ଅଭୁଲା ଦୁଃଖ
ଅଭୁଲା ଦୁଃଖ
ଅଜୟ ଉଚ୍ଚ ଶିକ୍ଷିତ ଯୁବକ ବହୁତ କମ୍ ବୟସରେ ଏକ ପ୍ରତିଷ୍ଠିତ ବିଶ୍ବିଦ୍ୟାଳୟରେ ସହ ଅଧ୍ୟାପକ ଭାବରେ କାମ କରୁଛି। ସେଠି ଅଜୟର ପାଠ ପଢା ଓ କାର୍ଯ୍ୟଶୈଳୀ ପାଇଁ ସମସ୍ତଙ୍କ ମଧ୍ୟରେ ବହୁ ପରିଚିତ। ଏମିତିରେ ଅଜୟ ଜୀବନରେ ତା ବାପା ମା ଆଉ ଭଉଣୀ ଭିଣୋଇ ସବୁ କିଛି।ତା ଜୀବନର ପ୍ରତିଟି ସଫଳତାର ଶ୍ରେୟ ସେ ଆଜିବି ତା ପରିବାରକୁ ଦିଏ ଆଉ କାହିଁକି ବା ଦେବନି ସେମାନେ ଯେ ତାକୁ ଏତେ ଯତ୍ନରେ ପାଳି ପାଠ ପଢେଇ ଏତେ ବଡ଼ କରିଛନ୍ତି ଆଉ ତାଙ୍କ ପାଇଁ ତ୍ ସେ ଆଜି ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇଛି।କିନ୍ତୁ ଏହାରି ଭିତରେ ଅଜୟ ଜୀବନରେ ଏମିତି ଏକ ଝଡ଼ ବୋହି ଯାଇଛି ଯାହା ପାଇଁ ସେ ସବୁ ଥାଇ ମଧ୍ୟ ଆଜିବି ନିଜକୁ ସର୍ବଦା ଏକା ଅନୁଭବ କରେ। ସେହି ଝଡ଼ ତା ଜୀବନରେ ଯେମିତି ଏକ କଳା ବାଦଲ ଢାଙ୍କି ରହିଲା ପରି ରହିଯାଇଛି।
କଲେଜରେ ପଢ଼ିବା ବେଳେ ଅଜୟ ସହ ଦେଖା ହୁଏ ମାମାର। ଆଉ କଲେଜର ପାଣି ପବନକୁ ଯୌବନରେ ଉପନୀତ ଦୁଇଜଣଙ୍କ ମଧ୍ୟରେ କ୍ରମେ ଭଲପାଇବା ଘର ତିଆରି କରି ସାରିଥାଏ। ସମୟକ୍ରମେ ଦୁହେଁ ଦୁହିଁଙ୍କର ନିକଟତର ହୁଅନ୍ତି। ଏମତି କିଛି ଦିନ ଚାଲିବା ପରେ ମାମା ର ଚାକିରୀ ହୋଇଯିବାରୁ ସେ ପଢା ଛାଡି ଚାକିରୀରେ ଯୋଗ ଦେଇଥାଏ ଆଉ ଅଜୟ ନିଜ ପଢ଼ା ଜାରି ରଖିଥିଲା ଓ ପଢ଼ା ଶେଷ କରି ଚାକିରୀରେ ଯୋଗ ଦେଇଥିଲା। ଏଥିରେ ସେ ତା ପରିବାର ଓ ତା ଜୀବନଠୁ ବି ଅଧିକ ଭଲ ପାଉଥିବା ମାମା ବି ଖୁସି ଥାନ୍ତି। ସବୁ ଠିକ୍ ଠାକ୍ ଚାଲିଥାଏ ଆଉ ଏହାରି ଭିତରେ ଅଜୟ ବି ନିଜ କାମରେ ନିଜକୁ ସମର୍ପିତ କରି ନିଷ୍ଠାର ସହ କରୁଥାଏ। ମାମା ଅଜୟକୁ କୁହେ ଘରେ ସେମାନଙ୍କ ବିଷୟରେ କହିବା ପାଇଁ ଆଉ ଅଜୟ ବି ନିଜ ଘରେ ମାମା କଥା କୁହେ ଓ ସେମାନଙ୍କୁ ରାଜି କରାଇ ମାମା ସହ ଦେଖା ବି କରାଏ। ଘର ଲୋକ ମାମାକୁ ଭେଟି ସରିଲା ପରେ ଖୁସିରେ ଶୀଘ୍ର ଦୁଇ ଜଣଙ୍କ ବାହାଘର ପାଇଁ ସ୍ଥିର କରିଥାନ୍ତି। କିନ୍ତୁ ସେପଟେ ମାମା ତା ଘରେ ଯେତେ କହିଲେ ବି ସେମାନେ ରାଜି ହୁଅନ୍ତି ନାହିଁ। ଆଉ ଏପଟେ ଅଜୟର ସର୍ତ୍ତ ଥାଏ ଯେ ସେ ଦୁଇ ପରିବାରର ସହମତିରେ ହିଁ ମାମା କୁ ବିବାହ କରିବ। ବୋଧେ ଭାଗ୍ୟର ଲେଖା ଆଉ କିଛି ଥିଲା ହଠାତ୍ କଳା ହାଣ୍ଡିଆ ମେଘର ବାଦଲ ମାଡିଆସିଲା ଆଉ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଗଲେ।
ଏହାରି ଭିତରେ ଅଜୟ ବହୁତ୍ ଭାଙ୍ଗି ପଡ଼ିଥାଏ ଓ ଏପଟେ କର୍ମ କ୍ଷେତ୍ରରେ କାର୍ଯ୍ୟ ଭାରର ଚାପ୍ ତାକୁ ଅଧିକ ବ୍ୟତି ବ୍ୟସ୍ତ କରିପକାଉଥାଏ। ଏମିତି ଏକ ସମୟ ଆସିଯାଏ ତା ଜୀବନରେ ଖୁସି ବୋଲି କିଛି ତା ଜୀବନରେ ନାହିଁ ଯେପରି। ଏମିତି ବହୁତ ମାସଦିନ ବିତି ଯାଇଛି ଆଉ କୌଣସି ଗୋଟେ ବି ଦିନ ନାହିଁ ଯୋଉଠି ଅଜୟ ମାମା କୁ ମନେ ପକେଇନି। ତାକୁ ଲାଗେ ଯେମିତି ତା ରଙ୍ଗୀନ ଜୀବନରେ ଗ୍ରହଣ ଲାଗିଯାଇଛି ଆଉ ସେଇ ଗ୍ରହଣର ବୋଧେ ଶେଷ ନାହିଁ। କେତେ ରାତି ସେ ଅନିଦ୍ରା ହେଇ ମାମା ର ଫଟୋକୁ ଦେଖି ନିଜ ମନକୁ ବୁଝେଇ ଦେଇଛି ତ କେବେ କେବେ ନିଜ ଆଖିର ଲୁହରେ ରାତିକୁ ପାହିବାକୁ ଦେଇଛି। ତା ଆଖି ବହୁତ୍ ଖୋଜିଛି ତା ପ୍ରେମିକାକୁ କିନ୍ତୁ କେବେବି ଖୋଜି ପାଇନି। ଅଜୟ ବହୁତ ଚେଷ୍ଟା ବି କରିଛି ଦେଖା କରିବାକୁ ସେଇଟା ବି ସମ୍ଭବ ହେଇନି। ଏହି ସବୁ ଭିତରେ ଅନେକ ବର୍ଷ ବିତି ସାରିଥିଲେ ମଧ୍ୟ ରାତି ଯେତିକି ଯେତିକି ବଢେ ତାର ଅନ୍ୱେଷଣ ଆଖି ଦୁଇଟି ମାମା କୁ ସେତିକି ଖୋଜି ବୁଲେ ଆଉ ଏ ସବୁ ଯେମିତି ତା ପାଇଁ ଏକ ନିତିଦିନିଆ କାମ ପାଲଟିଯାଇଛି। ଯେମିତି କି ତା ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ତା ଜୀବନର ଏ ଦୁର୍ଘଟଣା ଏକ ଅଦ୍ଭୁଲା ଦୁଃଖ ହେଇ ରହିଯାଇଛି।