Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

ପ୍ରଶାନ୍ତ କୁମାର ବେହେରା

Fantasy Thriller


4.8  

ପ୍ରଶାନ୍ତ କୁମାର ବେହେରା

Fantasy Thriller


ଅବିସ୍ମରଣୀୟ ସ୍ମୃତି

ଅବିସ୍ମରଣୀୟ ସ୍ମୃତି

17 mins 420 17 mins 420

ମୋ ହଷ୍ଟେଲର ପିଲାମାନେ ପିକନିକ୍ ପାଇଁ ସମସ୍ତ ପ୍ରକାର ଆୟୋଜନରେ ଲାଗିପଡିଥାନ୍ତି l ସାଧାରଣତଃ ପିକନିକ୍ ରେ ଯିବା ପୂର୍ବରୁ ଦୁଇଟି ଦିଗପ୍ରତି ସେମାନେ ଧ୍ୟାନ ଦେବାକୁ ପଛାଇ ନଥାନ୍ତି l ପ୍ରଥମ ଦିଗଟି ହେଲା, ଆମ କଲେଜଠାରୁ ଅତିକମରେ ପିକନିକ୍ ପାଇଁ ଉଦ୍ଦିଷ୍ଟ ହୋଇଥିବା ସ୍ଥାନର ଦୂରତା ଚାରି ଶହ କିଲୋମିଟରରୁ ଉର୍ଦ୍ଧ୍ବ ହୋଇଥିବା ଦରକାର l ଦ୍ୱିତୀୟ ଦିଗଟି ହେଲା ସ୍ଥାନୀୟ ବସ୍ ନ ନେଇ କଟକ ବା ଭୁବନେଶ୍ବରରୁ ବାହାରକୁ ସାଜସଜାରେ ଅତି ସୁନ୍ଦର ଦେଖାଯାଉଥିବା ବସ୍ କୁ ପିକନିକ୍ ପାଇଁ ନେବା l ଏଥିପାଇଁ ଯେତେ ଅଧିକ ଅର୍ଥ ଦେବାକୁ ହେଲେ ମଧ୍ୟ ହଷ୍ଟେଲର ପିଲାମାନେ ଦେବାକୁ ପଛାଇ ନଥାନ୍ତି l 

ଏ ବାବଦରେ ପିଲାମାନଙ୍କ ମନରେ ବସା ବାନ୍ଧି ଯାଇଥିବା ଧାରଣା ହେଉଛି ଯେ, ଦୂରବାଟକୁ ପିକନିକ୍ ଯିବା ଏବଂ ବାହାର ଅଞ୍ଚଳର ଚିକ୍କଣୀଆ ବସ୍ ଆଣିବା ଦ୍ୱାରା କୁଆଡେ ସେମାନଙ୍କର ସମ୍ମାନ ଅନ୍ୟ ବେସରକାରୀ ମେସ୍ ମାନଙ୍କ ସହିତ ଖାସ୍ କରି ଲେଡିଜ୍ ହଷ୍ଟେଲରେ ରହୁଥିବା ଝିଅ ମାନଙ୍କ ନିକଟରେ ବୃଦ୍ଧି ପାଇଥାଏ l ପିଲାମାନଙ୍କ ମଧ୍ଯରେ ବିଭିନ୍ନ ବାବଦରେ ଭିନ୍ନଭିନ୍ନ ମତ ଥିଲେ ମଧ୍ଯ ଉପର ଲିଖିତ ଦୁଇଟି ବିଷୟରେ ସବୁପିଲା ସବୁବର୍ଷ ଦଳମତ ନିର୍ବିଶେଷରେ ଏକ ମତ ପୋଷଣ କରିଥାନ୍ତି l

ବସ୍ ବାଲା ସହିତ ପିକନିକ୍ କଥା ସବୁ ଫାଇନାଲ୍ କରି ଆଡଭାନ୍ସ୍ ଦେବା ବେଳେ ପିଲାମାନେ ଗୋଟେ ଅଦ୍ଭୁତ ଚୁକ୍ତି କରିଥାନ୍ତି l ସେଇ ଚୁକ୍ତି ହେଉଛି ବସ୍ ଟି ଦିନବେଳା ନିହାତି କମ୍ ରେ ଚାରିଘଣ୍ତା ହଷ୍ଟେଲ ସମ୍ମୁଖରେ ରହି ଭଲ ଭାବରେ ପ୍ରଦର୍ଶିତ ହେବ - ଯାହା ଫଳରେ ଅନ୍ୟ ମେସ୍ ଓ ଲେଡିଜ୍ ହଷ୍ଟେଲର ପିଲାମାନେ ଦେଖିବେ କିପରି ଖୁବ୍ ସୁନ୍ଦର ବସ୍ ରେ ଛାତ୍ରାବାସର ପିଲାମାନେ ପିକନିକ୍ ଯାଉଛନ୍ତି l

ପିକନିକ୍ ପାଇଁ ବିଭିନ୍ନ ଆବଶ୍ଯକୀୟ ଦ୍ରବ୍ଯ ମଧ୍ୟରେ ଯେଉଁଟିର ନାମ ଏଠାରେ ଉପସ୍ଥାପନ କରିବା ନିହାତି ଦରକାର ତାହା ହେଉଛି ବାଣ ଦୋକାନରୁ କିଣାଯାଇଥିବା ଦୁଇଟି ଶକ୍ତିଶାଳୀ ବମ୍ l ଗୋଟିଏ ବମ୍ ହଷ୍ଟେଲ ସମ୍ମୁଖରେ ବସ୍ ଛାଡିବା ସମୟରେ ଏବଂ ଅନ୍ୟଟି କଲେଜର ଅପର ପ୍ରାନ୍ତରେ ଥିବା ଛାତ୍ରୀନିବାସ ନିକଟରେ ଫୁଟାଯାଏ l ଗଣେଶ ପୂଜା ଓ ସରସ୍ୱତୀ ପୂଜା ପରଦିନ ହେଉଥିବା ଭସାଣିରେ ମଧ୍ୟ ହଷ୍ଟେଲର ପିଲାମାନେ ଛାତ୍ରୀ ନିବାସ ଓ ଅନ୍ୟାନ୍ୟ ଘରୋଇ ଛାତ୍ରୀ ମେସ୍ ସମ୍ମୁଖରେ ନାଚଗୀତ କରିବା ପରେ ମୂର୍ତ୍ତି ବିସର୍ଜନ କରିଥାନ୍ତି l ସେହି ସବୁ ସମୟରେ ଛାତ୍ରାବାସର ପିଲାମାନେ ମଧୁର ସମ୍ପର୍କ ଥିବା ଝିଅମାନଙ୍କ ସହିତ ଠାର ଓ ବିଭିନ୍ନ ଅଙ୍ଗଭଙ୍ଗୀ ମାଧ୍ୟମରେ ଭାବର ଆଦାନ ପ୍ରଦାନ କରିଥାନ୍ତି l ଏ କଥା ବହୁ ପୂର୍ବରୁ ପ୍ରଚଳିତ ହୋଇଆସୁଛି l ଛାତ୍ରାବାସର କୌଣସି ତତ୍ତ୍ୱାବଧାରକ ଏ ପ୍ରଥାକୁ ବନ୍ଦ କରିପାରି ନଥିଲେ କିମ୍ୱା ମୁଁ ମଧ୍ୟ ଏହାକୁ ବନ୍ଦ କରିବାକୁ ସକ୍ଷମ ହୋଇପାରି ନଥିଲି l

ଡିସେମ୍ୱର ମାସ ୨୭ ତାରିଖରେ ଛାତ୍ରାବାସର ପିକନିକ୍ ଯିବା ନିର୍ଦ୍ଦିଷ୍ଟ ହୋଇଗଲା l ସରକାରଙ୍କ ନିୟମ ମୁତାବକ କଲେଜର ଅଧ୍ଯକ୍ଷଙ୍କ ଅନୁମତି ପରେ ନିକଟସ୍ଥ ଥାନାକୁ ଲିଖିତ ଚିଠି ମାଧ୍ୟମରେ ଆମର ପିକନିକ୍ ଯିବା ବିଷୟରେ ଖବର ପହଞ୍ଚାଇ ଦିଆଗଲା l ଏଥର ମଧ୍ୟ ବିଗତ ବର୍ଷମାନଙ୍କ ପରି କଟକରୁ ହିଁ ପିଲାମାନେ ବସ୍ ଆଣିଥିଲେ l " ମହାନଦୀ " ନାମ ବହନ କରିଥିବା ବସ୍ ରେ ଅଣସ୍ତରି ଜଣ ଛାତ୍ରଙ୍କୁ ଧରି ସୁଦୂର ସୁନ୍ଦରଗଡ ଜିଲ୍ଲାର " ଖଣ୍ତାଧାର "କୁ ଆମର ଯାତ୍ରା ଆରମ୍ଭ ପୂର୍ବରୁ ପ୍ରଚଳିତ ବିଧି ମୁତାବକ ବମ୍ ଦୁଇଟି ନିର୍ଦ୍ଦିଷ୍ଟ ଜାଗାରେ ଛାତ୍ରମାନଙ୍କ ଦ୍ୱାରା ଫୁଟାଯାଇ ରାତ୍ରୀ ଆଠଟା ସୁଦ୍ଧା ଯାତ୍ରା ଆରମ୍ଭ ହେଲା l

ବାହାରିବାର ଠିକ୍ ଅଧଘଣ୍ଟା ପରେ କନ୍ଦରପୁର ବଜାରରୁ ଭୋଜି ପାଇଁ କିଛି ଫୁଲକୋବି କିଣିବା ଉଦ୍ଦେଶ୍ଯରେ ବସ୍ ରହିଲା l ମୁଁ ଓ ହଷ୍ଟେଲର ରାତ୍ରୀ ଜଗୁଆଳୀ ଗୌରାଙ୍ଗ ସାଙ୍ଗରେ ଦୁଇଜଣ ପିଲାଙ୍କୁ ଧରି କୋବି କିଣିବାକୁ ବସ୍ ରୁ ଓଲ୍ହାଇ ପଡିଲୁ l ଯିବା ପୂର୍ବରୁ ପିଲାମାନଙ୍କୁ ତାଗିଦ୍ କରିଦେଲି ଯେପରି ସମସ୍ତେ ଚୁପ୍ ଚାପ୍ ବସି ରହିବେ l 

ଏମିତିରେ କଲେଜ ହଷ୍ଟେଲରେ ରହୁଥିବା ପିଲାମାନଙ୍କ ମଧ୍ୟରେ କିଛି ଭଲ ତ ଆଉ କିଛି ଦୁଷ୍ଟ ପିଲା ଥାଆନ୍ତି l ସେମାନଙ୍କର ଦୁଷ୍ଟାମି ଏଇ ପିକନିକ୍ ଆଦି ଯିବା ଦିନ ମାନଙ୍କରେ ଅଧିକ ମାତ୍ରାରେ ବଢି ଯାଏ l ସେଦିନ ମଧ୍ଯ ସେଇଆ ହେଲା - ଯେଉଁଥି ପାଇଁ ମୋ ମନ ଭିତରେ ସବୁବେଳେ ଡର ଥାଏ l ଆମେ କନ୍ଦରପୁର ବଜାରରୁ କୋବି କିଣିବା ସମୟରେ ଗୋଟେ ବଦମାସ୍ ପିଲା ବସ୍ ରେ ବସି ଅଘଟଣ ଘଟାଇ ଦେଲା l 

ବସ୍ ରାସ୍ତା କଡରେ ଠିଆ ହୋଇଥାଏ l ବସ୍ ର ଡାହାଣ ପଟେ ଗୋଟେ ବାଇକ୍ ରେ ଭାଇ ଭଉଣୀ ଯାଉଥିଲେ l ବସ୍ ର ପଛ ସିଟ୍ ପାଖା ପାଖି ସେଇ ଡାହାଣ ପଟ ଝରକା ପାଖରେ ବସିଥିବା ଦୁଷ୍ଟ ପିଲାଟି କିଛି ଅଭଦ୍ର ଭାଷାରେ ବାଇକ୍ ରେ ଯାଉଥିବା ସେଇ ଭାଇ ଭଉଣୀଙ୍କୁ ଇଙ୍ଗିତ କରି କିଛି ମନ୍ତବ୍ୟ ଫୋପାଡି ଦେଲା l 

ଏମିତି ଅଭଦ୍ର ମନ୍ତବ୍ୟରେ ଯେକେହି ରାଗିବ l ସାଙ୍ଗରେ ଭଉଣୀ ଥିବାରୁ ସେଇ ଭାଇ ଟିର ରାଗ ବହୁ ଗୁଣିତ ହେବା ନିହାତି ସ୍ୱାଭାବିକ୍ l ସେ ବାଇକ୍ କୁ ଅଟକାଇ କିଏ ଏମିତି ମନ୍ତବ୍ୟ ଦେଲା ପଛକୁ ଚାହିଁ ଦେଖିଲା l ତା' ପରେ ଆଗକୁ ଯାଇ ଡ୍ରାଇଭର୍ କୁ କହିଲା, " ଫକିରପଡା ପାଖକୁ ଆସ କଥାବାର୍ତ୍ତା l"

ମୁଁ କୋବି କିଣି ଫେରିବା ପରେ ଡ୍ରାଇଭର୍ ଘଟିଥିବା ସମସ୍ତ କଥା କହିଲା l ପିଲାମାନଙ୍କୁ ଯେତେ ପଚାରିଲେ ମଧ୍ଯ କେହି କିଛି କହିଲେ ନାହିଁ l ସମସ୍ତେ ଯେପରି କିଛି ଜାଣି ନାହାନ୍ତି ସେମିତି ଢଙ୍ଗରେ ପୁରା ସୁନାପିଲା ପରି ବସି ରହିଥାନ୍ତି l  

ଶେଷକୁ ମୁଁ କହିଲି, " ହଉ ଠିକ୍ ଅଛି , ଚାଲ ଅଗକୁ ଗୋଟେ ବି ତଳେ ପଡିବନି ଆଜି l" 

ଠିକ୍ ମୋ କଥା ମୁତାବକ୍ ଫକିରପଡା ପାଖରେ ପୁରା ଗାଁ ଲୋକ ଉଠିଆସି ଆମକୁ ସ୍ୱାଗତ କରିବାକୁ ଅପେକ୍ଷାରେ ଥାଆନ୍ତି l ଯାହାକୁ କୁହନ୍ତି ଆବାଳ ବୃଦ୍ଧ ବନିତା - ଛୋଟ ଛୁଆ, ଟୋକା, ଝିଅ, ବିବାହିତା ମହିଳା, ବୁଢା ସମସ୍ତ ସେଠି ରୁଣ୍ଦ ହୋଇଥାନ୍ତି l  

ଏମିତି ମେଳି ବାନ୍ଧି ଲୋକସବୁ ଠିଆ ହୋଇଥିବାର ଦେଖି ମୁଁ ଜାଣିଗଲି ଆଜି ଏଠୁ ଭଲରେ ଯିବାର କିଛି ଚାନ୍ସ୍ ହିଁ ନାହିଁ l ଗୁଡେ ମାଡ ଖାଇବା ଫାଇନାଲ୍ l କଣ କରିବି କିଛି ବି ବୁଦ୍ଧି ବାଟ ଦେଖା ଯାଉ ନଥାଏ l ଏଭିତରେ ସେମାନେ ବସ୍ ଅଟକାଇ ରାସ୍ତା କଡକୁ ରଖିବା ପାଇଁ ଡ୍ରାଇଭର୍ କୁ ନିର୍ଦ୍ଦେଶ ଦେଲେ l ବସ୍ ରହୁ ରହୁ ସମସ୍ତେ ବସ୍ ର ଦ୍ୱାର ପାଖକୁ ମାଡି ଆସିଲେ l ମୁଁ ଚୁପ୍ ଚାପ୍ କଣ୍ତକ୍ଟର୍ ସିଟ୍ ରେ ବସିଥାଏ l 

ଲୋକମାନେ କ୍ଲିନର୍ କୁ ଦ୍ୱାର ଖୋଲିବା ପାଇଁ କହିଲେ l କ୍ଲିନର୍ ଜଣଙ୍କ ବଡ ବିକଳରେ ମୋ ଆଡକୁ ଅନାଇଲା l ମୁଁ କହିଲି, " ଖୋଲିଦିଅ l ଯାହା ହେବାର ଥିବ ହେବ l "

ବସ୍ ର ଦ୍ୱାର ଖୋଲା ହେଉ ହେଉ ଜଣେ କିଏ ରଡି କରି କହିଲା, " ସେ ମାଷ୍ଟ୍ରକୁ ଆଗ ଘୋଷାଡି ଆଣି ବହେ ବଜେଇଦିଅ l ପିଲାଙ୍କ ଉପରେ ଯଦି ତାର କଣ୍ଟ୍ରୋଲ୍ ନାହିଁ କାଇଁ ଏମାନଙ୍କୁ ପିକନିକ୍ ନେଇ ଯାଉଛି ? " 

ସାହସର ସହିତ ପରିସ୍ଥିତିକୁ ମୁକାବିଲା କରିବାକୁ ଚିନ୍ତା କରି ମୁ଼ଁ ବସିଥିବା ସିଟ୍ ରୁ ଉଠି ବସ୍ ଡୋର୍ ପାଖକୁ ଆସି ସବୁ ଜାଣି ସୁଦ୍ଧା କିଛି ନ ଜାଣିବାର ଅଭିନୟ କରି କହିଲି, " ଆଜ୍ଞା କଣ ହେଲା ? ମୁଁ ଏ ପିଲା ମାନଙ୍କର ଶିକ୍ଷକ l" 

ଏମିତିରେ ଛାତ୍ରାବାସର ପିଲାମାନେ ବସ୍ ର ଆଗ ଆଉ ପଛ ପଟେ ଦୁଇଟି ଫ୍ଲେକ୍ସ୍ ବ୍ୟାନର୍ ମାରି ପିକନିକ୍ ଯାଉଥିବା ଜାଗାର ନାମ ସହିତ କଲେଜର ନାମ ଉଲ୍ଲେଖ କରିଥାନ୍ତି l ତେଣୁ ଫକିରପଡାରେ ରୁଣ୍ତ ହୋଇଥିବା ସବୁ ଲୋକ ସେ ବ୍ୟାନର ଦେଖି ପିଲାମାନେ ସୁନ୍ଦରଗଡର ଖଣ୍ତାଧାର ପିକନିକ୍ କରିବାକୁ ଯାଉଛନ୍ତି ବୋଲି ଜାଣି ସାରିଥାନ୍ତି l 

ମୋ କଥା ସରିବା ପରେ ପରେ ଜଣେ ବୟସ୍କ ଲୋକ କହିଲେ, " ଆଛା ସାର୍ ଏ ଅଭଦ୍ର ପିଲାମାନଙ୍କୁ କାହିଁକି ସାଙ୍ଗରେ ନେଇ ଯାଉଛନ୍ତି ? " 

ମୁଁ ଦେଖିଲି ଏ ବୟସ୍କ ଲୋକ ଜଣଙ୍କ ବୋଧହୁଏ ଏ ଫକିରପଡା ଗାଁର ମୁରବି l ପୁଣି ନ ଜାଣିବାର ଅଭିନୟ କରି କହିଲି, " କଣ ହୋଇଛି ଆପଣ କୁହନ୍ତୁ ? କୋଉ ପିଲା କ’ଣ କହିଛି କି ? " 

ମୋ କଥା ସରି ଆସିବା ପୂର୍ବରୁ ସେଇ ରାଗିକି ପାଚି ଯାଇଥିବା ଭାଇ ଜଣଙ୍କ ପୁରା ଫୁଲ୍ ଦମ୍ ରେ କହିଲେ, " ସେ ପଛରେ ବସିଥିବା ଗୋଟେ ଟୋକା ମୁଁ ଓ ମୋ ଭଉଣୀ ବାଇକ୍ ରେ ଆସୁଥିବା ବେଳେ କନ୍ଦରପୁର ବଜାରରେ ଅଭଦ୍ର ଭାଷାରେ କମେଣ୍ଟ୍ କରିଛି l ଆଗ ସେ କଥା ଫାଇନାଲ୍ ହେବ ତାପରେ ଯାହା l" 

ତା କଥା ସରିଛି କି ନାହିଁ କିଏ ଜଣେ ପଛଆଡୁ ଥାଇ କହିଲା, " ଏତେ କଥାବାର୍ତ୍ତା ବୁଝାସୁଝାରୁ କ’ଣ ମିଳୁଛି ? ଆଗ ସମସ୍ତଙ୍କୁ ବହେ ଲେଖା ମାଡ ଚଢେଇ ଦେଇ ଯାଅ l" 

ମୁଁ ଦେଖିଲି ଏ ଲୋକମାନଙ୍କ ଭିତରେ କିଛି ଅବୁଝା ତ ଆଉ କିଛି ବୁଝିବା ବିଚାରିବା ଲୋକ ବି ଅଛନ୍ତି l ବୁଦ୍ଧି ଖଟେଇ ଏଠୁ ଖସିଗଲେ ଯାଏ l କଥାରେ ଅଛି ମବ୍ ସାଇକୋଲଜି ଯେ କୌଣସି ମୁହୂର୍ତ୍ତରେ ଅଘଟଣ ଘଟାଇବାକୁ ସକ୍ଷମ l ସେମାନେ ବସ୍ ଭିତରେ ପଶି ସମସ୍ତଙ୍କୁ ମାଡ ବସାଇବାରେ କିଛି ବି ଅସୁବିଧା ନାହିଁ l ଏମିତି ସବୁ ବିଭିନ୍ନ କଥା ଚିନ୍ତାକରି ମୁଁ ସେଇ ଯୁବକ ଜଣଙ୍କୁ ଇଙ୍ଗିତ କରି କହିଲି ," ଆଛା ଯେଉଁ ପିଲାଟା ସେମିତି ଅଭଦ୍ର କଥା କହିଲା ତାକୁ ଏବେ ଦେଖି ଚିହ୍ନି ପାରିବ କି ? ସେ ଘଟଣା ସମୟରେ ମୁଁ କୋବି କିଣିବାକୁ ଯାଇଥିଲି l ମୁଁ ବସ୍ ଭିତରେ ଥିଲେ ଏମିତି କେବେ ଘଟି ନଥାନ୍ତା  " ସେ ସେମିତି ରାଗରେ ଲାଲ୍ ଲାଲ୍ ମୁହଁ କରି କହିଲା, " ହଁ ସେ ଟୋକାକୁ ମୁଁ ଚିହ୍ନି ପାରିବି ।" 

ଏତିକିରେ ମୁଁ ସ୍ଥିର କରିନେଲି କ’ଣ କରିବାକୁ ହେବ l ଏ ଯୁବକକୁ ବସ୍ ଭିତରକୁ ଡାକି ସେ ଚିହେଁଇବା ଅଭଦ୍ର ପିଲାକୁ ତା ସାମ୍ନରେ ଢୋ ଢୋ କରି ଦୁଇ ଚାରି ଚଟକଣା ମୁଁ ବାସାଇଦେଲେ ହୁଏତ ଏ ଭାଇଟିର ରାଗ କମିବା ସହିତ ଏଠି ଉପସ୍ଥିତ ଥିଵା ଫକିରପଡାର ସବୁ ଲୋକ ବୁଝି ଯାଇପାରନ୍ତି l

ଏମିତି ଚିନ୍ତାକରି ସେଇ ଯୁବକ ଜଣଙ୍କୁ ଡାକି କହିଲି, " ତାହେଲେ ତମେ ବସ୍ ଭିତରକୁ ଆସ l ସେ ଅଭଦ୍ରକୁ ମୁଁ ଆଉ ତମେ ଉଭୟ ମିଶି ମାରବା l" 

ମୋର ଏହି କେଇ ପଦ କଥାରେ ସେଠି ବସ୍ ବାହାରେ ଠିଆ ହୋଇଥିବା ସବୁ ଲୋକ ଚୁପ୍ ଚାପ୍ ହୋଇଗଲେ l ଆଉ ବସ୍ ଭିତରେ ସବୁ ପିଲାମାନେ ବି ସ୍ତବ୍ଧ ହୋଇଗଲେ l ଛାତ୍ରମାନେ କେବେ ସ୍ୱପ୍ନରେ ବି ଭାବି ନଥିବେ ସାର୍ ଏମିତି ନିମନ୍ତ୍ରଣ କରି ସେ ଭାଇଙ୍କୁ ବସ ଭିତରକୁ ଆଣିବେ ବୋଲି l 

ମୋ ଉଦ୍ଦେଶ୍ଯ ହେଉଛି ମୋ ଛାତ୍ରକୁ ମୁଁ ଦୁଇ ଚାରିଟା ଚଟକଣା ମାରି ସେ ଭାଇଙ୍କୁ ହାତ ଯୋଡି ଭୁଲ୍ ମାଗିବାକୁ କହିବି ଆଉ ତାପରେ ସେ ଯୁବକଙ୍କୁ ବୁଝାଇବି ଯେ ଯାହା ହୋଇଛି ଭୁଲିଯାଅ l ଏତିକିରେ ନିଶ୍ଚେ ଏ ଅଘଟଣର ଜାବନିକା ପଡିବା ସହିତ ଆଗକୁ ବଦମାସ୍ ଛାତ୍ରମାନେ ବି ସାଇଜ୍ ହୋଇଯିବେ l 

ସେ ଯୁବକ ଜଣଙ୍କ ଭିତରେ ବହୁତ ରାଗ ବସା ବାନ୍ଧି ଥିବାରୁ ମୋ କଥା ମୁତାବକ୍ ଧଡାସ୍ କରି ବସ୍ ଭିତରୁ ପଶି ଆସିଲେ l 

ସେ ବସ୍ ର ଦୁଇଟି ପାହାଚ ଚଢିଛନ୍ତି କି ନାଇଁ ଯେଉଁ ବୟସ୍କ ଲୋକ ପ୍ରଥମେ ମୋ ସହିତ କଥାବାର୍ତ୍ତା କରିଥିଲେ ସେ ଏଥର ସେଇ ଯୁବକକୁ କହିଲେ, " ସାର୍ ଡାକିଲେ ବୋଲି ତୁ କଣ ବସ୍ ଭିତରକୁ ଚଢି ଯାଉଛୁ ମାରିବାକୁ l ଆଗ ଓଲ୍ହା ବସ୍ ରୁ l ଆମରି ଏରିଆ ପିଲା ଖୁସିବାସୀରେ ପିକନିକ୍ କରିବାକୁ ଯାଉଛନ୍ତି l ତୁ ଏଠି ସେ ପିଲାକୁ ମାଡ ମାରିଲେ ତାଙ୍କ ସେଇ ଖୁସି ଆଉ ରହିବ ? "

ତାଙ୍କର ଏତିକି କଥାରେ ସେଇ ଯୁବକ ଜଣଙ୍କ ଯେମିତି ଢଙ୍ଗରେ ବସ୍ କୁ ଚଢିଥିଲା ସେମିତି ତଳକୁ ଓଲ୍ହାଇଗଲେ l 

ଏଥର ସେ ବୟସ୍କ ଲୋକ ଜଣଙ୍କ ପିଲା ମାନଙ୍କୁ ବୁଝାଇବାକୁ ଯାଇ କହିଲେ, " ଦେଖ ପିଲାମାନେ, ତମେମାନେ ଏମିତି କାମ କରିବନି ଯାହାଦ୍ୱାରା କଲେଜ କିମ୍ୱା ଜିଲ୍ଲାର ନାମ ତଳେ ପଡିବ l ପିକନିକ୍ ଗୋଟେ ଖୁସିବାସୀର କଥା l ନିଜ ନିଜ ଭିତରେ ମଜା କର କିନ୍ତୁ ଅଭଦ୍ରାମୀ କାଇଁ କରିବ ? ଏ ଘଟଣା ଏଠି ନଘଟି ଯଦି ଆଉ କେଉଁଠି ଦୂରରେ ହୋଇଥାନ୍ତା ତାହେଲେ ଚିନ୍ତାକର କି ଅବସ୍ଥା ହୋଇଥାନ୍ତା l"

ତାପରେ ସେ ମୋ ଆଡକୁ ଅନାଇଁ କହିଲେ, " ଆପଣ ଯାଆନ୍ତୁ ସାର୍ l ପିଲାମାନେ କେମିତି ସୁରୁଖୁରୁରେ ଯାଇ ଫେରି ଆସନ୍ତୁ l "

ବସ୍ ଛାଡିବା ପରେ ମୁଁ ଯେତେ ପ୍ରକାର ଚେଷ୍ଟାକଲି ଜାଣିବାକୁ କିଏ ସେହି ବଦମାସ୍ ଟା କିନ୍ତୁ ଛାତ୍ରାବାସର ଛାତ୍ରମାନଙ୍କ ଭିତରେ ଏତେ ୟୁନିଟି ଯେ କେହି ବି ତା ନାଁ କହିଲେ ନାହିଁ l

ସେ ଯାହା ହେଉ ସେଠୁ ମୁକୁଳି ତା' ପରଦିନ ସକାଳ ସାତଟା ସୁଦ୍ଧା ସୁନ୍ଦରଗଡର ଖଣ୍ତାଧାରରେ ପହଞ୍ଚିଗଲୁ l ଫକିରପଡା ଘଟଣା ପରେ ପିଲାମାନେ ଏତେ ମାତ୍ରାରେ ଡରି ଯାଇଥିଲେ ଯେ ବାଟସାରା ପୁରା ଚୁପ୍ ଚାପ୍ ହୋଇ ବସ୍ ରେ ବସି ରହିଥିଲେ l ଯାହାକୁ କୁହନ୍ତି ପୁରା ସୁନାପିଲା ପାଲଟି ଯାଇଥିଲେ  l

ଖଣ୍ତାଧାରରେ ପହଞ୍ଚିବା ପରେ ବସ୍ ରୁ ସମସ୍ତ ରୋଷେଇ ସରଞ୍ଜାମ କଢାଯାଇ ଏକ ଭଲସ୍ଥାନ ଚିହ୍ନଟକରି ସେଇଠି ରୋଷେଇ ଆରମ୍ଭ କରାଗଲା l ଗୋଟେ ଛୋଟ ପୋଲ ସେଇ ଝରଣା ଉପରେ ଥାଏ l ପୋଲର ଆରପଟେ ଆମେ ରୋଷେଇ କରୁଥାଉ l ବସ୍ କିନ୍ତୁ ସେଇ ପୋଲର ଅପର ପାଶ୍ୱରେ ରହିଥାଏ l ରୋଷେଇ ଆରମ୍ଭ ହେବାପରେ ପିଲା ମାନଙ୍କୁ ସେଇଠି ଦୁଇଟି ବଡ ଦରୀ ପକାଯାଇ ଜଳଖିଆ ଖାଇବାକୁ ଦିଆଗଲା l କିଛି ପିଲା ଭଡାରେ ନେଇଥିବା ସାଉଣ୍ତ୍ ସିଷ୍ଟମ୍ କୁ ବେଟ୍ରି ସହିତ ଯୋଡି ଗୀତ ବଜାଇବାକୁ ଉଦ୍ୟମ କରୁଥାନ୍ତି l 

ଜଳଖିଆ ଖାଇସାରି ପିଲାମାନେ ପାହାଡ ଚଢି ଉଚ୍ଚରୁ ପାଣି ପଡୁଥିବା ଝରଣାକୁ ଦେଖିବା ନିମନ୍ତେ ଜଣ ଜଣ କରି ଚାଲି ଯାଉଥାନ୍ତି l ମୁଁ ସମସ୍ତଙ୍କୁ ଉଚ୍ଚ ସ୍ୱରରେ ସାବଧାନ ହୋଇ ପାହାଡ ଉପରକୁ ଯିବାପାଇଁ ଉପଦେଶ ଦେଉଥାଏ l ରୋଷେଇଆ ଓ ଗୌରାଙ୍ଗ ରୋଷେଇରେ ବ୍ୟସ୍ତ ଥା'ନ୍ତି l ଆମ ପରେ ଆଉ ୪ଟି ପରିବାର ଉକ୍ତ ସ୍ଥାନରେ ପହଞ୍ଚି ଆମଠାରୁ ଅନତି ଦୂରରେ ତାଙ୍କର ରୋଷେଇ ଆରମ୍ଭ କଲେ l 

ଖଣ୍ତାଧାରରେ ଛୋଟ ଛୋଟ ପରିବାର ରୋଷାଇ କରିବାକୁ ବଢିଆ ସୁବିଧା କରା ଯାଇଥାଏ l ଦୁଇ ପାଖରେ ଦୁଇଟି ସିମେଣ୍ଟ୍ ବେଞ୍ଚ୍ ଓ ମଝିରେ ଦୁଇଟି ଛୋଟ ଚୁଲା ଥାଏ l ଏମିତି ପାଖା ପାଖି ଗୋଟେ ଲାଇନ୍ ରେ ୧୨ ଟା ଖଣ୍ତେ ପରିବାର ରୋଷେଇ କରି ପିକନିକ୍ ର ମଜା ନେବା ବ୍ୟବସ୍ଥା କରା ଯାଇଥାଏ l

ସେଦିନଟି ଶନିବାର ଥିବାରୁ ଏବଂ ଛୁଟିଦିନ ହୋଇ ନଥିବାରୁ ଅଧିକ ପିକନିକ୍ ଦଳ ସେଠାକୁ ଆସି ନଥାନ୍ତି l ସେଇ ୪ଟି ପରିବାର ଓ ଆମେ ଏତିକି ହିଁ ସେଇ ସ୍ଥାନରେ ସେଦିନ ପିକନିକ୍ କରୁଥାଉ l ସେଠି କିଛି ଉଠା ଦୋକାନି ମଧ୍ୟ କିଛି ଜଙ୍ଗଲଜାତ ଜିନିଷ ବିକ୍ରି କରୁଥାନ୍ତି l ସେଇ ଜିନିଷ ଗୁଡିକ ମଧ୍ୟରେ ଯାହା ମୋର ଅଧିକ ଦୃଷ୍ଟି ଆକର୍ଷଣ କରୁଥିଲା ତାହା ହେଉଛି ଛୋଟ ଛୋଟ ପ୍ଲାଷ୍ଟିକ୍ ବୋତଲରେ ବିକ୍ରି ହେଉଥିବା ମହୁଲି ମଦ l ଠାଆକୁ ଠାଆ ସେଇ ମଦକୁ ଧରି ଲୋକମାନେ ବସିଥାନ୍ତି l 

ପାଖା ପାଖି ଦିନ ୧୨ଟା ସୁଦ୍ଧା ୩ଟି ବାଇକ୍ ରେ ୮ ଜଣ ଯୁବକ ରୋଷେଇ ବାସ ସାମଗ୍ରୀ ପତ୍ର ସହିତ ସେଠି ପହଞ୍ଚିଲେ l ସେମାନେ ଝରଣାର ଠିକ୍ ଅପରପାଶ୍ୱରେ ଆମ ସିଧା ରୋଷେଇ ଆରମ୍ଭ କଲେ l ତାଙ୍କ ତାଙ୍କ ଭିତରେ ଖୁବ୍ କଦର୍ଯ୍ୟ ଭାଷାରେ କଥାବାର୍ତ୍ତା ହେଉଥାନ୍ତି l ବେଶଭୁଷାରୁ ଶିକ୍ଷିତ ଓ ଭଦ୍ର ଳାଗୁଥାଆନ୍ତି କିନ୍ତୁ କଥାବାର୍ତ୍ତାରୁ ସମ୍ପୂର୍ଣ୍ଣ ଅସଭ୍ଯ ବୋଲି ଜଣା ପଡୁଥାଆନ୍ତି l ସେମାନେ ତାଙ୍କ ଭିତରେ ଯାହା ହେଉଛନ୍ତି ହୁଅନ୍ତୁ ଆମର କଣ ଅଛି ଚିନ୍ତାକରି ସେ ଦିଗକୁ ଆଉ ଦୃଷ୍ଟିଦେବା ଠିକ୍ ହେବନି ବୋଲି ଭାବିନେଲି l ପରଜାଗା ଆଉ ଖୁବ୍ ଦୂର ବି ତେଣୁ ଏମିତି ସବୁ ଦୃଶ୍ୟକୁ ଅଣଦେଖା କରିଦେଲେ ଯାଏ l 

ଏ ଭିତରେ ମୋ ପିଲାମାନେ ପାହାଡ ଉପରୁ ପାଣି ଝର ଦେଖିସାରି ଦଳ ଦଳ ହୋଇ ଫେରୁଥାନ୍ତି l ସମସ୍ତେ ଫେରିବା ପରେ ସେଇ ପାଣି ଝରକୁ ଦେଖିବା ଆଶାରେ ଦୁଇ ଜଣ ପିଲାଙ୍କୁ ସାଙ୍ଗରେ ଧରି ମୁଁ ପାହାଡ ଉପରକୁ ଚଢିବା ଆରମ୍ଭ କଲି, କିନ୍ତୁ ୨୦ ମିନିଟ୍ ଧରି ପାହାଡ ଚଢିବା ପରେ ମଧ୍ୟ ଝର ସ୍ଥାନରେ ପହଞ୍ଚି ନ ପାରିବାରୁ ସେଇ ଦୂରରୁ ପଡୁଥିବା ପାଣିଝରକୁ ଦେଖି ମନକୁ ବୁଝାଇ ତଳକୁ ଫେରି ଆସିଲି l

ରୋଷେଇ ହେଉଥିବା ସ୍ଥାନକୁ ଫେରିବା ପରେ ମୁଁ ଏକ ବଡ ବ୍ୟତିକ୍ରମ ଲକ୍ଷ୍ୟ କଲି l ସବୁପିଲା ଚୁପ୍ ଚାପ୍ ସୁନାପିଲା ପରି ନୀରବରେ ଦରୀ ଉପରେ ବସିଥାନ୍ତି l ସାଙ୍ଗରେ ନେଇଥିବା ସାଉଣ୍ତ ସିଷ୍ଟମ୍ କୁ କେବେ ବି ଫୁର୍ସତ ଦେଉନଥିବା ବେଳେ ସେତେବେଳେ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥାନ୍ତି l ରୋଷେଇ ପ୍ରାୟ ସରି ଆସିଥାଏ l କେବେ ବି ଚୁପ୍ ହୋଇ ବସୁନଥିବା ପିଲାମାନଙ୍କର ଏପରି ଶୃଙ୍ଖଳାଜ୍ଞାନ ଦେଖି ମୁଁ ଆଶ୍ଚର୍ଯ୍ୟ ନ ହୋଇ ରହି ପାରୁନଥିଲି l ଆମ କଲେଜ ପରିସରରେ ସେମାନଙ୍କର ଉଦ୍ଭ୍ରାନ୍ତ ଆଚରଣ ପାଇଁ ମୋର କିଛି ସହକର୍ମ୍ମୀ ହଷ୍ଟେଲ୍ ର ପିଲାମାନଙ୍କୁ ଜନ୍ତୁମାନଙ୍କ ସହିତ ତୁଳନା କରି ମୋତେ ଜନ୍ତୁପତିର ଆଖ୍ୟା ଦେଇଥାନ୍ତି l 

ଲଙ୍କାରେ ରାମ ନାମ ଯେପରି ଅସମ୍ଭବ, ମୋ ଜନ୍ତୁମାନେ ପିକନିକ୍ ସ୍ଥାନରେ ନିରବିଯିବା ସେପରି ଅସମ୍ଭବ ଓ ହତବାକ୍ ର ଘଟଣା ଥିଲା l 

ମୁଁ ସେଠାରେ ପହଞ୍ଚିବା ଦେଖି କିଛି ଛାତ୍ର ମୋ ନିକଟକୁ ଆସି ଚୁପ୍ ଚୁପ୍ କରି ଇଶାରାରେ ସେଇ ୮ ଜଣ ରୋଷେଇ କରୁଥିବା ଦିଗକୁ ମୋ ଦୃଷ୍ଟି ଆକର୍ଷଣ କଲେ l ସେତେବେଳେ ସେମାନେ ସେଠି ବସି ଖୋଲାଖୋଲି ମଦ୍ୟପାନ କରୁଥାନ୍ତି l ସେମାନେ ସମସ୍ତେ ପ୍ରାୟ ଅର୍ଦ୍ଧଉଲଗ୍ନ ହୋଇଥିବା ସ୍ଥଳେ ଜଣେ କେବଳ ହାଫ୍ ଚଡିଖଣ୍ତେ ପିନ୍ଧିଥାଏ l 

ମୋତେ ଘେରି ଠିଆ ହୋଇଥିବା ଛାତ୍ରମାନେ ପୂର୍ବରୁ ସେଇ ମଦୁଆ ମାନେ ଘଟାଇଥିବା ଘଟଣା ସବୁକୁ ଗୋଟି ଗୋଟି କରି ବର୍ଣ୍ଣନା କରି କହିଲେ l ସେ ମଦ୍ୟପମାନେ କିପରି ଖଣ୍ତା ଦେଖାଇ ସେମାନଙ୍କୁ ଭୟଭିତ କରି ସାଉଣ୍ତ ସିଷ୍ଟମରେ ଅମକ ହିନ୍ଦି ଗୀତ ଲଗାଅ, ଅମକ ଓଡିଆ ଗୀତ ଲଗାଅ, ତେଲୁଗୁ ଗୀତ ଲଗାଅ ଆଦି କହି ଶେଷକୁ ଅତି ଅସଭ୍ୟ ଭାଷାରେ ଗାଳି ଦେଇ ଆଦୌ ଗୀତ ନ ଲଗାଇବା ସହିତ କୌଣସି ପିଲା ଯେପରି ପୋଲ ଉପରକୁ ନଉଠନ୍ତି ସେଥିପାଇଁ ଧମକ୍ ଚମକ୍ ଦେଇଥାନ୍ତି l 

ଯେଉଁ ୪ଟି ପରିବାର ସେଠାରେ ରୋଷାଇ କରୁଥାନ୍ତି ତାଙ୍କ ଚାରିପଟେ ସେ ଚଡିପିନ୍ଧା ଯୁବକ ବୁଲି ବୁଲି ପରିସ୍ରା କରିବା ସହିତ ଖୁବ୍ ଅଭଦ୍ର ଭାଷାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଗାଳିଗୁଲଜ କରିସାରିଥାଏ l 

ଟିକେ ଚିନ୍ତା କରନ୍ତୁ l ମୋ ସହିତ କେବଳ ପୁଅ ମାନେ ଥାଆନ୍ତି l କିନ୍ତୁ ସେଇ ୪ଟି ପରିବାରର ସ୍ୱାମୀ, ସ୍ତ୍ରୀ ଓ ପୁଅ ଝିଅ ମାନଙ୍କ ସାମ୍ନାରେ ଏ ମଦୁଆ ଅସଭ୍ଯ ଗୁଡାକ ଯେଭଳି ଆଚରଣ କରିଛନ୍ତି ତାଙ୍କ ମାନସିକ ଅବସ୍ଥା କ’ଣ ହୋଇଥିବ ?

ପିଲାମାନଙ୍କ ଠାରୁ ଏସବୁ ଶୁଣି ରାଗରେ ମୋ ମୁଣ୍ତ କାମ କରୁନଥାଏ l ମୁଁ ଜାଣିଥାଏ ମୋ ପିଲାମାନଙ୍କ ଭିତରେ କିଛି ଖୁବ୍ ଦୁଷ୍ଟାମି କରିବା ପିଲା ବି ମହଜୁଦ୍ ଅଛନ୍ତି l ସେମାନେ ଏଇ ୮ ଜଣ ମଦୁଆଙ୍କ ଆତଙ୍କରାଜକୁ ଏମିତି ନିରବରେ ସହିବା କଥା ଆଦୌ ନୁହେଁ l ପାରଦୀପର କିଛି କମର୍ସ ପିଲା ମାଡ ମାରିବାରେ ଖୁବ୍ ପାରଙ୍ଗମ l ଯଦି ହଷ୍ଟେଲ ଓ ବାହାର ପିଲାଙ୍କ ଭିତରେ କିଛି ଗଣ୍ତଗୋଳ ହେଲା ଏମାନେ ଆଗ ମାଡ ବସାଇଦିଅନ୍ତି l ବୋଧହୁଏ ଗତକାଲି ସଂଧାରେ ସେଇ ଫକିରପଡା ଘଟଣାରେ ଡରିଯାଇ ଚୁପ୍ ହୋଇ ରହି ଏଇ ମଦୁଆଙ୍କ ପ୍ରାଦୁର୍ଭାବ ଏଯାଏଁ ସହି ସମ୍ଭାଳି ରହିଛନ୍ତି l

ଇତି ମଧ୍ୟରେ ମୋ ପିଲାମାନେ ସେ ମଦ୍ୟପଙ୍କ ଆଡକୁ ଇଶାରାକରି ମୋତେ କ'ଣ କହୁଥିବାର ଲକ୍ଷ୍ୟ କରି ସେମାନଙ୍କ ମଧ୍ୟରୁ ଦୁଇଜଣ ଅତି ଉଚ୍ଚସ୍ୱରରେ ତଥା ଅତ୍ୟନ୍ତ ଉତ୍କଟ ଭାଷାରେ ଗାଳିକରିବା ଆରମ୍ଭ କଲେ l ସେ ଭାଷା ଗୁଡିକ ସବୁ ମା' ଓ ଭଉଣୀ କେନ୍ଦ୍ରିକ ଥିଲା, ଯାହା ପ୍ରକାଶ କରିବା କୌଣସି ଶିକ୍ଷିତ ପକ୍ଷରେ ଏକବାରେ ଅସମ୍ଭବ l ସେମାନଙ୍କର ପ୍ରତିଟି ଶବ୍ଦରେ ମୋ କାନମୁଣ୍ତା ଝାଇଁଝାଇଁ ହୋଇ ଯାଉଥାଏ l 

ପ୍ରକୃତରେ ସହିବାର ଏକ ସୀମା ଥାଏ l ସେ ସୀମା ସରହଦ୍ ପାର୍ ହୋଇଗଲେ ମଣିଷ ଆଉ କୌଣସି ଜିନିଷକୁ ଭ୍ରୂକ୍ଷେପ କରେ ନାହିଁ କିମ୍ୱା ଭୟ ମଧ୍ୟ କରେ ନାହିଁ l ମୋତେ ଅତ୍ୟନ୍ତ ଅସହ୍ୟ ହେବାରୁ ମୁଁ ମୋ ପାଖରେ ଠିଆ ହୋଇ ମୋତେ ସମସ୍ତ ଘଟଣା ବର୍ଣ୍ଣନା କରୁଥିବା ପିଲାଙ୍କୁ ପୋଲ ଉପରକୁ ମୋ ପଛେ ପଛେ ଆସିବାକୁ କହି ପୋଲ ଆଡକୁ ଚାଲିବା ଆରମ୍ଭ କଲି l

ଯେହେତୁ ସେ ମଦୁଆ ୮ ଜଣ ପୂର୍ବରୁ ଏତେ ପିଲାଙ୍କୁ ଖଣ୍ତା ଭୁଜାଲି ଦେଖାଇ ଧମକ ଚମକ ଦେଇ ଭୟଭିତ କରି ରଖିଥିଲେ ତେଣୁ ଆମକୁ ପୋଲ ଉପରକୁ ଉଠିବାର ଦେଖି ସେମାନଙ୍କ ମଧ୍ୟରୁ ୩ ଜଣ ଅସହ୍ୟ ଅଶ୍ରାବ୍ଯ ଭାଷାରେ ଗାଳିଦେଇ ଆମ ଆଡକୁ ଝପଟି ଆସିଲେ l 

ମୁଁ ସମ୍ମୁଖଭାଗରେ ଥିବାରୁ ମୋତେ ଜଣେ କହିଲା, " ପୋଲ ଉପରକୁ ଆସିବାକୁ ମନା କରିଥିଲୁ, ଶଳାଏ କେଉଁଠୁ ଆସିଛ ? ଆମକୁ ଚିହ୍ନିଛ ? ହଟ ପୋଲ ଉପରୁ ନଚେତ୍ ଜୀବନରୁ ମାରିଦେବୁ l"

ଯିଏ ମୋତେ ଧମକ ଦେଇ କହିଲା ତା'ର ବୟସ ୪୦ ବର୍ଷ ପାଖା ପାଖି ହେବ ଏବଂ ସେ ଗୋଟିଏ ବରମୁଣ୍ତା ପ୍ୟାଣ୍ଟ କେବଳ ପିନ୍ଧିଥାଏ l ତା ସାଙ୍ଗରେ ହାଫ୍ ଚଡି ପିନ୍ଧି ସମ୍ପୂର୍ଣ୍ଣ ଉଲଗ୍ନ ପରି ଜଣା ଯାଉଥିବା ମଦ୍ୟପ ସହିତ ଆଉ ଜଣେ ଆମକୁ ନାଲି ଆଖି ଦେଖାଇ ଭୟଭୀତ କରିବାକୁ ଵେଷ୍ଟା କରୁଥାଏ l

ମୁଁ ଖୁବ୍ ଧୀର ସ୍ଥିର ଭାବରେ କହିଲି, " ଦେଖ ଭାଇମାନେ, ଆପଣମାନେ ସମସ୍ତେ ବୟସ୍କ ଲୋକ, ଏମାନେ ସବୁ କଲେଜ ପଢୁଆ ଛୋଟ ପିଲା, ଏପରି ମା' ଓ ଭଉଣୀ ନେଇ କାହିଁକି ଗାଳି ଦେଉଛନ୍ତି ?"

ସେ କହିଲା, " ତୁ ଶଳଟା କିଏ ବେ ? " ତା' ଗାଳିଦେବା ଏତିକିରେ ସୀମିତ ନରହି ଅନ୍ୟାନ୍ୟ ଖୁବ୍ କଟୁ ଶବ୍ଦ କୋଷ ଆଡକୁ ଗତିକରି ଗଲା l 

ମୁଁ ହଠାତ୍ ମୋର ସମସ୍ତ ଧୌର୍ଯ୍ୟ ହରାଇ ତାକୁ ଏକ ଶକ୍ତ ଚଟକଣି ବସାଇ ଦେଲି l ମୁଁ ହଠାତ୍ ଏମିତି ହାତ ଉଠାଇଦେବି ସେ କଥା ସେ ସ୍ୱପ୍ନରେ ସୁଦ୍ଧା ଚିନ୍ତା କରିନଥିଲା l ସେଥିପାଇଁ ସେ ପ୍ରସ୍ତୁତ ମଧ୍ୟ ନଥିଲା l ମୋ ମୁହଁ ସମ୍ମୁଖରେ ମୁଁହ ମିଳାଇ ଗାଳି ଦେଉଥିବାରୁ ମାଡଟି ତା କାନମୁଣ୍ତାରେ ପ୍ରଚଣ୍ତ ଜୋର୍ ରେ ବସିଥିଲା l ମୋ ପାଖରେ ଥିବା ଜଗା, ଲିଜୁ ସହିତ ଅନ୍ୟ ପିଲାମାନେ ସେ ତିନି ଜଣ ମଦୁଆଙ୍କୁ କାବୁ କରିନେଇ ମାଡ ମାରିବା ଆରମ୍ଭ କରିଦେଲେ l 

ତେଣେ ଆମ ରୋଷେଇ ପାଖରେ ଥିବା ଅନ୍ୟ ପିଲାମାନେ ମୁଁ ହାତ ଉଠାଇବା ଦେଖି " ସାର୍ ମାରିଲେଣି " ବୋଲି ରଡିକରି ପଙ୍ଗପାଳ ଦଳ ଆସିବା ପରି ପୋଲ ଉପରକୁ ମାଡିଆସିଲେ l

ମୋ ଛାତ୍ରମାନଙ୍କ ସଂଖ୍ୟା ଅଣସ୍ତୁରୀ ଥିବେ ବେଳେ ସେ ମଦ୍ୟପମାନଙ୍କ ସଂଖ୍ୟା ମାତ୍ର ଆଠ ଥିଲା l ମୋତେ ଭାଷା ଅଭାଷାରେ ଗାଳି ଦେଇଥିବା ଲୋକଟିକୁ ଛାତ୍ରମାନେ ମାରିମାରି ହଠାତ୍ ପୋଲ ତଳକୁ ଠେଲିଦେଲେ l କାଳେ ତା ମୁଣ୍ତ ତଳେ ଥିବା ଝରଣାର ପଥରରେ ପିଟି ହୋଇଯିବ ଚିନ୍ତାକରି ମୁଁ ଦେଖିଲା ବେଳକୁ ସେ ଆଣ୍ଟଇ ଆଣ୍ଟେଇ ଝରଣାର କୁଳକୁ ଯାଇ ଜୀବନ ବିକଳରେ ଜଙ୍ଗଲ ଆଡକୁ ପିଟି ଉଷା ଦୌଡିବା ବେଗରେ ଦୌଡି ପଳାଇଲା l

ଛାତ୍ରମାନେ ଅନ୍ୟମାନଙ୍କୁ ଗୋଡେଇ ଗୋଡେଇ ଯାହାକୁ କହନ୍ତି ନିସ୍ତୁକ ମାଡ ମାରୁଥାନ୍ତି l ପାରାଦୀପର ସେଇ ଜଗା ( Prasanjit ) ପ୍ରାୟ ଉପରକୁ ୪ ଫୁଟ ଜମ୍ପ୍ ମାରି ତଳକୁ ଖସିବା ବେଳେ ଧୁମ୍ କରି ମାଡ ମରୁଥାଏ l ଏମିତି ଅଦ୍ଭୁତ କୌଶଳରେ ମାଡ ମାରିବା ମୁଁ ପୂର୍ବରୁ କେବେ ଦେଖି ନଥିଲା l କେଉଁ ଫିଲ୍ମ୍ ରେ ମଧ୍ୟ ନୁହେଁ l ମାଡ ମାରିବାର ଟ୍ରେନିଙ୍ଗ ଯେପରି ସେ ଓ ଆଉ କିଛି ସେଇ ପାରାଦୀପର ପିଲା ନେଇଥାନ୍ତି ଏମିତି ଲାଗୁଥାଏ l 

ମଦୁଆଙ୍କୁ ମାଡ ଦେବା ସହିତ ସେମାନେ ତିଆରି କରିଥିବା ଖାଦ୍ୟ ପଦାର୍ଥକୁ ମଧ୍ୟ ପିଲାମାନେ ଫୋପାଡି ନଷ୍ଟ କରିଦେଲେ l ମୁଁ ସିନା ସାହସ କରି ଆଗ ହାତ ଉଠାଇ ଦେଲି କିନ୍ତୁ ପରିସ୍ଥିତି ଏତେ ଭୟଙ୍କର ହେବ ସେକଥା ସ୍ୱପ୍ନରେ ବି ଭାବି ନଥିଲି l ସେତେବେଳେ ସବୁଠୁ ବଡ ଆହ୍ୱାନ ମୋ ପାଇଁ ଥିଲା ପିଲାଙ୍କୁ କେମିତି କଣ୍ଟ୍ରୋଲ୍ କରିବି l  

ହଠାତ୍ ସେଇ ଭିତରେ ଜଣେ କିଏ ଗୁରୁଣ୍ତି ଗୁରୁଣ୍ତି ଆସି ମୋ ଗୋଡ ଦୁଇଟିକୁ ମାଡିବସି କହିଲା, " ସାର୍ ଦୟାକରି ବଞ୍ଚାନ୍ତୁ l ଏମାନେ ମାରିଦେବେ ଆମକୁ l ଆମର ଭୁଲ୍ ହୋଇ ଯାଇଛି l ଆଉ କେବେ ଏମିତି ଭୁଲ୍ କରିବୁନି l" 

ସେ ମୋ ଗୋଡ ଧରିଥିବା ଅବସ୍ଥାରେ ମଧ୍ୟ ତାକୁ ଦୁଇ ତିନୋଟି ଗୋଇଠା ପିଲାମାନେ ବସାଇଦେଲେ l ପିଲାମାନଙ୍କୁ ପାଟି କରିବାରୁ ତାକୁ ଛାଡିଦେଲେ l ଦେଖିଲି ଏ ଲୋକଟିକୁ ଅଧିକ ନିଶା ହୋଇନି ତେଣୁ ସେ ବୁଦ୍ଧି କରି ମୋ ପାଖକୁ ଆସି ଭୁଲ୍ ମାଗୁଛି l  

ଏଇ ସମୟରେ ମୁଁ ଦେଖିଲି ଗୋଟିଏ ଯାଗାରେ ପ୍ରାୟ ୩୦ଜଣ ଛାତ୍ର ଏକାଠି ହୋଇ ଜଣେ ଲୋକକୁ ମାରୁଛନ୍ତି l କାଳେ କ'ଣ ଅଘଟଣ ଘଟିବ ଚିନ୍ତାକରି ମୁଁ ସେମାନଙ୍କୁ ପାଟିକଲି l ଦୌଡି ଯାଇ ଦେଖିଲି ଯେ, ସେ ଚଡିପିନ୍ଧା ଯୁବକର ମୁଣ୍ତ ତଳକୁ ଓ ଗୋଡ ଉପରକୁ କରି ମଦ୍ୟପମାନେ ରୋଷେଇ ପାଇଁ ଆଣିଥିବା କାଠ ଫାଳିଆ ଧରି ନିସ୍ତୁକ ପିଟୁଛନ୍ତି l ତା ଦେହର ସବୁ ଆଡୁ ରକ୍ତ ବୋହିବା ସହିତ ଅଧମରା ଅବସ୍ଥା l ତାକୁ ବହୁ କଷ୍ଟରେ ପିଲାଙ୍କ କବଳରୁ ଧରି ବାହାରକୁ ଆଣିଲି l 

ସବୁ ପିଲାଙ୍କୁ ବୁଝାସୁଝା କରି ଆମ ରୋଷେଇ ପାଖକୁ ପଠାଇଲି l ପିଲାମାନଙ୍କ ପୁଞ୍ଜିଭୂତ ରାଗ ଯେପରି ସେହି ୧୦ ମିନିଟ୍ ମଧ୍ୟରେ ବର୍ଷିଗଲା l ବାସ୍ତବରେ ସହିବାର ଏକ ସୀମା ଥାଏ l ଏହି ସୀମା ପାର୍ ହୋଇଗଲେ କି ଅବସ୍ଥା ଭୋଗିବାକୁ ହୁଏ, ଏହା ସେ ମଦ୍ୟପମାନଙ୍କ କ୍ଷେତ୍ରରେ ପ୍ରତିଫଳିତ ହୋଇଗଲା l ପିଲାମାନେ ସେମାନଙ୍କର ଖାଦ୍ୟ ପଦାର୍ଥ ସବୁ ନଷ୍ଟ କରିଦେଇଥାନ୍ତି l ତେଣୁ ସେମାନେ ମାଡଖାଇ କିଏ କୁଆଡେ ନିଜନିଜର ମଟର ସାଇକେଲ୍ ଧରି ପଳାଇଲେ l କାଳେ ଆଗକୁ କିଛି ଅଘଟଣ ଘଟାଇବେ ଚିନ୍ତାକରି ସେମାନେ ଯିବା ପୂର୍ବରୁ ତାଙ୍କ ମଟର ବାଇକ୍ ନମ୍ୱର ସବୁ ଗୋଟେ କାଗଜରେ ଲେଖି ରଖିଥାଏ l

ସେଠି ବସୁଥିବା ଉଠା ଦୋକାନି ତଥା ଯେଉଁ ୪ଟି ପରିବାର ସେଦିନ ପିକନିକ୍ କରିବାକୁ ଆସିଥିଲେ, ସମସ୍ତେ ମୋତେ ଧନ୍ୟବାଦ ଦେଉଥାନ୍ତି ମୋର ଉପଯୁକ୍ତ ପଦକ୍ଷେପ ପାଇଁ l ସେଇ ପରିବାର ଭିତରୁ ଜଣେ ମୋତେ କହିଲେ, " ସାର୍ ସେମାନଙ୍କ ଅସହ୍ୟ ଅଭଦ୍ର ବ୍ୟବହାର ଆମକୁ ଏତେ କଷ୍ଟ ଦେଉଥିଲା ଯେ, ଭଗବାନଙ୍କୁ ଡାକୁଥିଲୁ ତାଙ୍କ କଥା ବୁଝିବାକୁ l ଯାହାହେଉ ଭଗବାନ୍ ଠିକ୍ ସମୟରେ ବୁଝିଦେଲେ l" 

ସେ ଉଠା ଦୋକାନି ଭିତରୁ ବି କେଇ ଜ’ଣ କହିଲେ, " ଏମାନେ ଆମ ପାଖରୁ ସବୁବେଳେ ଜବରଦସ୍ତ ମଦ ନେଇ ପିଇବେ କିନ୍ତୁ ପଇସା ମାଗିଲେ ଅଭଦ୍ର ଭାଷାରେ ଗାଳି ଦେବେ l ଏଇ ପାଖରେ ସେମାନଙ୍କ ଘର ହୋଇଥିବାରୁ ସବୁବେଳେ ଏଠିକି ଆସି ଏମିତି ଅଭଦ୍ରାମି କରନ୍ତି l ପିକନିକ୍ ରେ ଆସୁଥିବା ଝିଅ ମାନଙ୍କୁ ବହୁତ ହଇରାଣ ବି କରନ୍ତି l ଆଜି ଏମିତି ମାଡ ଖାଇଛନ୍ତି ଏଥର ସେମାନଙ୍କୁ ଲାଜ ମାଡିବ ଏଠିକି ଆସିବାକୁ l "

ସେମାନଙ୍କ କଥାସବୁ ଶୁଣି ମୁଁ ଭାବୁଥାଏ, ଦର୍ଶନୀୟ ସ୍ଥାନକୁ ଦର୍ଶକ ଭାବରେ ପୁରୁଷ, ନାରୀ, ପୁତ୍ର, କନ୍ୟା, ଶିକ୍ଷକ, ଛାତ୍ର ଓ ଛାତ୍ରୀ ସମସ୍ତେ ଏମିତି ପିକନିକ୍ ରେ ଧାଇଁ ଆସିଥାନ୍ତି ପ୍ରକୃତିର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରି ନିଜର କର୍ମକ୍ଲାନ୍ତ ଜୀବନକୁ ହାଲ୍କା କରିବା ପାଇଁ l କିନ୍ତୁ ଏସବୁ ଜାଗାକୁ ଆସି ଯଦି ଏପରି ଅସଭ୍ଯ ମଦ୍ୟପ ମାନଙ୍କ ହାବୁଡରେ ପଡନ୍ତି, ତେବେ ସେମାନଙ୍କ ମନର ଅବସ୍ଥା କ'ଣ ହେଉଥିବ ତାହା ସହଜେ ଅନୁମେୟ l କେବଳ ସେଥି ପାଇଁ ବୋଧହୁଏ ଓଡିଶାର ଅଧିକାଂଶ ଦର୍ଶନୀୟ ସ୍ଥାନକୁ ଟୁରିଷ୍ଟମାନେ ବୁଲି ଯିବାକୁ ନିରାପଦ ମଣନ୍ତି ନାହିଁ l ଏଥିପ୍ରତି ସ୍ଥାନୀୟ ଲୋକ ଓ ସରକାର ଯଦି ସଚେତନ ହୋଇ ଉଚିତ୍ ପଦକ୍ଷେପ ନିଅନ୍ତେ, ତେବେ ଏପରି ମଦୁଆ ଅସାମାଜିକ ଯୁବକମାନଙ୍କ ପ୍ରାଦୁର୍ଭାବରୁ ସଂପୂର୍ଣ୍ଣ ରୋକାଯାଇ ପାରନ୍ତା l

ଏ ଭିତରେ ବସ୍ ର କ୍ଲିନର୍ ଆସି ଜଣାଇଲା ଯେ, ସେ ମଦୁଆ ମାନେ ଯିବା ବେଳେ ଧମକ ଦେଇ କହିଛନ୍ତି," ଆସନ୍ତୁ ଏ ପିଲା ଆଜି, ଆମ ଗାଁ ବାଟ ଦେଇ ଯିବେ ସେଇଠି ସବୁ ୟା’ଙ୍କ କଥା ବୁଝାଯିବ l " 

ସେ ସ୍ଥାନୀୟ ଲୋକମାନଙ୍କଠାରୁ ବୁଝିଲି ଯେ, ସେ ମଦ୍ୟପମାନଙ୍କ ଘର ସେ ସ୍ଥାନରୁ ୧୦ କିଲୋମିଟର ଭିତରେ ଏବଂ ସେହିବାଟ ଦେଇ ଆମକୁ ଫେରିବାକୁ ହେବ l ପିଲାମାନେ ଏସବୁ କଥା କ୍ଲିନର ଠାରୁ ଶୁଣି ସେଇ ଜଙ୍ଗଲ ଭିତରୁ ଗଛର ମଜବୁତ୍ ଡାଳ ସବୁ ଭାଙ୍ଗି ବସ୍ ର ସିଟ୍ ତଳେ ଲୁଚାଇ ରଖୁଥାନ୍ତି l ତା' ମାନେ ପିଲାମାନେ ସେଇ ମଦୁଆ ଓ ତାଙ୍କ ଦ୍ୱାରା ଡକାହକା ହୋଇ ଆସିଥିବା ଗାଆଁ ବାଲାଙ୍କ ସହିତ ଯୁଦ୍ଧ କରିବାକୁ ମାନସିକ ସ୍ତରରେ ପୁରା ପ୍ରସ୍ତୁତ ହୋଇ ସାରିଥାନ୍ତି l  

ମୁଁ କିନ୍ତୁ ପିଲାମାନଙ୍କୁ ଏମିତି ରିସ୍କ୍ ନେଇ ସେଇ ଗାଆଁରେ ଲଢେଇ କରିବାକୁ ଆଦୌ ଉଚିତ୍ ମନେ କରୁନଥିଲି l ସେଦିନ ସାଙ୍ଗରେ କେହି ଛାତ୍ରୀ ନଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଥାଏ l ଯଦି ସେଦିନ ମୋ ସାଙ୍ଗରେ କିଛି ଛାତ୍ରୀଥାନ୍ତେ, ମୁଁ କେବେହେଲେ ଆଗ ମଦ୍ୟପଟିକୁ ହାତ ଉଠାଇ ମାଡ ମାରିବାକୁ ସାହସ କରିପାରି ନଥାନ୍ତି l ସମସ୍ତେ ଛାତ୍ର ହୋଇଥିବାରୁ ମନ ଟାଣକରି ଯାହା ହେବ ଦେଖାଯିବ ବୋଲି ସ୍ଥିର କରି ନେଇଥିଲି l ତଥାପି ପିଲାମାନଙ୍କୁ ଧରି ସୁରୁଖୁରୁରେ କିପରି ଜଗତସିଂହପୁର ଫେରିବି ଏଥିପାଇଁ ମନରେ ଚିନ୍ତା ଘାରୁଥାଏ l

ସବୁ ପିଲା ଖାଇସାରି ସଲିଡ୍ ମୋଟା ମୋଟା ବାଡି ଆଣି ବସ୍ ରେ ରଖୁଥାନ୍ତି l ତାଙ୍କ ଭିତରେ ଖୁବ୍ ଆତ୍ମବିଶ୍ୱାସ ଥାଏ ଯେ ଆମେ ତ କିଛି ଭୁଲ୍ କରିନୁ, ସେଇ ମଦୁଆ ମାନେ ବରଂ ଭୁଲ୍ କରିଛନ୍ତି, ତେଣୁ କାହାକୁ ଡରିବୁ କାହିଁକି ? ସେ ମଦୁଆଙ୍କ ପାଇଁ ଯିଏ ବି ସାମ୍ନାକୁ ଆସିବ ପିଟି ଦେଇଯିବୁ l ମୁଁ ଓ ଗୌରାଙ୍ଗ ସେ ଯାଇ ଖାଇ ନଥାଉ l ମୁଣ୍ତରେ ଚିନ୍ତା ଥାଏ କେମିତି ଭଲରେ ଭଲରେ ପିଲାଙ୍କୁ ଧରି ଫେରିବି l 

ହଠାତ୍ ମୁଣ୍ତରେ ଗୋଟେ ବୁଦ୍ଧି ଆସିଲା l ଯେହେତୁ ଆମେ ସରକାରଙ୍କ ନିୟମ ମୁତାବକ ଥାନା ପରମିଶନ୍ ନେଇ ଆସିଛୁ ତେଣୁ ଜଗତସିଂହପୁର ଥାନାକୁ କହିଲେ ସେମାନେ ନିଶ୍ଚୟ ଏଇ ଖଣ୍ତାଧାର ପାଖା ପାଖି ଥିବା ଥାନାକୁ ଖବର ଦେବେ l ପୋଲିସ୍ ଅସିଲେ ଏଇଠୁ ପିଲାଙ୍କୁ ନେଇ ବାହାରିବା ନିହାତି ଠିକ୍ ହେବ l

ସେଇ ମୁତାବକ୍ ମୁଁ ମୋବାଇଲ୍ ରୁ ଜଗତସିଂହପୁର ଥାନାକୁ ଫୋନ କରି ସାହାଯ୍ୟ ମାଗିଲି l ସେମାନେ କହିଲେ ଆମେ ସେଠିକା ଥାନା ଟେଲିଫୋନ ନମ୍ୱର ଯୋଗାଡକରି ଖବର ଦେଉଛୁ l କିନ୍ତୁ ପାଖା ପାଖି ୨୦ ମିନିଟ ବିତିଯିବା ପରେ ମଧ୍ୟ କୌଣସି ପୁଲିସ୍ ଙ୍କ ଦେଖା ନମିଳିବାରୁ ପୁଣି ବୁଦ୍ଧି ଖଟାଇ ଆମ କଲେଜ ପରିଚାଳନା ସମିତିର ସଭାପତି ତଥା ସେତେବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀଥିବା ବିଷ୍ଣୁ ଦାସଙ୍କୁ ମୋବାଇଲ୍ ରେ ଘଟିଥିବା ସମସ୍ତ କଥା କହି ସାହାର୍ଯ୍ୟ ମାଗିଲି l 

ସେ ପ୍ରଥମେ ଖୁବ୍ ବିରକ୍ତ ହୋଇ କହିଲେ, " ସେଠି ୫୦୦ କୋଲୋମିଟର ଦୂରରେ ବି ଯାଇ ଗଣ୍ତଗୋଳ କଲଣି ? " 

ମୁଁ କହିଲି , " ସେମାନେ ମଦ ପିଇ ଆମ ପିଲା ତଥା ମୋତେ ଅସଭ୍ଯ ଭାଷାରେ ଗାଳିଗୁଲଜ କରିବାରୁ ଏମିତି ପରିସ୍ଥିତି ସୃସ୍ଟି ହେଲା ।" 

ସେ ପୁଣି କହିଲେ," ତମେ ତ ଯାଇଁ ସେଠି, ମୁଁ ଏଠି ଭୁବନେଶ୍ୱରରେ, ମୁଁ କ’ଣ କରିପାରିବି ? " 

ମୁଁ କହିଲି, " ଏଠିକା ଥାନା କିମ୍ୱା ସୁନ୍ଦରଗଡ ଏସ୍.ପି. ଙ୍କୁ ଫୋନ୍ କରି କୁହନ୍ତୁ ଆମକୁ ପୋଲିସ୍ ପ୍ରୋଟେକସନ୍ ରେ ନେଇ କିଛି ବାଟରେ ଛାଡି ଆସିବେ l " 

ସେ କହିଲେ, " ହଉ ଦେଖୁଛି କ'ଣ କରି ହେଉଛି !"

ଠିକ୍ ୫ ମିନିଟ୍ ପରେ ସେ ଫୋନ୍ କରି କହିଲେ ," ଆରେ ଏସ୍.ପି. ଙ୍କ ସହିତ ଯୋଗାଯୋଗ ନହେବାରୁ ରାଉରକେଲା ଡି.ଆଇ.ଜି. ଙ୍କୁ କହିଲି l ସେ ସଙ୍ଗେ ସଙ୍ଗେ ସେଠିକି ପୁଲିସ୍ ଫୋର୍ସ ପଠାଇବେ l " 

ତାଙ୍କ କଥା ମୁତାବକ ୧୦ ମିନିଟ୍ ଭିତରେ ଦୁଇଟି ପୁଲିସ୍ ଜିପ୍ ରେ ପାଖା ପାଖି ୧୨ କଣ ବନ୍ଧୁକଧାରୀ ପୋଲିସ୍ ସହିତ ସେଠିକା ଥାନା ଆଇ.ଆଇ.ସି. ଆସି ପହଞ୍ଚିଗଲେ l ଆମଠାରୁ ସବୁ ବୁଝିବା ସହିତ ସେଠିକା ଲୋକଙ୍କଠାରୁ ସେଇ ମଦୁଆମାନଙ୍କ ବିଷୟରେ ସବୁ ତଥ୍ୟ ସଂଗ୍ରହ କଲେ l ମୁଁ ଲେଖି ରଖିଥିବା ବାଇକ୍ ନମ୍ୱର ସବୁ ଥାନା ଅଧିକାରୀ ତାଙ୍କ ଡାଇରୀରେ ଲେଖି ରଖିବା ସହିତ ମୋତେ କହିଲେ, " ଆପଣ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ l ସବୁ କାମ ସାରନ୍ତୁ ଆମେ ନେଇ ଦୂରରେ ଛାଡିବୁ l " 

ସେମାନଙ୍କୁ ଦେଖିବା ପରେ ଆମେ ଖୁସି ହୋଇ ଯେଉଁ କେତେଜଣ ଖାଇ ନଥିଲୁ ଖାଇ ସାରି ରୋଷେଇ ସରଞ୍ଜାମ ସବୁ ଧୁଆଧୋଇ କରି ବସ୍ ରେ ରଖି ଜଗତସିଂହପୁର ଅଭିମୁଖେ ପୋଲିସ୍ କର୍ଡନ୍ ରେ ବାହାରିଲୁ l ଆମ ଆଗରେ ଗୋଟେ ଓ ପଛରେ ଗୋଟେ ପୋଲିସ୍ ଜିପ୍ ଆଉ ମଝିରେ ଆମ ବସ୍ ଚାଲିଥାଏ l ସେମାନେ ଆମକୁ ୫୦ କିଲେମିଟର ଦୂରରେ ଜାତୀୟ ରାଜପଥରେ ଛାଡିବାରୁ ଆମେ ସେଦିନ କୌଣସି ପ୍ରକାର ବିପଦରେ ପଡିନଥିଲୁ l ତେବେ ସେ ଦିନର ସେ ଅନୁଭୂତି ମୋର ତଥା ମୋ ପିଲା ମାନଙ୍କର ଚିରସ୍ମରଣୀୟ ହୋଇ ରହିଥିବ l


Rate this content
Log in

More oriya story from ପ୍ରଶାନ୍ତ କୁମାର ବେହେରା

Similar oriya story from Fantasy