ଯାଆରେ ଭାସି ଭାସି ଯାଆ
ଯାଆରେ ଭାସି ଭାସି ଯାଆ
ବିରହ ଗାରିମା ଡେଇଁ ଯାଏ ସୀମା
କୋହ ଭରା ହୃଦେ ଦେଇ ବିଦାୟ
ଦରିଆର ସେହି ଅଦୃଶ୍ୟ ଦିଗନ୍ତେ
ହଜିଯାଏ ଧିରେ ପ୍ରୀତିର ଲୟ ।
ସାଧବାଣୀ ସିଏ କଳିଙ୍ଗ ରମଣୀ
ଅସମ୍ଭବ ଦିଏ ସମ୍ଭବ କରି
ତା ପଥର ଛାତି ଧର୍ମ କର୍ମ ଭକ୍ତି
ଯୋଗୁଁ ସୁରକ୍ଷିତେ ସାଧବ ତରୀ ।
ଦରିଆପାରିର ଦୁଃସାହସିକତା
ସରଳେ ପ୍ରତୀୟ ସାଧବେ ଲାଗେ
ଜୟ ମା ମଙ୍ଗଳା ପ୍ରଭୁ ଚକାଡୋଳା
ସାଧବାଣୀ ହୃଦେ ବୋଇତ ମଙ୍ଗେ ।
ବୃଦ୍ଧା ମାଆ ଲୁହ ପ୍ରିୟତମା କୋହ
ବାରିଥିଲା ଟିକେ କଣେଇ ଚାହିଁ
ପୁଅ ଖନି ଭାଷା ତଅପୋଇ ଋଷା
ସାଧବ ଆଖିରେ ନାଚି ଉଠଇ ।
ଫେରି ଚାହେଁ ପଛ ଦିଗବଳୟେ ସେ
କେତେ ଦୂରେ ପ୍ରିୟଜନ ତା ଏବେ
ହୃଦ ଭରା କୋହେ ମିଛ ହସ ମୁହେଁ
ବନ୍ଦରୁ ବୋଇତ ଛାଡିଛି ଶୁଭେ ।
ଫେରିବ ଅବା ସେ ନଫେରିବ ଆଉ
ଦୈବ ଦୁର୍ବିପାକ ତା ଯାତ୍ରା ସାଥୀ
କେ ଦେବ ବାରତା ନ ଫେରିବା କଥା
ଅଶୁଭ ଚେତନା ଭ୍ରମେ ତା ମତି ।
ସ୍ଥିର କଲା ମନ ଲକ୍ଷ୍ୟେ ଦେଲା ଧ୍ୟାନ
ସ୍ମୃତିରେ ଭରିଲା ପୂର୍ବଜ କୀର୍ତ୍ତି
ନିଶ୍ଚୟ ଫେରିବ ଗୌରବେ ମଣ୍ଡିବ
ଲେଖିବ ତା କୀର୍ତ୍ତି ଭାରତ ଗୀତି ।