Biswajit Sahoo

Abstract Inspirational

4.0  

Biswajit Sahoo

Abstract Inspirational

କାହାଣୀରେ ଜଗନ୍ନାଥ

କାହାଣୀରେ ଜଗନ୍ନାଥ

3 mins
207


ନୀତିଶିକ୍ଷା କାଳାଂଶରେ ଜଗନ୍ନାଥଙ୍କ ବିଷୟରେ କହୁ କହୁ ରଘୁ ଗୁରୁଜୀ କହିଦେଲେ," ଜଗନ୍ନାଥ ହେଉଛନ୍ତି ସମନ୍ୱୟର ଠାକୁର, ସେ ହେଉଛନ୍ତି ସର୍ବଧର୍ମ ସମନ୍ବୟର ପ୍ରତୀକ। " 


ଇତିହାସରେ ପଢ଼ିଥିଲୁ ମଧ୍ୟଯୁଗରୁ ଆଜି ପର୍ଯ୍ୟନ୍ତ ହୋଇଥିବା ଅନେକ ସଂଘର୍ଷର କାରଣ ଥିଲା ଧର୍ମୀୟ ଭାବନା । ଓଡ଼ିଆଙ୍କ ପ୍ରାଣ ପ୍ରିୟ ପ୍ରଭୁ ଜଗନ୍ନାଥ ଜଣେ ହିନ୍ଦୁ ଦେବତା ବୋଲି ପିଲାଦିନରୁ ଶୁଣି ଆସୁଥିଲୁ। ହଠାତ୍ ଗୁରୁଜୀଙ୍କ ସମନ୍ବୟ ଶବ୍ଦଟି ଆମ ଭାବନାର ବେଗକୁ ଆହୁରି ତୀବ୍ରତର କରିଦେଲା। 


ଗୁରୁଜୀଙ୍କ କଥା ସରିନଥିବା ବେଳେ ଆରମ୍ଭ ହେଇଗଲା କିଛି ଜିଜ୍ଞାସୁ ଛାତ୍ରଙ୍କ ଅସରନ୍ତି ପ୍ରଶ୍ନ। ସମସ୍ତଙ୍କ ପ୍ରଶ୍ନ ଶୁଣି ସାରିବା ପରେ ଗୁରୁଜୀ ପୁଣି କହିବା ଆରମ୍ଭ କଲେ.....


ଦେଖ , ତମେ ମାନେ ଚାରି ଧାମର ନାଁ ଶୁଣିଛ ? ଉତ୍ତରରେ ବଦ୍ରିନାଥ , ଦକ୍ଷିଣରେ ରାମେଶ୍ୱରମ୍ , ପଶ୍ଚିମରେ ଦ୍ବାରିକାନାଥ ଏବଂ ପୂର୍ବରେ ଜଗନ୍ନାଥ। ଅନ୍ୟ ସବୁ ଧାମରେ ପ୍ରଭୁଙ୍କ ନାମ ସ୍ଥାନୀୟ ଅଞ୍ଚଳ ଅନୁସାରେ ହୋଇଥିବା ବେଳେ ଆମ ଠାକୁରଙ୍କ ନାମ ଜଗନ୍ନାଥ ଅର୍ଥାତ୍ ଜଗତର ନାଥ । ଖାଲି କହି ଦେଲେ ତ ହବନି ଆମ କଥା କୁ ପ୍ରମାଣ କରିବାକୁ ପଡ଼ିବ। ପ୍ରଭୁ ଜଗନ୍ନାଥଙ୍କୁ ବିଷ୍ଣୁଙ୍କ ସ୍ବରୂପ ଭାବେ ପୂଜା କରାଯାଏ। କିଛି ଜଗନ୍ନାଥ ସଂସ୍କୃତି ଗବେଷକ ମତ ଦିଅନ୍ତି ପ୍ରଭୁ ଜଗନ୍ନାଥ ବିଷ୍ଣୁ, ପ୍ରଭୁ ବଳଭଦ୍ର ମହାଦେବ ଏବଂ ମା' ସୁଭଦ୍ରା ବ୍ରହ୍ମାଙ୍କ ପ୍ରତୀକ ଅଟନ୍ତି।

ଆଉ କିଛି ଗବେଷକ ବୁଦ୍ଧଙ୍କୁ , ବିଷ୍ଣୁଙ୍କ ଅଷ୍ଟମ ଅବତାର ରୂପେ ବର୍ଣ୍ଣନା କରିଛନ୍ତି। 


ପିଲାମାନେ ତମେ ବୁର୍ଖା ବିଷୟରେ ଜାଣିଛ ? ହୁଏତ ଦେଖି ଥିବ । ମୁସଲମାନ ନାରୀ ମାନେ ବାହାରକୁ ବାହାରିଲେ ବୁର୍ଖା ପିନ୍ଧନ୍ତି। ଏକ କଳା କପଡ଼ାର ବସ୍ତ୍ର ଯାହା ସମ୍ପୂର୍ଣ୍ଣ ଶରୀରକୁ ଆଚ୍ଛାଦିତ କରେ ଏବଂ ଖାଲି ଆଖି ଗୁଡ଼ିକ ଖୋଲାଥାଏ । ସେମିତି ମହାପ୍ରଭୁଙ୍କ ବସ୍ତ୍ର ସମ୍ପୂର୍ଣ୍ଣ ଶ୍ରୀଅଙ୍ଗକୁ ଆଚ୍ଛାଦିତ କରିଥାଏ ଏବଂ କେବଳ ଶ୍ରୀମୁଖ ଆମ ମାନଙ୍କୁ ଦୃଶ୍ୟମାନ ହୁଏ।

 ଯୀଶୁ ଖ୍ରୀଷ୍ଟଙ୍କୁ କୃଶ ବିଦ୍ଧ କରି ହତ୍ୟା କରାଯାଇଥିଲା। ତେଣୁ ତାଙ୍କ ସ୍ମୃତିରେ ସେହି କୃଶ ବା ଇଂରାଜୀରେ କ୍ରସ୍ କୁ ସେହି ଧର୍ମର ପ୍ରତୀକ ରୂପେ ଗ୍ରହଣ କରାଯାଇଛି। ଯଦି ମହାପ୍ରଭୁଙ୍କ ମୂର୍ତ୍ତିକୁ ପଛପଟୁ ଦେଖାଯାଏ ତେବେ ତାହା ସେହି କ୍ରସ୍ ପରି ଦେଖାଯିବ।

 ଆହୁରି ମଧ୍ୟ ବିଶ୍ଵାବସୁ ଏବଂ ବିଦ୍ୟାପତିଙ୍କ କାହାଣୀକୁ ବିଚାରକୁ ନିଆଯାଏ ତେବେ ଜଗନ୍ନାଥ ଉଭୟ ଶବର ଏବଂ ଆର୍ଯ୍ୟ ମାନଙ୍କ ଦ୍ଵାରା ପୂଜିତ। ଏବେ ବି ବେଦଜ୍ଞ ତଥା ଶୋତ୍ରୀୟ ବ୍ରାହ୍ମଣ , ଦଇତାପତି, ପତିମହାପାତ୍ର, ଭୋଇ, ମହାରଣା, ମହାଜନ, ସୁଆର,ଘଣ୍ଟୁଆ,ଘଟୁଆରୀ,ପାନରା,ଚୂନରା ଆଦି ଅନେକ ସେବାୟତ ପ୍ରଭୁଙ୍କ ସେବାରେ ନିୟୋଜିତ।

 ଏବେ ଯଦି ପ୍ରଶ୍ନ ଉଠେ ମହାପ୍ରଭୁ ଯଦି ସବୁ ଧର୍ମକୁ ପ୍ରତିନିଧିତ୍ଵ କରନ୍ତି ତେବେ ହିନ୍ଦୁଙ୍କ ଛଡ଼ା ଅନ୍ୟ ମାନଙ୍କୁ ପ୍ରବେଶ ବାରଣ କାହିଁକି ? ତେବେ ଏହି ପ୍ରଶ୍ନର ଉତ୍ତର ହେଉଛି ସିଂହଦ୍ଵାର ଗୁମୁଟରେ ସ୍ଥାପିତ ପତିତପାବନ ବିଗ୍ରହ ଏବଂ ରଥଯାତ୍ରା ବା ପତିତ ପାବନ ଯାତ୍ରା। ପତିତପାବନ ହେଉଛନ୍ତି ପ୍ରଭୁ ଜଗନ୍ନାଥଙ୍କ ଅବିକଳ ପ୍ରତିମୂର୍ତ୍ତି, ଯାହାଙ୍କୁ ମନ୍ଦିର ବାହାରୁ ଦର୍ଶନ କରାଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନର ପୂଣ୍ୟ ଅର୍ଜନ କରାଯାଇପାରେ।

 ଏହା ପରେ ବି ପ୍ରତି ବର୍ଷ ଆଷାଢ଼ରେ ଆୟୋଜିତ ହୁଏ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଯାହା ନବଦିନାତ୍ମକ ଯାତ୍ରା ରୂପେ ନାମିତ। ମହାପ୍ରଭୁ ରତ୍ନ ସିଂହାସନ ଛାଡ଼ି ଆଷାଢ଼ ଶୁକ୍ଳ ଦ୍ଵିତୀୟା ବା ଶ୍ରୀଗୁଣ୍ଡିଚା ଦିନ ତିନି ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି। ଗୁଣ୍ଡିଚା ମନ୍ଦିରର ସିଂହାସନ ଜନ୍ମ ବେଦୀ ବା ଆଡ଼ପ ମଣ୍ଡପ ଭାବେ ନାମିତ। ଆଡ଼ପ ମଣ୍ଡପରେ ପ୍ରଭୁଙ୍କ ଦର୍ଶନ କଲେ ଶ୍ରୀମନ୍ଦିରରେ ବର୍ଷକର ଦର୍ଶନ ପୁଣ୍ୟ ଲାଭ ହୁଏ ବୋଲି ବିଶ୍ବାସ ରହିଛି। ନବମୀର ସନ୍ଧ୍ୟା ଦର୍ଶନ ମଧ୍ୟ ବିଶେଷ ମହତ୍ତ୍ଵ ରଖେ । ଏହା ପରେ ବାହୁଡ଼ା ଦଶମୀରେ ମହାପ୍ରଭୁ ଶ୍ରୀମନ୍ଦିର ଫେରି ଆସନ୍ତି କାରଣ ହେରାପଞ୍ଚମୀ ଦିନ ମା' ମହାଲକ୍ଷ୍ମୀ ଅଭିମାନରେ ନନ୍ଦିଘୋଷ ରଥ ଭାଙ୍ଗି ନିଜ ରୋଷ ବିଷୟରେ ମହାପ୍ରଭୁଙ୍କୁ ଜଣାଇ ଦେଇଥାନ୍ତି ।

 ବାହୁଡ଼ା ପରେ ହରିଶୟନ ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ରଥ ଉପରେ ସୁନାବେଶ ବା ରାଜରାଜେଶ୍ଵର ବେଶ ରେ ସୁସଜ୍ଜିତ କରାଯାଏ। ଦ୍ବାଦଶୀ ଦିନ ଅଶରୀରୀ ମାନଙ୍କ ତୃପ୍ତି ପାଇଁ ଅଧର ପଣା ନୀତି ଅନୁଷ୍ଠିତ ହୁଏ। ମଣୋହୀ ପରେ ଅଧର ହାଣ୍ଡି ବା ପ୍ରଭୁଙ୍କ ଓଠ ପର୍ଯ୍ୟନ୍ତ ଉଚ୍ଚ ହାଣ୍ଡିକୁ ସେହି ରଥ ଉପରେ ହିଁ ଭାଙ୍ଗି ଦିଆଯାଏ। ଏହା କେବଳ ରଥର ପାର୍ଶ୍ଵ ଦେବତା ଏବଂ ଅଶରୀରୀ ପ୍ରେତାତ୍ମା ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ। ଏହାକୁ ସାଧାରଣ ଲୋକ ପ୍ରସାଦ ରୂପେ ଗ୍ରହଣ କରିବା ନିଷେଧ।


ପରେ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହୋଇଥାଏ। ଏ ସବୁ ନୀତି କାନ୍ତି ଦ୍ବାରା ମନ୍ଦିରକୁ ପ୍ରବେଶ କରିପାରୁନଥିବା ଭକ୍ତ ମାନେ ବା ଅନ୍ୟ ସମ୍ପ୍ରଦାୟର ଲୋକମାନେ ମହାପ୍ରଭୁଙ୍କ ଦର୍ଶନ ପାଇ ପାରନ୍ତି। ପତିତ ଅର୍ଥ ପାପୀ, ପାବନ ଅର୍ଥ ମୁକ୍ତି , ପତିତ ଜନଙ୍କୁ ଉଦ୍ଧାର କରିବା ଏହି ରଥଯାତ୍ରାର ଉଦ୍ଦେଶ୍ୟ, ସେଥି ପାଇଁ ଏହାର ଅନ୍ୟ ଏକ ନାମ ପତିତପାବନ ଯାତ୍ରା।

 ଆହୁରି ମଧ୍ୟ କୁହା ଯାଇଛି ଦୋଳ (ବିମାନ)ରେ ଦୋଳଗୋବିନ୍ଦ, ଚାପ(ଡଙ୍ଗା) ରେ ମଧୁସୂଦନ ଏବଂ ରଥରେ ବାମନଙ୍କୁ ଦର୍ଶନ କଲେ ମନୁଷ୍ୟ ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତି ପାଇ‌ ଯାଏ ।

ଫାଲଗୁନ ମାସର ଦୋଳଯାତ୍ରା ଏବଂ ବୈଶାଖ ମାସର ଚନ୍ଦନ ଯାତ୍ରାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଯଥାକ୍ରମେ ରାମକୃଷ୍ଣ ଏବଂ ମଦନମୋହନ ମନ୍ଦିର ବାହାରକୁ ଆସିଥାନ୍ତି କିନ୍ତୁ ରଥଯାତ୍ରା ସମୟରେ ମହାପ୍ରଭୁ ନିଜେ ପ୍ରବେଶ ଅଧିକାର ପାଇ ନଥିବା ଭକ୍ତ ମାନଙ୍କୁ ଦର୍ଶନ ଦେବାପାଇଁ ବାହାରକୁ ଆସିଥାନ୍ତି।

ମହାପ୍ରଭୁଙ୍କ ଏହି ଅନନ୍ୟ ଲୀଳା ‌ତାଙ୍କ ନାମକରଣର ଏକ ଯଥାର୍ଥ ପ୍ରମାଣ।"


ସବୁ କିଛି କହି ସାରିବା ପରେ ରଘୁ ଗୁରୁଜୀ ତଥା ଆମ ସବୁ ସାଙ୍ଗମାନଙ୍କ ହାତ ଉପରକୁ ଉଠି ଯାଇଥିଲା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ।


Rate this content
Log in

Similar oriya story from Abstract