ସେ ଭୁଲିପାରିବେ ! ନିଜ ଜୀବନଠୁ ବଳି ଭଲ ପାଉଥିଲେ ସେ ଆଦିତ୍ୟଙ୍କୁ ! ନିଜ ଛାଇ ଠାରୁ ବଳି ବିଶ୍ବାସ କରୁଥିଲେ ଆଦିତ୍ୟଙ୍କୁ ! ହେଲେ ପ୍ରତିଦାନରେ କଣ ଦେଲେ ସିଏ କଲ୍ୟାଣୀ ଙ୍କୁ ? ଖାଲି ଅବିଶ୍ବାସ ପ୍ରତାରଣା ଆଉ ଅନ୍ତହୀନ ଅପେକ୍ଷା । ନିଜର ସର୍ବସ୍ବ ସମର୍ପି ଦେବାକୁ ତିଳେମା’ତ୍ର ପଶ୍ଚାତପଦ ହୋଇନଥିବା କଲ୍ୟାଣୀଙ୍କୁ ସେଦିନ ଆଦିତ୍ୟ କହିଥିଲେ " ଆମ ପ୍ରେମ ପବିତ୍ର ଶାଶ୍ବତ । ଏହା ଶାରୀରିକ ଆକର୍ଷଣରୁ ଅନେକ ଉର୍ଦ୍ଧରେ । ମୁଁ ନିଜକୁ ଦୁନିଆଁ ଆଗରେ ପ୍ରତିଷ୍ଠିତ କରାଇବା ପର୍ଯ୍ୟନ୍ତ ମୋତେ କିଛି ସମୟ ଦିଅ " । ସେଦିନ କଲ୍ୟାଣୀଙ୍କ ପାଖରୁ ବିଦାୟ ନେଇ ଆଦିତ୍ୟ ଚାକିରି ଅନ୍ବେଷଣରେ ହାଇଦ୍ରାବାଦ ଚାଲିଗଲେ ଆଉ କଲ୍ୟାଣୀ ରହିଗଲେ ଆଦିତ୍ୟଙ୍କ ଅପେକ୍ଷାରେ । ଯେଉଁ ଅପେକ୍ଷାରେ ଏଦୁନିଆଁ ରାଜ୍ ରୂପି ପୂର୍ଣ୍ଣଚ୍ଛେଦ ଟାଣିଦେଇଥିଲାବେଳେ କଲ୍ୟାଣୀ କିନ୍ତୁ ଆଜି ପର୍ଯ୍ୟନ୍ତ ଆଦିତ୍ୟଙ୍କୁ ମନେମନେ ଅପେକ୍ଷା କରିଛନ୍ତି । ମନଟା ଆଦିତ୍ୟଙ୍କୁ ଜଣେ ପ୍ରତାରକ ବିଶ୍ବାସଘାତକ କାପୁରୁଷ ପଳାତକ ଆଦି ରୂପରେ ଯେତେ ସଜାଇବାକୁ ଚେଷ୍ଟା କରୁଛି ହୃଦୟଟା ସେତେସେତେ ଆଦିତ୍ୟଙ୍କ ଆଡକୁ ଢଳିଯାଉଛି । ଯେତେଯେତେ ସିଏ ରାଜଙ୍କୁ ଦେଖୁଛନ୍ତି ସେତେସେତେ ମନର ଦୂର ଦିଗବଳୟରେ ଆଦିତ୍ୟଙ୍କ ସେ ହସହସ ମୁହଁଟା ଝାପସା ହୋଇ ଦିଶିଯାଉଛି । ହୃଦୟ ଭିତରଟା ରେ କେମିତି ଏକ ଶୂନ୍ୟତା ଖେଳିଯାଉଛି । ହଠାତ୍ କଲ୍ୟାଣୀଙ୍କୁ ହାତରେ ହଲାଇ ରାଜ୍ ପ୍ରଶ୍ନକଲେ " କ’ଣ ହେଲା କଲ୍ୟାଣୀ ? ତୁମେ କାନ୍ଦୁଛ କାହିଁକି ? ତୁମେ କଣ ଆଦିତ୍ୟକୁ ଜାଣିଛ " ? ପ୍ରଶ୍ନ ଶୁଣି ଚମକିଗଲେ କଲ୍ୟାଣୀ । ଗାଲରେ ହାତ ମାରି ଜାଣିଲେ ତାଙ୍କ ଅଜାଣତରେ କେଜାଣି କେତେବୁନ୍ଦା ଲୁହ ତାଙ୍କ ଗାଲକୁ ସ୍ପର୍ଶକରି ଝରିଗଲାଣି । ରାଜ୍ ଙ୍କ ଆଖିରେ ଆଖି ମିଶାଇ ଚାହିଁରହିଲେ କଲ୍ୟାଣୀ । ସତେ ଯେପରି ସେ କହିବାକୁ ଚେଷ୍ଟାକରୁଥିଲେ " ପ୍ରେମରେ ପ୍ରତାରଣାଟା ଖୁବ୍ ଦୁର୍ବିସହ ରାଜ୍ । ତୁମେ ବୋଧହୁଏ ଜାଣିପାରିନାହଁ ; ବା ତୁମର ସେ ଅଭିଜ୍ଞତା ନାହିଁ । ନଚେତ୍ ତୁମେ ଜାଣିପାରନ୍ତ ତୁମ ଅଜାଣତରେ ମୁଁ ମଧ୍ୟ ତୁମ ସହ ପ୍ରତାରଣା କରୁଛି " ! ଏତିକିବେଳେ ରାତି ଖାଦ୍ୟ ନେଇ ପହଞ୍ଚିଗଲା ରେଲୱେର ପିଲାଟିଏ । ଖାଇସାରି କଲ୍ୟାଣୀ ଚୁପଚାପ୍ ଶୋଇଗଲେ ନିଜ ବାର୍ଥରେ । ରାତି ଦୁଇଟା ପାଖାପାଖି ହେବ । କଲ୍ୟାଣୀ ପତଳା ନିଦରେ ଶୁଣିପାରୁଥିଲେ ରେଲୱେର ଏନାଉନ୍ସମେଣ୍ଟ । ଜାଣିପାରଲେ ସେଇଟା ଥିଲା ଆହ୍ଲାବାଦ ଷ୍ଟେସନ୍ । ଅନ୍ୟମନସ୍କ ଭାବେ ନଜର ପକାଇଲେ ରାଜ୍ ଙ୍କ ଆଡ଼କୁ । ଦେଖିଲେ ରାଜ୍ ନାହାନ୍ତି । ବ୍ୟସ୍ତହୋଇ ଉଠିପଡିଲେ କଲ୍ୟାଣୀ । ନଜର ପଡିଲା ସାମନା ବାର୍ଥ ଉପରେ । ସେ ବୁଢା ମଉସା ଆଉ ବୁଢୀ ମାଉସୀ ବି ନାହାନ୍ତି । କୌଣସି ଏକ ଅଜଣା ଭୟରେ ଦୌଡିଗଲେ କଲ୍ୟାଣୀ ଡୋର୍ ପାଖକୁ । ଦେଖିଲେ କିଛି ଦୂରରେ ଅଛନ୍ତି ସେ ବୁଢା ମଉସା ଆଉ ବୁଢୀ ମାଉସୀ । ପାଖରେ ରାଜ୍ ଛିଡା ହୋଇଥାନ୍ତି । ପାଖରେ ଥାଏ ଆଉ ଜଣେ ଅଜଣା ଯୁବକ । " ମଉସା ମାଉସୀଙ୍କୁ ଯେମିତି କିଛି ଅସୁବିଧା ନହୁଏ । ତୋ ଦାୟିତ୍ବ ରେ ରହିଲେ " ବୋଲି ରାଜ୍ ସେ ଅଜଣା ଯୁବକଟିକୁ କହୁଥିବାର କଲ୍ୟାଣୀ ଶୁଣିଲେ । ଏତକି ବେଳେ ଟ୍ରେନ୍ ଛାଡିବାର ଶବ୍ଦ ଦେଲା । ରାଜ୍ ପାଦ ଧରି ପ୍ରଣାମ କଲେ ସେ ବୁଢା ମଉସା ଆଉ ମାଉସୀଙ୍କର । ହାତରେ ଥାପୁଡାଇ ବିଦାୟ ଜଣାଇଲେ ସେ ଯୁବକକୁ । କଲ୍ୟାଣୀ ଏସବୁ ଡୋର୍ ପାଖରୁ ଦେଖି ଚାଲିଆସି ବସିଗଲେ ନିଜ ସିଟ୍ ଉପରେ । ରାଜ୍ ଭିତରକୁ ଆସି କଲ୍ୟାଣୀଙ୍କୁ ଦେଖି ହସିଦେଇ ପ୍ରଶ୍ନକଲେ " ତୁମେ ଶୋଇନ "? ଉତ୍ତର ନଦେଇ କଲ୍ୟାଣୀ ପ୍ରଶ୍ନ କଲେ " ମୋତେ ଛାଡିଦେଇ ଆପଣ ସେଠାରେ କଣ କରୁଥିଲେ ? ଆପଣ କ’ଣ ସେ ମଉସା ମାଉସୀଙ୍କୁ ଜାଣିଥିଲେ " ? ଖୁବ୍ ଜୋରରେ ହସିଦେଇ ରାଜ୍ କହିଲେ " ଆରେ ଜାଣିବି କାହିଁକି ? ଆମ ସହ ଏତେ ବାଟ ସାଥି ହୋଇ ଆସିଲେ । ତେଣୁ ଓହ୍ଲାଇଲାବେଳେ ତାଙ୍କୁ ଟିକିଏ ସାହାଯ୍ୟ କରିଦେଇଥିଲି । ସେଇଟା କଣ ମୋର ଭୁଲ୍ " । " ନା' ! ନା' ! ଭୁଲ୍ କାହିଁକି ହେବ । ହେଉ ଶୋଇପଡନ୍ତୁ " କହି ରାଜ୍ ଙ୍କ ଆଡକୁ ଟିକିଏ ଆଉଜିଗଲେ କଲ୍ୟାଣୀ । କିଛି ସମୟର ନିରବତା ପରେ ଟିକିଏ ଦୁଃଖଦ ସ୍ବରରେ ରାଜ୍ କହିଲେ " ଜାଣିଛ କଲ୍ୟାଣୀ ! ସେ ମଉସା ମାଉସୀ ତାଙ୍କ ପୁଅ ଆଦିତ୍ୟର ଅସ୍ଥି ବିସର୍ଜନ ପାଇଁ ତ୍ରିବେଣୀ ଆସିଛନ୍ତି । କହୁଥିଲେ ଆଦିତ୍ୟର କ୍ୟାନସର୍ ରେ ମୃତ୍ୟୁ ହୋଇଗଲା । ପୁରା ଗୋଟିଏ ବର୍ଷ କ୍ୟାନସର ସହ ଲଢିଥିଲା । ଜାଣିଛ ତାର କୁଆଡେ ଗୋଟିଏ ପ୍ରେମିକା ଥିଲା ଆଉ ତା ନାଁଟା ଖାଲି ତା ସାଙ୍ଗ ହିଁ ଜାଣିଥିଲା । ଖୁବ୍ ଭଲପାଉଥିଲା ସେ ତା ପ୍ରେମିକାକୁ । ତାହାରି ସକାଶେ ସେ ମୃତ୍ୟୁ ସହ ଲଢୁଥିଲା ଜିତିବା ପାଇଁ । କିନ୍ତୁ ଦେଖ ସେ ପ୍ରେମିକଟି ହାରଗଲା ମୃତ୍ୟୁ ପାଖରେ । ମୃତ୍ୟୁ ଶଯ୍ୟାରେ ଚିତ୍କାର କରି ସେ ତା ସାଙ୍ଗକୁ କହୁଥିଲା ' ମୁଁ ସିନା ଅଧା ବାଟରୁ ତା ହାତ ଛାଡିଦେଲି । ତୁ ମୋ ସାଙ୍ଗଟା ପରା । ତୁ ତା ହାତ ଶେଷ ପର୍ଯ୍ୟନ୍ତ ଧରିଥିବୁରେ । ସେ ପାଗିଳିଟା ବହୁତ ଅବୁଝା । ତାକୁ ଗାଳି କରିବୁନି କି କେବେ ସନ୍ଦେହ କରିବୁନି । ସେ ଗଙ୍ଗା ପରି ପବିତ୍ର । କଥାଦେ ସବୁବେଳେ ତା ପାଖେପାଖେ ଥିବୁ । କଥା ଦେ ! ମୋତେ କଥା ଦେ ' ! ବାସ୍ ଏହାପରେ ତା ଜୀବନ ଦୀପଟା ସବୁଦିନ ପାଇଁ ଲିଭିଗଲା । ସବୁଦିନ ପାଇଁ ପ୍ରେମିକାକୁ ତାର ଅପେକ୍ଷାରେ ରଖିଦେଲା । ତମେ ଶୁଣୁଛ ନା କଲ୍ୟାଣୀ ! କଲ୍ୟାଣୀ " ! ସେତେବେଳକୁ କଲ୍ୟାଣୀ ବୋଧହୁଏ ଶୋଇପଡିଥିଲେ । ମିଞିମିଞି ଆଲୁଅରେ ତାଙ୍କ ବନ୍ଦ ଆଖିକୁ ଦେଖି ରାଜ୍ ମନେମନେ ଭାବୁଥିଲେ " ତୁମେ ମୋ କଥା ନଶୁଣି ଶୋଇପଡିଲ କଲ୍ୟାଣୀ ! କେବେ ମୁଁ ତୁମ ମନରେ ଆଦିତ୍ୟର ଜାଗା ନେଇପାରିବି କଲ୍ୟାଣୀ; ମୁଁ ଅଛି ସେହି ସମୟର ଅପେକ୍ଷାରେ " ! 

କଲ୍ୟାଣୀଙ୍କ ସେହି ନିଦୁଆ ଆଖି ଉପରେ ପଡିଥିବା କେଇକେରା କେଶରାଶିକୁ ହାତରେ ସାଉଁଳି ଦେଇ ରାଜ୍ ତାଙ୍କୁ ଧିରେ ଶୁଆଇଦେଲେ ଲୋୟର ବାର୍ଥରେ ଆଉ ନିଜେ ଝରକା ପାଖରୁ ଚାହିଁ ରହିଥିଲେ ଟ୍ରେନ ବାହାରର ଅନ୍ଧାର ଦୁନିଆଁଟାକୁ । ସେ ଅନ୍ଧାର ଭିତରେ ରାଜ୍ କିନ୍ତୁ ଜାଣିପାରିଲେନି କି ଦେଖିପାରିଲେନି କଲ୍ୟାଣୀଙ୍କ ଲୁହରେ ଭିଜି ଯାଇଥିବା ନିଜ ସାର୍ଟର ଡାହାଣ ପାଖ କାନ୍ଧଟିକୁ ।


Rate this content
Log in

More oriya story from Jyotiranjan Sahu

Similar oriya story from Tragedy