ଯୁଗଳ ମୂର୍ତ୍ତି
ଯୁଗଳ ମୂର୍ତ୍ତି
ଅଳି କରେ ରାଧା ଦୋଳି ଖେଳିବାକୁ
ଶିଆଳି ଲତାରେ ବସି
ଦୂରୁ ହସେ ଶ୍ୟାମ ବଂଇଶୀ ବଜାଇ
ରାଧା ଯାଏ ପୁଣି ରୁଷି ।
କର ନାହିଁ ମାନ ମାନୀନି ରାଧିକା
ବଂଶୀ ଡାକେ ତୁମ ନାମ
ନୟନେ ମୋହର ପଢିକି ପାରନା
ଭରି ରହିଅଛି ପ୍ରେମ ।
ଚଇତି ପବନ ଶିହରଣ ଭରେ
ଶାନ୍ତ ହୋଇଛି ଯମୁନା
କୋଇଲିର ଡାକ କର୍ଣ୍ଣ ଡେରି ଶୁଣ
ଆସେ ବଉଳ ବାସନା ।
ରଙ୍ଗେ ରଙ୍ଗାଇବି ଗୋରା ବଦନକୁ
ଚିହ୍ନି ନପାରିବେ କେହି
ମୋ ପ୍ରେମ ରଙ୍ଗରେ ରଙ୍ଗିଛ କେବେଠୁ
ଶ୍ୟାମା ପରିଚୟ ନେଇ ।
ଗୋଲାପି ନାଲିଆ ହଳଦୀ ନାରଙ୍ଗୀ
ଭଳି ଭଳି ଆଣି ରଙ୍ଗ
ପରବ ବାହାନା ତୁମେ କି ଜାଣନା
ଭିଜେଇବି ତୁମ ଅଙ୍ଗ ।
ଛାଡିବନି କେବେ ମୋର ପ୍ରେମ ରଙ୍ଗ
ପଡିବ ହୁରି ଗୋପରେ
ପାଦେ ପାଦ ଛନ୍ଦି ବସିବା ସାଥିରେ
ଝୁଲି ଶିଆଳି ଲତାରେ ।
ନାଚୁଥିବେ ଗୋପୀ କାହିଁ କେତେ ତପି
ଦରଶନ ଲାଳସାରେ
ଯୁଗେ ଯୁଗେ ଦୋଳି ସଜାଇ ଝୁଲାଇ
ଯୁଗଳ ମୂର୍ତ୍ତି ଦୋଳରେ ।