କାନଫୋଡ଼ାର କାହାଣୀ
କାନଫୋଡ଼ାର କାହାଣୀ
ସେଦିନ ରାତିରେ ଖାଇ ସାରିବା ପରେ ବାପା କହିଲେ, "ବାବୁନି କାଲି ଶୀଘ୍ର ଉଠିବୁ। ବୋଉ ଗାଧୋଇ ଦେବା ପରେ ତୋ ପାଇଁ ଆସିଥିବା ଧଳା ବସ୍ତ୍ର ପିନ୍ଧିବୁ ।" ପିଲାଦିନୁ ଦେଖି ଆସିଛି ସବୁ ସଂକ୍ରାନ୍ତିରେ ଆମ ଘରେ ହୋମ ହୁଏ। ଆଉ ବାପା ଧଳା ନହେଲେ ହଳଦିଆ ବସ୍ତ୍ର ପିନ୍ଧି ପୂଜାରେ ବସନ୍ତି। ମୁଁ ଭାବିଲି କାଲି ବି ହୋମ ହେବ ଆଉ ବାପା ନିଜେ ନ ବସି ମୋତେ ପୂଜାରେ ବସେଇବେ। ବାପାଙ୍କୁ ହଁ କହି ଦେଇ ସିଧା ଚାଲିଲି ଜେଜେମା' ପାଖକୁ । ପର୍ବପର୍ବାଣୀ,ଯାନି ଯାତ୍ରା ସମ୍ବନ୍ଧରେ ତା'ର ପ୍ରଚୁର ଜ୍ଞାନ। ସେ ତା ଖଟରେ ବସି କିଛି ଗୋଟେ ଭାବୁଥିଲା ବୋଧହୁଏ। ତା କୋଳରେ ମୁଣ୍ଡ ଥୋଇ ତା' ମୁହଁକୁ ଚାହିଁ ରହିଲି। ସେ ମିଛ ରାଗ ଦେଖେଇ କହିଲା, "ଟୋକା ଖଣ୍ଡକ ଠିକ୍ ତା ବାପ ପରି ହେଲାଣି କାହା କଥା ଶୁଣୁନି ମନ ଇଚ୍ଛା ଚଗଲାମି କରୁଛି ! "
ମୁଁ ବି ବୁଝେଇବାକୁ ଯାଇ କହିଲି, "ମୁଁ କେତେ ବେଳେ ତୋ କଥା ମାନିନି କହିଲୁ, ମୁଁ ତ ତୋର ସବୁ କଥା ମାନେ।"
ଏଥର ମା' ହସି ହସି ପଚାରିଲା, "ଆଜି କି ଗପ ଶୁଣିବୁ?" ମୁଁ କହିଲି, "ଆଜି ଗପ ଶୁଣିବାକୁ ଇଚ୍ଛା ନାହିଁ ମୋତେ ତୁ ଆଜି ଗୋଟେ ସତ କଥା କହ । " ମା' ପଚାରିଲା,"କ'ଣ କହିବି କହ ?" ମୁଁ କହି ଚାଲିଲି, " ବାପା ଆଉ ଦାଦା ଅଫିସରୁ ଫେରିବା ବେଳେ ଅନେକ ପ୍ରକାରର ପୂଜା ଜିନିଷ ଧରି ଆସିଥିଲେ। ବୋଉ,ଅପା, ମାମୁଁ ସମସ୍ତେ ବିକାଶ ଅଙ୍କଲଙ୍କ ଗହଣା ଦୋକାନକୁ ଯାଇଥିଲେ। କାଲି ଗୋଟିଏ ବଡ଼ ସଂକ୍ରାନ୍ତି ଅଛି ବୋଧହୁଏ ? " ମା' ମୋ କଥା ଶୁଣି ହସିଲା ଆଉ କହିଲା କାଲି ତ କିଛି ସଂକ୍ରାନ୍ତି ନୁହେଁ। ମୁଁ ଏଥର ତା' କୋଳରୁ ଉଠି ଯାଇ ସିଧା ହୋଇ ବସିଲି ଆଉ ପଚାରିଲି, "ତାହାଲେ ସମସ୍ତେ କାଲି ପାଇଁ ଏତେ ବ୍ୟସ୍ତ କାହିଁକି ? "
ମା' ଏଥିର ହସି ହସି କହିଲା, "କାଲି ତୋ ପାଇଁ ପୂଜା ଅଛି, ତୋର କାନଫୋଡ଼ା ହେବ, ସଂସ୍କୃତରେ କହିଲେ କର୍ଣ୍ଣ ଛେଦନ।"
"ମା' କାନ ଫୋଡ଼ା ହେବା କ'ଣ ନିହାତି ଦରକାର?" ଟିକେ ଧୀର ସ୍ୱରରେ ପଚାରିଲି।
ମୋତେ ବୁଝାଇବାକୁ ଯାଇ ମା' କହିଲା, "ହଁ, ଆମେ ହେଲେ ସୂର୍ଯ୍ୟବଂଶୀ। ସକଳ ଶକ୍ତିର ଆଧାର ସୂର୍ଯ୍ୟନାରାୟଣ ଆମର ପରମ ଉପାସ୍ୟ। ସୂର୍ଯ୍ୟ ହେଉଛନ୍ତି ମହାବୀର କର୍ଣ୍ଣଙ୍କ ପିତା ତଥା ମହାବଳୀ ହନୁମାନଙ୍କ ଗୁରୁ। ସେ ସ୍ଵୟଂ ନାରାୟଣଙ୍କ ଅଂଶ। କେତେକ ତାଙ୍କୁ ଭଗବାନ ବିଷ୍ଣୁଙ୍କ ଡାହାଣ ଚକ୍ଷୁ ବୋଲି କୁହନ୍ତି। ବାବୁନି ଜାଣିଛୁ କର୍ଣ୍ଣ ଜନ୍ମ ହେବାବେଳେ ମଧ୍ୟ ତାଙ୍କ ଶରୀରରେ କବଚ ଏବଂ କାନରେ କୁଣ୍ଡଳ ଥିଲା। ବାରବର୍ଷ ହେଲେ ଶିଶୁମାନଙ୍କର କର୍ଣ୍ଣ ଛେଦନର ପରମ୍ପରା ଅତି ପ୍ରାଚୀନ। ଏବେ ସିନା ତମେ ମାନେ ପାଞ୍ଚ ଛଅ ବର୍ଷ ବୟସରୁ ପାଠ ପଢା ଆରମ୍ଭ କରୁଛ ହେଲେ ପୂର୍ବରୁ ସେମିତି ହେଉନଥିଲା।
ପିଲାମାନଙ୍କୁ ବାର ବର୍ଷ ହେଲେ ସେମାନଙ୍କୁ ଗୁରୁଙ୍କ ଆଶ୍ରମରେ ଛାଡି ଦିଆଯାଉଥିଲା ଶିକ୍ଷା ଗ୍ରହଣ ନିମନ୍ତେ। ଘର ଠାରୁ ଦୂରରେ ରହି ସେମାନେ ଗୁରୁଙ୍କ ତତ୍ତ୍ଵାବଧାନରେ ଶିକ୍ଷା ଗ୍ରହଣ କରୁଥିଲେ। ତେବେ ଗୁରୁଙ୍କ ଆଶ୍ରମକୁ ଯିବା ପୂର୍ବରୁ ଶିଶୁମାନଙ୍କର କର୍ଣ୍ଣ ଛେଦନ କରାଯାଉଥିଲା। ଏହା ଦ୍ୱାରା ମସ୍ତିଷ୍କର କ୍ଷମତା ବୃଦ୍ଧି ପାଏ ଏବଂ ଏକାଗ୍ରତା ବଢ଼େ। ଏବଂ ପିଲାଟିଏ ବିଦ୍ୟା ଗ୍ରହଣ ପାଇଁ ପ୍ରସ୍ତୁତ ହୋଇଥାଏ। ବୁଝିଲୁ !! "
ସବୁ କିଛି ବୁଝିଯିବା ପରି ମୁଁ ହଁ କହି ଦେଇ ପୁଣି ମୋ ମଥାଟିକୁ ମାଆ କୋଳରେ ରଖିଦେଲି। ଏଥର ଅପେକ୍ଷା ଥିଲା ଆସନ୍ତା କାଲିର ସୂର୍ଯ୍ୟୋଦୟକୁ.....।
