Chinmaya Jena

Inspirational Others

3  

Chinmaya Jena

Inspirational Others

ଛୋଟ ମୋର ଗାଁଟି-୨

ଛୋଟ ମୋର ଗାଁଟି-୨

4 mins
234


ରାଜୁର ଦେହାନ୍ତ ପରେ ତାର ସ୍ତ୍ରୀ ମାଳତୀ ଦେବୀ ମଧ୍ୟ ଗାଁରେ ରହିବାକୁ ମନସ୍ଥ କଲେ। ପୁଅ ବୋହୂ ବହୁତ୍ ଥର ଗାଁକୁ ଆସି ତାଙ୍କ ସହ ସହରକୁ ଫେରିଯିବା ପାଇଁ ଅନେକ ଥର ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ଅସଫଳ ହେଲେ ରାଜୁ ପରି ମାଳତୀ ଦେବୀ ମଧ୍ୟ ସଫା ସଫା କହିଦେଲେ ସେ ଗାଁକୁ ଛାଡିକି କୁଆଡେ ଯିବେନି। ମାଳତୀ ଦେବୀ ମଧ୍ୟ ଜଣେ ଉଚ୍ଚ ଶିକ୍ଷିତ ମହିଳା ଥିଲେ ତାଙ୍କର ବାଲ୍ୟକାଳ ଓ ଶିକ୍ଷା ଗ୍ରହଣ ସହରରେ ଶେଷ ହେଇଥିଲା। ସେ ନିଜର ସ୍ନାତକ ଡିଗ୍ରୀ ହାସଲ କରିଥିଲେ ଆଉ ରାଜୁ ସହ ବିବାହ ହେବାପରେ ଘରେ ରହି ରାଜୁର ବାପାମାଆ ଆଉ ଘରର କାମ କରିବାକୁ ପସନ୍ଦ କଲେ ତେଣୁ ସେ ଚାକିରୀ କରିବାକୁ ପ୍ରାଧାନ୍ୟ ଦେଇନଥିଲେ। ପରନ୍ତୁ ନିଜ ଗୃହିଣୀ ଜୀବନର କର୍ତ୍ତବ୍ୟ ଶେଷ କରି ପ୍ରତିଦିନ ସନ୍ଧ୍ୟା ସମୟରେ ପାଖ ବସ୍ତିର ଗରିବ ପିଲମାନଙ୍କୁ ବିନା ପାରିଶ୍ରମିକରେ ପଢ଼ାଉଥିଲେ। ଏଥି ସହିତ ଏକ ସାମାଜିକ ସଂଗଠନର କର୍ମୀ ଥିଲେ ଏହି ପରିପ୍ରେକ୍ଷୀରେ ବହୁତ ଥର ଅନେକ ସାମାଜିକ କାମ ଯଥା ସ୍ବଚ୍ଛତା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ରକ୍ତଦାନ ଶିବିର ଆଦି କାର୍ଯ୍ୟରେ ନିଜକୁ ସାମିଲ କରୁଥିଲେ। ଏହାରି ଭିତରେ ସହରରେ ବଢ଼ିଥିବା ମାଳତୀ ଦେବୀଙ୍କ ମନଭିତରେ କେଉଁଠି ନା କେଉଁଠି ଗାଁର ମମତା ଲୁଚି ରହିଥିଲା। ଆଉ ଯେତେବେଳେ ସେ ରାଜୁକୁ ବିବାହ କରିଥିଲେ ଯେବେ ବି ସେମାନେ ଟିକେ ସମୟ ପାଆନ୍ତି ଗାଁକୁ ଯାଉଥିଲେ ଆଉ ଗାଁର ବାସ୍ନା ଗାଁର ମମତାରେ ନିଜକୁ ହଜେଇଦେଇ ସତେ ଯେମିତି ଏକ ଗାଉଁଲି ବୋହୂ ପରି ହୋଇଯାଉଥିଲେ। ମାଳତୀ ଦେବୀଙ୍କ ଏଇ ଗୁଣ ପାଇଁ ତ ରାଜୁ ତାଙ୍କୁ ବିବାହ କରିଥିଲା। ସହରର ସବୁ ମୋହ ମାୟା ଛାଡ଼ି ଗାଁକୁ ଫେରିଯିବାକୁ ସେ ହିଁ ତ ରାଜୁକୁ ସାହସ ଦେଇଥିଲେ। ସେ ଯେବେ ଗାଁକୁ ଫେରିଥିଲେ ସେବେଠାରୁ ରାଜୁ ସହ ମିଶି ଗାଁର ଉନ୍ନତି ପାଇଁ ସବୁବେଳେ ଚିନ୍ତା କରୁଥିଲେ। ରାଜୁର ଦେହାନ୍ତ ପରେ ସେ ବାର୍ଦ୍ଧକ୍ୟରେ ଅବତୀର୍ଣ୍ଣହୋଇଥିଲେ ସତ କିନ୍ତୁ ତାଙ୍କ ମନ ଭିତରେ ଏକ ଯୁବତୀର ବଳ ଥିଲା। ସଦା ସର୍ବଦା ସେ କିଭଳି ଗାଁରେ ଝିଅମାନଙ୍କୁ ପୁଅ ମାନଙ୍କ ଭଳି ଉଚ୍ଚ ଶିକ୍ଷା ମିଳିପାରିବ କିଭଳି ସେ ସ୍ବାବଲମ୍ବୀ ହୋଇପାରିବେ ସେ ଦିଗରେ କାର୍ଯ୍ୟ କରୁଥାନ୍ତି। ଗାଁର ମହିଳାମାନଙ୍କୁ ନେଇ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି। ସରକାରଙ୍କର ମହିଳାଙ୍କ ପାଇଁ ଆସୁଥିବା ଯୋଜନା ଆଉ ତାର ଲାଭ ବିଷୟରେ ବୁଝାନ୍ତି କେମିତି ସେମାନେ ଘରର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିପାରିବେ ସେଥି ପାଇଁ ବି ପ୍ରବର୍ତାନ୍ତି। ମାଳତୀ ଦେବୀଙ୍କ ପ୍ରଚେଷ୍ଟାରେ ସେହି ଗ୍ରାମର ମହିଳା ମାନେ ବ୍ୟାଙ୍କରୁ ଋଣ ଆଣି ଏକ କ୍ଷୁଦ୍ର ଶିଳ୍ପ ଆରମ୍ଭ କରିଛନ୍ତି ଯେଉଁଥିରେ ସେମାନେ ଛତୁଆ ପାମ୍ପଡ ପ୍ରସ୍ତୁତି କରି ସହରରେ ବିକ୍ରି କରି ଭଲ ଅାୟ ମଧ୍ୟ କରୁଛନ୍ତି। ଏଥି ସହ ଝିଅ ମାନଂକ ସୁବିଧା ପାଇଁ ଗାଁରେ ଏକ ବାଳିକା ଉଚ୍ଚ ବିଦ୍ୟାଳୟ ମଧ୍ୟ ମାଳତୀ ଦେବୀଙ୍କ ପ୍ରଚେଷ୍ଟାରେ ତିଆରି ହୋଇପାରିଛି। ଆଜି ଏ ଗାଁରେ ସବୁ ପ୍ରକାର ସୁବିଧା ସୁଯୋଗ ଅଛି। ଗାଁର ପ୍ରତ୍ୟେକଟି ଲୋକ ରାଜୁ ଓ ମାଳତୀ ଦେବୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାମ କରୁଛନ୍ତି। ଦୁହିଁଙ୍କର ପ୍ରଚେଷ୍ଟାରେ ଗାଁରେ ବି ଆଜି ସହରର ସବୁ ସୁବିଧା ଅଛି କିନ୍ତୁ ସେମାନେ ଗାଁର ବାସ୍ନା ହଜିଯିବାକୁ ଦେଇ ନାହାନ୍ତି। ଗାଁର ଯୁବକମାନେ ଶିକ୍ଷା ଲାଭ କରି ସାରିବା ପରେ ଆଜି ଚାକିରୀ ପାଇଁ ସହରକୁ ନ ଯାଇ ତା ପଛରେ ନ ଦୌଡ଼ି ଚାଷରେ ହେଉକି ଅନ୍ୟ କେଉଁ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛନ୍ତି। ଗାଁରେ ଏକ ଯୁବ କ୍ଲବ ସ୍ଥାପନ କରି ସମାଜ କଲ୍ୟାଣ ପାଇଁ କାମ କରୁଛନ୍ତି। କିଭଳି ଗାଁ ସ୍ୱଚ୍ଛ ରହିବ କିଭଳି ବିଭିନ୍ନ ସରକାରୀ ଯୋଜନା ଗାଁରେ କାର୍ଯ୍ୟକାରୀ ହେବ କିଭଳି ଗାଁର ଉନ୍ନତି ହେବା ସେଥି ପାଇଁ ସର୍ବଦା କାର୍ଯ୍ୟରତ। ଆଜି ମୋ ଗାଁର ପୁଅ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉନି। ମୋ ଗାଁରେ ଧନୀ ଗରିବ ବୋଲି କିଛି ଭେଦ ଭାବ ନାହିଁ ନା ଅଛି କୋଉ ଜାତି ବର୍ଣ୍ଣର ଭେଦଭାବ। ଗାଁ ମୁଣ୍ଡରେ ଆଜି ପାଠାଗାର ଅଛି। ଆଜିବି ଗାଁର ସେହି ପୁରୁଣା କଳା ସଂସ୍କୃତି ଗୁଞ୍ଜରି ଉଠୁଛି। ଆଜିର ଯୁବ ବର୍ଗ ନିଜର କାର୍ଯ୍ୟ କରିବା ସହ ନିଜ ଗାଁର ସଂସ୍କୃତିକୁ ଜୀବିତ ରଖିବା ପାଇଁ ମଧ୍ୟ ସେଥିରେ ନିଜକୁ ନିୟୋଜିତ କରୁଛନ୍ତି। ସଂଜ ବୁଡି ଆସିଲେ ଗୋପାଳ ପୁଅ ଗୋଧୁଳିରେ ଗୀତ ଗାଇ ନାଚି ଯାଉଛି। ସଂଜ ହେଲେ ଚଉରା ମୂଳରେ କୂଳବଧୁ ଦୀପ ଲଗେଇ ନିଜ ଘରର ତଥା ସଂସାରର ମଙ୍ଗଳ କାମନା କରେ। ମନ୍ଦିରର ଘଣ୍ଟ ଘଣ୍ଟା ଧ୍ୱନୀରେ ସଞ୍ଜ ବେଳ ପବିତ୍ର କରେ। ଆଜିବି ଗାଁରେ ଭାଗବତ ଟୁଙ୍ଗୀରେ ସନ୍ଧ୍ୟା ହେଲେ ଲୋକ ଆସର ଜମାନ୍ତି ଭାଗବତ ପୁରାଣ ଶୁଣି ନିଜକୁ ପବିତ୍ର କରିବା ପାଇଁ। ଗାଁର ସମସ୍ତେ ମିଶି ଆଜିବି ବାର ମାସରେ ତେର ପର୍ବ ପାଳନ କରନ୍ତି। ଗାଁର ପ୍ରତ୍ୟେକ ଲୋକ ଆଜି ଶିକ୍ଷିତ ଆଉ ସ୍ବାବଲମ୍ବୀ। ହୋଲି ଦଶହରା ଦୀପାବଳିରେ ଗାଁରେ ସଭିଙ୍କ ଆସର ଜମୁଛି। ରଜରେ ଝିଅ ମାନେ ରଜ ଗୀତ ଗାଇ ପିଠା ପଣା ଓ ରଜ ପାନ ଖାଇ ଖୁସିରେ ଦୋଳି ଖେଳୁଛନ୍ତି ଆଉ ମୋ ମାଟି ମାକୁ କାଳେ କଟିବ ବୋଲି କୁଆରୀ ଝିଅ ଖାଲିପାଦରେ ନ ଚାଲି ଗୁଆ ଗଛ ବାରଡାରେ ଚପଲ ତିଆରି କରି ପିନ୍ଧିଛି। କୁଆଁର ପୁନେଇଁ ଜହ୍ନ ଗୀତ ଗାଇ କୁଆଁରୀ ଝିଅ ରାତିସାରା ଖେଳୁଛନ୍ତି। ଦୋଳ ପୁନେଇରେ ଠାକୁର ଆସୁଛନ୍ତି ଭକ୍ତର ଦୁଆରକୁ ଦେଖିବା ପାଇଁ ଆଉ ଭୋଗ ଖାଇବା ପାଇଁ। ଏଇତ ମୋ ଗାଁର ପରମ୍ପରା। ମୋ ଚାଷୀଭାଇ ଅକ୍ଷୟ ତୃତୀୟାରେ ମୁଠି ଅନୁକୂଳ କରି ଆର ଫସଲକୁ ଭଲ ଅମଳ ପାଇଁ ପୂଜା କରୁଛି ମାଟି ମାକୁ। ସମୟ ଗଡ଼ିଛି ତା ସହ ମାଳତୀ ଦେବୀ ବି ସମୟ ସହ ବାହୁଡ଼ି ଯାଇଛନ୍ତି ଆରପାରିକୁ କିନ୍ତୁ ନିଜର କାର୍ଯ୍ୟ ପାଇଁ ସେ ବି ରାଜୁ ଭଳି ଆମର ହୋଇ ଯାଇଛନ୍ତି। ତାଙ୍କର ସ୍ମୃତି ହିସାବରେ ରାଜୁର ପ୍ରତିମୂର୍ତ୍ତି ପାଖରେ ତାଙ୍କର ବି ପ୍ରତିମୂର୍ତ୍ତି ତିଆରି ହୋଇଛି ଦୁହେଁ ସମୟର ଅସ୍ତ ଯାଏଁ ଗାଁର ମହାପୁରୁଷ ହୋଇଯାଇଛନ୍ତି।

ମୋ ଗାଁ ଆଜି ସହର ସହର ବସୁଛି କିନ୍ତୁ ଗାଁର ସେଇ ସ୍ନେହ ମମତା ମାଟିର ସେଇ ବାସ୍ନା ମୋତେ ଅଧିକ ପ୍ରିୟ ଆଉ ତାକୁ ମୁଁ ଆଜି ବଞ୍ଚେଇ ରଖିବାକୁ ଚେଷ୍ଟା କରୁଛି।ମୋ ଗାଁର ସକାଳ କାଉର ରାବ ଶୁଣି ଆରମ୍ଭ ହୁଏ ଆଉ ବିହଙ୍ଗ ଦଳର ନୀଡ଼କୁ ଫେରିବାର ମନୋହର ଦୃଶ୍ୟ ଦେଖି ସଂଜ ଆସେ। ଦୂର ପାହାଡ଼ ଆଢ଼ୁଆଳରେ ଯେବେ ସୂର୍ଯ୍ୟ ଦେବତା ଶୋଇ ଯିବାକୁ ଉଦୃତ ହୁଅନ୍ତି ମୁଁ ବୁଲିଆସେ ନଦୀ କୂଳରେ ସୁଲୁ ସୁଲିଆ ପବନକୁ ଟିକେ ଉପୋଭୋଗ କରିବାକୁ ନଦୀର ସେଇ ଶୀତଳ ପାଣିରେ ଟିକେ ଖେଳିବା ପାଇଁ।

ପୁଣି ଥରେ ମୁଁ ଗର୍ବରେ କହୁଛି କବିଙ୍କର ସେଇ ଗୀତରୁ ପଦେ


ମାଟିର ସେଇ ସରଗ ମୋର

ସେଇଠି ଅଛି ମୋ ଷଠି ଘର

ଜଳିବ ପୁଣି ସେଇଠି ଶେଷେ

ମୋହରି ଚିତା ନିଆଁଟି

ଛୋଟ ମୋର ଗାଁଟି



Rate this content
Log in

Similar oriya story from Inspirational