ଯେବେ ବର୍ଷା ଆସେ
ଯେବେ ବର୍ଷା ଆସେ
ଛାଇଯାଏ ଆକାଶରେ ନୂଆ ମେଘ
ବର୍ଷ ହୁଏ ଶୁଭାରମ୍ଭ ଯେବେ ବର୍ଷା ଆସେ ,
ପୁଚ୍ଛ ଟେକି ଖୁସି ମନେ ନାଚେ ଶିଖୀ
ଆକାଶରେ ସପ୍ତରଙ୍ଗ ଇନ୍ଦ୍ରଚାପ ଦିଶେ ।
ଛନଛନ କଅଁଳିଆ ଦୁବଘାସ
ଢାଙ୍କିଦିଏ ଧରଣୀକୁ ସବୁଜ ପଣତେ
ନଦନଦୀ ସରୋବର ଜଳପୂର୍ଣ୍ଣ
ବରଷଇ ରିମଝିମ ବର୍ଷା ଛନ୍ଦପାତେ ।
ଢଳି ଢଳି ଚାଲୁଥାଏ ନବବଧୂ
ମଖମଲି ତାର ଦେହ ସାଧବ ବୋହୁଟି
ଛତୁ ଫୁଟେ ଛତ୍ରତୋଳି ବାଲୁକାରେ
କଳାମେଘେ ବିଦ୍ଯୁରେଖା ଉଠଇ ଚମକି ।
ରହି ରହି ଶୁଭିଥାଏ ଭେକରଡି
ଗରଜଇ ନିଶାରାତି ଝିଙ୍କାରୀ ଶବଦେ
ରସରାସେ ହୋଇଯାଏ ଏକାକାର
ଜୀବନ କୃଷ୍ଣ ତଲ୍ଲୀନ ପ୍ରାବୃଟ ସାନ୍ନିଧ୍ଯେ ।
ଉନ୍ମେଷଇ ନୂଆମନ ପ୍ରୀତିପ୍ରେମ
ପୁଲକେ ଜୀବନ ପ୍ରାଣ ଆନନ୍ଦ ମଗନ
ଚିରି କଳା ଅନ୍ଧକାର ନିରାଶାର
ଉଦେ ହୁଏ ଆଶା ନୂଆ ଅରୁଣ ସ୍ବର୍ଣିମ ।

