ଆଖି
ଆଖି
ଝିଅ ଅଷ୍ଟ ମଙ୍ଗୁଳା ଭାର ସଜଡ଼ା ହେଉଛି।ମୁଁ ଠାଏ କି ଚମକି ପଡିଲି ଆମ ଘର ଆଗେ କାହା ଗାଡି ଅଟକିବା ଶବ୍ଦ ଶୁଣି।କାହିଁକି ଅଟକିଲା , କିଏ ଆସିଛି ଭାବି ଛାନିଆଁ ହୋଇଗଲି।
ଏ ଭୟଟି ଅନେକ ଦିନରୁ ମୋ ସହିତ ଚାଲୁଛି।
ଏମିତି ହଠାତ୍ ଗାଡି ଅଟକିବାକୁ ମୋର ଭାରି ଡର।
ଏପରି ଦିନେ ଗାଡି ଅଟକି ମୋ ଜୀବନ ସମ୍ପୂର୍ଣ୍ଣ ଫିକା କରିଦେଇଥିଲା।ଆଖି ସମୁଦ୍ରରୁ ନିଗାଡ଼ି ଦେଇଥିଲା ସବୁତକ ପାଣି।ଜଣେ ନାରୀର ଚିର ଇପ୍ସିତ ଶଙ୍ଖା ଓ ସିନ୍ଦୁର ପୋଛି ଦେଇ ଥିଲା ଏଇ ଗାଡି ।ମୋ ସ୍ୱାମୀ ଆକାଶ ମିତ୍ର ଜଣେ ଚେକ୍ ଗେଟ୍ ଜଗୁଆଳି ଥିଲେ। ତାଙ୍କ ଡିୟୁଟି ସମୟରେ ଚୋରା କାରବାର ବୋଝେଇ ଟ୍ରକ ଯିବାକୁ ଡରନ୍ତି। ପୁଳା ପୁଳା ଟଙ୍କା ମୋହ ତାଙ୍କୁ କିଣି ପାରି ନଥିଲା। ଯମ ପରି ଜଗୁଥିଲେ ଗେଟ୍ ରେ।ସେଥି ପାଇଁ ଅନେକ ବଡ଼ ବଡ଼ିଆଙ୍କ ଟାର୍ଗେଟ ରେ ଥିଲେ ସେ।
"ଆଖିକୁ"ମାତ୍ର ତିନି ବର୍ଷ ହୋଇ ଥାଏ ।ଗୋଟିଏ ଚାଉଳ ବୋଝେଇ ଟ୍ରକ୍ ଭିତରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା ବୋଲି କେହି ଜଣେ ଆକାଶଙ୍କୁ ଫୋନ୍ କରି କହିଲେ।ଆକାଶ ଟ୍ରକ ଚେକ୍ ପାଇଁ ଅଟକେଇବାରୁ ଟ୍ରକ୍ ଡ୍ରାଇଭର ମାଲିକ ଆଦେଶ ମତେ ଆକାଶଙ୍କୁ ଗୁଳି କରି ଖସି ଯାଇଥିଲା।
କଥା ଦେଇଯାଇଥିଲେ ଆକାଶ ' ଆଖି ' ପାଇଁ ଛୋଟ ଗାଡି ଆଣିବେ।ତା ଉପରେ ବସି ଆଖି ପେଡାଲ ମାରି ଘର ଦାଣ୍ଡରେ ବୁଲିବ।ଖୁସିରେ ପିଣ୍ଡା ଉପରେ ବସି ଆମେ ଦୁହେଁ ଦେଖିବୁ।ଆନନ୍ଦରେ ପୁରିଯିବ ଆମ ମନ ଘର।କଥା କଥାରେ ରହିଲା। ଠକି ଦେଇ ଗଲେ ସେ ମୋତେ ଏକା ଧୂଆଁ ହୋଇ ମରି ମରି ବଞ୍ଚିବାକୁ।
ସେଦିନ ହଠାତିଆ ଗାଡିଟିଏ ଆଣି ଆସି ଥିଲା ଆକାଶଙ୍କର ମୃତ ଦେହ।
ସେବେଠୁ ଆମ ଘର ଆଗେ ଗାଡି ଅଟକିଲେ ମୋ ଛାତି ଭିତର ଦୁଲୁକି ଯାଇ ଛନକା ପଶେ।ଧଡ଼ ଧଡ଼ ହୁଏ ମୋ ଛାତିର ପଞ୍ଜରା। ପୁଣି କିଛି ମରଣାନ୍ତକ ଖବର ନେଇ କେହି ଆସିଲା କି ଭାବି।
ଭାର ସଜଡା ଛାଡି ଦଉଡ଼ି ଗଲି ଦୁଆର ମୁହଁକୁ।
ଆରେ!!ଆପଣ ନୀଳ୍ ସାର୍..... ଆଉ ଆ ..ପ.. ଣ !
ମୁଁ ନୀଳ୍ ର ମା।ଆପଣଙ୍କ ସହ କଥା ଥିଲା।ସେଇଥି ପାଇଁ ଆସିଛୁ--
ମୋତେ କୋଟି ନିଧି ମିଳିଲା ଯେପରି।ଶ୍ରୀକୃଷ୍ଣ ସୁଦାମା ଘରକୁ ଆସିଛନ୍ତି !
ବିହ୍ଵଳିତ ହୋଇ କହିଲି ,ଆଜ୍ଞା ଆସନ୍ତୁ।ଘର ଭିତରକୁ ଡାକି ନେଲି। ପୁରୁଣା କାଠ ଚୌକିଟିକୁ କାନିରେ ପୋଛି ଦେଇ ବସିବାକୁ ଅନୁରୋଧ କଲି।ମୋ ଅଭାବୀ ଘରେ ଯଦିଓ ଦାମୀ ଆସ ବାଵ ପତ୍ର ନ ଥିଲା ,ଥିଲା କିନ୍ତୁ ସଫା,ଶୃଙ୍ଖଳିତ, ଶାନ୍ତି।
ମୁଁ ଭୟରେ ପଚାରିଲେ 'ଆଖି 'କଣ ଭୁଲ କରି ଦେଇ ଆସିଛି କି !ଝିଅଟି ସେମିତି ସାର୍।ଭାରି ଖୋଲା।ମୁହେଁ ମୁହେଁ କୁହେ।ଅନ୍ୟାୟ ଆଦୌ ସହି ପାରେନି ଠିକ୍ ତା ବାପା ପରି। ବାପା ନ ଥିବା ଛୁଆ ଟା ସାର୍।ଯଦି କିଛି ଭୁଲ କରି ଥିବ କ୍ଷମା କରି ଦେବେ ଆଜ୍ଞା।
ଆରେ ନାଇଁ.. ନାଇଁ..।ସେମିତି କିଛି ନାହିଁ।ଆମେ ଅଫିସ୍ କାମରେ ଆସିନୁ।ବ୍ୟକ୍ତି ଗତ କାମ ଥିଲା।କହିଲେ ନୀଳ୍ ର ମା।
ବ୍ୟ ..କ୍ତି..ଗ..ତ।ଆହୁରି ଡରି ଗଲି।ଡରି ଡରି ବଞ୍ଚିବା ସତେକି ଗରିବ ମାନଙ୍କ ଭାଗ୍ୟ ଲିପି।ସେଥିରେ ପୁଣି କଞ୍ଚା ବୟସରେ ବିଧବା ହେବା।ମୁଣ୍ଡ ଉପର ଛତ କି ଛତା ନଥିବା,କୋଳରେ ତିନି ବର୍ଷର ଛୁଆ ଥିବା ନାରୀ ଟିଏ ଏକା ହୋଇଗଲେ କେତେ ଯେ ଡର ଡ଼ରାନ୍ତି ତାହା କେବଳ ନିଳିମା ମାନେ ହିଁ କହି ପାରିବେ।ସବୁଥିରେ ସମସ୍ତିଙ୍କୁ ଡରି ମରିବା ଛଡା ଚାରା ନଥାଏ। ସମାଜର ବିଧବା ମାନଙ୍କ ପାଇଁ ଟାଣି ଥିବା ଲକ୍ଷ୍ମଣ ଗାର ସହ ପୁରୁଷ ନଥିବା ସୁନ୍ଦରୀ ବିଧବା ସ୍ତ୍ରୀ କୁ କୁତ୍ସିତ ଦୃଷ୍ଟିରେ ଦେଖିବା ଯାଏ, ସବୁଥିରେ ଦୋଷୀ ସାବ୍ୟସ୍ତ ହୁଏ ବିଚାରୀ।
'ଆଖି 'ହିଁ ମୋର ସତ ସତିକା ଆଖି।ରୂପ,ଗୁଣ କେଉଁ
ଥିରେ ଉଣା କରି ନାହାନ୍ତି ଠାକୁରେ।କେବଳ ଯାହା ଅନେକ ସମୟ ଝୁରେ,ଖୋଜେ ନୀରବରେ ତା ବାପାଙ୍କୁ। ମୁଁ ଜାଣିଲେ କାଳେ କାନ୍ଦିବି ସେ ପାଇଁ ବାପା ଫୋଟୋକୁ ଧରି ଲୁଚେଇ ଲୁଚେଇ କାନ୍ଦେ।ମୋତେ ବୁଝେଇ କୁହେ ମୋ ବାପା ହିରୋ।ବାପା ଥିଲେ ଅବଶ୍ୟ ମୁ ଟିକେ ଆହୁରି ଫୁଲେଇ,ଗେହ୍ଲେଇ,ଫାଜିଲି ହୋଇ
ଥାନ୍ତି।ତୋତେ କଣ ଭଲ ଲାଗି ଥାନ୍ତା !!ତୁ ଜମା ଭାବିବୁ ନାଇଁ ମା--ମୋର ବାପା ନାହିଁ ବୋଲି।ତୁ ତ ମୋର ବାପା ମା ସ--ବୁ।
ମୁଁ ଜାଣି ପାରେନି ସେ ମୋତେ ବୁଝାଏ ନା ନିଜକୁ।ମା ଝିଅ ଏମିତି କଥା ହୋଇ ପରସ୍ପର ଲୁହ ପୋଛୁ ପୋଛୁ ଆଖି କେତେ ବେଳେ ବଡ଼ ହୋଇ ଗଲା ଜଣା ପଡ଼ିଲାନି।
ବୋଧ ହୁଏ ସମୟ ଏମିତି ରେସ୍ କରୁଥାଏ ଦୁଃଖୀ ମଣିଷ ସାଥେ।
ଜାଣନ୍ତି ସାର୍ ଓ ମାମ୍! ଆଖି ସବୁ ବେଳେ ନୀଳ୍ ସାର୍ ଙ୍କ କଥା ହିଁ କୁହେ।ମୁଁ ମୋ ଆଖିର ମା ବାପା ଭାଇ ଭଉଣୀ ଓ ସବୁଠାରୁ ଭଲ ସାଙ୍ଗ ବି।ମୁଁ ତାର ପ୍ରତିଟି କଥା ଶୁଣି ଶୁଣି ଥକି ପଡେ ପଛେ ସେ କହିବାରୁ ଥକି ଯାଏନା।
ବେଳେ ବେଳେ ଆକାଶ ଖୁବ୍ ମନେ ପଡନ୍ତି।ଅନେକ ରାତି ବେଡ଼ରେ ଏପଟ ସେପଟ କଡ଼ ଲେଉଟାଇ ଦୀର୍ଘଶ୍ଵାସ ଛାଡେ , ନିଦ ହୁଏନି। ଆଖି ମୋ ମା ହୋଇ ଯାଇ ମୋତେ କୋଳରେ ପୁରାଇ କୁହେ ବାପା ମନେ ପଡୁଛନ୍ତି ନା ମା ?ମୁଁ ଭୋ ଭୋ ବାଜେ। ସେ ମୋତେ ତୁନି କରାଇ କୁହେ ତୁ କହୁ ବା ମା, ଭଲ ଲୋକଙ୍କୁ ଠାକୁର ଖୁବ୍ ଭଲ ପାଆନ୍ତି ବୋଲି ନିଜ ପାଖକୁ ନେଇ ଯାଆନ୍ତି ! ତୁ କାଇଁ କାନ୍ଦୁଛୁ ଯେ।
ବୁଝିଲେ ସାର୍ ଆପଣଙ୍କ ଅଫିସ୍ ରୁ ଟ୍ରାନ୍ସଫର ହେଇ ଆସିଲା ପରେ ଭାରି ଝୁରି ହେଲା ।ଖିଅ ପିଆ ବି ଛାଡି ଦେଲା।କାହାର ଫୋନ୍ ଆସିଲେ ଦଉଡ଼ି ଯିବ ଓ କହିବ, " ମା ନୀଳ୍ ସାର୍ କାଳେ ଫୋନ୍ କରିଥିବେ" । ଜାଣନ୍ତି ମାମ୍ ମୁହଁ ଖୋଲି ନ କହିଲେ ବି ଆଖି ମୋ ବାୟାଣୀ ହୋଇ ଯାଇଥିଲା ନୀଳ୍ ସାର୍ ଙ୍କ ପାଇଁ।ବସିଲେ, ଉଠିଲେ ,ଖାଇଲେ, ଶୋଇଲେ କେବଳ ନୀଳ୍ ସାର୍ ଗୁଣ ଗାନ।ସତେକି ନୀଳ୍ ସାର୍ ତା ଭାବନା
,ସ୍ବପ୍ନ,ଦେହ,ମନ ଆତ୍ମା ସବୁଠି ବସିଥିଲେ ।ମୋତେ
ଲାଗିଲା ଝିଅଟି ସାର୍... ସାର୍ ହୋଇ ନିଶ୍ଚୟ ପାଗେଳି ହୋଇଯିବ।
ନୀଳ୍ ମାଙ୍କ ମୁଁହଁ ହସରେ ଚହଟି ଉଠିଲା।କୁହନି ନିଳିମା ଦେବୀ।ନୀଳ୍ ର ବି ସେଇ ଏକା ଦଶା।ଆଖି ଏମିତି ଥିଲା।ଆଖି ଟା ଭାରି ଗପୁଡି।ଗପି ଗପି ମୁଣ୍ଡ ଖାଇବ।। ଫୋ ଫା କହେ।ତା ହାତ ତିଆରି କଫିର ସ୍ୱାଦ ନିହାତି ନିଆରା।ଆଖି ଥିଲେ ଫାଇଲି ଖୋଜିବାକୁ ପଡେନି।କ୍ୟାବିନ୍ ହସୁଥାଏ ସବୁବେଳେ। ଅଫିସ୍ ସଜେଇବାରେ ସେ ଏକ୍ସପଟ୍।ଅଫିସ୍ ଟାକୁ ଆଖି ଗୋଟିଏ ଘର କରି ଦେଇଥିଲା। ଆଖି ତାର ଟିଙ୍ଗା ଗୁଣ ହଜମ କରିବା ସାମର୍ଥ୍ୟ ରଖେ ଯାହା ଅଫିସ ର ଅନ୍ୟ କେହି ଆଜି ଯାଏ ପାରି ନଥିଲେ। ଆଖି ଖୁବ ସୁନ୍ଦର କବିତା ଲେଖେ।ଖାଲି ତ ଆଖି --ଆଖି!!!
ମୁଁ ଅବଶ୍ୟ ବଢିଲା ପୁଅର ମନ କଥା ବୁଝେ ଯେ ପୁଅକୁ ମୋର ଭଲ ପାଇବା ହେଇ ଯାଇଛି।ଯେତେ ଯୁଆଡେ ବିବାହ ପ୍ରସ୍ତାବ ଆସେ ଝିଅ ଗୁଡାଙ୍କୁ ଦେଖିଲା ପରେ ମନା କରିଦିଏ କିଛି ବଡ଼ ଗୁଣ ବାହାର କରି।ମାତ୍ର ପ୍ରଥମ ବାର ସେ ଗୋଟିଏ ଝିଅକୁ ପ୍ରଶଂସା କରିବାର ଜାଣି ମୁଁ ବି କୁରୁଳି ଉଠିଲି।ଯାହା ହେଉ କେହିତ ପସନ୍ଦ ହେଇଛି ତାର!!! ନୀଳ୍ ବି ଆମରର ଏକମାତ୍ର ବଞ୍ଚିବା ରାହା। ତା ପାପା ଙ୍କ ଡିୟୁଟି ଭଲ ତ ସେ ଭଲ। ଆମେ ଠାଏ ନୀଳ୍ ର ବାପା ଠାଏ।ନିଳ୍ ର ପିଲାଦିନୁ ସବୁ ଅଳି ଅର୍ଦ୍ଦଳି, ଶିକ୍ଷା ଦୀକ୍ଷାର ଦାୟିତ୍ୱ ମୋର। ଏଡ଼େ ବଡ଼ ପୋଲିସ ଅଫିସର ପୁଅ ଏତେ ସରଳ ଏତେ ସାଧା ସିଧା କେହି ବିଶ୍ବାସ କରିବେ ନାହିଁ।ହେଲେ ସତ ଏଇଆ ଯେ ନୀଳ୍ ଏ ଯୁଗ ପୁଅଙ୍କ ଠାରୁ ଢେର୍ ଅଲଗା।ଅହଂ , ଗର୍ବ କିଛି ଛୁଇଁନି ।
ସବୁଠାରୁ ବଡ଼ କଥା ହେଲା----ମୋ ପୁଅଟି ବୋଧେ ତା ପାଇଁ ଟିକେ ଷ୍ଟାଇଲି କଲା।ନିଜ ପୋଷାକ ଓ ଦେହ ପ୍ରତି ସଚେତନ ହେଲା।ନଲେ ତ ଭେକରେ ଫଗୁଆ ଥିଲା।ବୁଝିଲେ ନିଳିମା ଦେବୀ !ନ ଦେଖିଲେ ବି ଝିଅଟି,ଯେ ଆପଣଙ୍କର ସଂସ୍କାରୀ,ସୁଶୀଳ ମୁଁ ଜାଣି ପାରିଛି।ପୁସ୍ତକ କୀଟ ପୁଅଟି ମୋର ତା ପାଇଁ ଅନେକ ମାତ୍ରାରେ ବଦଳି ଯାଇଛି।
ପ୍ରେମ ସତରେ ବଦଳେଇ ଦିଏ ମଣିଷ କୁ ଏଇଟା ମୋ ପୁଅ ନୀଳ୍ କୁ ଦେଖିଲେ ଜାଣି ହେବ।
ନୀଳ୍ ର ବଡ଼ ଦୋଷ ସେ ତା ମନ କଥା ଖୋଲି କହି ପାରେନି। ମୋତେ ତା ମୁହଁ ପଢି ଜାଣିବାକୁ ପଡେ।ଏଇ ଦେଖୁ ନାହାନ୍ତି ଆଖି କୁ ଏତେ ଭଲ ପାଏ କହିବ କହିବ ବୋଲି ପାଞ୍ଚ ମାସ ନେଇ ଗଲା।ଆଖି ପାଞ୍ଚ ମାସ ହେବ ବୋଧେ ଟ୍ରାନ୍ସଫର୍ ହୋଇ ଆସିଲାଣି।
ଏଣୁ ମୁଁ କଣ କହୁଥିଲିକି ଦୁଇ ପିଲା ପରସ୍ପରକୁ ନିଜକୁ ଏତେ ଯଦି ଜାଣନ୍ତି,ପସନ୍ଦ କରନ୍ତି ଚାଲନ୍ତୁ ନା ସାରା ଜୀବନକୁ ସେମାନଙ୍କୁ ସାଙ୍ଗ କରି ଦେବା??ମୁ ନୀଳ୍ ସହ ଆଖିର ବିବାହ ପ୍ରସ୍ତାବ ନେଇ ଆସିଛି,କହିଲେ ନୀଳ୍ ର ମା।
କଣ କହିଲେ!!!ବିସ୍ମୟ କିନ୍ତୁ ଅତି ଦୁଃଖୀତ ପ୍ରାଣରେ ଭାଙ୍ଗି ପଡି ଭାରି କଣ୍ଠରେ କହିଲେ ମୁଁ।ଆପଣ ଡେରି କରିଦେଲେ ମାମ୍।ଦେଖୁ ନାହାଁନ୍ତି ଏ ଭାର ସଜଡା।ଆଜି ପରା ମୋ ଆଖିର ଅଷ୍ଟ ମଙ୍ଗୁଳା।ଆଜକୁ ଆଠ ଦିନ ହେବ ମୋ ଆଖିର ବାହା ଘର ସରିଛି।
ଆଖି ଠିକ କହୁଥିଲା ଦେଖିବୁ ମା---ନୀଳ୍ ସାର୍ ଆମ ଘରକୁ ଖୋଜି ଖୋଜି ଦିନେ ନିଶ୍ଚୟ ଆସିବେ।ତା କଥା ସତ ହେଲା।କେତେ ଭଲ ପାଉଥିଲା ସେ ତା ନୀଳ୍ ସାର୍ ଙ୍କୁ!
ହେଲେ ଆ..ପ..ଣ ଆଉ ଆ..ମେ। ଅନୁକମ୍ପା ମୂଳକ ବାପା ଚାକିରୀରେ ଥାଇ ମରିଥିବାରୁ ବ୍ୟାଙ୍କରେ ପିଅନ ପୋଷ୍ଟ ଟିଏ ତାକୁ ମିଲିଗଲା।ତା ବୋଲି ବ୍ୟାଙ୍କ ମ୍ୟାନେ
ଞ୍ଜର ପୁଣି ପୋଲସି ଡିଜିଙ୍କ ପୁଅକୁ ସେ ବାହା ହୋଇ ପାରିବ?ଏ ଦୁଃଶାହସ କିପରି କରି ପାରି ଥାନ୍ତୁ ଆମେ?
ପ୍ରେମ ଧନୀ ଗରିବ ଦେଖେନି କହିବାକୁ କି ପଢ଼ିବାକୁ ଭଲ ଲାଗେ।ପ୍ରକୃତ ପକ୍ଷେ ବିଧବା ମାର ଫୁଟା ଅଜବେଷ୍ଟ ଘର ତଳେ ଏମିତି ଦୁଃସାହସିକ ସ୍ୱପ୍ନ ଦେଖିବା ଅପରାଧ ମାମ୍।
ମୁଁ କାନ୍ଦୁଥିଲି କଇଁ କଇଁ କୋହ ଫଟାଇ। ନୀଳ୍ ସାର୍ ଙ୍କର ହାତ ଧରି କହିଲି , ସାର୍ ଗୋଟିଏ ଅନୁରୋଧ ରଖିବ ମୋର।କୌଣସି ଦିନ ,ଯେ କୌଣସି ପରିସ୍ଥିତିରେ ବି ମୋ ଆଖି ଯେପରି ନ ଜାଣେ ତୁମେ ତାକୁ ଭଲ ପାଉଥିଲ। ବହୁତ କଷ୍ଟ ପାଇବ। ଏମିତି କି ଜୀଇଁବା ଛାଡ଼ିଦେଵ।ପାଗେଳି ହୋଇଯିବ।କଥା ଦିଅ ବାପା!!ଏତିକି କରିବ.... ବହୁତ ବାଧ୍ୟରେ ସେ ଘର ସଂସାର କରିବାକୁ ଯାଇଛି କେବଳ ମୋ ଖୁସି ପାଇଁ।ସେମିତି ଅଜଣାରେ ତା ଛାତି ଭିତରେ କବର ନେଉ ତା ଭଲ ପାଇବା " ।
ଏସବୁ ଶୁଣି ନୀଳ୍ ର୍ ମା ଓ ନୀଳ୍ ସବ୍ଧ।ଆଖିର ଆଖି ଯେପରି ନୀଳ୍ ଚାରିକଡେ ବୁଲି କହୁଥିଲା ""ଆପଣ ବହୁତ ଡେରି କରି ଦେଲେ ସାର୍,ବ-ହୁ-ତ ଡେରି....।