STORYMIRROR

Gyanaranjan Nayak

Tragedy

4  

Gyanaranjan Nayak

Tragedy

ଶ୍ରେଷ୍ଠ ତୁମେ,ଦିବ୍ୟ ତୁମ କାହାଣୀ

ଶ୍ରେଷ୍ଠ ତୁମେ,ଦିବ୍ୟ ତୁମ କାହାଣୀ

1 min
421

ଜୀବନ ପ୍ରଦୀପ        ଜଳିବା କି ପାପ,

    ତେଲ ଥାଇ ତେବେ ଲିଭାଅ କାଇଁ

ଯମ,କର୍ମ ଦୋଷ,       ଦେଇ ତୁମେ ଖସ,

    ଏ କଥା କି ଶୋଭେ ଜଗତସାଇଁ ।


ଶ୍ରେଷ୍ଠ ଜୀବେ ଗଣ,      ବୋକା ପୁଣି ମଣ,

    ଜାଣି ତୁମ ଗୁଣ,ଜଣାଏ ସର୍ବେ,

ମୃତ୍ୟୁ ଅବା ଦୁଃଖେ,      ତୁମେ ହିଁ ପ୍ରତ୍ୟେକ୍ଷେ,

    ତୁମ ନାମେ ମୋକ୍ଷ,ଖର୍ବ ମୋ ଗର୍ବେ ।


କିଶୋର, ବାଳୁତ,       ଚପଳ ରେ ମତ,

     ଯୁବ, ବୟସ୍କ ତ ଜଞ୍ଜାଳେ ଲିପ୍ତ,

ଏ ବୁଦ୍ଧି କାହାର ?       ଦୋଷ ଦିଅ ମୋର,

     ଡେରି ହେଲା ଦେଖା ତୁମ ସହିତ ।


ସମୟ ବା କାହିଁ,        ତୁମ ଦେଖା ପାଇଁ,

     ତୁମ କଥା ଶୁଣି,କି ଲାଭ ଭାବେ

ଧନୀ ମୋ ଆଦର୍ଶ,       ଧନ ତ ସର୍ବସ୍ବ,

     ଏ କଥା ମୋ ମୁଣ୍ଡେ, ତୁମ ପ୍ରଭାବେ ।


ଶିଖେଇଲ ଶ୍ରେଷ୍ଠ,       ଅବା କେ ନିକୃଷ୍ଟ,

     ତୁଳନା ମାଧ୍ୟମ କଲ ଧନରେ,

ଯଦି କରିଥାନ୍ତ,         ଜ୍ଞାନୀ, ଗୁଣି, ଭକ୍ତ,

     ତେବେ ଭେଟିଥାନ୍ତି ତୁମେ ବେଳାରେ ।


ପ୍ରକୃତି ବି ଦେଲ,        ଚାହେଁ ଖାଲି ମୂଲ,

     ସମ୍ପର୍କେ ମଣେ ଯେ ମୋ କାମ ପାଇଁ,

ମଣିଷ, ଦେବତା,       ଅବା ପିତା,ମାତା,

      ମୋ ସ୍ବାର୍ଥ ସାଥେ ଯେ ସମ୍ପର୍କେ ସେହି।


ସବୁଠୁ ଅଧିକ,         ସ୍ତ୍ରୀ, ପିଲା ସମ୍ପର୍କ

     କହି ବାନ୍ଧି ଦେଲ ମାୟା ବନ୍ଧନେ,

ଜନ୍ମୁ କି ଦେଇଛ       ବାଟେ ଭେଟେଇଛ,

     ବାଟୋଇଙ୍କ ଭେଟୁ ସ୍ଵଭାବ ଭିନ୍ନେ ।


ଭୁଲିଯାଏ ମନୁ,         ବାତ୍ସଲ୍ୟ ର ତନୁ,

     ବାଟୋଇଙ୍କ ଚିତ୍ର ହୃଦେ,ନୟନେ,

ସମୟ ତ ସାରି,        ଦେଲଣି ମୋ ହରି,

     ଶେଷ ସମୟେ କି ସୂଚାଅ ମନେ ।


ନଥିଲେ ବି ମୁହିଁ,        ଚାଲିବେ ବାଟୋଇ,

      ଚଉଦ ଦିବସେ ସାରି ମୋ ସଭା,

ତେଲ ଥିବା ଦୀପ,       ଉଜ୍ଜ୍ୱଳ ପ୍ରଦୀପ,

      ଲିଭେଇ ସୂଚାଅ ପାଏ କି ଶୋଭା ।


କପଟ କି ଛଳ,         ଛାଡି ଆଦିମୂଳ,

      ମଣିଷକୁ ମଣି ନିରୀହ ପ୍ରାଣୀ,

ପ୍ରତ୍ୟେକ୍ଷେ ବୁଝେଇ,      ଦିଅ ଭାବଗ୍ରାହୀ,

     ଶ୍ରେଷ୍ଠ ତୁମେ,ଦିବ୍ୟ ତୁମ କାହାଣୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy