Biswajit Sahoo

Tragedy Inspirational

4.0  

Biswajit Sahoo

Tragedy Inspirational

ସାନପୁଅ ଶଙ୍କର

ସାନପୁଅ ଶଙ୍କର

5 mins
209



                       


ପଦ୍ମନାଭ ବାବୁ ଏବଂ ପୂର୍ଣ୍ଣିମା ଦେବୀଙ୍କର ଚାରୋଟି ସନ୍ତାନ। ଦୁଇ ପୁଅ ଏବଂ ଦୁଇ ଝିଅ। ପଦ୍ମନାଭ ନିଜ ଆଳସ୍ୟ ଏବଂ ଅବହେଳା ଯୋଗୁଁ ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ଅନେକ ସଂପତ୍ତି ହରାଇ ବସିଥିଲେ। ବଳକା ଥିବା କିଛି ଜମି ବିକ୍ରୟ କରି ଦୁଇ ଝିଅ ପାର୍ବତୀ ଓ ସରସ୍ଵତୀଙ୍କର ବିବାହ ସମ୍ପନ୍ନ କଲେ। ସେତେବେଳକୁ ବଡ଼ପୁଅ ଶିବ ଦ୍ବାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ସାନପୁଅ ଶଙ୍କର ଦଶମ ଶ୍ରେଣୀରେ ପଢୁଥିଲେ। ଧିରେ ଧିରେ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ପଡ଼ଲା।


ବୟସର ଅପରାହ୍ନରେ ଉପନୀତ ପଦ୍ମନାଭ, ଦୁଇ ପୁଅଙ୍କୁ ଆଗକୁ ପଢ଼ାଇବାକୁ ଅକ୍ଷମ ଥିଲେ। ତେଣୁ ଏ ବିଷୟରେ ସେ ପିଲା ମାନଙ୍କୁ ଜଣାଇଲେ ଏବଂ ନିଜ ପାଇଁ ନିଜେ କିଛି ଜୀବିକା ଖୋଜିବାକୁ କହିଲେ। ପରିବାରର ସ୍ଥିତି ବୁଝିପାରି ତା'କୁ ସୁଧାରିବା ପାଇଁ ଚେଷ୍ଟା କରିବାକୁ ନିର୍ଣ୍ଣୟ ନେଇଥିଲେ ଶଙ୍କର। ହେଲେ ଭାଇ ଶିବ ଥିଲେ ସମ୍ପୂର୍ଣ୍ଣ ଭିନ୍ନ ସ୍ବଭାବର। ସେ ପରିବାର ପ୍ରତି ସମର୍ପିତ ନଥିଲେ ତଥା ନିଜ ଭାଇଭଉଣୀଙ୍କୁ, ବିଶେଷ କରି ଶଙ୍କରଙ୍କୁ ହଇରାଣ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରୁନଥିଲେ। 


କିଛି ଦିନ ପରେ ଦୁଇ ଭାଇ ମିଶି କଟକ ଚାଲିଗଲେ କିଛି କାମର ସନ୍ଧାନରେ। ଶିବ ଅତି ସହଜରେ ଏକ ହୋଟେଲରେ ସିକ୍ବିରିଟି ଗାର୍ଡ ଚାକିରୀ ଟିଏ ପାଇଗଲେ ଏବଂ ଏ ପର୍ଯ୍ୟନ୍ତ କୌଣସି କାମ ପାଇନଥିବା ଶଙ୍କରଙ୍କ ପାଇଁ ମଧ୍ୟ ଏକ ଚାକିରି ଖୋଜିଦେଇଥିଲେ, ବିଡାନାସୀର ଅସ୍ୱାସ୍ଥ୍ୟକର ପରିବେଶରେ ଥିବା ଏକ ଗ୍ୟାରେଜରେ। ସର୍ତ୍ତ ଥିଲା, ଦିନରେ ଗାଡ଼ି ମରାମତି କରିବା ସହ ଶଙ୍କର ରାତିରେ ସେଠାରେ ରହି ଯନ୍ତ୍ରପାତି ଏବଂ ଅଧା ମରାମତି ହୋଇଥିବା ଗାଡ଼ି ଗୁଡ଼ିକର ଯତ୍ନ ନେବେ। ପ୍ରତିବଦଳରେ ମିଳିବ ଦୁଇ ଓଳି ଖାଦ୍ୟ। ପିତୃ ତୁଲ୍ୟ ବଡ଼ ଭାଇ ବୁଝି ଦେଇଥିବା ଏହି ବୃତ୍ତିକୁ ଆଦରି ନେଇଥିଲେ ସେ, କିନ୍ତୁ ବିନା ପାରିଶ୍ରମିକରେ କେବଳ ଖାଦ୍ୟ ପାଇଁ ଏତେ ସମୟ ପରିଶ୍ରମ ତାଙ୍କୁ ଅତିଷ୍ଠ କରି ଦେଇଥିଲା। ତେଣୁ ସେ ଭାଇଙ୍କୁ ଜଣାଇ ଗାଁକୁ ଫେରିଗଲେ। 


ଘରେ ପହଞ୍ଚିବା ପରେ, ତାଙ୍କ ପରିସ୍ଥିତି ବୁଝି ସାନ୍ତ୍ଵନା ଦେବା ପରିବର୍ତ୍ତେ ଅଯୋଗ୍ୟ, କୁଳାଙ୍ଗାରର ଆଖ୍ୟା ଦେଇ ଘରୁ ବାହାର କରିଦେଲେ ବାପା। ଉଭୟ ଶାରିରୀକ ଓ ମାନସିକ ଭାବେ ଦୁର୍ବଳ ହୋଇପଡ଼ିଥିବା ଶଙ୍କର ସବୁ କଥା ନିଜ ସାଙ୍ଗ ମାନଙ୍କୁ ଜଣାଇଲେ। ସେମାନଙ୍କ ମଧ୍ୟରୁ କିଛି ସୁରଟ୍ ରେ ନୂଆ କରି ତିଆରି ହୋଇଥିବା ଏକ ସୂତା କାରଖାନାରେ କାମ କରିବାକୁ ଯାଉଥିଲେ। ଶଙ୍କର ସେମାନଙ୍କ ସହ ସେଠାକୁ ଚାଲିଗଲେ। 


ସେଠାରେ ପରିଶ୍ରମ କରି ସେ ନିୟମିତ ଘରକୁ ଟଙ୍କା ପଠାଉଥିଲେ। ସେ ସେଠାରେ ଥିବା ସମୟରେ ଏପଟେ ଶିବଙ୍କ ବିବାହ ସମ୍ପନ୍ନ ହୋଇସାରିଥିଲା ଅନିମାଙ୍କ ସହ। ପରିବାରର ଖୁସି ପାଇଁ ନିଜ ଜୀବନକୁ ଖାତିର୍ କରୁନଥିବା ସାନଭାଇକୁ , ବଡ଼ ଭାଇ ବାହାଘରର ସୂଚନା ଦେବା ପାଇଁ ବି କେହି ଆବଶ୍ୟକ ମନେ କରିନଥିଲେ।


ଦୀର୍ଘ ପାଞ୍ଚ ବର୍ଷ ପରେ ଶଙ୍କର ଘରକୁ ଫେରି ଯାହା ଦେଖିଲେ , ସେ ନିଜକୁ ବିଶ୍ଵାସ କରିପାରିଲେ ନାହିଁ। ଭାଇଙ୍କ ବିବାହ ହୋଇ ସାରିଛି ଏପରିକି ସେମାନଙ୍କ କୋଳକୁ ଦୁଇ ସନ୍ତାନ ମଧ୍ୟ ଆସି ସାରିଛନ୍ତି। ତେବେ ଏଥି ପାଇଁଁ ସେ କାହାକୁ ଦୋଷ ଦେଇନଥିଲେ।


ଭାଇଙ୍କ ପରିବର୍ତ୍ତେ ଏଥର ନୂଆ ଭାଉଜଙ୍କ ଷଡ଼ଯନ୍ତ୍ରର ଶିକାର ହେଲେ ଶଙ୍କର। ଭାଇ ଭାଉଜଙ୍କ ଆଖିରେ ଥିଲା ସେ ଜମା ରଖିଥିବା ଏବଂ କମ୍ପାନୀ ତରଫରୁ ବୋନସ୍ ପାଇଥିବା କିଛି ଟଙ୍କା। ଛୁଟି ସାରି ପୁଣି କର୍ମକ୍ଷେତ୍ରକୁ ଫେରିବା ପାଇଁ ପ୍ରସ୍ତୁତ ହେଉଥିବା ଶଙ୍କରଙ୍କୁ ନ ଯିବାକୁ ପରାମର୍ଶ ଦେଲେ ଭାଇ। କହିଲେ,"ପାଖରେ ଥିବା ଟଙ୍କାରେ ଅଟୋ ଟିଏ କିଣି ଦେଲେ ଏଇଠି ରହି ରୋଜଗାର କରି ହେବ, ଘରଠାରୁ ଦୂରରେ ମଧ୍ୟ ରହିବାକୁ ପଡିବ ନାହିଁ।" ଭାଇ ଭାଉଜଙ୍କ ଏହି ଷଡ଼ଯନ୍ତ୍ରକୁ ବୁଝିନପାରି ହସି ହସି ରାଜି ହୋଇଯାଇଥିଲେ ସେ । ଅଟୋ ଟିଏ କିଣା ହେଲା ତାଙ୍କ କଷ୍ଟ ଅର୍ଜିତ ଟଙ୍କାରେ, କିନ୍ତୁ ଭାଉଜଙ୍କ ପ୍ରରୋଚନାରେ ସମସ୍ତ କାଗଜପତ୍ର ହେଲା ବଡ଼ଭାଇଙ୍କ ନାମରେ।


କଟକରେ ଶିବ ନିଜ ମାଲିକଙ୍କ ତରଫରୁ ମିଳିଥିବା ଘରେ ରହୁଥିଲେ। ଶଙ୍କର ଭାଇଙ୍କ ପାଖରେ ରହି ଅଟୋ ଚଳାଉଥିଲେ। ନିଜର ସରଳତା ଏବଂ ମାର୍ଜିତ ବ୍ୟବହାର ଯୋଗୁଁ ଅତି କମ୍ ସମୟରେ ସେ ହୋଟେଲର ଅନ୍ୟ କର୍ମଚାରୀ ଓ ମାଲିକ ଛବି ଭାଇଙ୍କ ସହ ସୁସମ୍ପର୍କ ସ୍ଥାପନ କରିପାରିଥିଲେ। ଛବି ଭାଇ‌ ଶଙ୍କରଙ୍କ ବିଷୟରେ ସବୁ କିଛି ଜାଣିନଥିଲେ ମଧ୍ୟ, ତାଙ୍କ ପ୍ରତି ହୋଇଥିବା ଅନ୍ୟାୟର କିଛି ଆଭାସ ପାଇଥିଲେ।


ବଡ଼ ତିନି ପୁଅଝିଅଙ୍କ ବିବାହ ଅତି ତତ୍ପରତାର ସହ କରିଥିବା ପଦ୍ମନାଭ ବାବୁ ଶଙ୍କରଙ୍କ ପ୍ରତି ସମ୍ପୂର୍ଣ୍ଣ ଉଦାସୀନ ଥିଲେ। ଏହାର କାରଣ ନିଜର ଅକ୍ଷମତା ଥିଲା କିମ୍ବା ବଡ଼ ପୁଅ ବୋହୁଙ୍କ ଅଧିନତା ସେକଥା କେବଳ ସେ ହିଁ ଜାଣିଥିବେ। ସେହି ସମୟରେ ତାଙ୍କ ଶାଳକ ଏକ ବିବାହ ପ୍ରସ୍ତାବ ଆଣି ଆସିଲେ। ସେ ପ୍ରଥମେ ଅରାଜି ହେବା ସତ୍ତ୍ୱେ ପରେ ରାଜି ହୋଇଥିଲେ। ନିକଟସ୍ଥ ଗ୍ରାମର‌ ସୁରଭିଙ୍କ ସହ ଶଙ୍କରଙ୍କ ବିବାହ ହେଲା। ଏହି ବିବାହରେ ଖୁସି ନଥିଲେ ଅନିମା। ଏଥର ତାଙ୍କ ଆକ୍ରୋଶରୁ ବର୍ତ୍ତି ନ ଥିଲେ ନୂଆ ବୋହୂ ସୁରଭି। ସ୍ନେହ, ଆଦର ଏବଂ ବୋହୂର ମର୍ଯ୍ୟାଦା ପରିବର୍ତ୍ତେ ତାଙ୍କୁ ମିଳୁଥିଲା ଚାକରାଣୀ,ଅଲକ୍ଷଣୀ ଆଦି ଆଖ୍ୟା। ସବୁ ଦେଖି ବି ଚୁପ୍ ରହୁଥିଲେ ଘରର ବୃଦ୍ଧ ଦମ୍ପତି।


ପତ୍ନୀଙ୍କ ପ୍ରତି ଏପରି ବ୍ୟବହାର ସହିପାରିନଥିଲେ ଶଙ୍କର। ସୁରଭିଙ୍କୁ ନେଇ କଟକରେ ଏକ ଭଡ଼ା ଘରେ ରହିବାକୁ ନିଷ୍ପତ୍ତି ନେଲେ। ଏହି କଥାରେ ଭାଉଜଙ୍କ ରାଗ ଆହୁରି ବଢ଼ିଗଲା। ଏହି ରାଗ ସୁଝାଇବାକୁ ଯାଇ ସେ ନିଜ ଝିଅକୁ ସେମାନଙ୍କ ସହ ରହିବାକୁ ପଠାଇଦେଲେ। ଚାରି ପାଞ୍ଚ ବର୍ଷର ଝିଅ ମଧ୍ୟ ନିଜ ବାପାମାଆଙ୍କ ଠାରୁ କମ୍ ନଥିଲା। ବିନା କାରଣରେ ନିଜ ଦାଦା ଖୁଡିଙ୍କୁ ବାରମ୍ବାର ହଇରାଣ କରୁଥିଲା। ଦୀପାବଳି ପାଇଁ ସମସ୍ତେ ଗାଁ କୁ ଫେରିଲେ। ବଡ଼ ଭାଇ ମଧ୍ୟ ଛୁଟି ନେଇ ଘରକୁ ଆସିଥିଲେ। ସବୁ ରୀତିନୀତି ସରିବାପରେ ଶଙ୍କର ଓ ସୁରଭି କଟକ ଯିବା ପାଇଁ ବାହାରିଲେ। ଏଥର କିନ୍ତୁ ସେମାନେ ଝିଆରିକୁ ସାଙ୍ଗରେ ନେବାକୁ ରାଜି ହେଲେ ନାହିଁ । ଏହା ଶୁଣି ଅନିମା ନିଜ ହିତାହିତ ଜ୍ଞାନ ହରାଇ ବସି ସୁରଭିଙ୍କୁ ଗାଳିଗୁଲଜ କଲେ। ଶଙ୍କର ଏହାର ପ୍ରତିବାଦ କରିବାରୁ ତାଙ୍କ ପ୍ରତି ହାତ ଉଠାଇବାକୁ ପଛାଇ ନଥିଲେ ଶିବ। ଅନିମା , ଅଟୋଟି ଉପରେ ନିଜ ଅଧିକାର ସାବ୍ୟସ୍ତ କରିବାକୁ ଯାଇ ନିଜ ସ୍ବାମୀଙ୍କ ଉଦ୍ଦେଶ୍ୟରେ କହିଲେ," ଶୁଣ ! ଗାଡ଼ି ତା'କୁ ଦିଅନି, ସେ ଆପେ ଆପେ ଆମ ପାଦ ତଳକୁ ଆସିବ,ଗୋଡ଼ ଧରି କ୍ଷମା ମାଗିବ।" 


ଏପରି ଅପମାନ ଜନକ ଶବ୍ଦ ଶୁଣି ସାରିବା ପରେ ମଧ୍ୟ ସେମିତି ନୀରବ ହୋଇ ଛିଡା ହୋଇ ର‌ହିଥାନ୍ତି ଶଙ୍କର। ସ୍ବାମୀଙ୍କ ଏପରି ଅବସ୍ଥା କ'ଣ କେବେ କେଉଁ ସ୍ତ୍ରୀ ସହି ପାରିଛି ନା ସହି ପାରିବ ? ସୁରଭି ନିଜର ସମସ୍ତ ଗହଣା ଖୋଲି ଦେଇ ଧରାଇ ଦେଲେ ସ୍ବାମୀଙ୍କ ହାତରେ। କହିଲେ, "ଯେଉଁଠି ଆଦର ନାହିଁ , ସ୍ନେହ ନାହିଁ, ସମ୍ମାନ ନାହିଁ ସେଇଠି ସମ୍ପର୍କର କିଛି ମାନେ ନାହିଁ।" ସବୁଥର ପରି ଏଥର ମଧ୍ୟ ପୂର୍ଣ୍ଣିମା ଛିଡ଼ା ହୋଇଥିଲେ ଗୋଟିଏ କୋଣରେ, ଛାତିର କୋହ ଯୋଗୁଁ କିଛି କହିପାରୁନଥିଲେ, ହେଲେ ଅମାନିଆ ଲୁହ ତାଙ୍କ ବୋଲ ମାନୁନଥିଲା। ସେ ଚାହିଁଲେ ମଧ୍ୟ ଅଟକାଇ ପାରୁନଥିଲେ ପରିବାର ଭିତରେ ଉଠି ଥିବା ଏଭଳି ଏକ ଝଡ଼କୁ। 


ଘର ଛାଡ଼ି ଚାଲି ଆସିଲେ, ଶଙ୍କର ଓ ସୁରଭି। ସୁରଭିଙ୍କ ଗହଣା ବଦଳରେ ପୁନର୍ବାର ଅଟୋ ଟିଏ କିଣିଲେ ଶଙ୍କର। କୋୖଣସି ସୂତ୍ରରୁ ଏସବୁ ବିଷୟରେ ଜାଣିପାରିଲେ ଛବି ଭାଇ। ସେହି ସମୟରେ ତାଙ୍କର ଜଣେ ବନ୍ଧୁଙ୍କ ମୃତ୍ୟୁ ଘଟିଲା। ତାଙ୍କର ବନ୍ଧୁ ପତ୍ନୀ ସ୍ମିତାଙ୍କୁ ଘର କାମ ପାଇଁ ଏକ ସହାୟିକା ଏବଂ ଜଣେ କାର୍ ଚାଳକଙ୍କ ଆବଶ୍ୟକତା ଥିଲା, କାରଣ ତାଙ୍କର ସନ୍ତାନ ମାନେ ଆମେରିକାରେ ରହୁଥିଲେ। ଛବି ଭାଇଙ୍କ ଅନୁରୋଧ କ୍ରମେ ସ୍ମିତା, ସୁରଭି ଓ ଶଙ୍କରଙ୍କୁ ନିଜ ପାଖରେ ରଖିବାକୁ ରାଜି ହେଲେ। 


ଏ ବିଷୟରେ ଖବର ପାଇବା ମାତ୍ରେ ଶିବ , ସ୍ମିତାଙ୍କ ଘରେ ପହଞ୍ଚି ସାନ ଭାଇ ବିରୁଦ୍ଧରେ ମିଛସତ କହିବାକୁ ଲାଗିଲେ ‌। ଶିବଙ୍କ କଥାବାର୍ତ୍ତାରୁ ଦୁଇ ଭାଇଙ୍କ ମଧ୍ୟରେ ଭଲ ସମ୍ପର୍କ ନାହିଁ ବୋଲି ସ୍ମିତା ଅନୁମାନ କରିପାରିଲେ। ଶଙ୍କରଙ୍କୁ ଏ ବିଷୟରେ ପଚାରିବାରୁ ସେ ସବୁ କଥା ତାଙ୍କ ଆଗରେ ପ୍ରକାଶ କଲେ। ସବୁ ଶୁଣି ସାରି ସେ ଶଙ୍କର ଓ ସୁରଭିଙ୍କୁ ନିଜ ଘରେ ରହିବାକୁ ଅନୁମତି ଦେଲେ। ସେଠାରେ କିଛି ଦିନ ରହିବା ପରେ ସୁରଭି ଗର୍ଭବତୀ ହେବାରୁ ଶଙ୍କର ତାଙ୍କୁ ନେଇ ଗାଁ ରେ ଛାଡି ଦେଇ ଆସିଲେ, ଯେପରି ଘରେ ମା' ତାଙ୍କ ଯତ୍ନ ନେଇ ପାରିବେ। ଏତେ ଦିନ ପରେ ମଧ୍ୟ ଅନିମାଙ୍କ କ୍ରୋଧ ଶାନ୍ତ ହୋଇନଥିଲା। ଠିକ୍ ସମୟରେ ସୁରଭି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ଶଙ୍କର ଆଶା କରିଥିଲେ ଘରେ ଆଉ କିଛି ଅସୁବିଧା ହେବ ନାହିଁ ମାତ୍ର ଅନିମାଙ୍କ ବିତୃଷ୍ଣା ଏବଂ ଅତ୍ୟାଚାର କମିବା ବଦଳରେ ବଢ଼ିଚାଲିଥିଲା। 


ଶେଷରେ ଶଙ୍କର , ପତ୍ନୀ ସୁରଭି ଏବଂ ନିଜ ନବଜାତ ପୁଅକୁ ସାଙ୍ଗରେ ନେଇ ସ୍ମିତାଙ୍କ କଟକ, ମହାନଦୀ ବିହାର ସ୍ଥିତ ବାସଭବନକୁ ଚାଲିଆସିଲେ। ଶଙ୍କର ନିଜ ଅଟୋ ଚଳାଇବା ସହ ସ୍ମିତାଙ୍କ ଗାଡ଼ି ଚଳାଇଲେ। ସୁରଭି ମଧ୍ୟ ସ୍ମିତାଙ୍କୁ ଘର କାମରେ ସାହାଯ୍ୟ କଲେ।



ଘରର ସାନପୁଅ ଭାବେ ସ୍ନେହ, ଆଦର ପାଇବା ପରିବର୍ତ୍ତେ ଶଙ୍କର ପାଇଥିଲେ କେବଳ ଅପମାନ। କଟା ଘା'ରେ ଚୂନ ପରି ଥିଲା ଭାଇଙ୍କ ବିତୃଷ୍ଣା, ବାପାଙ୍କ ଉଦାସୀନତା ଏବଂ ମା'ଙ୍କ ନୀରବତା। ପରିବାରର ଖୁସି ପାଇଁ ସେ ଜଳାଞ୍ଜଳି ଦେଇଥିଲେ ନିଜ ବ୍ୟକ୍ତିଗତ ସୁଖକୁ, ଯାହା ଦୃଶ୍ୟମାନ ହୋଇନଥିଲା ତଥାକଥିତ ଭାଇ ଭାଉଜଙ୍କୁ। ସୁଦୂର ସୁରଟରୁ ଭାଇଚାରାର ସହର କଟକ ପର୍ଯ୍ୟନ୍ତ ଶଙ୍କରଙ୍କ ଜୀବନ ସମର୍ପିତ ଥିଲା ପରିବାର ପ୍ରତି। ଏକଥା ନିଜ ରକ୍ତ ସମ୍ପର୍କୀୟ ବୁଝିପାରିନଥିବା ବେଳେ ବୁଝି ପାରିଥିଲେ ଛବି ଭାଇ ଓ ତାଙ୍କ ବନ୍ଧୁ ପତ୍ନୀ ସ୍ମିତା। ଏହି ଦୁଇଜଣଙ୍କ ଅଯାଚିତ ବଦାନ୍ୟତା ଶଙ୍କରଙ୍କ ଦୁର୍ବିସହ ଜୀବନରେ ଦେଇ ପାରିଛି କିଛି ସାନ୍ତ୍ଵନା। ବାସ୍ ଏଇତ ଜୀବନ ଗୋଟେ ପରିବାରର ସାନପୁଅ ଶଙ୍କରର। ହେଲେ ଆମ ସମାଜରେ ଏପରି ଅନେକ ଶଙ୍କରଙ୍କ ଉପସ୍ଥିତିକୁ ଅସ୍ବୀକାର କରାଯାଇନପାରେ। 


Rate this content
Log in

Similar oriya story from Tragedy