ଅନାମିକା ନାୟିକା
ଅନାମିକା ନାୟିକା
ଶ୍ୟାମଳ କୁ ଏକ ପ୍ରକାର ଟାଣି ଆଣିଲା ଶ୍ୟାମଳି , ନଚେତ ଆଜି ପୁଣି ଏକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାନ୍ତା ।
ଏଇ ମନ୍ଦିରକୁ ଆସିଲେ କଣ ହୁଏ କେଜାଣି ଶ୍ୟାମଳର ବୁଝି ପାରେନି ସିଏ। ଏମିତି ବୋକାଙ୍କ ପରି ଚାହିଁରହିଥାଏ ଶ୍ୟାମଳ ଯେମିତି କିଛି ଖୋଜୁଛି । ଅନେକ ବାର ମନା କଲାଣି , ସେମିତି କାହାକୁ ଦେଖନି । କେହି ଖରାପ ଭାବିପାରନ୍ତି । ବିଶେଷ କରି ମହିଳା ମାନେ ।
ସେଥର ଜଣେ ଝିଅ ଅନେକ କିଛି ଶୁଣେଇଦେଲା ।
କେହି କେହି ଟିପ୍ପଣୀ ଦିଅନ୍ତି ଏଡ଼େ ସୁନ୍ଦର ସ୍ତ୍ରୀ ଥାଇ ବି ଅନ୍ୟ ଝିଅ ବୋହୁଙ୍କ ଉପରେ ଆଖି । ଛିଃ ! କି ବେସରମ ମଣିଷ ? ଶ୍ୟାମଳୀ ସୁନ୍ଦରୀ , ଶିକ୍ଷିତା । ଶ୍ୟାମଳର ସମ୍ମତିରେ ବାହାଘର ହୋଇଥିଲା । ସେମାନଙ୍କର ୩ ବର୍ଷର ପୁଅଟିଏ ଅଛି । ମୋଟାମୋଟି ଭାବେ ସୁଖୀ ଦାମ୍ପତ୍ୟ ଜୀବନ । ଶ୍ୟାମଳି ପ୍ରତି କୌଣସି ଅଭିଯୋଗ ନ ଥିଲା ଶ୍ୟାମଳର । ଜଣେ ଉତ୍ତମ ସ୍ୱାମୀ ଭାବରେ କୌଣସି କର୍ତ୍ତବ୍ୟରେ ତ୍ରୁଟି କରିନି । ବହୁତ ଭଲ ବାପାଟିଏ ମଧ୍ୟ ।
ସବୁ ଭଲ ଭିତରେ କେଉଁଠି ଗୋଟିଏ ଫାଙ୍କ ଥିଲା , ଯାହା ମଝିରେ ମଝିରେ ବିରାଟ ବ୍ୟବଧାନ ସୃଷ୍ଟି କରୁଥିଲା । ଏଇ ମନ୍ଦିରକୁ ଆସିଲେ ହିଁ ଶ୍ୟାମଳ ହଜି ଯାଏ । ପଚାରିଲେ ଏଡାଇ ଯାଏ ।
ରାତି ପ୍ରାୟ ଗୋଟାଏ ହେଲାଣି । ଆଜି ବହେ ଝଗଡା କରି ନ ଖାଇ ନ ପିଇ ଶୋଇ ଯାଇଛି ଶ୍ୟାମଳି । ପାଖରେ ପୁଅ । କଣ ଉତ୍ତର ଦେବ ଶ୍ୟାମଳ ? ଯେଉଁ କଥା ସେ ନିଜେ ବି ଠିକରେ ଜାଣିନି ।
ପ୍ରାୟ ୬ ବର୍ଷ ତଳେ ସେଇ ମନ୍ଦିରକୁ ଯାଇଥିଲା ଶ୍ୟାମଳ । ବହୁତ ଗହଳି ଥାଏ ମନ୍ଦିରରେ । ବହୁତ କଷ୍ଟରେ ଭିଡ଼ କାଟି ଆଗକୁ ଯାଉଥାଏ ଶ୍ୟାମଳ । ସେଇ ସମୟରେ ଅନୁଭବ କଲା କେହି ପଡି ଯାଉ ଯାଉ ତାର ହାତକୁ ଖୁବ ଜୋରରେ ମୁଠେଇ ଧରିଛି ।
' ସରି ' ଶବ୍ଦଟିକୁ ଅନୁସରଣ କରି ଶ୍ୟାମଳ ଫେରି ଚାହିଁଲା । ଝିଅଟିଏ , ଆଖି ଲାଖିଗଲା ପରି । କିନ୍ତୁ ତା ଆଖି ଅଟକି ଗଲା ଝିଅଟିର ଗୋଲାପ ପାଖୁଡା ପରି ରକ୍ତିମ ଓଠ ଆଉ ତା ତା ତଳେ ଥିବା ସୁନ୍ଦର ତିଳ ଚିହ୍ନ ପାଖରେ ।
ଝିଅଟିକୁ କିଛି କହିବା ପୂର୍ବରୁ ସେ ଚାଲି ଯାଇଥିଲା । ଯିବା ପୂର୍ବରୁ ଶ୍ୟାମଳ ଉପରକୁ ଛୋଟ ହସଟିଏ ଛାଟି ଦେଇଗଲା ।
ସେଇ ଯେ ସେତିକି ବେଳେ ଶ୍ୟାମଳର ହୃଦୟ ଖୁବ ଜୋର ଧକ ଧକ କରିଥିଲା ଆଉ ସେଇ ମୁହୂର୍ତ୍ତକୁ ସେ ଭୁଲିପାରିନି ଆଜି ଯାଏ । ସେଇ ତିଳ ଚିହ୍ନ ପାଖରେ ଅଟକି ଯାଇଛି ସେ ।
କାଳେ କେତେବେଳେ ଦେଖା ହେବ ଏଇ ଆଶା ନେଇ ମନ୍ଦିର ଆସେ ଶ୍ୟାମଳ । ଥରଟିଏ ଦେଖା ହେଲେ ପଚାରନ୍ତା - ତା ହସର ମାନେ କଣ ଥିଲା ? ସେଇଦିନୁ ଶ୍ୟାମଳ ଖୋଜିଚାଲିଛି ତିଳଚିହ୍ନ ଥିବା ମୁହଁଟିକୁ । ସ୍ପନ୍ଦିତ ହୃଦୟର ଚୋରି ହେଇଯାଇଥିବା ସ୍ପନ୍ଦନକୁ । ଭିଡ ଭିତରେ ହଜି ଯାଇଥିବା ପ୍ରଥମ ପ୍ରେମକୁ।
ରକ୍ତିମ ଓଠ ଦୁଇଟିର ଆଉ କେଇପଦ କଥା ଶୁଣିବାକୁ ।
ଦେଖା ହେଲେ କୁହନ୍ତା - ତିଳଚିହ୍ନ ପାଖରେ ଅଟକି ଯାଇଥିବା ତା ମନକୁ ଫେରାଇ ଦେବାକୁ ।

