ଅଭିଶପ୍ତ ଜୀବନ
ଅଭିଶପ୍ତ ଜୀବନ
ଆଦ୍ୟ ଆଷାଢର ଅପରାହ୍ନ। ପଶ୍ଚିମ ଆକାଶରେ ଅସ୍ତଗାମୀ ସୂର୍ଯ୍ୟଙ୍କ ରକ୍ତାଭ କିରଣ। ସୁଦୂର ଦିଗବଳୟରୁ ଘନଶ୍ୟାମଳ ମେଘ ସମ୍ଭାରର ଅତର୍କିତ ଆକ୍ରମଣରେ ଅଦୃଶ୍ୟ ହୋଇଗଲେ ସୂର୍ଯ୍ୟ। ନିଶ୍ଚଳ ଅବନୀରୁ ନିଶ୍ଚିହ୍ନ ହୋଇଗଲା ଆଲୋକର ସେହି ସର୍ବବ୍ୟାପ୍ତ ଉତ୍ସ। ଘୋଟିଗଲା ଅନ୍ଧକାର। ଏହି ଅନ୍ଧକାରକୁ ଆହୁରି ଭୟଙ୍କର କରିବା ପାଇଁ ଆରମ୍ଭ ହୋଇଗଲା ମୂଷଳ ଧାରାର ବର୍ଷା। ଏସବୁ ଆଖି ଆଗରେ ଘଟିଯାଉଥିଲେ ମଧ୍ୟ ପ୍ରତ୍ୟୁଷ ବାବୁ ସେମିତି ଅବିଚଳିତ ଭାବେ ବସି ରହିଥିଲେ ନିଜ ବାଲକୋନିରେ। ପ୍ରବଳ ବର୍ଷାର ଶବ୍ଦ ତଥା ପବନର ଶୀତଳ ସ୍ପର୍ଶ ତାଙ୍କୁ ବିଚଳିତ କରି ପାରିନଥିଲା। ମାତ୍ର ଆକସ୍ମିକ ବଜ୍ରପାତ ଏବଂ ବାଦଲର ବୁକୁ ଫଟା ଗର୍ଜନର ପ୍ରଭାବରେ ସେ ପ୍ରକୃତିସ୍ଥ ହେଲେ। ବାସ୍ ତୁଟିଗଲା ତାଙ୍କର ସମସ୍ତ ସମ୍ମୋହନ। ସ୍ବପ୍ନ ଦୁନିଆଁର କଳ୍ପନା ରାଜ୍ୟରୁ ବିଦାୟ ନେଇ ସେ ଫେରିଲେ ନିଷ୍ଠୁର ବାସ୍ତବିକତାକୁ। ଭାବିବାକୁ ଲାଗିଲେ ଯେ କିପରି ଏହି ପ୍ରଭୁଦତ୍ତ ମନୁଷ୍ୟ ଜୀବନ ଆଜି ତାଙ୍କ କଲା କର୍ମ ଫଳରେ ଅଭିଶପ୍ତ ପାଲଟି ଯାଇଛି ସମସ୍ତଙ୍କ ଅଗୋଚରରେ..............
ସମସ୍ତେ ଜାଣନ୍ତି ପ୍ରତ୍ୟୁଷ ବାବୁ 'ଅତୀତ'କୁ ଭଲପାଆନ୍ତି। 'ଇତିହାସ'ରେ ରୁଚି ରଖନ୍ତି। ନୀତି,ଆଦର୍ଶ ଓ ପରମ୍ପରା ସଦା ତାଙ୍କ ସହଚର। ହେଲେ ସେ ଭଲଭାବେ ଜାଣନ୍ତି ଯେ ସେ ସବୁ କିଛି ଛଳନା ଯାହାକୁ ବଜାୟ ରଖିବା ପାଇଁ ସେ ଗଢିଛନ୍ତି ମିଛର ଅସରନ୍ତି ଭଣ୍ଡାର। ଥାଇପାରେ ତାଙ୍କର ପରିବାର। ଥାଇପାରନ୍ତି ତାଙ୍କ ପତ୍ନୀ ଏବଂ ପୁତ୍ର। ସମାଜରୁ ମିଳୁଥାଇପାରେ ଅଜସ୍ର ପ୍ରଶଂସା। ଥାଇପାରେ ସମାଜରେ ତାଙ୍କର ପ୍ରତିଷ୍ଠା। କିନ୍ତୁ ତାଙ୍କର ଏହି ପ୍ରତିପତ୍ତି ହାସଲ କରିବା ପାଇଁ ସେ କରିଛନ୍ତି ଅନେକ ପାପ। ପିତାଙ୍କ ବ୍ୟବସାୟିକ ଲାଭ ନିମିତ୍ତ ନିଜ ପ୍ରେମକୁ ଜଳାଞ୍ଜଳି ଦେଇଛନ୍ତି ସେ। ପିତାଙ୍କ ଇଛ୍ଛାରେ ବିବାହ କରି ଚିର ଶାଶ୍ବତ,ଚିର ପବିତ୍ର ପ୍ରେମକୁ ପ୍ରତାରଣାରେ ପରିଣତ କରିଛନ୍ତି ସେ।
ଆଭିଜାତ୍ୟର ଉପସ୍ଥିତି ତାଙ୍କ ମନରୁ ସେ କଳଙ୍କିତ ଅତୀତକୁ ଲିଭାଇ ପାରିନାହିଁ। କିନ୍ତୁ କିଛି ଦିନ ତଳର ଏକ ଘଟଣା ତାଙ୍କ ଜୀବନରେ ଆଣିଛି କିଛି ଆଶ୍ବସ୍ଥି।ସତେଜ କରିଛି ତାଙ୍କ ପ୍ରେମିକା ପ୍ରିୟାର ପ୍ରତିଟି ସ୍ମୃତି। ପ୍ରାୟ ସାତ ବର୍ଷ ତଳେ, ଉତ୍କଳ ବିଶ୍ବବିଦ୍ୟାଳୟରେ ପଢୁଥିବା ସମୟରେ ତାଙ୍କର ପ୍ରିୟା ସହ ପ୍ରଥମ ଦେଖା ହୋଇଥିଲା ପାଠାଗାରରେ। କୌଣସି ଏକ ଉପନ୍ୟାସର ପୃଷ୍ଟଭୂମିରେ ହଜି ଯାଇଥିଲେ ସେ। ତାଙ୍କ ଅନ୍ୟମନସ୍କତା ଭଙ୍ଗ ହୋଇଥିଲା ପ୍ରିୟାର କଣ୍ଠ ସ୍ବରରେ। ସେ ଅନୁରୋଧ କରିଥିଲା କିଛି ବହି ଖୋଜିଦେବା ପାଇଁ। ସେ ମଧ୍ୟ ତା' ଅନୁରୋଧ ରକ୍ଷା କରି ବହି ଖୋଜିବାରେ ସାହାଯ୍ୟ କଲେ। ପ୍ରିୟା ତାଙ୍କୁ ଧନ୍ୟବାଦ ଜଣାଇଲେ। ଏହିଠୁ ଆରମ୍ଭ ହେଲା ସେମାନଙ୍କ ବନ୍ଧୁତା, ଯେହେତୁ ସେମାନେ ସମାନ ଶ୍ରେଣୀ ଓ ସମାନ ବିଭାଗର ଥିଲେ। ଅତ୍ୟଧିକ ମିଳାମିଶା ସେମାନଙ୍କ ବନ୍ଧୁତାକୁ ପ୍ରେମରେ ପରିଣତ କରିଥିଲା। ଦୁହେଁ ମଧ୍ୟ ଏହି ସଂପର୍କକୁ ଗ୍ରହଣ କରିନେଲେ। ସେହି ବର୍ଷର ଶେଷ ସେମିଷ୍ଟାର ପରୀକ୍ଷାରେ ଦୁହେଁ ମିଳିତ ଭାବେ ପ୍ରଥମ ସ୍ଥାନ ଅଧିକାର କଲେ। ଏହା ସେମାନଙ୍କ ସଂପର୍କକୁ ଆହୁରି ସୁଦୃଢ କଲା। ଆନ୍ତରିକ ଭଲପାଇବା ଏବଂ ମାନସିକ ଭାବପ୍ରବଣତା ସେମାନଙ୍କୁ ଏକାଠି ରଖିପାରିଥିଲା। ଚନ୍ଦ୍ରକଳାର ବୃଦ୍ଧି ପରି ତାଙ୍କ ସଂପର୍କ ଦୃଢ ହୋଇ ଚାଲିଥିଲା। ହେଲେ ଅମାବାସ୍ୟା ଆସି ପହଞ୍ଚି ଯାଇଥିଲାତାଙ୍କ ଜୀବନରେ। ଶେଷ ବର୍ଷର ପରୀକ୍ଷା ସରିଯିବା ପରେ ବିବାହର ପ୍ରତିଶ୍ରୁତି ଦେଇ ଦୁହେଁ ଦୁହିଁଙ୍କଠୁ ବିଦାୟ ନେଲେ।
ଘରକୁ ଫେରିବା ମାତ୍ରେ ତାଙ୍କ ବିବାହ ଠିକ୍ ହୋଇଗଲା ପ୍ରୀତିଙ୍କ ସହ ସେପଟେ ପ୍ରିୟାର ବିବାହ ହେଲା ପ୍ରବୀଣଙ୍କ ସହ। ପରିବାର ଲୋକଙ୍କୁ କହିବାର ସୁଯୋଗ ପାଇନଥିଲା ପ୍ରିୟା। ଏପଟେ ବାପା ଜିଦ୍ ଧରି ବସିଥିଲେ ଯେ ସେ ପ୍ରୀତିଙ୍କୁ ବିବାହ କରନ୍ତୁ। ମନ କଥା ମନରେ ମାରି ପରିବାର ଲୋକଙ୍କ ନିଷ୍ପତ୍ତିରେ ଉଭୟ ବିବାହ କଲେ। ସବୁ କିଛି ଭୁଲିବାକୁ ଚେଷ୍ଟାକରି ନିଜ ନିଜ ସଂସାର ଗଢିଲେ। ବୋଧହୁଏ ବିଧିର ବିଧାନ ଥିଲା କିଛି ଅଲଗା।
ବିବାହର ପ୍ରାୟ ସାତ ବର୍ଷ ପରେ ତାଙ୍କ ପାଖରେ ପହଞ୍ଚିଲା ଏକ ଚିଠି। ଆଜି ଭଳି ଈଣ୍ଟରନେଟ୍ ଯୁଗରେ ହଠାତ୍ ଚିଠିଟିଏ ପାଇ ଆଶ୍ଚର୍ଯ୍ୟନ୍ନ୍ବିତ ହୋଇ ସେ ପଢିବା ଆରମ୍ଭ କଲେ............
ପ୍ରିୟ ପ୍ରତ୍ୟୁଷ, ୨୬/୭/୨୦୨୦
ମୋ କଥା ହୁଏତ ଆଉ ମନେ ନଥିବ।ତେବେ ମୁଁ ପ୍ରିୟା ଯାହାକୁ ତୁମେ ଦିନେ ଭଲପାଉଥିଲ।
ପ୍ରତିଶ୍ରୁତି ଅନୁସାରେ ତୁମ ଅପେକ୍ଷାରେ ଥିଲି। ତମେ ଆସିଲ ନାହିଁ। ମୋ ବାହାଘର ଠିକ୍ ହୋଇଗଲା। ପରେ ଯାଣିଲି ତମ ବାହାଘରବି ସରି ଯାଇଛି।ତମେ ତ ଭଲରେ ଥିବ କିନ୍ତୁ ମୋ ଭାଗ୍ୟରେ ଥିଲା ଖାଲି ଯନ୍ତ୍ରଣା। ପ୍ରଥମେ ତୁମ ପ୍ରତାରଣା, ଶାଶୁଘର ଲୋକଙ୍କ ଅତ୍ୟାଚାର,ସ୍ବାମୀଙ୍କ ଘୃଣା ଏବଂ ଶେଷରେ କେବେ ମା' ହୋଇନପାରିବାର ଦୁଃଖ। ତୁମକୁ ହରାଇବା ପରେ ଆଉ ଯାହା କିଛି ମୋ ପାଖେ ଥିଲା ସବୁ କିଛି ଚାଲିଗଲା। ଆଉ ଏ ଜୀବନ ରଖି ଲାଭ କ'ଣ ? ମୁଁ ଚାଲିଯାଉଛି ପ୍ରତ୍ୟୁଷ ଦୂରକୁ ଅନେକ ଦୂରକୁ।
llଇତିll
ତୁମ ପ୍ରିୟା
ଚିଠି ପଢିବା ପରେ ପ୍ରିୟାର ମୃତ୍ୟୁ ପାଇଁ ନିଜକୁ ଦାୟୀ କରିଛନ୍ତି ସେ। ଏପରି ଅପରାଧର କ୍ଷମା ନାହିଁ ବୋଲି ଚିତ୍କାର କରି ଉଠିଥିଲେ। ଇଛ୍ଛା କରି ଥିଲେ ଶେଷ ଥର ପାଇଁ ତାଙ୍କ ପ୍ରିୟାକୁ ଦେଖି ଆସିବେ ମାତ୍ର ଜଣେ ଥରେ ପ୍ରତାରକ ସାଜିଲେ ସେ କ'ଣ ପୁରୁଣା ପ୍ରେମିକ ହୋଇପାରେ?
ଚିଠି ପାଇଥିବା ଦିନଟି ଥିଲା ତାଙ୍କ ଝିଅ ପ୍ରାଚୀର ଜନ୍ମ ଦିନ। ଡ୍ରଇଁ ରୁମ୍ ରେ ବସି ଚିଠି ପଢୁଥିବା ସମୟରେ ତାଙ୍କ ଝିଅ ଆସି ତାଙ୍କୁ କୁଣ୍ଢାଇ ପକାଇଲା।
ତାଙ୍କ ବିଷାଦ ମନରେ ଖେଳିଗଲା ଆନନ୍ଦର ଶିହରଣ।
ବାପାଙ୍କ ଆଖିରୁ ଲୁହ ପୋଛି ଦେଇ କହିଲା ,"ବାପା କଥା ଦିଅ ଆଜିଠୁ କେବେବି କାନ୍ଦିବ ନାହିଁ।" ଏହି ସମୟରେ ସେ ଅନୁଭବ କରିପାରୁଥିଲେ ପ୍ରିୟାର ଉପସ୍ଥିତି। ପ୍ରାଚୀର ହସ ହସ ମୁହଁ ରେ ସେ ଦେଖିପାରୁଥିଲେ ପ୍ରିୟାର ଆନନ୍ଦ। ତାଙ୍କୁ ଲାଗିଲା ପ୍ରିୟା ଯେପରି କହୁଛି ,"ମୁଁ ଆଜି ବହୁତ ଖୁସି ତୁମକୁ ପତି ନୁହେଁ ପିତା ରୂପେ ପାଇ।"
ବାସ୍ତବରେ ପ୍ରେମ ଚିରନ୍ତନ,ନିର୍ବିକାର ଏବଂ ଚିର ଶାଶ୍ବତ। ମେଘାଛ୍ଛନ୍ନ ଆକାଶରେ ବିଜୁଳିର ରୂପେଲି ରେଖା ଚମକ ସୃଷ୍ଟି କଲା ପରି ଏ ସମସ୍ତ ଘଟଣା ତାଙ୍କ ଅଭିଶପ୍ତ ଜୀବନରେ ଆନନ୍ଦର ସ୍ପନ୍ଦନ ଭରି ଦେଉଥିଲା। ବର୍ଷା ଭିଜା ରାତିରେ ସ୍ମୃତିର ଉଷ୍ଣତା ସତେ ଯେମିତି ତାଙ୍କ ସମସ୍ତ ଆତ୍ମଗ୍ଳାନିକୁ ଆତ୍ମସନ୍ତୋଷରେ ପରିଣତ କରୁଥିଲା