Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Jyotiranjan Sahu

Tragedy Romance

4.5  

Jyotiranjan Sahu

Tragedy Romance

ଅପେକ୍ଷା ପୁଣିଥରେ

ଅପେକ୍ଷା ପୁଣିଥରେ

7 mins
541



ଆଜି ଅନେକ ଦିନପରେ ନୀଳ ରଙ୍ଗ ଶାଢୀଟିଏ ପିନ୍ଧି ଦର୍ପଣ ଆଗରେ ନିଜକୁ ବାରମ୍ବାର ଦେଖୁଥାଆନ୍ତି କଲ୍ୟାଣୀ । ସ୍ମୃତିଟା ସତେଯେପରି ତାଙ୍କୁ ରହିରହି କହୁଥାଏ 'କଲ୍ୟାଣୀ ! ତୁମ ଦେହକୁ ନା'ନୀଳରଙ୍ଗଟା ଖୁବ୍ ମାନେ ।ମନଟା ଆଜିବି ଠିକ୍ ସେହିଭଳି ଅଛି , ଖାଲିଯାହା ଯୌବନଟା ତାଙ୍କର ଲଗାମ ଛଡା ଘୋଡିଟିଏ ସାଜି ଦୌଡିପଳାଇଛି । ହେଲେ ଆଜିବି କଲ୍ୟାଣୀଙ୍କ ମନରୁ ଯାଇନାହିଁ ସମାଜର ଭୟ । ତେଣୁ ପୁଅ ବୋହୂ ନାତି ନାତୁଣୀ ସମସ୍ତଙ୍କ ଅନୁପସ୍ଥିତିରେ ନିଜକୁ ଘୋଡାଉ ଥାଆନ୍ତି ନୀଳ ରଙ୍ଗର ଶାଢୀଟା ଭିତରେ । ଜୀବନର ରଙ୍ଗଟା କେବେଠାରୁଯେ ବେରଙ୍ଗ ହୋଇଯାଇଛି , ସେଇଟା ଆଉ ତାଙ୍କର ମନେନାହିଁ । ମନେନାହିଁ କହିଲେ ଭୁଲ୍ ହେବ । ସେ ଜାଣିଶୁଣି କେବେହେଲେ ମନେରଖିବାକୁ ଚେଷ୍ଟାକରିନାହାନ୍ତି । ଋତୁଚକ୍ରର ଆବର୍ତ୍ତନରେ ଏହାଭିତରେ ବିତିଗଲାଣି ଅଠାବନଟି ବସନ୍ତ । କିନ୍ତୁ ଆଜିକୁ ଛତିଶ ବର୍ଷ ପୂର୍ବରୁ ପତ୍ରଝଡା ଦେଇସାରିଥିବା କଲ୍ୟାଣୀଙ୍କ ଶୁଷ୍କଜୀବନଟି ବୋଧହୁଏ ଆଜି ପ୍ରଥମକରି ନବପଲ୍ଲବରେ ପଲ୍ଲବିତ ହେବାକୁ ଚେଷ୍ଟିତ । ଆନନ୍ଦର ଛୋଟିଆ କୁଆଁଟିଏ ମୁଣ୍ଡଟେକି ପଲ୍ଲବ ପ୍ରସାରିତ କରିବାକୁ ବ୍ୟାକୁଳ ।


ତେଣୁ ବହୁସାହସ ଏକତ୍ରିତ କରି କଲ୍ୟାଣୀ ଆଜି ଧବଳ ରଙ୍ଗରୁ ନିଜକୁ ମୁକୁଳାଇ ଇନ୍ଦ୍ରଧନୁର ବର୍ଣ୍ଣାଳୀ ଭିତରେ ନିଜକୁ ହଜାଇଦେବାକୁ ବ୍ୟଗ୍ର । ଆଜି ତାଙ୍କର ମନେପଡିଯାଉଛି ଛତିଶ ବର୍ଷ ପୁରୁଣା ସେହି ଅନାଲୋଚିତ ପ୍ରେମ ସମ୍ପର୍କଟା ବିଷୟରେ , ଯାହାକୁ ସିଏ ହୃଦୟର ସିନ୍ଦୁକ ଭିତରେ ଆଜିଯାଏ ଆବଦ୍ଧକରି ରଖିଥିଲେ ସମାଜ ଆଉ ସମ୍ପର୍କର ଭୟରେ । ଏତେ ବର୍ଷ ହେଲାଣି ସେ ଖାଲି ସମାଜ ଆଉ ସମ୍ପର୍କକୁ ନେଇ ବଞ୍ଚିଚାଲିଛନ୍ତି । ନିଜ ପାଇଁ ବଞ୍ଚିବା ସେ କେବେଠାରୁ ଭୁଲିସାରିଲେଣି । ଜୀବନର ଚଲାପଥଟା ସରିବାକୁ ବୋଧହୁଏ ଆଉ ଅଳ୍ପ ନିଶ୍ବାସର ଦୂରତା । ତେଣୁ ନିଶ୍ବାସର ପଥଟା ସରିବା ଆଗରୁ ଥରଟିଏ ନିଜପାଇଁ ବଞ୍ଚିବାକୁ ; ଥରଟିଏ ପଶ୍ଚାତାପର ଅଗ୍ନିରୁ ନିଜକୁ ମୁକୁଳିତ କରିବାକୁ କଲ୍ୟାଣୀ ଆଜି ଖୁବ୍ ବ୍ୟଗ୍ର । ଅନେକ ଦିନପରେ ସିଏ ଫେରିଛନ୍ତି ହରିପୁର ଗାଁକୁ । ପ୍ରକୃତରେ ସିଏ ଯେ ସ୍ବଇଚ୍ଛାରେ ଆସିଛନ୍ତି ଏଠାକୁ ସେକଥା ପରିବାର ଲୋକଙ୍କୁ ଅଜଣା । ଏହିକିଛିଦିନ ହେବ ସେ ହରିପୁର ଗାଁ ହାଇସ୍କୁଲକୁ କିରାଣୀ ଭାବେ ଟ୍ରାନସଫର ନେଇ ଆସିଛନ୍ତି । ପନ୍ଦର ବର୍ଷ ପୂର୍ବରୁ ସ୍ବାମୀ ହରିହର ଦାଶଙ୍କ ଅକାଳ ବିୟୋଗ ପରେ ସରକାର କଲ୍ୟାଣୀଙ୍କୁ ଅନୁକମ୍ପା ମୂଳକ ଥଇଥାନ ପାଇଁ ତାଙ୍କୁ ଚାକିରିରେ ଅବସ୍ଥାପିତ କରିଛନ୍ତି । ପୁଅ, ଝିଅ, ନାତି, ନାତୁଣୀ ସମସ୍ତେ ହରିପୁର ଗାଁଠାରୁ ଶହେ କି.ମି. ଦୂର ସହରରେ ରହୁଛନ୍ତି , ଯେଉଁଠାରେ ଦାଶ ବାବୁଙ୍କ ଅନ୍ତେ କଲ୍ୟାଣୀ ଗଢିଛନ୍ତି ନିଜର ସ୍ଥାୟୀ ଠିକଣା । ଆଉ କେଇଟା ବର୍ଷର କର୍ମମୟ ସରକାରୀ ଜୀବନଟାକୁ କାଟିଦେଲେ ସେ ପୁଣି ଫେରିଯିବେ ସହରର ନିଜ ଠିକଣା ସ୍ଥାନକୁ । ତେଣୁ ଶେଷଥର ପାଇଁ ସିଏ ଆସିଛନ୍ତି ହରିପୁର ଗାଁରେ ଜୀବନର ଶେଷ କିଛିବର୍ଷ ଅତିବାହିତ କରିବାକୁ । ହଜାଇଦେଇଥିବା ନିଜ ଜୀବନର ସେହି ଶେଷ ବସନ୍ତଟିକୁ ପୁଣିଥରେ ଖୋଜିବାକୁ ।


             ଆଜି ରବିବାରଟାରେ ସକାଳୁ ସକାଳୁ ନୀଳ ରଙ୍ଗର ଶାଢୀକୁ ଖୁବ୍ ଯତ୍ନରେ ପିନ୍ଧି କଲ୍ୟାଣୀ ବାହାରି ପଡିଲେ ଗୋଟିଏ ଲକ୍ଷ୍ୟହୀନ ପକ୍ଷୀପରି । ରାସ୍ତାରେ ଯାଉ ଯାଉ ଅନୁଧ୍ୟାନ କରୁଥାଆନ୍ତି ହରିପୁର ଗାଁ ର ହୋଇ ଥିବା ନବକଳେବର । ଏହାଭିତରେ ଗାଁଟା ଅନେକ ବଦଳିଗଲାଣି । ଗାଁରେ ଆଉ ଗାଁର ସୁଗନ୍ଧ ନାହିଁ । ଗାଁଟା କେମିତି ଗୋଟାଏ ସହରିଆ ସହରିଆ ବାସିଲାଣି କଲ୍ୟାଣୀ ଙ୍କୁ । ହଠାତ୍ ମନଟା କହିଲା 'ଆରେ ଗାଁ ପୋଷ୍ଟ ଅଫିସ୍ ପଛପଟେ ଥିବା ସେ ବଉଳ ଗଛଟା ଅଛି ନା କଟା ସରିଲାଣି '! ଏହି ବଉଳ ଗଛଟାତ ଥିଲା ତାଙ୍କ ପ୍ରେମର ପ୍ରଥମ,ଶେଷ ଆଉ ମୂକ ସାକ୍ଷୀ । ଏହି ବଉଳ ମୂଳଟାରେ ଆଦିତ୍ୟଙ୍କ ସହ ତାଙ୍କର ପ୍ରଥମେ ଦେଖାହୋଇଥିଲା । ପ୍ରଥମ ଦେଖାରୁ ପରିଚୟ ପ୍ରେମ ଆଉ ତାପରେ... । ଏ ପ୍ରେମଟା ବି ଅଦ୍ଭୁତ ଜିନିଷ ଟିଏ । ପାଖରେ ଥିଲେ କିଛି ନଥାଇ ବି ସବୁଥାଏ ପୁଣି ପାଖରେ ନଥିଲେ ସବୁଥାଇ ବି କିଛି ନଥାଏ । ଆଦିତ୍ୟଙ୍କ ଭାବନାରେ ଭାସୁ ଭାସୁ ଅଜାଣତରେ କଲ୍ୟାଣୀଙ୍କ ଲକ୍ଷ୍ୟପଥଟା ମୋଡିଗଲା ଗାଁ ପୋଷ୍ଟ ଅଫିସ୍ ଆଡକୁ । ସେଇଠି ଯାଇ ଦେଖିଲେ ପୋଷ୍ଟ ଅଫିସ୍ଟାର ନବକଳେବର । ଏତେସବୁ ପରିବର୍ତ୍ତନ ପରେବି ଯଥାବତ୍ ସୁରକ୍ଷିତ ଅଛି ସେହି ବଉଳ ଗଛଟି । ଆଉ ତାରବି ଯୌବନଟା ନାହିଁ । ବିଶାଳ ଦ୍ରୁମଟିଏ ସାଜି ସେ ଆଜି ବୃଦ୍ଧଟିଏ ପରି ନଇଁପଡିଲାଣି । ଯେତେବେଳେ କଲ୍ୟାଣୀ ସେହି ବଉଳ ଗଛଟିକୁ ସ୍ପର୍ଶକଲେ ସତେଯେପରି ସେ ଅନୁଭବ କଲେ ତାର ସ୍ପନ୍ଦନ । ଠିକ୍ , କଲ୍ୟାଣୀ ଙ୍କ ହୃତସ୍ପନ୍ଦନ ସହ ଯେପରି ତାଳଦେଇ ସ୍ପନ୍ଦିତ ହେଉଥିଲା ସିଏ । କଲ୍ୟାଣୀ ଙ୍କୁ ଲାଗୁଥିଲା ଯେପରି ସେ ବଉଳ ଗଛଟା ତାଙ୍କୁ ନୀରବରେ ଅନେକ କିଛି କହିବାକୁ ଚେଷ୍ଟା କରୁଛି । ସେ ବଉଳ ଗଛକୁ ଦେଖୁଦେଖୁ କଲ୍ୟାଣୀ ହଜିଗଲେ ଅତୀତର ସେହି ଅପାସରା ସ୍ମୃତିଭିତରେ । 


            ଆଜିକୁ ଛତିଶ ବର୍ଷ ତଳେ ଏହି ବଉଳମୂଳରେ ପ୍ରେମ ବନ୍ଧନରେ ଆବଦ୍ଧ ଦୁଇ ପ୍ରେମ ପକ୍ଷୀ ଦୂର ଦେଶକୁ ଉଡିଯିବା ପାଇଁ ପରସ୍ପରକୁ ପ୍ରତିଶ୍ରୁତି ଦେଇଥିଲେ । ତାହାପୁଣି ଦୁହିଁଙ୍କର ରକ୍ଷଣଶୀଳ ପରିବାରର ବିନା ଅନୁମତିରେ । ରାତି ପାହିଲେ ଦୁହେଁ ଉଡିଯାଇଥାଆନ୍ତେ କେଉଁ ଏକ ଅଜଣା ରାଇଜକୁ , ଯେଉଁଠାରେ ଦୁହେଁ ଦୁହିଁଙ୍କୁ ଛାଡିଦେଲେ ଆଉ କେହି ଯେପରି ତାଙ୍କୁ ନଚିହ୍ନିପାରନ୍ତେ ! ହେଲେ ସେହି ରାତି ଭିତରେ କଣସବୁ ଘଟିଗଲା , ସେଇଟା ଆଜିଯାଏ ଆଦିତ୍ୟଙ୍କୁ ଜଣାନାହିଁ । କିନ୍ତୁ ସେହି ରାତିଟା ହିଁ ସଜେଇଦେଲା କଲ୍ୟାଣୀଙ୍କୁ ପ୍ରେମରେ ଜଣେ ପ୍ରତାରିକା । ଏକଥା ଭାବୁଭାବୁ କଲ୍ୟାଣୀଙ୍କ ଅଜାଣତରେ ଚକ୍ଷୁର ସୀମା ଲଂଘି ବହିଆସିଲା ଦି'ଟୋପା ଲୁହ । ପଡିଗଲା ଡାହାଣ ହାତ ପାପୁଲି ଉପରେ ଯେଉଁ ପାପୁଲିରେ ଥିଲା ଆଦିତ୍ୟଙ୍କ ଦିଆ ଶେଷ ଗୋଲାପ ଫୁଲଟି । ଆଜି ସେ ଫୁଲରେ ରଙ୍ଗ ନାହିଁ ସୁଗନ୍ଧ ନାହିଁ ନା ଅଛି ସତେଜତା । ତଥାପି ସେ ଶୁଖିଲା ଗୋଲାପଟା କଲ୍ୟାଣୀଙ୍କ ଭିତରେ ଭରିଦେଉଥାଏ ଉନ୍ମାଦନା । ଏତିକିବେଳେ ହଠାତ୍ ପଛରୁ କାହାର ଏକ ଅଜଣା ସ୍ବରରେ ଚମକିଉଠିଲେ କଲ୍ୟାଣୀ । ପଛକୁ ବୁଲି ଦେଖିଲେ ଚଉତିରିଶ/ ପଇଁତିରିଶ ବର୍ଷର ସୁନ୍ଦର ଯୁବକଟିଏ । ଅତି ନମ୍ର ଭାବେ ସେ କହିଲା " ଆପଣ କଣ କଲ୍ୟାଣୀ ମ୍ୟାଡାମ୍ "? ଜଣେ ଅଜଣା ଯୁବକର ଏତାଦୃଶ ପ୍ରଶ୍ନରେ ଚମକିଗଲେ କଲ୍ୟାଣୀ । ତାଙ୍କ ଆଶ୍ଚର୍ଯ୍ୟାନ୍ବିତ ମୁହଁଟିକୁ ଦେଖିଦେଇ ଯୁବକ ଜଣକ ହସିହସି କହିଲା " ନା'ନା' ! ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ଆପଣଙ୍କୁ ଜାଣେ ନାହିଁ କି ଆପଣ ବି ମୋତେ ଜାଣନ୍ତି ନାହିଁ । ଏମିତି ପଚାରିଦେଲି । ମୁଁ ଏହି ଗାଁ ପୋଷ୍ଟ ‍ଅଫିସ୍ ର ପୋଷ୍ଟ ମାଷ୍ଟର । ଅଫିସ୍ ରେ ଟିକିଏ କାମ ଥିଲା ବୋଲି ଛୁଟିଦିନରେ ବି ଅଫିସ୍ କୁ ଆସିଥିଲି । ହଠାତ୍ ନଜରଟା ଆପଣଙ୍କ ଉପରେ ପଡିଗଲା । ଦେଖିଲିଣି ଅନେକବେଳୁ ଆପଣ ଏ ବଉଳ ଗଛଟାକୁ ଧରି କଣ ସବୁ ଭାବୁଛନ୍ତି ।


କଥା କଣ କି ଆଜିକୁ ତିନି ବର୍ଷ ହେଲାଣି ମୁଁ ଜଣେ ବୁଢା ମଉସାଙ୍କୁ ଦେଖିଆସୁଛି । ସବୁଦିନ ସକାଳୁ ଏହି ବଉଳ ପିଣ୍ଡିରେ ଦୁଇ ତିନି ଘଣ୍ଟା ବସିବସି ଘରକୁ ଫେରନ୍ତି । ଲୋକେ କହନ୍ତି ଏହା ତାଙ୍କର ନିତିଦିନିଆ ଅଭ୍ୟାସ । ହେଲେ ତାଙ୍କ ଆଖକୁ ଦେଖିଲେ ଜଣାପଡେ ଯେପରି ସେମାନେ କାହାର ଅପେକ୍ଷାରେ ଅଛନ୍ତି । ଚୁପଚାପ୍ ସେ ବଉଳ ମୂଳରେ ରଘୁ ଚା'ବାଲା ପାଖରୁ ଦି କପ୍ ଚା ପିଇଦେଇ ମଉସା ଘରକୁ ଚାଲିଯାଆନ୍ତି । ପଚାରିବି ପଚାରିବି ବୋଲି ଭାବି ଦିନେ କୌତୁହଳ ବଶତଃ ପଚାରିଦେଲି । ଟିକିଏ ହସିଦେଇ ସେ କହିଲେ ' ବୁଝିଲୁ ମୁଁ ଆଜିକୁ ଛତିଶ ବର୍ଷ ହେଲାଣି ଏ ବଉଳ ମୂଳରେ ଜଣକୁ ଅପେକ୍ଷା କରିଛି । ସେ ଆସିଲେ ଆମେ ଦୁଇଜଣ ଫେରାର୍ ହୋଇ ବାହାହେବା '। ପ୍ରଥମେ ପ୍ରଥମେ ମୁଁ ଭାବିଥିଲି ବୋଧହୁଏ ମଉସାଙ୍କର ମୁଣ୍ଡ ଦୋଷ ଅଛି । କିନ୍ତୁ ମିଶିଲାପରେ ଜାଣିଲି ତାଙ୍କ ପ୍ରେମର ଗଭୀରତା । ସେ ମୋତେ କହନ୍ତି ' ଦେଖିବୁ ଦିନେ ନିଶ୍ଚୟ ମୋ କଲ୍ୟାଣୀ ଆସିବ । ମୁଁ ଜାଣେ ସେ କେବେହେଲେ ଜଣେ ପ୍ରତାରିକା ନୁହେଁ । ସେ ଆସିବ । ତା ଦେହକୁ ନା'ନୀଳ ରଙ୍ଗଟା ଖୁବ୍ ମାନେ । ସେହି ନୀଳ ରଙ୍ଗରେ ନିଜକୁ ରଙ୍ଗେଇଦେଇ ହାତରେ ନାଲି ଗୋଲାପଟିଏ ଧରି ସେ ମୋପାଖକୁ ଆସି କହିବ 'ଚାଲ ଆମେ ପଳାଇବା କେଉଁଏକ ଏକାନ୍ତ ଜାଗାକୁ । ଯେଉଁଠି ଖାଲି ତୁମେ ଥିବ ଆଉ ମୁଁ ' । ସେଥିପାଇଁ ଆପଣଙ୍କ ନୀଳ ଶାଢୀ ଆଉ ହାତରେ ସେହି ଶୁଖିଲା ଗୋଲାପଟିକୁ ଦେଖି ମୁଁ ଭାବିନେଲି ଆପଣ ମୋ ମଉସାଙ୍କ ସେହି ପ୍ରେମିକା କଲ୍ୟାଣୀ ବୋଲି " । ଯୁବକଟିର ମୁହଁରୁ ଗୋଲାପର କଥାଶୁଣି ତରତର ହୋଇ ହାତରେ ଧରିଥିବା ଶୁଖିଲା ଗୋଲାପଟିକୁ ଯଥାସମ୍ଭବ ଲୁଚାଇଦେବାକୁ ଚେଷ୍ଟାକଲେ କଲ୍ୟାଣୀ । ଏହାପରେ ଯୁବକଟି ଅଧିକ କିଛିନକହି ଚୁପଚାପ ଯିବାକୁ ଉଦ୍ୟତ ହେଲେ । କିଛି ପାହୁଣ୍ଡ ଆଗକୁ ଯାଆନ୍ତେ ପଛରୁ କହିବାର ଶୁଣାଗଲା"ଜାଣିଛ ପୁଅ ! ଏ ଶୁଖିଲା ଗୋଲାପଟା ମୋତେ ସିଏ ଦେଇଥିଲେ । ସମୟଟା ମୋତେ ଆଗକୁ ନେଇଗଲା । କିନ୍ତୁ ମୋ ମନ ଆଜିବି ଏହି ଶୁଖିଲା ଗୋଲାପଟା ପାଖରେ ଅଟକିରହିଛି । ଠିକ୍ ସେଦିନର ସେହି ସଜ ଗୋଲାପଟି ପରି ଆଜିବି ଏହା ମୋ ମନରେ ସତେଜ ହୋଇରହିଛି । ବିବଶତାର ଅନ୍ୟ ନାଁ ବୋଧେ ନାରୀ । ନିଜର ତନ ମନ ଯୌବନ କୌଣସି ଥିରେ ତାର ଅଧିକାର ନାହିଁ । ସବୁଥିରେ କେହି ନା କେହି ତାଉପରେ ନିଜର ଅଧିକାର ସାବ୍ୟସ୍ତ କରିଛି । ଇଏ ପରା ନାରୀ ନାସ୍ତି ଅରି ଯସ୍ୟା ସା । ନା ଇଏ ପୁରୁଷଙ୍କ ପରି କଠୋର ହୋଇପାରେ ନା ଜଣେ ପିତା ପରି ଆଦେଶ ଦେଇପାରେ ! ତାସହ ତ ପ୍ରତିଟି ସ୍ତରରେ ଛଳନା କରାହୁଏ ।


କେତେବେଳେ ତା ଆବେଗପ୍ରବଣତାକୁ ନେଇ ଏ ସମାଜ ଖେଳ ଖେଳେ ତ କେବେ ଦେବୀର ମାନ୍ୟତା ଦେଇ ତା ସହିଷ୍ଣୁତାର ପରୀକ୍ଷା ନିଆଯାଏ । ସତ କହୁଛି ପୁଅ ! ସେଦିନ ରାତିରେ ମଧ୍ୟ ମୋସହ ଏହିଭଳି କିଛି ଘଟଣା ଘଟିଥିଲା । କୌଣସି ସୂତ୍ରରୁ ଆମ ପ୍ରେମ ସମ୍ପର୍କ ବିଷୟରେ ଘର ଲୋକ ଜାଣିଯାଇଥିଲେ । ତାପର ଦିନର ସକାଳଟା ମୋ ପାଇଁ ଭିନ୍ନ ଏକ ପରିଚୟ ନେଇ ଆସିଥିଲା । ଆଉ ସେହିଦିନଠାରୁ ସମୟ କେବେ ମୋତେ ପଛକୁ ବୁଲି ଚାହିଁବାକୁ ସୁଯୋଗ ଦେଇନାହିଁ । ତେବେ ଛାଡ ସେକଥା । ପାଖାପାଖି ପନ୍ଦର ଦିନ ହେବଣି ମୁଁ ଏଗାଁ ହାଇସ୍କୁଲକୁ ଆସିଲିଣି । ବୋଧହୁଏ ତାଙ୍କୁ ଜଣାନାହିଁ ମୁଁ ଆସିଛି ବୋଲି । ଯଦି ଦେଖାହୁଏ କହିବେ କାଲି ସକାଳେ ମୁଁ ତାଙ୍କୁ ଏଇଠି ଏ ବଉଳ ମୂଳରେ ଅପେକ୍ଷା କରିଥିବି " । "ହଁ ! ନିଶ୍ଚୟ କହିବି ମ୍ୟାଡାମ୍" କହି କଲ୍ୟାଣୀଙ୍କ ପାଖରୁ ହସିହସି ବିଦାୟ ନେଲେ ଯୁବକ ଜଣକ । 


         ପରଦିନର ସୂର୍ଯ୍ୟ ! ପୁଣି ନୂତନ ଏକ ସକାଳ ! ବହୁରୂପି ସମୟର ଭିନ୍ନ ଏକ ରୂପ । ବିରସ ମନରେ ସେହି ପୋଷ୍ଟ ମାଷ୍ଟର ଯୁବକ ଜଣକ ମାଡିଚାଲିଥାଆନ୍ତି ଆଗକୁ ଆଗକୁ । ମନରେ ଆବେଗିକ ଯନ୍ତ୍ରଣା ଆଉ ମୁହଁରେ ବିଷାଦର ଛିଟା । କାନ୍ଧର ବୋଝ ଠାରୁ ମନ ର ବୋଝଟାରେ ଯୁବକ ଜଣକ ଅଧିକ ଭାରାକ୍ରାନ୍ତ । କାହିଁକି ନହେବେ !! କଲ୍ୟାଣୀଙ୍କ ଉପସ୍ଥିତିର ସମ୍ବାଦଟା ଦେବାରେ ତାଙ୍କର ବିଳମ୍ବ ହୋଇଗଲା । ହୁଏତ ଏହା ଶୁଣି ଥିଲେ ମଉସାଙ୍କ ହୃଦୟର ସ୍ପନ୍ଦନଟା ଥକିପଡିନଥାନ୍ତା । କିନ୍ତୁ ଏବେ ସେ ସମ୍ବାଦଟା ଶୁଣିବାପାଇଁ ଆଉ ମଉସା ସମର୍ଥ ନଥିଲେ । ଅପେକ୍ଷାଟା ତାଙ୍କର ଅନ୍ତହୀନ ହୋଇଯାଇଥିଲା । ଖୁସିର କ୍ଷୀଣ ଶିଖାଟିଏ ଜଳି ମଧ୍ୟ ମୂଲ୍ୟହୀନ ହୋଇଯାଇଥିଲା ମଉସାଙ୍କ ପାଇଁ । ହଠାତ୍ ପୋଷ୍ଟ ମାଷ୍ଟର ଯୁବକଙ୍କ ମନେପଡିଲା ବାଟରେ ପଡିବ ପୋଷ୍ଟ ଅଫିସ ଆଉ ସେ ବଉଳ ମୂଳରେ ଅପେକ୍ଷା କରିଥିବେ କଲ୍ୟାଣୀ ମ୍ୟାଡାମ୍ । କଣ କହିବେ ତାଙ୍କୁ । କେମିତି କହିବେ ତାଙ୍କ ଅପେକ୍ଷାଟା ସବୁଦିନ ପାଇଁ ଅପେକ୍ଷାରେ ହିଁ ରହିଗଲା ! ଏହାଭିତରେ ପୋଷ୍ଟ ଅଫିସ୍ ଟା ପାଖେଇ ଆସିଲା । ନଜର ବୁଲାଇଲେ ପୋଷ୍ଟ ମାଷ୍ଟର ଯୁବକ ଜଣକ । ଦେଖିଲେ କେହି ନଥିଲେ ବଉଳ ଗଛତଳେ । ବୋଧହୁଏ କଲ୍ୟାଣୀ ମ୍ୟାଡାମଙ୍କୁ ମଉସାଙ୍କ ଖବରଟା ମିଳିଯାଇଛି । ଦୀର୍ଘ ନିଶ୍ବାସଟିଏ ଛାଡିଲେ ସେ ପୋଷ୍ଟ ମାଷ୍ଟର ଯୁବକ ଜଣକ । ଏତିକିବେଳେ ଆଗଛକ ରାସ୍ତାରେ ଦେଖାଗଲା ସ୍କୁଲ ପିଲାଙ୍କ ଭିଡ । ଜଣାପଡିଲା ହାଇସ୍କୁଲକୁ ନୂଆ କରି ଆସିଥିବା ମ୍ୟାଡାମ ଗତରାତିରେ ହୃତ୍ଘାତରେ ମୃତ୍ୟୁବରଣ କରିଛନ୍ତି ଆଉ ସେହି କାରଣରୁ ସ୍କୁଲ୍ ଛୁଟି । ସେ ମ୍ୟାଡାମ୍ ଆଉ କେହି ନଥିଲେ; ଥିଲେ କଲ୍ୟାଣୀ । ଏହା ଜାଣି ନିରବିଗଲେ ସେହି ଯୁବକ । ଅପରାଧୀ ସମ ଅନୁଭବ କଲେ ନିଜକୁ । ଅନ୍ତିମ ସଂସ୍କାର ସାରି ଫେରିବା ବାଟରେ ପୋଷ୍ଟ ମାଷ୍ଟର ଯୁବକ ଜଣକ ପୋଷ୍ଟ ଅଫିସ୍ ପାଖରେ ଅଟକି ନିରବରେ ଚାହିଁରହିଲେ ସେ ବିଶାଳ ବଉଳ ଗଛଟିକୁ । କିଛି ସମୟର ନିରବତା ପରେ ଆପେଆପେ ମୁହଁରୁ ତାଙ୍କର ବାହାରି ଆସିଲା " ଅପେକ୍ଷା ପୁଣି ଥରେ " ॥



Rate this content
Log in

More oriya story from Jyotiranjan Sahu

Similar oriya story from Tragedy