ସମୁଦ୍ର ଓ ବେଳାଭୂମି
ସମୁଦ୍ର ଓ ବେଳାଭୂମି
ପୂର୍ଣ୍ଣିମାର ରାତି, ଆକାଶରେ ଘନ ବାଦଲ ଏବଂ ଚନ୍ଦ୍ରଙ୍କର ଲୁଚକାଳି ଖେଳ। ଆଉ ତଳେ ସୁଦୀର୍ଘ ବେଳାଭୂମି ଏବଂ ବିସ୍ତୃତ ସମୁଦ୍ର। ଜନମାନସର କୋଳାହଳ ନଥିଲେ ମଧ୍ୟ ସମୁଦ୍ରର ଗର୍ଜନ ରାତ୍ରିର ନିରବତାରେ ବାଧା ସୃଷ୍ଟି କରୁଥାଏ।
ଏହି ସମୟରେ ସମୁଦ୍ର ଓ ବେଳାଭୂମି ମଧ୍ୟରେ କଥୋପକଥନ.....
ବେଳାଭୂମି: ସତରେ ତମେ କେତେ ବିସ୍ତୃତ, କେତେ ବିଶାଳ । ତୁମ ପାଖରେ ରହିଛି ନିମିଷକ ମଧ୍ୟରେ ସୃଷ୍ଟିକୁ ଧ୍ୱଂସ କରିଦେବାର କ୍ଷମତା। ତୁମ ଆଗରେ ମୋର କ'ଣ ବା ଅସ୍ତିତ୍ଵ ?
ସମୁଦ୍ର: ହଁ, ମୁଁ ହେଇଥାଇପାରେ ବିଶାଳ, ହେଲେ ଭଗବାନଙ୍କ ଦ୍ଵାରା ତିଆରି ଏହି ସୃଷ୍ଟିରେ କେହି ବଡ଼ କି କେହି ଛୋଟ ନୁହଁନ୍ତି। ସେମିତି ତୋ ଆଗରେ ବି ମୋର ସବୁ କ୍ଷମତା ନିଷ୍ଫଳ । ତୋର ସେଇ ଶୁଷ୍କ ଦେହ ମୋତେ ତୋ ପାଖରେ ରଖାଇ ଦିଏ ନାହିଁ । ସେଥିପାଇଁ ତ ମୋର ସବୁ ଉଗ୍ର ଲହଡ଼ି ନିରବରେ ଫେରିଯିବା ପାଇଁ ବାଧ୍ୟ ହୁଏ ତୋ ଶରୀରର ଶୁଷ୍କତାକୁ ସହି ନ ପାରି ।
ବେଳାଭୂମି: କିନ୍ତୁ ତୁମେ ତ ନଥିଲେ ମୋତେ କେହି ବେଳାଭୂମି କହି ନଥାନ୍ତେ, କହିଥାନ୍ତେ ମରୁଭୂମି । ଆଜି ଯେଉଁମାନେ ଏଠି ଆନନ୍ଦ ନେଉଛନ୍ତି, ସେମାନେ ମୋ ନାଁ ମଧ୍ୟ ତୁଣ୍ଡରେ ନେବାକୁ ଚାହିଁ ନଥାନ୍ତେ ।
ସମୁଦ୍ର: ଜାଣିଛୁ, ଭଗବାନଙ୍କ ସୃଷ୍ଟିରେ ସମସ୍ତେ ସମାନ, ସମସ୍ତେ ପରସ୍ପର ଉପରେ ନିର୍ଭରଶୀଳ । ଜଣଙ୍କ ବିନା ଆଉ ଜଣଙ୍କର ଅସ୍ତିତ୍ଵ ସମ୍ଭବ ନୁହେଁ । ଯିଏ ଏ କଥାଟିକୁ ଅଗ୍ରାହ୍ୟ କରେ ସେ ଏହାର ପ୍ରକୃତ ଉଦ୍ଦେଶ୍ୟ ହୃଦୟଙ୍ଗମ କରି ପାରେ ନାହିଁ।
ବିଶ୍ଵର ସବୁକିଛି ଭଗବାନଙ୍କ ଠାରୁ ସୃଷ୍ଟି ଏବଂ ସବୁଠାରେ ସେ ସୂକ୍ଷ୍ମ ରୂପରେ ବିଦ୍ୟମାନ । କେବଳ ଅନୁଭବ କରିପାରିଲେ ସେ ସବୁଠାରେ ପ୍ରତୀତ ହୁଅନ୍ତି.........
କଥା ମଝିରୁ କହି ଉଠିଲା ବେଳାଭୂମି..
: ବାସ୍ ଏତିକି ଅନୁଭବ କରିପାରିଲେ ପୂର୍ଣ୍ଣିମା ଏବଂ ଅମାବାସ୍ୟା ଭିତରେ କିଛି ଫରକ୍ ରହେନା, ଆଉ ନ କରି ପାରିଲେ ଶତ ବସନ୍ତର ତୃପ୍ତି ବି ଶେଷରେ କେବଳ ତୃଷ୍ଣା ହିଁ ଦେଇ ଯାଏ ।
ଧିରେ ଧିରେ ନିରବ ହୋଇଯାଉଥିଲା ସେମାନଙ୍କ ସ୍ୱର,ଏଥର ଶୁଭୁଥିଲା ସମୁଦ୍ରର ଗର୍ଜନ ଆଉ ଦୂରରୁ ପକ୍ଷୀମାନଙ୍କର କଳରବ ଦେଉଥିଲା ନୂଆ ସକାଳର ସୂଚନା । ଦୂର ଦିଗବଳୟରେ ସୂର୍ଯ୍ୟ ମଧ୍ୟ ନିଜ ରକ୍ତିମ ଆଭା ବିସ୍ତାରିବା ଆରମ୍ଭ କରି ଦେଇ ଥିଲେ ।