ଅଭିନେତ୍ରୀର ଅଭିଲାଷା
ଅଭିନେତ୍ରୀର ଅଭିଲାଷା
କାହିଁକି କେଜାଣି ମଳିନ ଲାଗୁଥିଲା କୋଣାର୍କର ବୈଭବ! ପଥରର କାରୁକାର୍ଯ୍ୟ ଯେତିକି ଜୀବନ୍ତ ହୋଇଥିଲା, ସେତିକି ଫିକା ଲାଗୁଥିଲା ଅନ୍ୟ ସବୁ କିଛି I ଆଜି କୋଣାର୍କ ଠାରୁ ଦୂରରେ ସମୁଦ୍ର କୂଳରେ ଶୁଟିଂ ହୋଇଛି I ମନଟା କେମିତି ଖାଲି ଖାଲି ଲାଗୁଛି ଅଭିଳାଷାର I କିନ୍ତୁ କିଛିତ ଅପୂର୍ଣ୍ଣ ରହିଛି I କିଛି ତ ଗୋଟାଏ ଅଭାବ ରହି ଯାଇଛି I ବାରମ୍ବାର ଏହି ଭାବନାଟି ବିଚଳିତ କରିବାକୁ ଲାଗିଥିଲା ଅଭିଳାଷାକୁ I
ନିର୍ଦ୍ଧେଶକ ଆଉ ସହକଳାକାର ମାନେ ସମସ୍ତେ ଖୁସି, ସରିଥିବା କାମରେ I ସହ ବୃନ୍ଦ ଆଉ ଦର୍ଶକଙ୍କ ପ୍ରଶଂସାର ଅଭ୍ୟସ୍ତ ଅଭିଲାଷା I ପନ୍ଦର ଦିନ ହେଲାଣି ସୁଟିଂ ଚାଲିଛି ଆଉ ମଝିରେ ମଝିରେ ତାହାର ବିଭିନ୍ନ ପତ୍ରିକା ଲାଗି ଫୋଟୋ ଶୁଟ ମଧ୍ୟ I ସୀନ ପରେ ସୀନ ସରିଯାଇଛି ରୋମାଞ୍ଚରେ ଆଉ ସୁରକ୍ଷିତ ହୋଇ କୈଦ ହୋଇ ଯାଇଛି କ୍ୟାମେରାମ୍ୟାନ ନରେନର କ୍ୟାମେରା ଭିତରେ I ଅଭିଲାଷା ବହୁତ ଭଲ ପାଏ ଏହି କ୍ୟାମେରାମ୍ୟାନ ଜଣକୁ I ଜଣେ ନିପୂଣା ଅଭିନେତ୍ରୀ ଭାବରେ ସିଏ ପରିଚିତ ଚଳଚ୍ଚିତ୍ର ଜଗତରେ କିନ୍ତୁ, ସିଏ ଜାଣେ ତାହାର ଅଙ୍ଗ ଭଙ୍ଗି ଆଉ ରୂପ ରଙ୍ଗକୁ ଆକର୍ଷକ କରି ଉପସ୍ଥାପନା କରିବାରେ କ୍ୟାମେରାମ୍ୟାନର ଅବଦାନ କମ ନୁହେଁ I ଏହି କ୍ୟାମେରାମ୍ୟାନ ସହ ତାହାର ଭଲ ଜମେ ମଧ୍ୟ ଯେଉଁଥି ଲାଗି ତାହା ସହ ଫଟୋ ଶୁଟ କରିବାକୁ ରାଜି ହୋଇଛି I ଆଜି କେବଳ ଫୋଟୋ ଶୁଟ ବାକି ଅଛି I ନରେନକୁ ଅପେକ୍ଷା କରିଛି ଅଭିଲାଷା I ଶୂଟିଙ୍ଗ ସାରି ପ୍ୟାକ ଅପ ହୋଇ ସାରିଛି ଏବଂ ଟିକିଏ ବ୍ରେକ ନେବାକୁ ଯାଇଛି ନରେନ I ତାକୁ ଆଉ ଅଭିଳାଷାକୁ ବାଦ ଦେଲେ ଅନ୍ୟ ସମସ୍ତେ ଫେରିଗଲେଣି ହୋଟେଲକୁ I
ପନ୍ଦର ମିନିଟର ଶୁଟିଙ୍ଗ ଲାଗି ଦୁଇ ଦିନ ବିତିଗଲା I ରୂପେଲି ପରଦାରେ ଯେତେ ସହଜ ଲାଗେ ପ୍ରକୃତ ଜୀବନରେ, ଚଳଚ୍ଚିତ୍ର ନିର୍ମାଣ ସେତେ ଜଟିଳ I ଯେତେ କଲା କୌଶଳ ଶିଖିଥିଲେ କି ଯେତେ ଟ୍ୟାଲେଣ୍ଟ ଥିଲେ ମଧ୍ୟ, ବହୁତ ପରିଶ୍ରମ କରିବାକୁ ପଡେ I ଥକି ଯାଇଛି ଗତ ଦୁଇଦିନର ଅକ୍ଲାନ୍ତ ପରିଶ୍ରମରେ ଅଭିଲାଷା କିନ୍ତୁ କାର୍ଯ୍ୟରେ ଆତ୍ମ ସନ୍ତୋଷ ବେଶ ମିଳିଛି ତାକୁ I ତଥାପି ଲାଗୁଛି କିଛି ଗୋଟାଏ ଯେମିତି ବାକି ଆଛି ଯାହାକୁ ସମ୍ପୂର୍ଣ୍ଣ କରିବାକୁ ହେବ I କେବଳ ଆଉ ଗୋଟିଏ ସୀନ ବାକି ଅଛି ଯାହା ରାତିରେ ଶୁଟ ହେବ, ହୋଟେଲରେ I ବହୁତ ସମୟ ବାକି ଅଛି ସେଥି ପାଇଁ I ନରେନ ତେଣୁ କହିଲା ସମୁଦ୍ର କୂଳରେ କିଛି ସମୟ ରହି ଆଉ କିଛିଟା ଫୋଟୋ ଶୁଟ କରିବା ଲାଗି ଏବଂ ଅଭିଳାଷା ରାଜି ହେଇଗଲା I କିଏ ଜାଣେ ଆଉ କେବେ ସୁଯୋଗ ମିଳିବ କି ନାହିଁ, ଏଠାକୁ ଆସିବାକୁ I ହୃଦୟର ଅଜଣା ଇଲାକାରେ କିଛି ଗୋଟାଏ ଇପ୍ସିତ ଅଛି, ଯାହା ସେ ବୁଝି ମଧ୍ୟ ବୁଝି ପାରିନି ! ଆଜି ନରେନକୁ ପଚାରିବ ଫୋଟୋ ଶୁଟ ବେଳେ I ଜଣେ ଦକ୍ଷ କାମେରାମ୍ୟାନ ବ୍ୟତୀତ ନରେନ ତାହାର ଭଲ ବନ୍ଧୁଟିଏ ମଧ୍ୟ I ଦୁହେଁ ଏକା ସାଥିରେ ପାସ କରିଛନ୍ତି ପୂଣେରୁ , ଫିଲ୍ମ ଏଣ୍ଡ ଟେଲିଭିସନ ଇନ୍ଷ୍ଟିଟ୍ୟୁଟ ଅଫ ଇଣ୍ଡିଆରୁ I ନରେନ ଫୋଟୋଗ୍ରାଫିରେ ଆଉ ଅଭିଲାଷା ଅଭିନୟରେ I ପୂର୍ବର ପରିଚୟ ଏବଂ ଏକ ପ୍ରକାରର ବେଉଷା ଯୋଗୁଁ ଅନେକ ଘନିଷ୍ଠତା ଗଢି ଉଠିଛି ଦୁହିଁଙ୍କ ମଧ୍ୟରେ I ଲୋକପ୍ରିୟତା, ଧନ ସମ୍ପତ୍ତି, ମାନ ସମ୍ମାନ ସବୁ କିଛି ତ ପ୍ରାପ୍ତ କରି ସାରିଛି ଅଭିଲାଷା I ବିଳାସ ବ୍ୟସନ ପ୍ରତି ମୂଳରୁ ଆସକ୍ତ ଥିଲେ ମଧ୍ୟ ଧୀରେ ଧୀରେ ଏକ ପ୍ରକାର ବିରକ୍ତି ଭାବ ଜନ୍ମ ନେଇଛି ଅଭିଲାଷାର ମନରେ ଦେଖାଣିଆ ଜୀବନ ପ୍ରତି I ମନେ ମନେ ସ୍ଥିର କରି ସାରିଛି ଏହି ଫିଲ୍ମ ପରେ ଆଉ କାମ କରିବନି I ଆଜି ସମୟ ମିଳିବ ନରେନ୍ ସହ କିଛି ସମୟ ଗପ ମାରିବାକୁ I କାର୍ଯ୍ୟବ୍ୟସ୍ତତା ଭିତରେ ହାଇ ହ୍ୟାଲୋ ରେ ହିଁ ରହି ଯାଇଛି ତାଙ୍କର ବାର୍ତ୍ତାଳାପ I
"କଣ ଭାବୁଛ ବସିକି I ଫୋଟୋ ଶୁଟ କରିବନି କି?" ନରେନର କଥା ଶୁଣି ଚମକି ପଡିଲା ଅଭିଲାଷା I
"ହଁ କରିବା ନିଶ୍ଚୟ I କଣ ଭାବୁଛି କେମିତି କହିବି କହିଲ ? ପୁରା ସମୟ ତ ଶୁଟିଙ୍ଗ ଚାଲିଥିଲା ,କଟ, ରିଟେକ ଆଉ ଓକେରେ ସମୟ ଚାଲିଗଲା I ତୁମ ସହ କଥା ହେବାକୁ ବି ତ ସମୟ ପାଇନି!" ଅଭିଳାଷା ଉତ୍ତର ଦେଲା I
"ଏବେ କହୁନ, ଏବେ ତ ସମୟ ଅଛି I ଦୁଇ ଚାରିଟା ଫୋଟୋ ଖାଲି ନେବା କଥା I ସୂର୍ଯ୍ୟଟା ଆଉ ଟିକେ ତଳକୁ ଗଲେ ଭଲ ହେବ I ଦଶ ମିନିଟ ତ ଲାଗିବ ନିହାତି ସେଥିପାଇଁ," ନରେନ ଉତ୍ତର ଦେଲା I
"କିଛି ଦିନ ହେଲା ମନ ଭଲ ରହୁ ନାହିଁ, ଲାଗୁଛି ଯେମିତି କିଛି ଅପୂର୍ଣ୍ଣ ରହିଛି ଜୀବନରେ ଏତେ ସବୁ ଥାଇ ମଧ୍ୟ I ତାହାକୁ ଖୋଜୁଛି ଯେମିତି," ଅଭିଲାଷା ଉତ୍ତର ଦେଲା I
ଜୋରରେ ହସିଲା ନରେନ ଆଉ କହିଲା," ସତରେ ମଣିଷର ଇଛାର ସୀମା ନଥାଏ ଆଉ ମହିଳା ମାନଙ୍କର ତାହା ଠାରୁ ଅଧିକ I ଏତେ କମ ବାୟସରେ ଏତେ ସବୁ ପାଇଛ ଆଉ କଣ ବାକି ଅଛି କି?”
"କିଏ ଜାଣେ I ମୋ ଜାଗାରେ ତୁମେ ଥିଲେ ତୁମେ କଣ ଚାହିଁ ଥାଆନ୍ତ?" ଓଲଟା ପ୍ରଶ୍ନ କଲା ଅଭିଲାଷା I
" କିଏ ଜାଣେ ତୁମ ଜାଗାରେ ଥିଲେ ମୁଁ କଣ ଚାହିଁ ଥାଆନ୍ତି ?କିନ୍ତୁ ତୁମ ପାଖେ ଯାହା ସବୁ ଅଛି ତାହାକୁ ନିଶ୍ଚୟ ବହୁତ ଉପଭୋଗ କରି ଥାଅନ୍ତି ," ନରେନ କହିଲା I
"ତୁମେ ଏମିତି ଚାଲାକ କଥା କହି କଥାକୁ ବୁଲେଇ ଦିଅ I ସେହି ପ୍ରଫେସନାଲ ଲାଇଫ ତୁମର, ସେହି ପ୍ରଫେସନାଲ ବ୍ୟବହାର ଆଉ ସେହି ଚାଲାକ କଥା କହି ପୁଣି କାମରେ ଲାଗି ଯିବା I କିଛିଟା ଅଲଗା କୁହ, କିମ୍ବା ଅଲଗା କିଛି କର କେତେ ବେଳେ," ଅଭିଲାଷା କହିଲା, ନରେନ କହିବା ଅନୁସାରେ ନିଜର ପୋଜକୁ ସଜାଡୁ ସଜାଡୁ ଫୋଟୋ ପାଇଁ I
"ପ୍ରଥମେ ଚାରି ପାଞ୍ଚଟି ଫୋଟୋ ହେଇ ଯାଉ ତାହା ପରେ ଦେଖିବା କଣ ଅଲଗା କରିବା ତୁମର ପାଇଁ, ବ୍ୟକ୍ତିଗତ ଖୁସି ପାଇଁ, " ନରେନ ଉତ୍ତର ଦେବା ସଙ୍ଗେ ଆରମ୍ଭ କଲା ତାହାର କ୍ୟାମେରାକୁ ଠିକ କରି କାମ କରିବା I
ସୂର୍ଯ୍ୟାସ୍ତ ଯେପରି ଆହୁରି ସୁନ୍ଦର କରିଦେଇଥିଲା ଅଭିଳାଷାକୁ I ରକ୍ତିମ ସୂର୍ଯ୍ୟାଲୋକ ଆଉ ପୃଷ୍ଠଭୂମିରେ କୂଳରେ ଭାଙ୍ଗୁଥିବା ଲହଡି ଏକ ପ୍ରକାର ସଂଗୀତ ସୃଷ୍ଟି କରୁଥିଲା ଯେପରି, ଯେଉଁଥିରେ ନାଚିବାକୁ ଲାଗିଥିଲା ଅଭିଳାଷାର ପ୍ରତ୍ୟେକ ଅଙ୍ଗ I ଜୀବନର ସ୍ୱାଦ ଆଉ ଯୌବନର ମିଠାସ ଭରିବାକୁ ଲାଗିଥିଲା ନରେନର ପ୍ରତିଟି ଫ୍ରେମରେ I ନିଶ୍ଚୟ ଏହା ଦୁହିଁଙ୍କର କେରିଅର କୁ ବହୁତ ଆଗେଇ ନେବ ଯେତେ ବେଳେ ପତ୍ରିକା ଗୁଡିକ ଏହି ଫୋଟୋ ସବୁ ମୁଖପୃଷ୍ଠାରେ ଦେବା ଲାଗି ପ୍ରତିଦ୍ଵନ୍ଦିତା କରିବେ !
"ଏଥର ଯିବାକି ? ନା ଆଉ କିଛି କରିବା? " ନରେନ ପଚାରିଲା ଫୋଟୋ ଉଠେଇବା ସାରି I
"କିଛିଟା ଅଲଗା ପ୍ରକାର ଫୋଟୋଟିଏ ନେଉନା ," ଅଭିଲାଷା କହିଲା, "ତୁମକୁ ମୋର ଅନ୍ୟ କିଛି ରୂପ ଦେଖା ଯାଉନି କି?”
କିଛି ସମୟ ଚୁପ ରହିଲା ନରେନ ଆଉ ଭାବିବାକୁ ଲାଗିଲା I ଅନତି ଦୂରରେ ମହିଳାଟିଏ ତାହାର ଶିଶୁକୁ ଧରି ସମୁଦ୍ରର ବେଳାରେ ଚାଲୁଥିଲା ସତେ ଯେମିତି ଦୁନିଆଁର ସବୁ ସଂଘର୍ଷ ଆଉ ଦୁଃଖ ଭୁଲି କିଛି ସମୟ ମମତାର ଛାଇରେ ଆଶ୍ରୟ ନେବାକୁ ଚାହୁଁଥିଲା I କିଛି ଭାବି ନରେନ ହାତ ଠାରି ଡାକିଲା ମହିଳା ଜଣଙ୍କୁ I ଅଳ୍ପ ସମୟ ଭିତରେ ପୁଣି ଆରମ୍ଭ ହୋଇଥିଲା ଫୋଟୋ ଉତ୍ତୋଳନ ! ଏଥର ଥିଲା ଅଭିଲାଷା ହାତରେ ଶିଶୁଟି ଆଉ ନରେନର ହାତ ଯେମିତି ଚାଲିଥିଲା ଅନବରତ ଗୋଟିଏ ପରେ ଗୋଟିଏ ଫୋଟୋକୁ କୈଦ କରି ତାହାର କ୍ୟାମେରା ଭିତରେ I
"ବାବୁ ମୁଁ ଯିବି ଡେରି ହେଲାଣି," ମହିଳାର ସ୍ୱର ଶୁଣି ପ୍ରକୃତିସ୍ଥ ହେଲେ ଦୁହେଁ I ଛୁଆଟିକୁ ତାହାର ମାଆ କୋଳକୁ ଦେଉ ଦେଉ ଅଭିଲାଷା ନିଜ ବେଜରେ ପଡିଥିବା ସୁନା ଚେନ ଆଉ ଲୋକେଟ କାଢ଼ି ପକେଇଦେଲା ତାହାର ବେକରେ I " ନା ଥାଉ, ଏ ସବୁ ଲୋଡ଼ା ନାହିଁ, ମୁଁ କଣ କରିଛି , ଏତେ ଦାମିକା ଜିନିଷ ଦେଉଛ? ତୁମେ ଖୁସି, ମୁଁ ସେଥିରେ ଖୁସି," ମହିଳା ଜଣଙ୍କ କହିଲା I
"ତୁମେ ଯେଉଁ ଖୁସି ଦେଇଛ ତାହା ଅମୂଲ୍ୟ I ରଖି ଦିଅ ମୁଁ ଖୁସି ହେବି," ଅଭିଲାଷା ଉତ୍ତର ଦେଲା I"
ମହିଳାଟି ଚାଲିଗଲା ଶିଶୁକୁ ନେଇ I ଫେରି ଚାହିଁଲା ଅଭିଲାଷା ନରେନ ତାକୁ ଅପଲକ ନେତ୍ରରେ ଚାହିଁଛି I
"କଣ ଦେଖୁଛ?" ଅଭିଳାଷା ପଚାରିଲା I
"ତୁମର ସେହି ରୂପକୁ ଯାହାକୁ ଦେଖି ନଥିଲି I "ତୁମର ସେହି ରୂପକୁ ଯାହାକୁ ଆଜି ଯେଣେ ଦେଖି ନଥିଲି I ମନ୍ତ୍ର ମୁଗ୍ଧ କରିଦେଲା ଯେମିତି ମୋତେ ତୁମର ମାତୃତ୍ଵର ରୂପ I ସତରେ ତୁମେ ଯାହାର ସ୍ତ୍ରୀ ହେବ ଆଉ ମା ହେବ ସେମାନେ ଖୁବ ଭାଗ୍ୟବାନ ହେବେ?”
"ଆଛା ? " ହସିକି କହିଲା ଅଭିଲାଷା," ତୁମ ମନରେ ଏମିତି ଇଛା ବି ଅଛି?”
"ବୋଧହୁଏ ଜାଣିନି, ମୁଁ ମାତ୍ର କ୍ୟାମରମ୍ୟାନଟିଏ, ଏତେ ବଡ ହିରୋଇନକୁ ସମ୍ଭାଳିବା ଆଉ ପାଳିବା ମୋ ପକ୍ଷରେ କଣ ସମ୍ଭବ ଏହି ଛୋଟ ଚାକିରୀରେ ? ଯେତେ ଉପାଧି ଆଉ ମାନ ସମ୍ମାନ ନ ମିଳୁ ନା କାହିଁକି ମୋ କାର୍ଯ୍ୟ ଲାଗି?"ନରେନ କହିଲା I
" ନିଜ ସ୍ତ୍ରୀ ଆଉ ଛୁଆ ପାଇଁ ତ ଯଥେଷ୍ଟ କମେଇ ପାରିବ? ଜଣେ ସ୍ତ୍ରୀକୁ ମାଆ ହେବାର ସୁଖ ତ ଦେଇ ପାରିବ ?" ଅଭିଲାଷା କହିଲା I
"ହୁଁ", ନରେନ ଉତ୍ତର ଦେଲା I "ମୁଁ ଯଦି କହେ ମୁଁ କେବଳ ଚାହେଁ ତୁମ ଛୁଆଟିକୁ ହାତରେ ଧରିଥିବି ଆଉ ତୁମେ ତୁମେ ଆମର ଛବି ଉଠାଉଥିବ?" ଅଭିଲାଷା ପୁଣି ପ୍ରଶ୍ନ କଲା I
"ମାନେ ଆମର ଛୁଆ କି? ନରେନ ପଚାରିଲା I
ଲାଜେଇ ଗଲା ଅଭିଲାଷା I ତାହାର ଆଖିରେ ସାଜିବାକୁ ଲାଗିଥିଲା ମାତୃତ୍ଵର ସ୍ଵପ୍ନ ଆଉ ଅଲଗା ଏକ ମହକ ତାହାର ଦେହରେ ଭରିବାକୁ ଲାଗିଥିଲା I କିଛି ଭାବି ହସିଦେଲା ନରେନ ଆଉ ଆଗକୁ ହାତ ବଢ଼େଇଦେଲା ତାହାର I
" ଲାଗୁଛି ମୁଁ ଯାହା ଖୋଜୁଥିଲି ପାଇ ଗଲି," ଅଭିଲାଷା କହିଲା ତାହାର ହାତ ଧରୁ ଧରୁ I
"ମୁଁ ବି ପାଇ ଗଲି ଆଜି," ନରେନ ଉତ୍ତର ଦେଲା, ତାହାର ହାତ ଧରୁ ଧରୁ I
ଦୁହେଁ ଚାହିଁବାକୁ ଲାଗିଥିଲେ ବାଲୁକା ରାଶିରେ ଚାଲି ଯାଉଥିବା ମହିଳା ଆଉ ତାହାର ଶିଶୁକୁ I ଅସ୍ତରାଗରେ ଭରିବାକୁ ଲାଗି ଥିଲା ନୂଆ ଜୀବନର ଲାଳିମା I