ଅନୁପ୍ରେରଣା
ଅନୁପ୍ରେରଣା


ଯେବେ ଯେବେ ପ୍ରେମର କଥା ଆସେ ସମସ୍ତେ ରାଧା କୃଷ୍ଣ ପ୍ରେମକାହାଣୀ ମନେ ପକାଇଥାନ୍ତି। କଣ ପାଇଁ ବା ନ କହିବେ ରାଧାକୃଷ୍ଣ ପ୍ରେମ ଥିଲା ଚିର ଶାଶ୍ଵତ ଶୁଦ୍ଧ ଆଉ ଏହି ପ୍ରେମରେ ନଥିଲା ଦୁଇଟି ବ୍ୟକ୍ତିର ମିଳନ ଏଠି ଥିଲା ଦୁଇ ମନର ମିଳନ ସର୍ବୋପରି ଦୁଇ ଆତ୍ମାର ମିଳନ। ସ୍ଵୟଂ ନାରାୟଣ ଏ ଧରାରେ ଅବତାର ଧାରଣ କରିଥିଲେ ସମଗ୍ର ମାନବ ସମାଜକୁ ପ୍ରେମର ପରିଭାଷା ବୁଝାଇବାକୁ ଆଉ ମଧ୍ୟ ପ୍ରେମରେ ସମଗ୍ର ଗୋପପୁର ଠାରୁ ଆରମ୍ଭ କରି ମଧୁରାରେ ମଧ୍ୟ ପ୍ରେମର ବାର୍ତ୍ତା ବାଣ୍ଟିଥିଲେ। ଆଉ ମଧ୍ୟ ରାଧା କୃଷ୍ଣ ପ୍ରେମକାହାଣୀ ଆମକୁ ଏ ଶିକ୍ଷା ଦିଏ ଯେ ଜୀବନରେ ଯେତେ କଷ୍ଟ ଆସିଲେ ମଧ୍ୟ କେବେବି ପ୍ରେମର ମାର୍ଗରୁ ହଟିବନି।
ଆଜିର ଆଧୁନିକ ସମାଜରେ ମଧ୍ୟ ପ୍ରେମର ଉପସ୍ଥିତି ଅଛି। କିନ୍ତୁ ଆଜିର ପ୍ରେମରେ ନା ଅଛି ଆତ୍ମାର ମିଳନ ନା ଦେଖିବାକୁ ମିଳୁଛି ଶୁଦ୍ଧ ପ୍ରେମ। ଆଉ ଯଦି ବା ଶୁଦ୍ଧ ପ୍ରେମ ରହୁଛି ତାହାକୁ ଏ ସମାଜ ଗ୍ରହଣ କରିବାକୁ ନାରାଜ। କିଏ ଏଠି ପ୍ରେମରେ ସରକାରୀ ଚାକିରୀ ଦେଖୁଛି ତ କିଏ ଦେଖୁଛି ଟଙ୍କା ତ୍ କିଏ ଏଠି ପଚାରୁଛି ଜାତି ଗୋତ୍ର। ପରନ୍ତୁ ଶୁଦ୍ଧ ପ୍ରେମରେ ଯେତେ ବାଧା ବିଘ୍ନ ଆସିଲେ ବି ନିଜ ଲକ୍ଷ୍ୟ ପଥରୁ ନ ଅପସରିଯିବାର ଉଦାହରଣ ଆଜିବି ଅଛି।
ପ୍ରିୟା ଯିଏକି ଜନ୍ମରୁ ରାଜ୍ୟ ବାହାରେ ରୁହେ ନିଜର ସ୍ନାତକ ଡିଗ୍ରୀ ପାଇଁ ଦକ୍ଷିଣ ଭାରତର ଏକ ସରକାରୀ ବିଶ୍ୱବିଦ୍ୟାଳୟରେ ଉଦ୍ୟାନ କୃଷି ବିଭାଗରେ ନାମ ଲେଖାଇ ଥାଏ। ପୁଣି ସେଠି ତା ସହ ଦେଖା ହୁଏ ସୁଦୂର ଉତ୍ତରପୂର୍ବ ଭାରତରୁ ପଢ଼ିବା ପାଇଁ ଆସିଥିବା ପୁଅ ମୋଆ। ସମୟ କ୍ରମେ ଦୁହେଁ ବନ୍ଧୁ ହୁଅନ୍ତି ଓ ପରେ ସେମାନଙ୍କ ବନ୍ଧୁତା ପ୍ରେମରେ ପରିଣତ ହୁଏ। ଏହାରି ମଧ୍ୟେ ଦୁହେଁ ୪ ବର୍ଷର ପଢ଼ା ସାରି ନିଜ ନିଜ ରାଜ୍ୟକୁ ଫେରି ଆସନ୍ତି। ପ୍ରିୟା ଉଚ୍ଚ ଶିକ୍ଷା ପାଇଁ ପ୍ରଥମେ ହରିଆଣା ଓ ପରେ ପଶ୍ଚିମ ବଙ୍ଗରେ ଯାଇ ରୁହେ ଓ ପୁଅ ଭାରତୀୟ ସୈନ୍ୟ ବାହିନୀରେ ସହ ସେନାପତି ଭାବରେ ଯୋଗ ଦେଇଥାଏ। ଦୁହେଁ ଦୁହିଁଙ୍କ ଠାରୁ ଯେତି
କି ଦୂରରେ ଥିଲେ ସେମାନଙ୍କ ମଧ୍ୟରେ ପ୍ରେମ ସେତିକି ଦୃଢ଼ ହୋଇଥିଲା। ପରେ ପରେ ପ୍ରିୟା ପଢା ସାରି ଏକ ଘରୋଇ ବିଶ୍ବବିଦ୍ୟାଳୟ ରେ ସହ ଅଧ୍ୟାପକ ଭାବରେ ଯୋଗ ଦେଇଥାଏ। ଏ ଭିତରେ ସେମାନେ ପ୍ରେମର ୧୦ ବର୍ଷରେ ପଦାର୍ପଣ କରିସାରିଥିଲେ। ପ୍ରିୟା ଓ ମୋଅା ଯେବେ ନିଜ ପ୍ରେମ କାହାଣୀ ଘରେ କହିଲେ ତ ଘରେ ପ୍ରଥମେ ରାଜି ହେଲେ ନାହିଁ। କାରଣ ପ୍ରିୟା ଥିଲା ଓଡ଼ିଆ ନୈଷ୍ଠିକ ହିନ୍ଦୁ ବ୍ରାହ୍ମଣ ଓ ପୁଅ ଥିଲା ଖ୍ରୀଷ୍ଟିଆନ୍। ଏଠି ନା ଥିଲା ଖାଲି ରାଜ୍ୟରେ ପାର୍ଥକ୍ୟ ବରଂ ଜାତି ଗୋତ୍ର ଠୁ ଆରମ୍ଭ କରି ଧର୍ମରେ ମଧ୍ୟ ପାର୍ଥକ୍ ଥିଲା। ଏତେ ସବୁ ବାଧା ଥାଇ ବି ଦୁହେଁ ଦୁହିଁଙ୍କ ସାଥୀ ଛାଡିନଥିଲେ। ଦୁହିଁଙ୍କର ଦୃଢ ମନୋବଳ ଆଉ ସଂକଳ୍ପ ଆଗରେ ପରିଶେଷରେ ଦୁଇ ଘରର ସଦସ୍ୟ ହାର ମାନି ଦୁହିଁଙ୍କୁ ଗ୍ରହଣ କରିନେଇଛନ୍ତି। ଆଉ ଏବେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇ ସୁଖ ଶାନ୍ତିରେ ଜୀବନଯାପନ କରୁଛନ୍ତି। ଖାଲି ସେ ଦୁହେଁ ନିଜ ପ୍ରେମରେ ବିଜୟ ହେଲେ ତାହା ନୁହେଁ ଏ ସ୍ୱାର୍ଥପର ଦୁନିଆଁରେ ନିଜକୁ ଅନୁପ୍ରେରଣାର ଉତ୍ସ ଭାବରେ ନିଜ ନାମକୁ ଚିର କାଳ ପାଇଁ ଲେଖି ଦେଇଛନ୍ତି। ଆଉ ଆଜିବି ଯେବେ ମୁଁ ସେ ଦୁଇଜଣଙ୍କୁ ଦେଖେ ସେମାନଙ୍କ ପ୍ରେମ କାହାଣୀକୁ ମୁଁ ପ୍ରସଂଶା ନ କରି ରହିପରେନି। ସତରେ ତୁମେ ଦୁଇଜଣ ଧନ୍ୟ ଆଜିର ଆଧୁନିକ ଯୁଗରେ ଯେଉଁଠି ପ୍ରେମର ପରିଭାଷା ହିଁ ଭିନ୍ନ ସେଠି ତମେ ଦ୍ୱାପର ଯୁଗର ରାଧାକୃଷ୍ଣଙ୍କ ପ୍ରେମକୁ କଳିଯୁଗରେ ମୋତେ ଅନୁଭବ କରିବାକୁ ଦେଇଛ। ତୁମର ଏହି ଅନୁପ୍ରେରଣା ନିଶ୍ଚୟ ମୁଁ ସାରା ଦୁନିଆରେ ଖୁସିରେ ଗାଇବୁଲିବି ଆଉ ସେହି ସମାଜକୁ କହିବି ପ୍ରେମ କି ସମ୍ପର୍କ ଜାତି ଗୋତ୍ରରେ ନ ଥାଏ ଏହା ଥାଏ ତ କେବଳ ଶୁଦ୍ଧ ହୃଦୟରେ।
ମୋର ଏହି ଗଳ୍ପ ମାଧ୍ୟମରେ ମୁଁ ସମସ୍ତଙ୍କୁ ଏତିକି ନିବେଦନ କରିବି କି ପ୍ରେମକୁ ପାପ ନ ଭାବି ତାକୁ ଆଦରର ସହ ଆପଣେଇ ନେବାକୁ। ଆଉ ପ୍ରିୟା ଓ ମୋଆ ଦୁଇ ଜଣଙ୍କୁ ମୋ ତରଫରୁ ଶୁଭ କାମନା ଓ ଭଗବାନ ଜଗନ୍ନାଥ ଦୁହିଁଙ୍କୁ ସଦା ସୁଖୀ ରଖନ୍ତୁ।