Nityananda Nandi

Romance

4  

Nityananda Nandi

Romance

ଆମ୍ବ କଷି

ଆମ୍ବ କଷି

6 mins
189


 


ଛୁପି ଛୁପି କାହା ଚିଠି ପଢ଼ିବାରେ ଯେଉଁ ମଜା ଥିଲା, ଆଜି କିନ୍ତୁ ୱାଟସପ ମେସେଜରେ ସେଇ ମଜା ନାହିଁ । ଚିଠିର ବଙ୍କା ତେଢ଼ା ଅକ୍ଷର ଭିତରେ ଯେତିକି ଜୀବନ ଥାଏ, ସେତିକି ସୁଗନ୍ଧ ଲୁଚି ରହିଥାଏ କୋଚା ମୋଡା ସେଇ ଚିଠିର ପରିଧି ଭିତରେ ।

  ଅନେକ ବର୍ଷ ତଳର କଥା।ଦଶମ ଶ୍ରେଣୀରେ ମୁଁ ପଢୁଥାଏ । ହଠାତ ମୋ ପକେଟରୁ ଚିଠିଟିଏ ଖସି ପଡ଼ିବା ଦେଖି, ଭାଉଜ ଚେଷ୍ଟା କଲେ ମୋ ପାଖରୁ ଛଡ଼େଇବାକୁ, ମୁଁ ଦୌଡ଼ିଲି ଅଗଣା ସାରା । ପଛେ ପଛେ ଭାଉଜ । ଭାଗ୍ୟ ଭଲ ଥିଲା । ଭାଉଜ ପଣସ କଠା କାଟୁ ଥିଲେ । ହାତ ସାରା ପଣସ ଅଠା ବୋଳି ହୋଇଥିଲା ବୋଲି ମୋତେ ଛୁଇଁ ପାରୁନଥିଲେ ସେ ।

ସେ ମରି ଗଲେଣି ସତ, ଆଜି ପର୍ଯ୍ୟନ୍ତ ମୋ କଥା କିନ୍ତୁ କାହାକୁ କହିନାହାନ୍ତି !!! ମନେ ମନେ ମୁଁ ମୋ ଭାଉଜଙ୍କୁ ସଲାମ କରେ।

ମୋ ବାହାଘର ପରେ ଅନେକ ଥର ଦେଖା ହୋଇଛି ମୋ ଭାଉଜଙ୍କ ସହିତ । ଏକା ପାଇଲେ ଥଟ୍ଟା କରନ୍ତି, ପୂଜା ! ଚିଠି କଥା ମନେ ଅଛି ତ !! ହସିଦେଇ ମୁଁ ଜିଭ କାମୁଡି ଦିଏ । ଜହ୍ନ ରାତି କ୍ଷଣସ୍ଥାୟୀ, କିଶୋର ଜୀବନଟା ଠିକ୍ ସେମିତି, କୁହୁଡି ପରି ଏବେ ଅଛି, ଏବେ ନାହିଁ । କୁହୁଡି ଆଘାତରେ ଆମ୍ବ କଷି ଝଡିଯାଏ, ଥୁଣ୍ଟା ଆମ୍ବ ଗଛ ଆକାଶ ଆଡକୁ ଅନେଇଥାଏ ସନ୍ତାନହରା ମାଆ ପରି । ଏମିତି କାହିଁକି ହୁଏ ? ବୁଝିବା ବେଳକୁ ଅନେକ କଥା ଘଟିଯାଇଥାଏ ଜୀବନରେ । ପରିବର୍ତ୍ତନଶୀଳ ସବୁକିଛି, ନା ସେଦିନର ଚିଠି ଅଛି, ନା ଭାଉଜ ଅଛନ୍ତି ଥଟ୍ଟା ଟାପରା କରିବା ପାଇଁ।


ଅନେକ ଦିନ ପରେ ଘରକୁ ଆସିଛି, ଭାଉଜଙ୍କ ସମାଧି ପାଖରେ ଯାଇ ଦୁଇ ମିନିଟ ଛିଡା ହେଲି । ଆଖିରୁ ଅମାନିଆ ଦୁଇ ଟୋପା ଲୁହ ବୋହି ଆସିଲା । ମାଆ ଠାରୁ ବଳି ମୋ ଭାଉଜ, ଭୁଲ ଭଟକା କଲେ ରାତି ରାତି ବସି ବୁଝାନ୍ତି ସେ ମୋତେ । ସାଙ୍ଗଠୁ ବି ଅଧିକ !

ଥରେ ନ ଜାଣିଲା ପରି ତାଙ୍କ ଆଗରେ ଚିଠିଟିଏ ମୋ ପକେଟରୁ ଖସେଇ ଦେଲି । ଟାଉକିନା ଚିଠିଟିକୁ ଉଠେଇ ନେଇ ମୋଡ଼ି ଧରିଲେ ହାତ ପାପୁଲି ଭିତରେ । ମଜା ଦେଖିବା ପାଇଁ ପାଚେରୀ ପାଖରୁ ଅନେଇକି ରହିଲି । ସେ ଲୁଚି ଲୁଚି ଖୋଲିଲେ ଚିଠିଟିକୁ । ଫେଁ କରି ହସିଦେଲେ, ଲେଖାଥିଲା ଏପ୍ରିଲ 

ଫୁଲ୍ । ସେ ଫୁଲ୍ ହୋଇଥିଲେ ବୋଲି ମରିବା ପର୍ଯ୍ୟନ୍ତ ଚାପି ରଖିଥିଲେ କଥାଟିକୁ । ମୁଁ ବି କହିନଥିଲି । ମୃତ୍ୟୁ ଶଯ୍ୟାରେ ଏକା ପାଇ ମୋତେ କହିଲେ, ପୂଜା ! ଥରେ ତୋ ଚିଠି ଭାବି ଭାରି ଖୁସି ହୋଇ ଯାଇଥିଲି ପଢିବି ବୋଲି । ତମ ଦୁହିଁଙ୍କ ପ୍ରେମପତ୍ର ପଢିବାକୁ ଭାରି ଇଚ୍ଛା ଥିଲା । କଣ ଲେଖାଥିଲା ସେଥିରେ ଜାଣିଛ । ଏପ୍ରିଲ ଫୁଲ । ହସି ପାରିଲିନି, ଦୁଇ ଟୋପା ଲୁହ ନିଗିଡ଼ି ଆସିଲା, କାହିଁକି କେଜାଣି । ଜୀବାଶ୍ମ ପାଲଟି ଯାଉଥିବା କିଛି ସ୍ମୃତିକୁ ନେଇ ହସି ହୁଏନି । ଭାଉଜଙ୍କ ମୃତ୍ୟୁ ଶଯ୍ୟାରେ ବସି ମୁଁ କଣ ହସି ଥାଆନ୍ତି, ସମୁଦ୍ର ଲହଡ଼ି କୂଳ ଲଙ୍ଘି ଆସିଲେ ଶୁଷ୍କ ବେଳାଭୂଇଁରେ ଜୀବନ ଭରିଯାଏ । ଗନ୍ଧରାଜ ଉଦ୍ୟାନ ଦେଇ ହାଲୁକା ପବନ ବହିଗଲେ ମନ ମୋହିଯାଏ, ଭାଉଜଙ୍କ ହସ ଦେଖି କ୍ଷଣିକ ଉନ୍ମାଦନାରେ ମୁଁ ଅସ୍ତବ୍ୟସ୍ତ ହୋଇ ଉଠିଲି, ଦୀପ ଲିଭିଲା ବେଳେ ଅଚାନକ ଜଳି ଉଠେ ବୋଲି ଭାବିଲା ବେଳକୁ ମନଟା କାହିଁକି କେଜାଣି ଶୂନ୍ୟ ହୋଇଯାଉଥିଲା...

ଭାଉଜ ଠିକ୍ କହୁଥିଲେ, ପୂଜା ! ତମେ ଏତେ ଭଲ ପଢ଼ୁଛ ମୋତେ ଲାଗୁଛି ତମ ବାହାଘର ଅନ୍ୟ କୋଉଠି ହେବ ! ସତକୁ ସତ ଯାହାର ଚିଠିକୁ ନେଇ ଭାଉଜଙ୍କ ସାଥିରେ ଏତେ ଦୌଡା ଦୌଡ଼ି ହେଉଥିଲା, ତାକୁ ମୁଁ ବାହା ହୋଇନାହିଁ । ସେ କେହି ନୁହେଁ, ଆମ ଗାଆଁର ରବି । ସେତେବେଳେ ସେ ଆମ ଗାଆଁ ଜୁନିଅର କଲେଜରେ ପଢ଼ୁଥିଲା । କାହିଁକି କେଜାଣି ମନ ଆଉ ହୃଦୟ ଦେଇ ବସିଥିଲି ରବିକୁ ।

ଅଚାନକ ମୁଁ ଇଞ୍ଜିନିୟରିଂ କରିବାକୁ ଭୁବନେଶ୍ୱର ଯିବି ବୋଲି ସ୍ୱପ୍ନରେ ସୁଦ୍ଧା ଭାବିନଥିଲି । ତା ପରେ ଜୀବନ ବଦଳିଗଲା । ଯୁବ ଇଂଜିନିୟର ଅନୁରାଗଙ୍କ ସହିତ ସମ୍ପର୍କ ବଢିଲା, ୱାଟସପରେ ହେଲୋ ହାଇରୁ ଆରମ୍ଭ ହୋଇ ସମ୍ପର୍କଟା ବିବାହରେ ପରିଣତ ହେବ ବୋଲି ମୁଁ ଭାବିନଥିଲି । ମୋର ଜୀବନ ସାଥି ହୋଇଗଲେ ଅନୁରାଗ ସବୁଦିନ ପାଇଁ । 


ବହୁତ ନିଆରା ଥିଲା କିନ୍ତୁ ରବିର ଚିଠି । ରବିର ହାତ ଲେଖା ଖୋଲା ଚିଠିରେ ବାସ୍ନା ମହକୁ ଥିଲା । ରବିର ଚିଠି ପାଖରୁ ଆରମ୍ଭ ହୋଇ ଅନୁରାଗଙ୍କ ୱାଟସପ ମେସେଜ ଭିତରେ ପୃଥିବୀଟା କେତେବାର କଡ ଲେଉଟିଥିବ, ତାର ହିସାବ ନାହିଁ । ୱାଟସପକୁ ପାସୱାର୍ଡ ଦେଇ ଲକ୍ କରିଦେଲେ ସ୍ନେହ, ପ୍ରେମ ସବୁ ଛୁପି ଯାଏ ତାରି ଭିତରେ । ମହକିବ ଆଉ କୋଉଠୁ ? ସନ୍ଦେହର ଧୂଆଁ ଭିତରେ ହସ, ଖୁସି, ସ୍ନେହ, ମମତା ଅଣନିଃଶ୍ୱା ସୀ ହୋଇଯାଏ ୱାଟସପ ଭିତରେ...


ଧୀରେ ଧିରେ ସେଟଲ ହୋଇଗଲି ରାଇପୁରରେ । ଗାଆଁକୁ ପ୍ରାୟ ଆସୁନଥିଲି । କାଆଁ ଭାଁ କେତେବେଳେ କେମିତି । ମନେ ବି ନାହିଁ । କାଲି ଆମ ଗାଆଁ ବସଷ୍ଟପରେ ଓହ୍ଲେଇଲା ବେଳେ ହଠାତ୍ ରବି ସହିତ ଭେଟିଲି, ସାଇକେଲ ରିପେଆରିଙ୍ଗ ଦୋକାନ ଖୋଲି ବସି ଥାଏ ଗାଆଁ ଛକରେ । ଚୁଟି ପାଚି ଧଳା ହୋଇଗଲାଣି ଏହା ଭିତରେ । ମୋତେ ଦେଖି ହସିଦେଲା । ଅନୁରାଗ ବ୍ଲୁ ଜିନ୍ସ ସାଥିରେ ବ୍ୟାନ୍ ଗଗଲସ୍ ପିନ୍ଧିଥିଲେ । ରବି ତାଙ୍କୁ ଦେଖି ଡରିଗଲା ବୋଧହୁଏ । କିଛି କହିବାକୁ ଚାହୁଁଥିଲା, କହିଲା ନାହିଁ । ତାର ନିଷ୍କପଟ ହସ ଭିତରେ ଜନ୍ମ ଜନ୍ମର ପ୍ରଶ୍ନ ସବୁ ଛୁପି ରହିଥିଲା ଯେମିତି । ମୁଁ ଆଉ କଣ କରିଥାନ୍ତି ଯେ.., ଯାହା ସମ୍ଭବ ନୁହେଁ, ତାହା କେବେ ବି ସମ୍ଭବ ହୁଏନି । ଖାଲି ଏତିକି ବୁଝିଥିଲି, ହୃଦୟ ଦେଇଦେଲେ କିମ୍ବା ନେଇନେଲେ, ଜରୁରୀ ନୁହେଁ ବାହା ହେବାକୁ ହେବ ବୋଲି । ଆଜୀବନ ଚଲେଇ ରଖିବାକୁ ହୁଏ ସମ୍ପର୍କକୁ । ହେଇ ଯେମିତି ଏତେ ବର୍ଷ ପରେ ମୋତେ ଦେଖି ରବି ହସିଦେଲା । ତାର ପରିବାର ଅଛନ୍ତି, ମୋର ବି ପରିବାର ଅଛନ୍ତି । ତଥାପି ଆମେ ଉଭୟେ ଉଭୟଙ୍କୁ ମନେ ରଖିଛୁ, ସଂପର୍କରେ ତାହା ହିଁ ଯଥେଷ୍ଟ ବୋଧହୁଏ.. । ମାନ ଅଭିମାନ ଭିତରେ ହିଁ କୋଉଠି ଜୀବନଟା ଛୁପି ରହିଥାଏ । କଷି ଆମ୍ବ ପାଇଁ ମୋ ଦୁର୍ବଳତାକୁ ଧୀରେ ଧୀରେ ଆବିଷ୍କାର କରିଥିଲା ରବି । ମୋ ମନ ରଖିବା ପାଇଁ ଆମ ପାଚେରୀ ପାଖରେ ଲୁଚି ଛୁପି କିଛି କଷି ଆମ୍ବ ମୋ ପକେଟରେ ଭରି ଦେଇ ଦୌଡ଼ି ପଳେଇ ଯାଉଥିଲା ରବି, ଏଇ ଖରା ମାସର ପ୍ରାରମ୍ଭରେ । ଭାଉଜଙ୍କୁ କଷି ଆମ୍ବ ବଢେଇ ଦିଏ, ଲଙ୍କା ଲୁଣ ଦେଇ ଖୁବ୍ ସୁନ୍ଦର ବନେଇ ଆଣନ୍ତି ଭାଉଜ । ଖାଲି ହସନ୍ତି, ପଟେଇ ପଟେଇ ସବୁ କଥା ଆଦାୟ କରନ୍ତି, ରବି ଆଉ ମୋ ବାବଦରେ । ମୁଁ ବି ଏତେ ବୋକି ଥିଲି ଯେ, କିଛି ବାକି ରଖିନି, ସବୁ କଥା କହି ଦେଉଥିଲି ଭାଉଜଙ୍କୁ । ରାତି ସରିଲା ବେଳକୁ ସ୍ୱପ୍ନର ସୌଧ ଧୂଳିସାତ ହୋଇଯାଏ । ଲାଗୁଥିଲା, ଯେତିକି ପାଇଛି, ତା ଠୁ ଅଧିକ ହରେଇ ଦେଇଛି ମୁଁ ଜୀବନରେ । ଲାଭ କ୍ଷତିର ବିଚାର ପାଇଁ ଆଉ ବୟସ ନାହିଁ !!!


ଆଜି ସକାଳେ ରବିକୁ ଆମ ଗେଟ ପାଚେରୀ ପାଖରେ ଦେଖି ମୁଁ ଚମକି ଉଠିଲି । ଅନୁରାଗ ବାରଣ୍ଡାରେ ବସି ପେପର ପଢ଼ୁ ଥାଆନ୍ତି । ମୁଁ ଗେଟ ପାଖରେ ପହଞ୍ଚିଲି, ରବି ନାହିଁ, ସେଇ ଚିରା ଚରିତ ପଦ୍ଧତିରେ ଚିଠିଟିଏ ପକେଇ ଦେଇ ଯାଇଛି, ପୁଣି ଏଇ ପରିଣତ ବୟସରେ !!!

ମୁଁ ଚିଠିଟିକୁ ମୋ ଡ୍ରେସ୍ ଭିତରେ ଛୁପେଇ ଦେଲି, ସେଇ ଚିରାଚରିତ ରୀତିରେ । ବାପା, ବୋଉ, ଭାଇ ଘର ଭିତରେ । ଅନୁରାଗ ଏକ ଲୟରେ ପେପର ପଢୁଛନ୍ତି ଦେଖି ଭାବିଲି, ଏଇଟା ହିଁ ସୁବର୍ଣ୍ଣ ସୁଯୋଗ । ଭାଉଜଙ୍କ ସମାଧି ପିଣ୍ଡିରେ ବସି ଲୁଚି ଲୁଚି ପଢିଲି ଚିଠିଟିକୁ । ଭାଉଜ କଣ ଆଉ ବଞ୍ଚିଛନ୍ତି ଯେ ଚିଠି ପାଇଁ ଗୋଡେଇ ବେ !! 


ପୂଜା

କେତେ ବର୍ଷ ପରେ ତୋତେ ଦେଖି ଭାରି ଖୁସି ହେଲି । କାଲି କହିବି ଭାବୁଥିଲି, ତୋ ବରକୁ ଦେଖି ମୁଁ ଡରିଗଲି, କୁଆଡେ ଯଦି କଣ ଭାବି ନେବେ ତ !! ଜାଣିଛୁ ଆମ ଲିଜା ବି.ଟେକ୍. କରୁଛି, ଫାଇନାଲ ଇଅର । ବହୁତ ଭଲ ପଢ଼େ । ମାଡ୍ରାସରେ ଚାକିରୀ ହୋଇ ଯାଇଛି ବୋଲି କହୁଥିଲା । ତୁ ଭଲ ପଢ଼ୁଥିଲୁ, ଗାଆଁ ଛାଡି ଚାଲିଗଲୁ, ସେ ଭଲ ପଢୁଛି । ଗାଆଁ ଛାଡି ଚାଲିଯିବ । ଭଲ ପଢ଼ିଲେ ଗାଆଁ ଛାଡ଼ି ଚାଲି ଯିବାକୁ ହୁଏ ବୋଧହୁଏ..ମୁଁ କିନ୍ତୁ ସବୁବେଳେ ଏକା ହୋଇଯାଏ । କିଏ ଜଣେ କହୁଥିଲା, ତୁ କୁଆଡେ ଆଜି ଡାକ ବସରେ ବସି ରାଇପୁର ଫେରିଯିବୁ, ଭଲରେ ଥା... ? ଇତି, ରବି


ଭାଉଜଙ୍କ ଫଟୋ ଆଡ଼କୁ ଅନେଇଲି, ଦୁଇ ଟୋପା ଲୁହ ଠିକ୍ ସେମିତି ବୋହି ଆସିଲା । ସେ ବଞ୍ଚିଥିଲେ ମୁଁ କଣ ରବିର ଚିଠିକୁ ଏମିତି ପଢି ପାରି ଥାଆନ୍ତି, କେତେ ଝାମେଲା, କେତେ ଦୌଡ଼ା ଦୌଡ଼ି ହୋଇ ଥାଆନ୍ତା ଏଇ ଚିଠି ପାଇଁ । ଆଜି ସେ ନିରବ ନିଶ୍ଚଳ ସମାଧିର ଏଇ ଫୋଟୋ ଭିତରେ।

ବୟସ ବଢିବା ସାଥିରେ କେତେ ପରିପକ୍ୱ ହୋଇଯାଏ ମଣିଷର ଏଇ ଚିନ୍ତାସବୁ । ମୁଁ ଭାବିଥିଲି ସେଇ ରସିକିଆ କଥା ସବୁ ଲେଖି ଥିବ ପ୍ରାୟ । ନା.. ସମୟ ସାଥିରେ ପ୍ରେମ, ସ୍ନେହ ମମତା ରୂପ ବଦଳେଇ ଦିଏ, ତଥାପି ଦୁର୍ବଳତା ହୃଦୟ ଭିତରେ, ମରିବା ପର୍ଯ୍ୟନ୍ତ ଜୀଇଁ ଥାଏ, ସେଇଟା ବୋଧହୁଏ ସ୍ୱାର୍ଥ ବିହୀନ ସମ୍ପର୍କ, ଭାରି ମିଠା ଲାଗେ । ଏଇ ଯେମିତି ଆଜି ବି ରବି ମୋତେ ମନେ ରଖିଛି !!


ବସ ଷ୍ଟପରେ ରବିର ସାଇକେଲ ଦୋକାନ, ମୁଁ ଠିକ୍ ଜାଣିଥିଲି, ବସ ପାଖରେ ଅପେକ୍ଷା କରିଥିବ ବୋଲି । ଦୁଇଟି ବଡ ବଡ଼ ଏଟାଚି ନେଇ ଅନୁରାଗ ବସ ଉପରକୁ ଉଠୁ ଉଠୁ ରବି କେତେବେଳେ ହାଜର ହୋଇ ମୋ ହାତରେ ପଲିଥିନ ବେଗଟିଏ ଧରେଇ ଦେଲା, ମୁଁ ଜାଣିପାରିନି । କିଛି କଥାବାର୍ତ୍ତା ନାହିଁ, ସିଟରେ ବସି ଦେଖିଲି, କଷି ଆମ୍ବ । କିଛି ଜିନିଷ ଜୀବନରେ ଭୁଲି ହୁଏନି । କଷି ଆମ୍ବ ପ୍ରତି ମୋ ଦୁର୍ବଳତାକୁ ରବି ଏଇ ପରିପକ୍ୱ ବୟସରେ ବି ମନେ ରଖିଛି । ଆଖିରେ ଲୁହ ଭରି ଆସିବା ଦେଖି ନିଜକୁ ନିୟନ୍ତ୍ରଣ କରିନେଲି, ଅନୁରାଗ କୁଆଡେ ଖରାପ ଭାବିବେ !!  

ବସ ଛାଡି ଦେଇଥିଲା, ପଛକୁ ଅନେଇଲି, ନିର୍ବୋଧ ଶିଶୁଟିଏ ପରି ରବି ଛିଡା ହୋଇ ଅନେଇଛି ମୋ ଆଡ଼କୁ । ଭାବିଥିଲି, ଗାଆଁ ଲୋକେ କେତେ ସରଳ.. ମୋ ପାଖରୁ ମୋବାଇଲ ନମ୍ବର ମାଗି ପାରିଥାନ୍ତା ନା...






Rate this content
Log in

Similar oriya story from Romance