ଦୁଃଖେ ଜଗନ୍ନାଥ ଦିଅନ୍ତି ସାଙ୍ଗୀ
ଦୁଃଖେ ଜଗନ୍ନାଥ ଦିଅନ୍ତି ସାଙ୍ଗୀ


ସୁନା ଚାଦରଟେ ବୁଣିଥିଲା ଚାଷୀ,
କେତେ ଖରା ବର୍ଷା କଷଣ ସହି,
ବିକଳେ ଚାହୁଁଛି ସେ ଚାଦର ଆଡେ,
ବାତ୍ୟା ଜୱାଦର ଖବର ପାଇ ।
ବୈଶାଖର ଖରା, ଶ୍ରାବଣର ଧାରା,
ପିଠେଇ ଦେଇ ସେ ଥିଲା ଖୁସିରେ,
ସବୁ ସେ ଭରଣ କରିଦେବ ନିଶ୍ଚେ,
ସାହୁକାର ଚିନ୍ତା ଥିଲା ଆଗରେ ।
ଟିଉସନ ଟଙ୍କା ପିଲାଙ୍କର ବାକି,
ଦୋକାନୀ ଦେଉନି ସଉଦା ଆଉ,
ଅର୍ଥ ଅଭାବରୁ, ଆଖି,ଆଣ୍ଠୁ କଷ୍ଟେ,
ଚିକିତ୍ସା ଆଶାରେ ତା ବାପା ବୋଉ ।
ମାଣବସା ପାଇଁ, ଧଳା ଶାଢ଼ୀ ଖଣ୍ଡେ,
ଶେଷ ପାଳି ନିଶ୍ଚେ ଘରଣୀ ପାଇଁ,
ଯଦି ଟଙ୍କା ବଳେ, ତା କଥା ପଛକୁ,
ନିଜ ପିନ୍ଧା ଲୁଙ୍ଗି ସାତ ସିଲେଇ ।
ଅଧିକ ଆଶା ସେ, କରିବ ବା କାଇଁ,
ବର୍ଷକ ଫସଲେ ତା ଖୁସି ବନ୍ଧା,
ଭୁଲି ଯାଇଥିଲା, ସବୁ ଦୁଃଖ,କଷ୍ଟ,
ଦେଖି ସୁନା ଧାନେ ତା କ୍ଷେତ ଖୁନ୍ଦା ।
ଧ
ାନ କ୍ଷେତ ଦେଖି, ସ୍ବପ୍ନ ଭରା ଆଖି,
ଲୁହେ ଭିଜେ ଆଜି ବାତ୍ୟା ଖବରେ
ମାର୍ଗଶୀରେ ସୁନା ଫସଲକୁ ଧରି,
ମାଆ ଲକ୍ଷ୍ମୀ ଆସିଥାନ୍ତେ ସାଥୀରେ ।
ପରିଶ୍ରମ,କଷ୍ଟ, ହୋଇଯିବ ନଷ୍ଟ,
ବିଲ,ଆକାଶ ଓ ପ୍ରଭୁଙ୍କୁ ଚାହେଁ,
ତ୍ରିନାଥ ଗୋସେଇଁ, ମାଆ ତାରିଣୀ ଲୋ,
ମେଳା ଦେବି କୋହ ହୃଦୟେ କୁହେ ।
ଭାଙ୍ଗିଯାଏ ତାର ଆଶାର ପ୍ରାଚୀର,
ସକାଳର ମେଘ ତାଣ୍ଡବ ଦେଖି,
ଗୋଡ଼ ତଳୁ ମାଟି ଖସି ଖସି ଯାଏ,
ଉଡିଯିବ କିବା ତା ପ୍ରାଣ ପକ୍ଷୀ ।
ମନେ ଦମ୍ଭ ଟାଣି, ଚାହିଁ ପାଞ୍ଚ ପ୍ରାଣୀ,
ଜୱାଦକୁ ହେୟ ମଣି କହିଲା,
ଜୱାଦ ତୋ ବାପା, ଅଜା,ଅଣଅଜା,
କେତେ ଦର୍ପେ ଗଲେ,ତୁ ଛୋଟ ପିଲା, ।
ଚାଷୀକୂଳ ଦମ୍ଭ, ଦେଖିଛି ଦୁନିଆ,
ଯେତେ ଦୁଃଖ କଷ୍ଟେ ନପଡେ ଭାଙ୍ଗି,
ବାତ୍ୟା,ଦୂର୍ବିପାକ, ବନ୍ୟା ଓ ମରୁଡି,
ଦୁଃଖେ ଜଗନ୍ନାଥ ଦିଅନ୍ତି ସାଙ୍ଗୀ ।