ଅଭି ଓ ପ୍ରିୟା
ଅଭି ଓ ପ୍ରିୟା
ସେଦିନ କ୍ଲାସ ସରି ଯାଇଥିଲେ ମଧ୍ୟ ବର୍ଷା ହେଉଥିବାରୁ କେହି ହଷ୍ଟେଲ ଯାଇ ପାରିନଥିଲେ। କିଏ କ୍ଲାସରେ ବସି ବର୍ଷାର ଆନନ୍ଦ ଅନୁଭବ କରୁଥିଲେ ତ କିଏ ନିଜକୁ ଭିଜାଇ ଦେଇଥିଲେ ଆଦ୍ୟ ଆଷାଢ଼ର ସ୍ପର୍ଶରେ। ସମସ୍ତେ ବାରଣ୍ଡାରେ ରହି ଅପେକ୍ଷା କରିଥିବା ବେଳେ ପ୍ରିୟା ନିଜକୁ ବେଶି ସମୟ ଅଟକାଇ ପାରି ନଥିଲା। ବ୍ୟାଗ୍ ଟିକୁ ସୀମା ହାତରେ ଧରାଇ ଦେଇ ସେ ଦଉଡ଼ି ଯାଇଥିଲା ବଗିଚାକୁ ବର୍ଷାରେ ଭିଜିବା ପାଇଁ।
ଏପଟେ ସବୁବେଳେ ଚୁପଚାପ୍ ରହୁଥିବା ଅଭି ନିଜ ବହି ପଢ଼ା ଶେଷ କରି ବାହାରକୁ ଆସିଲେ। ଏବେବି କମି ନଥାଏ ବର୍ଷାର ପ୍ରକୋପ। କ୍ଳାନ୍ତି ରେ କାନ୍ଥକୁ ଆଉଜି ଯାଇ ଦୀର୍ଘଶ୍ୱାସ ଟିଏ ଛାଡିଲେ। ଚାରି ଆଡେ଼ ଆଖି ବୁଲାଇ ଆଣୁ ଆଣୁ ହଠାତ୍ ତାଙ୍କ ଆଖି ପ୍ରିୟା ଉପରେ ପଡ଼ିଗଲା। ପ୍ରିୟାର କଥାକୁହା ଆଖି, ଢଳଢଳ ଓଠ, ସୁନ୍ଦର ଚେହେରା ଓ ତା'ର କମନୀୟ ରୂପ କାହାକୁ ଘଡ଼ିଏ ଅଟକାଇ ଦେଇ ପାରେ। ହେଲେ ଏ ସବୁ ଅଭିଙ୍କୁ ଆକର୍ଷିତ କରିପାରି ନଥିଲା। ସହରର ବିଶିଷ୍ଟ ଶିଳ୍ପପତି ଅଶୋକ ମିଶ୍ରଙ୍କ ଏକମାତ୍ର ପୁତ୍ର ହେଉଛନ୍ତି ଅଭିଜିତ। ପିତାମାତାଙ୍କର ଆଦରର ଅଭି। ପିଲାଦିନରୁ ଗମ୍ଭୀର ସ୍ୱଭାବର ଅଭି ଆଜି ଯୁବକ ଅବସ୍ଥାରେ ଉପନୀତ ହେଲେ ମଧ୍ୟ କେହି କେବେ ତାଙ୍କ ହସ ଦେଖିନାହାନ୍ତି। ଅନେକ ସହପାଠୀଙ୍କ ଗହଣରେ ଥିଲେ ମଧ୍ୟ ତାଙ୍କ ବନ୍ଧୁତ୍ୱର ପରିସୀମା ଥିଲା ଅତ୍ୟନ୍ତ କ୍ଷୁଦ୍ର। ଆଉ ରହିଲା ପ୍ରେମ। ସେ କେବେବି ପ୍ରେମ ସପକ୍ଷରେ ନଥିଲେ। ସେ ଭାବୁଥିଲେ ପ୍ରେମ କେବେ କାହାର ଖୁସିର କାରଣ ହୋଇପାରେନା। ପ୍ରେମର ପରିଣତି ସବୁବେଳେ କଷ୍ଟ ଦାୟକ। ପୁଣି ଏଇ କଷ୍ଟ କେବଳ ପ୍ରେମ କରୁଥିବା ପୁଅଝିଅ ନୁହେଁ ସେମାନଙ୍କ ପରିବାର ଲୋକମାନେ ମଧ୍ୟ ଭୋଗନ୍ତି। ପ୍ରେମ ଏକ ସାମୟିକ ଦୁର୍ବଳତା ଯାହାର ଶେଷ କେବଳ ବିରହ ଓ ଯନ୍ତ୍ରଣା। ହେଲେ ଏ ସବୁ ମନୋଭାବ ତାଙ୍କ ଅନୁଭୂତି ନଥିଲା ଅନୁମାନ ଥିଲା ଏବଂ ଆଉ କିଛି ପୁସ୍ତକ ଲବ୍ଧ ଜ୍ଞାନ।
ପ୍ରେମ ପ୍ରତି ସମ୍ପୂର୍ଣ୍ଣ ଉଦାସୀନ ଥିବା ଅଭି ଯେ କେବେ ପ୍ରେମରେ ପଡିବେ ସେ କଥା ସମସ୍ତଙ୍କ ଅନୁମାନ ବାହାରେ ଥିଲା। ଅଭି କ୍ଲାସରେ ପ୍ରଥମ ହେଉଥିଲେ ମଧ୍ୟ ଜୀବ ବିଜ୍ଞାନରେ ପ୍ରିୟା ଠାରୁ ଅଧିକ ମାର୍କ ରଖି ପାରୁ ନ ଥିଲେ।
ଧିରେ ଧିରେ ବର୍ଷା ଛାଡ଼ିବା ପରେ ସମସ୍ତେ ହଷ୍ଟେଲ ଫେରିବା ଆରମ୍ଭ କରି ଦେଇ ଥିଲେ। ଏ ଭିତରେ ସୀମା ବି ହଷ୍ଟେଲ ଫେରି ଯାଇଥିଲା।
ଅଭି ସେମିତି କାନ୍ଥକୁ ଆଉଜି ଛିଡ଼ା ହୋଇ ରହିଥିଲେ ଆଉ ପ୍ରିୟା ବର୍ଷାରେ ଭିଜୁଥିଲା।
ବର୍ଷା ସମ୍ପୂର୍ଣ୍ଣ ଛାଡ଼ି ଯିବା ପରେ ପ୍ରିୟା , ସୀମା କୁ ନ ପାଇ ବ୍ୟସ୍ତ ହୋଇ ପଡିଥିଲା । ସେ କ୍ଲାସ ପାଖରେ ଅଭି ଛିଡ଼ା ହୋଇ ଥିବାର ଦେଖିଲା। ପାଖକୁ ଯାଇ ଅଭିର କାନ୍ଧରେ ହାତ ରଖି "ଅଭି" ବୋଲି ଡାକିଲା।
ଆଖି ଆଗରେ ହଠାତ୍ ପ୍ରିୟାକୁ ପାଇ ତାଙ୍କ ଶରୀରେ ଏକ ଅଦ୍ଭୁତ ଶିହରଣ ଖେଳିଗଲା।
ଅଭି କିଛି କହିବା ପୂର୍ବରୁ ପ୍ରିୟା କହିଲା," କ'ଣ ମୋ ଉପରେ ଏତେ ରାଗ ଯେ ମୋ ସହ କଥା ହେବନି"
- ନାହିଁ ସେମିତି କିଛି ନୁହେଁ।
- ତାହାଲେ.....
- ମୋତେ ଆଶ୍ଚର୍ଯ୍ୟ ଲାଗେ ଯେ ତମେ ବାୟୋଲୋଜି ରେ ଏତେ ଭଲ କେମିତି କରି ପାର !!
- ସେମିତି...
- ଆଛ୍ଛା , ମୋତେ ସାହାଯ୍ୟ କରି ପାରିବ
- ହଁ ନିଶ୍ଚୟ
ଏଥର ସେମାନେ ଧିରେ ଧିରେ କଥା ହୋଇ ହୋଇ ହଷ୍ଟେଲ ପାଖରେ ପହଞ୍ଚି ଯାଇଥିଲେ। ପରସ୍ପରକୁ ବିଦାୟ ଦେଇ ନିଜ ନିଜ ରୁମକୁ ଚାଲିଗଲେ।
ସମୟକ୍ରମେ ସେମାନଙ୍କ ମିଳାମିଶା ବଢିଲା। ଦୁହିଁଙ୍କ ମନରେ ଦୁହିଁଙ୍କ ପ୍ରତି ଦୁର୍ବଳତା ବଢ଼ିଚାଲିଥିଲା। ପ୍ରିୟା ଏହାକୁ ପ୍ରେମ ବୋଲି ଭାବି ନେଇଥିବା ବେଳେ ଅଭି ଏହାକୁ କେବଳ ବନ୍ଧୁତା ବୋଲି ମାନୁଥିଲା।
ଦିନେ ପ୍ରିୟା ନିଜ ମନ କଥା ଅଭିକୁ କହିବାରୁ ଚିରାଚରିତ ଢଙ୍ଗରେ ଅଭି ଏହାକୁ ଏଡାଇ ଯାଇଥିଲା। କିଛି ସମୟର ଯୁକ୍ତିତର୍କ ପରେ ପ୍ରିୟା ସେ ସ୍ଥାନ ଛାଡି ଚାଲିଗଲା, କହିଗଲା," ଆଜି ସିନା ତମେ ବୁଝୁନ , ସମୟ ଆସିବ ତୁମେ ବୁଝିପାରିବ ପ୍ରେମର ମହତ୍ତ୍ୱ ସେ ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିଥିବି।"
ଅଭି ମଧ୍ୟ ରାଗିଯାଇ ସେଠାରୁ ପଳାଇ ଆସିଲେ । କିନ୍ତୁ ସେ ଆଉ କ୍ଲାସ ଆସୁ ନଥିଲେ। ବାସ୍ ଏଇ କିଛି ଦିନର ବିରହ ପ୍ରିୟାଙ୍କ ପ୍ରତି ତାଙ୍କ ପ୍ରେମକୁ ଆବିଷ୍କାର କରି ପାରିଥିଲେ।
କିଛି ଦିନ ପରେ କ୍ଲାସ ସରିବା ପରେ କଲେଜ ଗେଟ୍ ପାଖରେ ଅପେକ୍ଷା କରିଥିଲେ ପ୍ରିୟାକୁ । ପ୍ରିୟା ମଧ୍ୟ ଅଭିଙ୍କ ଆଖିରେ ଦେଖି ପାରିଥିଲେ ପ୍ରେମର ଝଲକ। ପ୍ରିୟା ଦଉଡ଼ି ଯାଇ କୁଣ୍ଢାଇ ପକାଇଲେ ଅଭିଙ୍କୁ। ସବୁ ସାଙ୍ଗମାନେ ଅଭିଙ୍କ ପରିବର୍ତ୍ତନକୁ ବିଶ୍ବାସ କରି ପାରୁ ନ ଥିଲେ। ଆରମ୍ଭ ହୋଇଯାଇଥିଲା ବର୍ଷା , ସମସ୍ତେ ବର୍ଷାରେ ଭିଜୁଥିବା ବେଳେ ଦୁଇଟି ପ୍ରାଣ ଭିଜୁଥିଲେ ପ୍ରୀତିର ସ୍ପର୍ଶରେ