ଅସହାୟ ଏକଲବ୍ୟ
ଅସହାୟ ଏକଲବ୍ୟ


"ବାପା! ବାପା!ଜାଣିଛ ଆମର ଅନଲାଇନ୍ କ୍ଲାସ୍ ହଉଛି। ଆମ ଘରେତ ମୋବାଇଲ୍ ଟିଏ ନାହିଁ , ମୋ ପାଇଁ ଗୋଟେ ଆଣି ଦିଅ।" ପୁଅର ଏହି କୋହଭରା ଅନୁରୋଧ ପ୍ରତି ମୂହୁର୍ତ୍ତରେ ବାଜୁଥାଏ ଦାଶିଆଙ୍କ କାନରେ। ଦାଶିଆ ଓରଫ୍ ଦାଶରଥୀ ସାହୁ। ପେସାରେ ଜଣେ ଦିନ ମଜୁରିଆ। କୋରୋନାର ଏହି ଘଡିସନ୍ଧି ମୂହୁର୍ତ୍ତ ଏମିତି କେତେ ଦାଶିଆଙ୍କ ଅଣ୍ଟା ଭାଙ୍ଗି ଦେଇଛି ତାହା ସଭିଙ୍କୁ ଜଣା। ଲକ୍ଡାଉନ୍ ସଟ୍ଡାଉନ୍ ଆଦି କଟକଣା ଫଳରେ ସେ କାମକୁ ଯାଇପାରୁ ନାହାନ୍ତି। ଏପଟେ ସମସ୍ତ ସଞ୍ଚୟ ସରି ଆସିଲାଣି। ଗଲା ବର୍ଷ ପଡିଆ ପଡିଥିବା ବିଲରେ ଏ ବର୍ଷ ଯାହା କିଛି ଖର୍ଚ କରିଥିଲେ ତାହା ମଧ୍ୟ ଅଦିନିଆ ଲଘୁଚାପରେ ଧୋଇ ହୋଇଗଲା। ଆଗାମୀ ଦିନରେ ଦି ଓଳି ଦି ମୁଠା ଖାଦ୍ୟ ପାଇଁ ସଂଘର୍ଷ କରିବାକୁ ଯାଉଥିବା ଲୋକଟିଏ ମୋବାଇଲ୍ ଟିଏ ପାଇଁ ଟଙ୍କା କେଉଁଠୁ ଆଣିବ। ଏସବୁ ଭାବିବା ଭିତରେ ତାଙ୍କ ଅଜାଣତରେ ଝରି ଆସିଛି କେଇ ଟୋପା ଲୁହ।
ହଠାତ୍ ଗାଲରେ କାହାର ଉଷ୍ଣ ହାତର ସ୍ପର୍ଶ ପାଇ ତାଙ୍କ ଶରୀର ଶିହରିତ ହୋଇ ଉଠିଲା। ଜାଣି ପାରିଲେ ତାଙ୍କ ପୁଅ ତାଙ୍କ ଆଖିରୁ ଲୁହ ପୋଛି ଦେଉଛି। ସେ ତାକୁ କୁଣ୍ଢାଇ ନେଲେ। ତା'ପରେ ବାପାଙ୍କ କାନ୍ଧରେ ମୁଣ୍ଡ ରଖି ପୁଅ କହୁଥିଲା,"ବାପା, ମୋ ବିଷୟରେ ଭାବି କାନ୍ଦୁଛ କି? ମୋର ମୋବାଇଲ୍ ଦରକାର ନାହିଁ। ଆଜି ସଉଦା ଧରି ଘରକୁ ଫେରୁଥିବା ବେଳେ ମୋହନ ବାବୁଙ୍କ ଘର ସାମ୍ନାରେ ବହୁତ ଗୁଡିଏ କାଗଜପତ୍ର ପଡି ଥିବାର ଦେଖିଲି। ପାଖକୁ ଯାଇ ଦେଖିଲି କେତେ ବହି,ଖବରକାଗଜ ସବୁ ପଡିଛି। ତାଙ୍କ ପୁଅର ପଞ୍ଚମ ଶ୍ରେଣୀର ପୁରୁଣା ବହିବି ଥିଲା, ଚିରି ଯାଇଥିବା କିଛି ମହାପୁରୁଷ ମାନଙ୍କ ଜୀବନୀ ବି ଥିଲା। ସେଥିରୁ ମୁଁ କିଛି ନେଇ ଆସିଛି। ମୁଁ ଭାବୁଛି ମୁଁ ନିଜେ ଚେଷ୍ଟା କରିବି ପଢିବା ପାଇଁ। ବହୁତ ପରିଶ୍ରମ କରିବି। ଯେଉଁସବୁ ପାଠ ବୁଝି ପାରିବିନି ସାର୍ ଙ୍କ ଘରକୁ ଯାଇ ବୁଝି ଆସିବି। ସେ କେବେ ମନା କରିବେନି। ଏକଲବ୍ୟ ପୁଣିତ ଦୂରରେ ଥାଇ ଦ୍ରୋଣାଚାର୍ଯ୍ୟଙ୍କଠୁ ଶିକ୍ଷା ଗ୍ରହଣ କରିଥିଲେ।"
ନିଜର ଦଶ ବର୍ଷର ପୁଅଠାରୁ ଏପରି କଥା ଶୁଣି ଦାଶିଆ ନିଜ କୋହ ଚାପି ପାରୁ ନଥିଲେ। ଆଉ ଭାବୁଥିଲେ ତାଙ୍କ ପୁଅ ପରି ଏମିତି ଅନେକ ଅସହାୟ ଏକଲବ୍ୟଙ୍କ ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ।