STORYMIRROR

Biswajit Sahoo

Inspirational

3  

Biswajit Sahoo

Inspirational

ପ୍ରଥମ ଲେଖା ନକଲି ଲେଖା

ପ୍ରଥମ ଲେଖା ନକଲି ଲେଖା

2 mins
325


ପିଲାଟି ଦିନରୁ ଲେଖାଲେଖି ପ୍ରତି ପ୍ରବଳ ଆଗ୍ରହ ଥିଲା। ଜେଜେବାପା,ବାପା ଏବଂ ବୋଉ ସମସ୍ତେ ଥିଲେ ସାହିତ୍ୟ ପ୍ରେମୀ। ବୋଧହୁଏ ଏହି ପାରିବାରିକ ପ୍ରଭାବ ମୋ ଉପରେ ମଧ୍ୟ ପଡିଥିଲା।

   ୨୦୧୫ ମସିହାର ଘଟଣା,ସେତେବେଳେ ମୁଁ କଟକ, ମହାନଦୀବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପଞ୍ଚମ ଶ୍ରେଣୀରେ ପଢୁଥାଏ । "ପ୍ରେରଣା" ନାମକ ଏକ ବାର୍ଷିକ ପତ୍ରିକା ବିଦ୍ୟାଳୟ ତରଫରୁ ପ୍ରକାଶିତ ହୁଏ। ସମସ୍ତଙ୍କର କିଛି ନା କିଛି ଅବଦାନ ଫଳରେ ଏହା ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ବେଶ୍ ଆଦୃତ ହୋଇପାରିଥିଲା।

   ମୁଁ ମଧ୍ୟ ସ୍ଥିର କରି ନେଇଥିଲି ଯେ ମୁଁ ବି କିଛି ଲେଖିବି ଆଉ ପତ୍ରିକା ପାଇଁ ଦେବି । ଅନ୍ୟ ସବୁ ଭାଇଭଉଣୀ ତଥା ସାଙ୍ଗମାନଙ୍କ ପରି ମୋ ଲେଖା ବି ସେଥିରେ ସ୍ଥାନ ପାଇବ।

   କ'ଣ ଲେଖିବି ଭାବିଭାବି ଦୁଇ ଦିନ ବିତାଇ ଦେଲି। ମୁଁ ଘରକୁ ଆସୁଥିବା ଦୈନିକ "ସମ୍ବାଦ"ର ଜଣେ ନିୟମିତ ପାଠକ ଥିଲି, ଯାହା ସମ୍ଭବ ହୋଇ ପାରିଥିଲା ବାପାଙ୍କ ପ୍ରୋତ୍ସାହନ ଯୋଗୁଁ । ତେବେ ମୁଁ ନିଷ୍ପତ୍ତି ନେଲି ଯେ "ସମ୍ବାଦ"ର 'କଥାଟିଏ ଯାଯାବର' ସ୍ତମ୍ଭରେ ପ୍ରକାଶିତ ହୋଇଥିବା ଏକ ଆକର୍ଷକ ଗଳ୍ପକୁ ମୁଁ ପତ୍ରିକା ପାଇଁ ଦେବି।

   ମୋ ମନ ପସନ୍ଦର ଗପଟିଏ ମଧ୍ୟ ମୁଁ ପାଇଯାଇଥିଲି । ଏକଦା ବିଦ୍ୟାଳୟରୁ ଫେରି ସେହି ଖବରକାଗଜ ପୃଷ୍ଠାଟି ଆଣି ମୁଁ ବ୍ୟସ୍ତତାର ସହ ଲେଖି ଚାଲିଲି । ଏ ସଂପର୍କରେ ମୁଁ ସମ୍ପୂର୍ଣ୍ଣ ଭାବେ ଅଜ୍ଞ ଥିଲି ଯେ ମୋର ସବୁ କାର୍ଯ୍ୟକଳାପକୁ ବାପା ନିରୀକ୍ଷଣ କରୁଛନ୍ତି।

   ମୋ ଲେଖା ଶେଷ ହେବା ବେଳକୁ ବାପା ହଠାତ ତାଙ୍କ ହାତ ମୋ କାନ୍ଧରେ ରଖିଦେଲେ। ମୁଁ ମଧ୍ୟ ଅପ୍ରତ୍ୟାଶିତ ଭାବେ ଚମକି ପଡିଲି। ବାପା ପଚାରିଲେ,"କ'ଣ କରୁଛ?" କିଛି କହି ନପାରି ତଳକୁ ମୁଣ୍ଡ ପୋତି ଛିଡା ହେଲି। ବାପା ହସି ହସି କହିଲେ, "ଯଦି କିଛି ଲେଖିବାର ଅଛି ତେବେ ନିଜର ସୃଜନଶୀଳତା ପ୍ରୟୋଗ କରି ଲେଖ । ମାତ୍ର ଏପରି 'ନକଲି ଲେଖା' କୌଣସି ପତ୍ରିକାରେ ଦିଅ ନାହିଁ।"

  ବାପାଙ୍କ କଥାରେ ପ୍ରଭାବିତ ହୋଇ ସେହି ବର୍ଷ ମୁଁ ପତ୍ରିକା ପାଇଁ କୌଣସି ଲେଖା ଦେଲି ନାହିଁ । ଏବଂ ନିଜେ କିଛି ଲେଖିବାକୁ ଚେଷ୍ଟା କଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational