ଯତନ ନଗର ନୂହଁ ଯାତନା ନଗରୀ
ଯତନ ନଗର ନୂହଁ ଯାତନା ନଗରୀ
ଯେତେ ମିଳିଲେ ବି ଭୋକ ଲାଗଇ
ଲୋଭୀ ମାନବକୁ
ଯେତେ ଆରାମ ମିଳିଲେ ବି ଅଧିକ
ଦରକାର ଅତ୍ୟାଚାରୀକୁ ।
ରକ୍ଷକ, ଭକ୍ଷକ ସାଜିଲେ ଗୁହାରୀ
କରିବା କାହାକୁ
ମାନବତା ଗୁଣ ନାହିଁ ଯଦି ତା'ର ଧିକ୍
ତା ମଣିଷ ପଣକୁ ।
ଢ଼େଙ୍କାନାଳରେ ଜନମ ମୋର, ସେ
ମାଟିରେ ସବୁଦିନ ଦେଖୁଥିଲି
ପାହାଡ ଶିଖରେ ଯତନ ନଗର, ଅତୀତ
ଅନ୍ଧକାରକୁ ଦେଉଥିଲା ଖୋଲି ।
ଲକ୍ଷେ ପ୍ରଜାଙ୍କ ସ୍ବେଦ ଓ ରକତ ବହିଛି
ଯତନ ନଗରକୁ ଗଢ଼ିବାରେ
ଏଇ କାଳ କୋଠି ପାଇଁ ମଣିଷ ଓ ଜନ୍ତୁ
କାନ୍ଦିଛନ୍ତି ରାଜ ଶାସନରେ ।
ଯତନ ନଗର ନୁହେଁ ସେ ଯାତନା ନଗରୀ
ସେ ଯୁଗ ବେଠି ବଗାରୀର
ଭୁଲି ଯାଇପାର କଳଙ୍କିତ ରାଜା ଶାସନକୁ
୯୯ ବଖରା ଜୀର୍ଣ୍ଣ କୋଠାଟି ତା ସ୍ୱାକ୍ଷର ।
ଛାତି ପିଟିପିଟି, ମରଦ ବନି, ରକ୍ତର ଛିଟା
ବୁହାଇଲ ଗରିବର କଙ୍କାଳରେ
ଲୁହ ଲହୁ ଶୋଷି ସୌଧ ଗଢ଼ିଲ, କଳା
କାହାଣୀକୁ ଲେଖିଲ ଢ଼େଙ୍କାନାଳ ମାଟିରେ ।
ଯାଇଛି ସେ କାଳ, କିନ୍ତୁ ଭୋକ ଉପବାସେ
ବହୁ ଲୋକ କାଟନ୍ତି ଜୀବନ
ହଁ, ଆସିଛି ଏବେ ନୁଆଁ ବେଳ, ଲିଭି ନାହିଁ
ଆଜି ମଣିଷ ଉପରେ ମଣିଷର ଶୋଷଣ ।
ମଣିଷ ଦାଦନ ଶ୍ରମିକ ହୋଇ ବିଦେଶ ଯାଏ
ଶବ ତାର ଘରେ ଫେରେ
ଶୋଷକ ବନିଛି ସମାଜ ସେବକ, ଫଟୋ
ଉଠାଇ ପ୍ରଶଂସା ନିଏ ଖବର କାଗଜରେ |
ଭବିଷ୍ୟତକୁ ଅନ୍ଧକାର କର ହେ ଶୋଷକ
ଦେଖ ଅତୀତକୁ ଥରେ
କିଏ ବା ରହିଛି, ଆଜି ଯିଏ ଧନୀ କାଲି ହୁଏ
ପଥର ଭିକାରି, ମନେ ହେଜରେ |
