STORYMIRROR

Ranjit Sahu

Romance

3  

Ranjit Sahu

Romance

ଅଭୁଲା ସେ ମୁହୁର୍ତ୍ତ କିଛି

ଅଭୁଲା ସେ ମୁହୁର୍ତ୍ତ କିଛି

4 mins
135

ବାହାରୁ ଆସୁଥିବା ଥଣ୍ଡା ପବନରେ ଦୀପକର ଆଖି ଲାଗି ଯାଉ ଥାଏ କିନ୍ତୁ ହାତରେ ଧରିଥିବା ଉପନ୍ୟାସଟି ଏତେ ରୋଚକ ଥିଲା ଯେ ପୁରା ନ ପଢିକି ଶୋଇବାକୁ ଇଚ୍ଛା ହେଉ ନଥିଲା ତାହାର I ରେଳଗାଡିରେ ଲମ୍ବା ଯାତ୍ରା ବହୁତ ଭଲ ପାଏ ଦୀପକ I ଆନନ୍ଦ ଦିଏ ତାହାକୁ ଝରକା ବାହାରେ ବଦଳୁଥିବା ଦୃଶ୍ୟ ଏବଂ ଉପନ୍ୟାସ ପଢ଼ିବାର ସୁଯୋଗ I ସେଥି ପାଇଁ ତ ସିଏ ସେଲସ ଲାଇନରେ କାମ କରିଛି I ଚାକିରୀ ବ୍ୟତୀତ ଭ୍ରମଣର ସୁଯୋଗ ବହୁତ ଯଦିଓ ବେଳେ ବେଳେ ଲାଗେ ଅତ୍ୟଧିକ ପରିଶ୍ରମ କରିବାକୁ ପଡେ ଟାର୍ଗେଟ ଏଛିଭ କରିବାକୁ Iଢୁଳାଉ ଢୁଳାଉ ମୁଣ୍ଡଟା ଟିକିଏ ଜୋରେ ବାଜିଗଲା ସାଇଡ଼ରେ I ପୁଣି ଜାଗୃତ ହୋଇ ଗଲା ଦୀପକ ଆଉ ଏପଟେ ସେପଟେ ଚାହିଁବାକୁ ଲାଗିଲା କିଛି ସମୟ ପାଇଁ ଉପନ୍ୟାସଟିକୁ ସିଟ ଉପରେ ଥୋଇ ଦେଇକି I ଦେଖିଲା ପାଖରେ ବସିଥିବା ଛୋଟ ଛୁଆଠାରୁ ତାହାର ମାଆ ମୋବାଇଲଟା ନେଇ ତାକୁ କିଛି ଖୁଆଇବାକୁ ଚେଷ୍ଠା କରୁଛନ୍ତି ବିଭିନ୍ନ କଥା କହି ତାକୁ ଭୁଲେଇ I ପିଲାଟି କିନ୍ତୁ ଭାରି ଅଝଟ ଆଉ ଜିଜ୍ଞାସୁ I ହଠାତ ପଚାରିଦେଲା ତାହାର ମାଆକୁ ," ସେ ଅଙ୍କଲଙ୍କ ହାତରେ ସେମିତି ଗାର ଗାର କାହିଁକି ହେଇଛି?""ଅଙ୍କଲ ପିଲାଦିନେ କଥା ମାନୁ ନଥିଲେ, ତେଣୁ ତାଙ୍କୁ ବାଘ ରାମ୍ପୁଡ଼ି ଦେଇଥିଲା I ତୁ ମଧ୍ୟ ଭଲ ପିଲା ନ ହେଲେ, ଆଉ କଥା ନ ମାନିଲେ ତୋତେ ମଧ୍ୟ ବାଘ ଆସିକି ରାମ୍ପୁଡ଼ି ଦେବ I ତେଣୁ ଆଗ ଖାଇଦେ ତା ପରେ ଖେଳିବୁ," ତାହା ହାତରୁ ମୋବାଇଲଟିକୁ ଛଡେଇକି ଛୁଆଟିର ମାଆ କହିଲେ I"କିନ୍ତୁ ବାଘ ଏତେ ଛୋଟ ପିଲାକୁ ରାମ୍ପୁଡିଲା କେମିତି? ବିଲେଇ ରାମ୍ପୁଡ଼ି ଥିବ," ଛୁଆଟି ନିରୀହତା ସହ କହିଲା I ତାହାର କଥାରେ ଜୋରରେ ହସି ଉଠିଲା ଦୀପକ ଆଉ ତାହାର ପାଟିରୁ ବାହାରି ଗଲା ," ହଁ ହଁ, ବିଲେଇ ହିଁ ରାମ୍ପୁଡ଼ି ଥିଲା, ମୁଁ ଦୁଷ୍ଟ ହେଉଥିଲି ବୋଲି I " ସ୍ମୃତିରେ ପୁଣି ସଜାଗ ହେଇଗଲା ଅତୀତର ଘଟଣାଟିଏ I କଲେଜ ଜୀବନର ଘଟଣାଟିଏ, ସହପାଠିନୀ ସରିତା ସହ ହୋଇଥିବା ମିଛ ସତ ଝଗଡ଼ାଟିଏ I ଘର ପାଖରେ ରହୁଥିବା ହେତୁ ଦୁହେଁ ଅନେକ ସମୟରେ ବହି ଆଉ ନୋଟ୍ସ ପରସ୍ପର ସହ ଦିଆ ନିଆ କରନ୍ତି I ପାଖରେ ରହୁଥିବା ହେତୁ ପରିଚିତ ହୋଇଥିବାରୁ ଅନେକ ସମୟରେ ଗୁଲି ଗପ ମଧ୍ୟ ଖୁବ ହୋଇ ଯାଏ କେବେ ଅନ୍ୟ ମାନଙ୍କ ଗହଣରେ ଆଉ କେବେ କେବଳ ଦୁହିଁଙ୍କ ମଧ୍ୟରେ I ଅଲଗା ଥିଲା ସରିତା ସମସ୍ତଙ୍କ ଠାରୁ, ପାହାଡିଆ ନଦୀ ଭଳି ଚଞ୍ଚଳ ଆଉ ମନରେ ନିର୍ମଳ I କଥା ବାର୍ତ୍ତାରେ ସ୍ପଷ୍ଟବାଦୀ ଆଉ କଠୋର କିନ୍ତୁ ଆଚରଣରେ ଉଦାରଶୀଳା ଆଉ ସମବେଦନଶୀଳା I ରୂପରେ ସାଧାରଣ ହୋଇଥିଲେ ମଧ୍ୟ ଗୁଣରେ ପରିପୂର୍ଣ୍ଣା ଥିଲା ସରିତା I ବୋଧହୁଏ ଏବେ ମଧ୍ୟ ସେମିତି ହିଁ ଥିବ?ମନେ ପଡିଗଲା ସେଦିନର କଥା I "ଏମିତି ସବୁବେଳେ ବିଲେଇ ଭଳିଆ କାହିଁକି ସବୁ ବେଳେ ଏପଟ ସେପଟ ହୁଅ ? ଆଜି ଯାଏଁ କେବେ ଅଧା ଘଂଟାଏ ସ୍ଥିର ହେଇକି ବସିକି କଥା ହେଇ ପାରିଛ ମୋ ସହ? କେବେ ଚାହା ପାଇଁ ତ କେବେ ପାଣି ପାଇଁ ଆଉ କେବେ ଅନ୍ୟ ବାହାନାରେ, ଅଧା ଘଂଟାରେ ପନ୍ଦର ଥର ଯିବା ଆସିବା ତୁମର I ଥରକରେ ସବୁ ଆଲୋଚନା ସାରିକି ଗଲେ ହେବ ନାହିଁ? ମୋର ମଧ୍ୟ କାମ ଥାଏ ଘରେ," ଦୀପକ କହିଥିଲା I "ମୁଁ କଣ ତୁମକୁ ବିଲେଇ ଭଳି ଦିଶୁଛି?" ରାଗିକି କହିଲା ସରିତା I "ହଁ ଯେମିତି ବିଲେଇ ତାହାର ଛୁଆକୁ ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ବୁଲାଉ ଥାଏ, ତୁମେ ଟମିକୁ ସେମିତି ଆଜି ଏହି ଘର ତ କାଲି ସେହି ଘରକୁ ନେଇକି ଗପ ମାରିବାକୁ ଯାଅ," ଦୀପକ କହିଲା I "ହଉ ଯାହା ବହି ଦେବା କଥା ଦିଅ ମୁଁ ଯାଏ ଡେରି ହେଲାଣି," କହିଲା ଦୀପକ I ଟେବୁଲ ଉପରେ ଥିବା ଥୋଡାଏ ବହି ଆଣି ତାକୁ ଧରେଇବାକୁବାକୁ ଲାଗିଲା ସରିତା I ଅକସ୍ମାତ ତାହାର ଦୃଷ୍ଟି ପଡିଗଲା ତାହା ମଧ୍ୟରେ ରହି ଯାଇଥିଲା ତାହାର ଡ଼ାଇରିଟି I ତାକୁ ବାହାର କରି ଅଲଗାରେ ରଖିଲା ବେଳକୁ ଦୀପକ ତାହା ହାତରୁ ଛଡେଇ ନେଲା ଆଉ ଥଟ୍ଟାରେ କହିଲା, " ଦେଖି କଣ ସବୁ ଲେଖିଛ ତୁମେI ""ଇସ !ତୁମେ କେତେ ଦୁଷ୍ଟ ସତରେ," କହି ସେଦିନ ସରିତା ଛଡେଇବାକୁ ଚେଷ୍ଟା କରିଥିଲା ତାହାର ହାତରୁ ଡ଼ାଇରିଟିକୁ ଆଉ ସେହି ହାତାହାତିରେ ସରିତାର ନଖରେ ରାମ୍ପୁଡ଼ି ହେଇ ଯାଇଥିଲା ଦୀପକର ହାତ I ଡାଇରୀଟି ତଳେ ପଡି ଯାଇଥିଲା I କିଛି ଟୋପା ରକ୍ତ ମଧ୍ୟ ବାହାରି ଯାଇଥିଲା I"ଏମିତ ମଜାକ କରୁଥିଲି ମୁଁ, ମୁଁ କାହାର ବ୍ୟକ୍ତିଗତ ମାମଲାରେ ହସ୍ତକ୍ଷେପ କରେ ନାହିଁ, " କହିଲା ଦୀପକ I ନିଜର ଅନାବଶ୍ୟକ ରିଆକ୍ସନରେ ଲଜ୍ଜିତ ଅନୁଭବ କରିଥିଲା ସରିତା I କ୍ଷଣକ ପାଇଁ ଡରି ଯାଇଥିଲା ସରିତା କିନ୍ତୁ ପରେ ନିଜର ବ୍ୟାଗରୁ ଔଷଧ ବାହାର କରି ଲଗେଇଥିଲା I ସେଦିନର ଘଟଣା ପରେ ବୋଧ ହୁଏ ସରିତା ମନରେ ବୋଧେ ବହୁତ ଆତ୍ମଗ୍ଲାନି ଭରି ଯାଇଥିଲା I ପୂର୍ଵ ପରି ଆଉ ଦୀପକ ସହିତ ଝଗଡା କରିଲା ନାହିଁ ଯଦିଓ ଯୁକ୍ତିତର୍କ କଲେଜ ର ଶେଷ ଦିନ ଯାଏଁ କରିଥିଲା I ଚାହୁଁ ଚାହୁଁ କଲେଜ ଦିନ ସବୁ ସରିଗଲା I କଲେଜ ପଢ଼ାର ସମାପ୍ତି ସହିତ ସରିଗଲା ବହି ଦିଆ ନିଆର ଶୃଙ୍ଖଳା ଆଉ ଧୀରେ ଧୀରେ କମି ଗଲା ପରସ୍ପର ସହିତ ହେଉଥିବା ନିତିଦିନିଆ କଥାବାର୍ତ୍ତା ମଧ୍ୟ I ଦୀପକ ପରବର୍ତ୍ତୀ ଶିକ୍ଷା ପାଇଁ ଚେନ୍ନାଇ ଚାଲିଗଲା I ସବୁ ଝିଅଙ୍କ ଭଳି ସରିତାର ମଧ୍ୟ ବାହାଘର ହୋଇଗଲା ତାହାର ମାଆ ବାପା ନିର୍ଦ୍ଧାରିତ କରିଥିବା ବରଟିଏ ସହ I 

କେତେ ସବୁ ଝଗଡା ହେଉଥିଲା ସରିତା ଯେ ଯାଏଁ ପଡିଶାରେ ଥିଲା I ଆଜି କିନ୍ତୁ ସରିତା ବ୍ୟସ୍ତ ତାହାର ପରିବାର ସହ ଅନ୍ୟ ସହରରେ:ତାହାର ତେଲ ଲୁଣର ସଂସାରରେ I ଆଜି ଦୀପକ ସପ୍ତାହରେ ଚାରି ଦିନ ପାଇଁ ଯାତ୍ରୀ ସାଜି ଯାଏ ରେଳରେ ଆଉ ଉଡାଜାହାଜରେ, ତାହାର କାମରେ I ଯାତ୍ରା ସମୟଟି ଦୀପକ ଲାଗି ଯାଏ ସାଜେ ସ୍ମୃତି ବିଦାରିବାର ସମୟ ! କିଏ ଜାଣେ କେତେ ମନେ ରଖିଥିବ ସରିତା ତାହା ବିଷୟରେ ଆଜି? କିଏ ଜାଣେ ତାହାର ବାହାଘର ହୋଇ ଘର ସଂସାର ହେଲା ପରେ ସିଏ କେତେ ମନେ ରଖିବା ସରିତାକୁ ! କିନ୍ତୁ ଆଜି ମଧ୍ୟ ସେହି ଆଘାତର କ୍ଷୀଣ ଦାଗ କିଛି ରହି ଯାଇଛି ଦୀପକର ହାତରେ ଆଉ ଯେତେବେଳେ ସେଥିରେ ତାହାର ଦୃଷ୍ଟି ପଡେ ଦୀପକ ବହୁତ ହସେ ସେହି ଅଭୁଲା ମୁହୂର୍ତ୍ତ କିଛିକୁ ମନେ ପକେଇ I 



Rate this content
Log in

Similar oriya story from Romance